
ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିକା-ଅନୀଲ ଗିରଫ ମାମଲା ରାଜ୍ୟରେ ଖୁବ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହଂସିକାଙ୍କ କଳା କାରନାମା ଉପରୁ ଏବେ ଗୋଟିଏ ପରେ ଗୋଟିଏ ପରତ ଉଠିବାରେ ଲାଗି ତାଙ୍କର ଅସଲ ସ୍ଵରୂପ ପଦାକୁ ଆସିଛି । ଏନ୍ ଜି ଓ ମାନଙ୍କୁ କୋଟି କୋଟି ଟଙ୍କାର ସିଏସ୍ଆର୍ ପାଣ୍ଠି କରାଇବା ପରେ କମିଶନକୁ ନେଇ ବ୍ଲାକ୍ ମେଲ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ହଂସିକାଙ୍କ ପୃଷ୍ଠଭୂମି ଉପରେ ବହୁ ରୋଚକ ପରିପୂର୍ଣ୍ଣ ଚର୍ଚ୍ଚା ଆଲୋଚନା ହେଉଛି।
କଳାହାଣ୍ଡିର ନର୍ଲାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନିଜର ଦବଦବା ରଖିଥିବା ହଂସିକାଙ୍କ ମୁଣ୍ଡରେ କୁଆଡେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ସେହିଭଳି ବହୁ ବଡ଼ବଡ଼ିଆ ବ୍ୟକ୍ତିବିଶେଷ ତଥା ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟାରେ ହଂସିକା କାୟା ବିସ୍ତାର କରିଥିବାରୁ ପୁଲିସ ଅଡ଼ୁଆରେ ପଡ଼ିଛି ବୋଲି ଶୁଣାଯାଏ। ଏକ ରାଜନୈତିକ ପରିବାରରୁ ଆସିଥିବା ହଂସିକା ଉଚ୍ଚଶିକ୍ଷା ପରେ ରାଜନୀତିରେ ପାଦ ରଖିଥିଲେ ହେଁ ପରେ ପ୍ରଚୁର ଅର୍ଥ ଉପାର୍ଜନ ଲାଳସାର ବଶବର୍ତ୍ତୀ ହୋଇ ଅଘୋଷିତ ଅପରାଧ ଜଗତକୁ ପଶିଯାଇଥିଲେ। ଏମିତିକି ପଇସା ପାଇଁ ସେ ସ୍ବାମୀ ଓ ପୁଅକୁ ବି ପଛରେ ପକାଇଦେଇଥିବା ଜଣାପଡ଼ିଛି। ଉଚ୍ଚ ହେବାର ଅଭିଳାଷ ପାଇଁ ନିଜ ନାଁ ବିଷ୍ଣୁପ୍ରିୟା ଚାନ୍ଦକୁ ବଦଳାଇ ହଂସିକା ଅଭିଲିପ୍ସା କରିଦେଇଥିଲେ। ଏହା ମଧ୍ୟରେ ସେ ଗୁରୁଗ୍ରାମରେ ଏକ ଫାର୍ମହାଉସ୍ର ମାଲିକାଣୀ ହୋଇପାରିଛନ୍ତି। ଦାମୀ କାର୍, ଭୁବନେଶ୍ବରରେ ଦାମୀ ଫ୍ଲାଟ୍
ଅଧିକାରିଣୀ ହୋଇପାରିଛନ୍ତି। ଯାହା ଫଳରେ ସେ ଏକ ରାଜକୀୟ ଜୀବନଯାପନ କରିବାରେ ସଫଳ ହୋଇଛନ୍ତି।
ପିଲାଟି ବେଳରୁ ମା’ଙ୍କୁ ହରାଇଥିବା ହଂସିକାଙ୍କୁ ଲାଳନପାଳନ କରିବା ପାଇଁ ବାପା ଅଶୋକ ଚାନ୍ଦ ଦ୍ବିତୀୟ ବିବାହ କରିଥିଲେ। ଭଲପାଠ ପଢ଼ୁ୍ଥିବାରୁ ଉଚ୍ଚଶିକ୍ଷା ପାଇଁ ତାଙ୍କୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପାଠ ପଢ଼ାଇଥିଲେ। ଏହାପରେ ବୈଦିକ ରୀତିନୀତିରେ ବ୍ରହ୍ମପୁର ଅଞ୍ଚଳର ଜଣେ ଅଧ୍ୟାପକଙ୍କ ପୁଅ ସହ ତାଙ୍କର ବିବାହ କରାଯାଇଥିଲା। ସେମାନଙ୍କର ଏକ ପୁତ୍ର ସନ୍ତାନ ରହିଛି। ଏବେ ପୁଅ ବାପାଙ୍କ ପାଖରେ ରହି ବଢ଼ୁଛି। ସମ୍ପର୍କୀୟ ଭାଇ ମନ୍ତ୍ରୀ ଥିବାରୁ ସେ ରାଜନୀତି ପ୍ରତି ମନ ବଳାଇଥିଲେ। ବାପା ଅଶୋକ ଚାନ୍ଦ ଏକ ଜାତୀୟ ଦଳର ନେତା ଥିଲେ। ୨୦୧୭ ମସିହାରେ ହଂସିକା ଓରଫ୍ ବିଷ୍ଣୁପ୍ରିୟା ନର୍ଲାରୁ ସମିତି ସଭ୍ୟ ଭାବେ ଜିତିଥିଲେ। ବାପା ଅଶୋକ ମଧ୍ୟ ସମିତି ସଭ୍ୟ ଭାବେ ଜିତିଥିଲେ। ପରେ ହଂସିକା ବ୍ଲକ୍ ଉପାଧ୍ୟକ୍ଷା ପାଇଁ ଲଢ଼ିଥିଲେ। ମାତ୍ର ବର୍ତ୍ତମାନର ବିଧାୟିକାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତିଙ୍କଠାରୁ ହାରିଥିଲେ। ହଂସିକା ମାତ୍ର ୪ଖଣ୍ଡ ଭୋଟ୍ ପାଇଥିଲେ। କିନ୍ତୁ ତାଙ୍କ ଦବ୍ ଦବା ବଜାୟ ରହିଥିଲା। କାହାକୁ ଡିଲର୍ ସିପ୍ କରାଇଦେବାକୁ କହି ତ କାହାକୁ ଚାକିରୀ କରାଇଦେବାକୁ କହି ସେ ସ୍ଥାନୀୟ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଥିଲା।
ଲୋକମାନେ ବାରମ୍ବାର ଘରକୁ ଆସି ଟଙ୍କା ମାଗିବରୁ ୨୦୧୮ରେ ହଂସିକା ନର୍ଲା ଛାଡ଼ି ରାଜଧାନୀ ଚାଲିଆସିଥିଲେ। ଝିଅର ଅପବାଦ ମୁଣ୍ଡାଇଥିବା ବାପା ପରେ ବହୁ କଷ୍ଟରେ ସମସ୍ତଙ୍କୁ ଟଙ୍କା ଫେରାଇ ଦେଇଥିଲେ। ଭୁବନେଶ୍ବର ଆସିବା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ଉଚ୍ଚଶିକ୍ଷା ଓ ନିଜର ସୌନ୍ଦର୍ଯ୍ୟକୁ ବ୍ୟବହାର କରି ଉଚ୍ଚକୁ ଉଠିବା ପାଇଁ ସେ ଲାଗିପଡ଼ିଥିଲେ। ପ୍ରଥମତଃ ନିଜର ଓଜନ ୧୦୮ କେଜିରୁ କମାଇବାକୁ ଲାଗିପଡ଼ିଲେ। ଦିଲ୍ଲୀରେ ଅସ୍ତ୍ରୋପଚାର କରି ନିଜର ଓଜନ କମାଇଥିଲେ। ଏହାପରେ ଭୁବନେଶ୍ବରରେ ଏକ ଭିଏଲସିସି ସେଣ୍ଟର ଖୋଲିଥିଲେ। ସେଠାରୁ ଆରମ୍ଭ ହୋଇଥିଲା ହଂସିତାଙ୍କ ନୂଆ ଅଧ୍ୟାୟ। ନାଁ ବଦଳାଇ ନୂଆ ପରିଚୟ ତିଆରି କଲେ। ଗୋଟିଏ ନାଁରେ ସେ ପରିଚିତ ନଥିଲେ। କେଉଁଠି ହଂସିକା ତ କେଉଁଠି ହର୍ଷପ୍ରିୟା ମିଶ୍ର ବୋଲି କହୁଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ବୋଲି କହି ନିଜକୁ ହର୍ଷପ୍ରିୟା ମିଶ୍ର ବୋଲି କହୁଥିଲେ।
ରାଜଧାନୀର ତାରକା ହୋଟେଲ୍, ବାର୍, କ୍ଲବ୍ କୁ ଗଲେ। ଏମିତି ସମୟରେ ତାଙ୍କ ସହ ସମ୍ପର୍କରେ ଆସିଥିଲେ ଅନୀଲ୍। ୪ବର୍ଷ ତଳେ ରାଜଧାନୀର ଏକ ପ୍ରତିଷ୍ଠିତ କ୍ଲବ୍ ରେ ଅନୀଲଙ୍କ ସହ ସାକ୍ଷାତ ହେବା ପରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଦୁହେଁ ବିବାହିତ ହୋଇ ମଧ୍ୟ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ଯୋଡ଼ି ବେଶ୍ ଜମିଥିଲା। ଅନୀଲ୍ ବି କିଛି କମ୍ ନଥିଲା। ସେ ମଧ୍ୟ ବିଭିନ୍ନ ସଂସ୍ଥାରେ ଚାକିରୀ କରିବା ସମୟରେ ଲକ୍ଷଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଚାକିରିରୁ ତଡ଼ା ଖାଇଥିଲା। ହଂସିକାଙ୍କ ସହ ମିଶିବା ପରେ ସେମାନେ ବଡ଼ବଡ଼ିଆଙ୍କୁ ଫସାଇ କୋଟିକୋଟି ଟଙ୍କା ଲୁଟିଥିଲେ। ଏମାନେ କେତେ ଲୋକଙ୍କୁ ଠକିଛନ୍ତି ? ଏମାନଙ୍କ ସହ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଏସବୁର ଖୋଳତାଡ଼ କରିବା ପାଇଁ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଲାଗପଡିଛି। ଉଭୟଙ୍କ ମୋବାଇଲକୁ ଏସ୍ଏଫ୍ଏସ୍ଏଲ୍ କୁ ପଠାଯାଇଛି। ଉଭୟଙ୍କର ୩ଟି ଆକାଉଣ୍ଟକୁ ଯାଞ୍ଚ କରାଯାଉଛି। ଉଭୟଙ୍କ ପାନ୍ କାର୍ଡକୁ ମଧ୍ୟ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି।