

ବିଶ୍ୱର ଏପରି କୌଣସି କୋଣ ନାହିଁ ଯେଉଁଠାରେ ଟିମ୍ ଇଣ୍ଡିଆର ସୁପରଷ୍ଟାର ବିରାଟ କୋହଲିଙ୍କ ପ୍ରଶଂସକ ନାହାନ୍ତି। ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଙ୍ଗ କୋହଲିଙ୍କର ଏକ ପ୍ରବଳ ପ୍ରଶଂସକ ଅଛନ୍ତି। ୧୭ ବର୍ଷର କ୍ରିକେଟ କ୍ୟାରିୟରରେ, ବିରାଟ କୋହଲି ଏପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ କରିନାହାଁନ୍ତି, କିନ୍ତୁ ଏହି ଦେଶର ଲକ୍ଷ ଲକ୍ଷ ଲୋକ ତାଙ୍କ ପାଇଁ ପାଗଳ। ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ସମୟରେ ମଧ୍ୟ ଲୋକମାନେ ‘ବିରାଟ କୋହଲି ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା।
ଗତ ଶୁକ୍ରବାର ଦିନ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତ୍ରି-ସିରିଜର ଶେଷ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ମହମ୍ମଦ ରିଜୱାନଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସୋସିଆଲ ମିଡିଆରେ ପ୍ରଶଂସକମାନେ ପାକିସ୍ତାନକୁ ଟ୍ରୋଲ୍ କରୁଛନ୍ତି ଏବଂ ଏହି ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କରାଚୀର ନ୍ୟାସନାଲ ଷ୍ଟାଡିୟମ ବାହାରେ ପ୍ରଶଂସକମାନେ ବାବର ଆଜମ ଜିନ୍ଦାବାଦ ନୁହେଁ ବରଂ ବିରାଟ କୋହଲି ଜିନ୍ଦାବାଦ ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା।
ଉଲ୍ଲେଖନୀୟ ଯେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। କେବଳ ଟିମ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ ଖେଳିବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଅନେକ ପାକିସ୍ତାନୀ ପ୍ରଶଂସକ ସେଠାରେ ବିରାଟ କୋହଲିଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ।
ଏବେ ଆସିଥିବା ଏହି ଭିଡିଓରେ ପାକିସ୍ତାନ ଭିତରେ ପ୍ରଶଂସକମାନେ ‘ବିରାଟ କୋହଲି ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବାର ଦେଖାଯାଉଛି। ଏହା ବ୍ୟତୀତ ପାକ ପ୍ରଶଂସକମାନେ ‘ଆରସିବି-ଆରସିବି’ ସ୍ଲୋଗାନ ମଧ୍ୟ ଦେଇଥିଲେ।
ଭିଡିଓରେ ଦେଖାଯାଉଛି ଯେ ଅନେକ ଲୋକ ଏକାଠି ହୋଇଛନ୍ତି, ସେମାନଙ୍କ ସହିତ ଜଣେ ରିପୋର୍ଟର ମଧ୍ୟ ଉପସ୍ଥିତ ଅଛନ୍ତି। ସମବେତଝ ପ୍ରଶଂସକମାନେ ହଠାତ୍ ବିରାଟ କୋହଲିଙ୍କ ନାମରେ ସ୍ଲୋଗାନ ଦେବା ଆରମ୍ଭ କରିଦିଅନ୍ତି। ଜଣେ ପ୍ରଶଂସକ ‘ବିରାଟ କୋହଲି ଜିନ୍ଦାବାଦ’ ସ୍ଲୋଗାନ ମଧ୍ୟ ଦେଉଛନ୍ତି। ଏହା ବ୍ୟତୀତ ସେଠାରେ ଉପସ୍ଥିତ ସମସ୍ତ ପ୍ରଶଂସକ ‘ଆରସିବି-ଆରସିବି’ ସ୍ଲୋଗାନ ଦିଅନ୍ତି। ଏହି ସମୟରେ କିଛି ପ୍ରଶଂସକ ବାବର ଆଜମଙ୍କ ବିଷୟରେ ମଧ୍ୟ କଥା ହେବାକୁ ଚେଷ୍ଟା କରନ୍ତି, କିନ୍ତୁ କୋହଲିଙ୍କ ନାମର ଜୋରଦାର ସ୍ଲୋଗାନଠାରୁ ବାବର ଆଜମଙ୍କ ନାମ ଶୁଣିବାକୁ ମିଳୁନି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।