

ଯଦି କାଲି ବିଶ୍ୱ ଖତମ୍ ହେବାକୁ ବସିବ, ତେବେ କ’ଣ ମହାକୋଟିପତିମାନେ ସେମାନଙ୍କର ଗୁପ୍ତ ବଙ୍କରରେ ଆରାମରେ ବସି ଚା’ ପିଉଥିବେ ? ଜଣେ ପୂର୍ବତନ ଆମେରିକୀୟ ଅଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ ଯୋଗୁ ଆଜି ଲକ୍ଷ ଲକ୍ଷ ଲୋକଙ୍କ ମନରେ ଏହି ପ୍ରଶ୍ନ ଘୂରି ବୁଲୁଛି। ପୂର୍ବତନ ଆମେରିକାର ପୂର୍ବତନରାଷ୍ଟ୍ରପତି ଜର୍ଜ ଏଚ୍.ଡବ୍ଲୁ. ବୁଶଙ୍କ ପ୍ରଶାସନରେ କାର୍ଯ୍ୟ କରିଥିବା ଅଧିକାରୀ କ୍ୟାଥରିନ ଅଷ୍ଟିନ ଫିଟ୍ସ ସମ୍ପ୍ରତି ଏହି ଦାବି କରିଛନ୍ତି। ସେ ତାଙ୍କ ବୟାନରେ କହିଛନ୍ତି ଯେ ଆମେରିକା ସରକାର ୧୯୯୮ ରୁ ୨୦୧୫ ମଧ୍ୟରେ ୨୧ ଟ୍ରିଲିୟନ ଡଲାର ( ଭାରତୀୟ ମୁଦ୍ରାରେ ପ୍ରାୟ ୧,୭୪୩,୦୦,୦୦,୦୦,୦୦,୦୦୦ ଟଙ୍କା) ଖର୍ଚ୍ଚ କରି ଚୁପଚାପ୍ ପ୍ରାୟ ୧୭୦ଟି ଭୂତଳ ଏବଂ ସମୁଦ୍ର ତଳ ବଙ୍କର ନିର୍ମାଣ କରିଛନ୍ତି। ଏହି ସମସ୍ତ ବଙ୍କର କିଛି ଅଜଣା ଏନର୍ଜି ଟେକ୍ନୋଲୋଜି ତଥା ଶକ୍ତି ପ୍ରଯୁକ୍ତିବିଦ୍ୟା ସହିତ ସଂଯୁକ୍ତ ଏକ ଗୁପ୍ତ ପରିବହନ ବ୍ୟବସ୍ଥା ମାଧ୍ୟମରେ ପରସ୍ପର ସହିତ ସଂଯୁକ୍ତ।
ଫକ୍ସ ନ୍ୟୁଜର ପ୍ରସିଦ୍ଧ ଆଙ୍କର ଟକର କାର୍ଲସନଙ୍କ ପଡକାଷ୍ଟରେ ଉକ୍ତ ଅଧିକାରୀ ଏହି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଫିଟ୍ସ କହିଛନ୍ତି ଯେ ଏହି ବଙ୍କରଗୁଡ଼ିକ ବିଶ୍ୱର ବଡ଼ ବଡ ବିପର୍ଯ୍ୟୟରୁ ଧନୀମାନଙ୍କୁ ରକ୍ଷା କରିବା ପାଇଁ ନିର୍ମାଣ କରାଯାଇଛି। ତଥାପି ଏହାର ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ଏହା ପୁଣି ଥରେ ସାଧାରଣ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି ଯେ “ପ୍ରଳୟ ଦିନ ଆସିଲେ ଏଥିରୁ ରକ୍ଷା ପାଇବା ପାଇଁ କିଏ କ’ଣ ପ୍ରସ୍ତୁତି କରିଛି?”
୨୧ ଟ୍ରିଲିୟନ ଡଲାର… କୁଆଡେ ଗଲା ଏହି ପଇସା ?
ଫିଟ୍ସଙ୍କ ଅନୁସାରେ ତାଙ୍କର ସୂଚନା ଅର୍ଥନୀତିଜ୍ଞ ମାର୍କ ସ୍କିଡମୋରଙ୍କ ୨୦୧୭ ରିପୋର୍ଟ ଉପରେ ଆଧାରିତ। ଏଥିରେ ଆମେରିକାର ଫେଡେରାଲ୍ ଖର୍ଚ୍ଚରେ ବିରାଟ ଅନିୟମିତତା ମିଳିଛି। ପ୍ରତିରକ୍ଷା ଏବଂ ଗୃହ ବିଭାଗରେ ଲକ୍ଷ- କୋଟି ଡଲାରର ଏପରି “ଅସମର୍ଥିତ ସମାୟୋଜନ” ରେକର୍ଡଭୁକ୍ତ କରାଯାଇଥିଲା, ଯାହାର କୌଣସି ହିସାବ ମିଳିନଥିଲା। ଫିଟ୍ସ ଦାବି କରନ୍ତି ଯେ ଏହି ଟଙ୍କା ଗୁପ୍ତ ଭାବରେ ବହୁ ସଂଖ୍ୟକ ବଙ୍କର ନିର୍ମାଣରେ ଖର୍ଚ୍ଚ କରାଯାଇଥିଲା।
ଏକ ଆମେରିକୀୟ କମ୍ପାନୀ SAFE (ଷ୍ଟ୍ରାଟେଜିକାଲି ଆର୍ମର୍ଡ ଆଣ୍ଡ୍ ଫୋର୍ଟିଫାଏଡ୍ ଏନଭାର୍ନମେଣ୍ଟସ୍) ସମ୍ପ୍ରତି ଏକ ପ୍ରକଳ୍ପ ‘ଏରି’ ( Aerie) ଘୋଷଣା କରିଛି। ଆସନ୍ତା ବର୍ଷ ୨୦୨୬ ସୁଦ୍ଧା ୱାଶିଂଟନ ନିକଟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାକୁ ଥିବା ଏହି ୩୦୦ ନିୟୁତ ଡଲାରର ଭୂତଳ ଦୁର୍ଗ ବିପର୍ଯ୍ୟୟ ସମୟରେ ବିଶ୍ୱର ୬୨୫ ଜଣ ଅତି ମହାଧନୀ ଲୋକଙ୍କୁ ସୁରକ୍ଷିତ ରଖିବ। ଟିକେଟ୍ ମୂଲ୍ୟ ? ପ୍ରତି ବ୍ୟକ୍ତି ପାଇଁ କେବଳ ୨୦ ନିୟୁତ ଡଲାର … , ଭାରତୀୟ ମୁଦ୍ରାରେ ଜଣକ ପିଛା ୧ ଶହ ୭୦ କୋଟି ଟଙ୍କା
ଏହି ବଙ୍କର ଏକ ପଞ୍ଚତାରକା ହୋଟେଲ ଠାରୁ କମ୍ ହେବନାହିଁ। ଏଥିରେ AI-ଚାଳିତ ଚିକିତ୍ସା ସେବା, ସୁସ୍ଥତା କାର୍ଯ୍ୟକ୍ରମ, ବୋଲିଂ ଆଲି, ଇନଡୋର ସୁଇମିଂ ପୁଲ ଏବଂ IV ଥେରାପି ରୁମ୍ ମଧ୍ୟ ରହିବ। ଏହି ବଙ୍କରରେ ରହିବା ପାଇଁ ସାରା ବିଶ୍ୱରୁ ହଜାର ହଜାର ଧନୀ ବ୍ୟକ୍ତି ବୁକିଙ୍ଗ୍ ପାଇଁ ଆବେଦନ କରିଛନ୍ତି।
୨୧ ଲକ୍ଷ କୋଟି ଡଲାର କିଛି ଛୋଟ ପରିମାଣ ନୁହେଁ। ଏତିକି ଅର୍ଥରେ ଭାରତର ପ୍ରାୟ ୩୫ ବର୍ଷ ଲାଗି ବଜେଟ ଖର୍ଚ୍ଚ ପ୍ରସ୍ତୁତ ହୋଇପାରିବ। ଏତେ ବିପୁଳ ଅର୍ଥ ଖର୍ଚ୍ଚ କରାଯିବା ଏହା ଦର୍ଶାଉଛି ଯେ , “ଯାହାର ଯେତେ ବେଶୀ ଧନ, ଶରୀର ପ୍ରତି ତାହାର ସେତେ ବେଶୀ ମନ”। ଅର୍ଥାତ୍ ଯିଏ ଯେତେ ବଡ ବ୍ୟକ୍ତି, ନିଜ ଶରୀର ପ୍ରତି ତାହାର ସେତେ ବେଶୀ ମୋହ। ଏମାନେ କୈାଣସି ପରିସ୍ଥିତିରେ ମୃତ୍ୟୁବରଣ କରିବା ଚାହାନ୍ତି ନାହିଁ। କିନ୍ତୁ ମୃତ୍ୟୁ ଏପରି ଏକ ମହାସତ୍ୟ ଯେ ପ୍ରାଣୀର ଅନ୍ତିମ ସମୟ ଆସିଲେ ମୃତ୍ୟୁ ଯେମିତି ହେଲେ ତା ନିକଟରେ ଆସି ପହଞ୍ଚିବ। ପୃଥିବୀ ଧ୍ଵଂସ ଅବସ୍ଥାକୁ ଆସିଲେ ଧନୀକ ବ୍ୟକ୍ତି ଭୂତଳ ବଙ୍କରରେ ରହି ବଞ୍ଚିଯିବ। କିନ୍ତୁ ତା ପରେ ବି ଆଉ କେତେ ବର୍ଷ ସେ ବଞ୍ଚିବ ? ତାହା ପରେ ଆଉ ଅତି ବେଶୀରେ ୪୦ କି ୫୦ ବର୍ଷ ବଞ୍ଚିବ। ତାହା ପରେ ମୃତ୍ୟୁ ସ୍ଵାଭାବିକ କି ଅସ୍ବାଭାବିକ ଭାବେ ତା ପାଖରେ ଆସି ଉପସ୍ଥିତ ହେବ ଆଉ ସେ ଦୁନିଆଁ ଛାଡିବ। ଏଥିରୁ ଏହା ପ୍ରମାଣିତ ହୁଏ ଯେ ଯିଏ ଯେତେ ଉପାୟ କଲେ ବି ଦିନେ ନା ଦିନେ ସେ ମର୍ତ୍ତ୍ୟଲୋକ ଛାଡ଼ିବ। ତେବେ ଏ ନାଶବାନ ଶରୀର ପ୍ରତି ଏତେ ମୋହ କାହିଁକି ? ସାଙ୍ଗରେ ରଖିଥିବା ଧନ ବି ଯିବନାହିଁ । ଧନ ରହିଯିବ , ଶରୀର ବି ରହିଯିବ ଏଠାରେ। କେହି ସାଥିରେ ଯିବେନାହିଁ । ସମୟ ଆସିଲେ କୈାଣସି ବଙ୍କର୍ କି ମହାବଙ୍କର୍ ବି ରକ୍ଷା କରିପାରିନାହିଁ। ଦିନେ ଯିବା ସତ୍ୟ। ମିଥ୍ୟା ପ୍ରତି ଏତେ ମୋହ କାହିଁକି ?