


ଓପେନହାଇମର ଭୂତ ଫେରି ଆସିଛି: ବିଶ୍ୱ ପୁଣି ଥରେ ସେହି ସମାନ ମୋଡ଼ରେ ଆସି ପହଞ୍ଚିଛି, ଯେଉଁଠାରୁ ଥରେ ସମଗ୍ର ମାନବ ସଭ୍ୟତା ଥରହର ହୋଇଉଠିଥିଲା । ଦୀର୍ଘ ୮୦ ବର୍ଷ ପରେ ଏବେ ବାୟୁମଣ୍ଡଳରେ ବାରୁଦର ସେହି ଗନ୍ଧ ଫେରିଆସିଛି, କାନରେ କ୍ଷେପଣାସ୍ତ୍ରର ଗର୍ଜନ ତର୍ଜନ ପ୍ରତିଧ୍ୱନିତ ହେଉଛି, ଏବଂ ମାନବତା ପୁଣି ଥରେ ଏକ ‘ମହାପାପ’ର ଦ୍ୱାରଦେଶରେ ଆସି ପହଞ୍ଚିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯେଉଁ ଯୁଦ୍ଧ ବର୍ତ୍ତମାନ ଲହୁ ରୂପେ ପ୍ରବାହିତ ହେଉଛି, ତାହାର ମୂଳ କେବଳ ଧାର୍ମିକ କିମ୍ବା ରାଜନୈତିକ ନୁହେଁ, ଏହାର ମୂଳ ସେହି ଐତିହାସିକ ଦିନରେ ଲୁଚି ରହିଛି, ଯେତେବେଳେ ପ୍ରଥମ ଥର ପାଇଁ ମଣିଷ ନିଜ ଦ୍ଵାରା ସୃଷ୍ଟ ବିଜ୍ଞାନ ରୂପୀ ପରମାଣୁର ଦ୍ୱାର ଖୋଲିଥିଲା।
୧୬ ଜୁଲାଇ ୧୯୪୫, ନ୍ୟୁ ମେକ୍ସିକୋର ସେହି ନିର୍ଜନ ମରୁଭୂମି… ଚାରିପାଖରେ ନୀରବତା… କିନ୍ତୁ ସେହି ନୀରବତାରେ ଏକ ଗର୍ଜନ ସମଗ୍ର ମାନବଜାତିକୁ ଥରାଇ ଦେଇଥିଲା। ଏହା ପ୍ରଥମ ଥର ଥିଲା, ଯେତେବେଳେ ମଣିଷ ନିଜେ ନିଜ ବିନାଶର ମୂଳଦୁଆ ପକାଇଥିଲା। ଏବଂ ସେହି ଦିନ ବଙ୍କରରେ ବସିଥିବା ବ୍ୟକ୍ତିଙ୍କ ନାମ ଥିଲା – ରବର୍ଟ ଓପେନହାଇମର। ସେହି ଓପେନହାଇମର, ଯାହାକୁ ଇତିହାସ ‘ବିଶ୍ୱର ବିନାଶକାରୀ’ ବୋଲି କହିଥିଲା। ଆଜି ଯେତେବେଳେ ଇସ୍ରାଏଲ ଏବଂ ଇରାନର କ୍ଷେପଣାସ୍ତ୍ର ପରସ୍ପର ଉପରେ ବର୍ଷୁଛି ଏବଂ ପରମାଣୁ ଯୁଦ୍ଧର ବିପଦ ଦିନକୁ ଦିନ ନିକଟତର ହେଉଛି, ସେତେବେଳେ ଏହା ଦେଖାଯାଉଛି ଯେପରି ଓପେନହାଇମରଙ୍କ ଆତ୍ମା ପୁଣି ଥରେ ଏହି ପୃଥିବୀକୁ ଫେରି ଆସିଛି। ଇତିହାସର କ’ଣ ପୁନରାବୃତ୍ତି ହେବାକୁ ଯାଉଛି?
କାଳର ବାର୍ତ୍ତା ଏବଂ ଓପେନହାଇମରଙ୍କ ଆତଙ୍କ
ସେ ଦିନ ନ୍ୟୁ ମେକ୍ସିକୋର ମରୁଭୂମିରେ ସେହି ବିସ୍ଫୋରଣ ହେବା ମାତ୍ରେ ଓପେନହାଇମରଙ୍କ ଆଖି ଅନ୍ଧକାରାଚ୍ଛନ୍ନ ହୋଇଗଲା। କୌଣସି ଚିତ୍କାର ନଥିଲା କି କୌଣସି ଉତ୍ସବ ନଥିଲା। ତାଙ୍କ ମନରେ କେବଳ ଗୋଟିଏ ଶ୍ଲୋକ ପ୍ରତିଧ୍ୱନିତ ହେଉଥିଲା – “ଏବେ ମୁଁ କାଳ, ଜଗତର ବିନାଶକାରୀ।” ଭଗବଦ୍ ଗୀତାର ଏହି ଶ୍ଲୋକ ଓପେନହାଇମରଙ୍କ ସମଗ୍ର ଜୀବନକୁ ଏପରି ଭାବରେ ପ୍ରଭାବିତ କରିଥିଲା ଯେ ସେ ଏଥିରୁ କେବେ ବି ନିସ୍ତାର ପାଇପାରିଲେ ନାହିଁ। ପରୀକ୍ଷଣ ସଫଳ ହୋଇଥିଲା, କିନ୍ତୁ ଏହା ସହିତ ବିଶ୍ୱ ପାଇଁ ଏକ ପଥ ଖୋଲା ଯାଇଥିଲା, ଯାହା ଆଗରେ କେବଳ ବିନାଶ ଥିଲା।
ସେତେବେଳେ ଓପେନହାଇମରଙ୍କ ମୁହଁରେ ଯେଉଁ ଭୟ ଥିଲା, ଆଜି ବିଶ୍ୱର ସମସ୍ତ ଦେଶର ମୁହଁରେ ସେହି ସମାନ ଭୟ ଦୃଶ୍ୟମାନ ହେଉଛି। ବିଶେଷକରି ଆମେରିକା, ରୁଷ, ଚୀନ୍, ଫ୍ରାନ୍ସ, ବ୍ରିଟେନ୍ ଭଳି ପରମାଣୁ ଶକ୍ତିସମ୍ପନ୍ନ ଦେଶଗୁଡ଼ିକରେ। କାରଣ ସମସ୍ତେ ଜାଣନ୍ତି ଯେ ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରମାଣୁ ବୋମା ଆଡ଼କୁ ଯାଏ, ତେବେ ଏହି ଯୁଦ୍ଧ କେବଳ ତେଲ ଅଭିଭ କିମ୍ବା ତେହେରାନର ସୀମାରେ ଆବଦ୍ଧ ରହିବନାହିଁ, ବରଂ ଏହାର ଦାବାନଳ ସମଗ୍ର ବିଶ୍ୱକୁ ଗ୍ରାସ କରିବ।
ହିରୋସିମାର ଯନ୍ତ୍ରଣା ଏବଂ ଓପେନହାଇମରର ଅସ୍ଥିରତା
ହିରୋସୀମା ଏବଂ ନାଗାସାକିର ବିଧ୍ୱଂସ ପରେ ଓପେନହାଇମର ନିଜ ଭିତରେ ଏକ ଯୁଦ୍ଧ ଲଢ଼ୁଥିଲେ। ସେ ଜାଣିଥିଲେ ଯେ ସେ ଯାହା ସୃଷ୍ଟି କରିଛନ୍ତି, ତାହା ଲକ୍ଷ ଲକ୍ଷ ଲୋକଙ୍କୁ ଏକ ମୁହୂର୍ତ୍ତରେ ପାଉଁଶ କରିଦେଇଛି। ଏହି କାରଣରୁ ଯୁଦ୍ଧ ଶେଷ ହେବା ମାତ୍ରେ ସେ କହିଥିଲେ – “ମୋ ହାତରେ ରକ୍ତ ଲାଗିଛି।” ବିଜ୍ଞାନକୁ କେବଳ ପ୍ରଗତି ପାଇଁ ଦେଖୁଥିବା ଜଣେ ବୈଜ୍ଞାନିକ ଏବେ ଅପରାଧବୋଧରେ ଭାରାକ୍ରାନ୍ତ ହୋଇପଡ଼ିଥିଲେ। ଆଜି ସେହି ଅପରାଧବୋଧର ଛାୟା ବିଶ୍ୱ ଉପରେ ଘୁରି ବୁଲୁଛି। ଇସ୍ରାଏଲକୁ ପରମାଣୁ ଅସ୍ତ୍ରର ଏକ ଗୁପ୍ତ ଶକ୍ତି ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ ଇରାନ ତାହାର ପରମାଣୁ କାର୍ଯ୍ୟକ୍ରମକୁ ନେଇ ବର୍ଷ ବର୍ଷ ଧରି ବିବାଦରେ ରହିଛି। ବର୍ତ୍ତମାନ ଯେତେବେଳେ ଦୁଇ ଦେଶ ଯୁଦ୍ଧର ନିଆଁରେ ଜଳୁଛି, ସେତେବେଳେ ଏକ ପ୍ରଶ୍ନ ସମଗ୍ର ବିଶ୍ୱର ମୁଣ୍ଡରେ ହାତୁଡ଼ି ପରି ଝୁଲୁଛି ଯେ – ତେହେରାନ କି ତେଲ ଅଭିଭ ପରବର୍ତ୍ତୀ ହିରୋସିମା ବନିବାକୁ ଯାଉଛି?
ଆମେରିକାର ଭୂମିକା ଏବଂ ଇତିହାସର ପୁନରାବୃତ୍ତି
ସର୍ବାଧିକ ଭୟଙ୍କର କଥା ହେଉଛି ଯେ ଆମେରିକା ଏହି ସମଗ୍ର ଖେଳରେ ସକ୍ରିୟ ହୋଇଯାଇଛି। ଆମେରିକା ଖୋଲାଖୋଲି ଭାବରେ ଇସ୍ରାଏଲକୁ ସମର୍ଥନ କରୁଛି ଏବଂ ଖୋଲାଖୋଲି ଭାବରେ ଇରାନକୁ ଚେତାବନୀ ଦେଇଛି ଯେ – ” ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍ ପରିଣାମ ଭୟଙ୍କର ହେବ।” ଓପେନହାଇମର ଦ୍ୱାରା ତିଆରି ପରମାଣୁ ବୋମା ପାଇଥିବା ସେହି ଆମେରିକା ଏବେ ଇସ୍ରାଏଲ ସହିତ ଠିଆ ହୋଇଛି। ଏହା କ’ଣ ଏକ ସଂଯୋଗ ନା ଇତିହାସର ଏକ କଟୁ ପରିହାସ? ସେତେବେଳେ ଓପେନହାଇମର କହିଥିଲେ ଯେ ବୈଜ୍ଞାନିକଙ୍କ କାମ ଥିଲା ବୋମା ତିଆରି କରିବା ଏବଂ ଏହାକୁ ପକାଇବା ରାଜନେତାଙ୍କ କାମ। ଆଜି ପୁଣି ଥରେ ସେହି ବୈଜ୍ଞାନିକ ଏବଂ ସେହି ରାଜନେତାମାନେ ନୂତନ ମୁହଁ ଏବଂ ନୂତନ ନାମ ସହିତ ସମାନ ଖେଳର ପୁନରାବୃତ୍ତି କରିବାକୁ ପ୍ରସ୍ତୁତ ହେଉଥିବା ପରି ମନେ ହେଉଛି।
କ’ଣ ଆଉ ଜଣେ ‘ବିଶ୍ୱ ବିନାଶକ’ ଜନ୍ମ ନେବେ?
ଓପେନହାଇମରଙ୍କ ପରେ ବିଜ୍ଞାନ ବହୁତ ଆଗକୁ ଅଗ୍ରଗତି କରିଛି। ପରମାଣୁ ବୋମା ଏବେ ଅଧିକ ବିପଜ୍ଜନକ ହୋଇଗଲାଣି। ହାଇଡ୍ରୋଜେନ ବୋମା, ଥର୍ମୋନ୍ୟୁକ୍ଲିୟର ବୋମା ଏବଂ pଏପରି ଏପରି ସବୁ ପ୍ରଯୁକ୍ତିବିଦ୍ୟା ରହିଛି, ଯାହା ବିଷୟରେ ଚିନ୍ତା କଲେ ହିଁ ଆତ୍ମା ଥରି ଉଠିଥାଏ। ଆଜି ଯେତେବେଳେ ଇସ୍ରାଏଲ ଏବଂ ଇରାନ ପରସ୍ପରକୁ ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି, ସେତେବେଳେ ପ୍ରଶ୍ନ ହେଉଛି କି ‘ବିଶ୍ୱ ବିନାଶକ’ ଓପେନହାଇମର ଗୋଟିଏ ଦେଶରେ ନୁହେଁ , ବରଂ ଅନେକ ଦେଶରେ ଜନ୍ମ ନେଇସାରିଛନ୍ତି ? ଆମେ କ’ଣ ପୁଣି ଥରେ ସେହି ବିନାଶ ଆଡ଼କୁ ଅଗ୍ରସର ହେଉଛୁ , ଯାହାକୁ ଓପେନହାଇମର ତାଙ୍କ ଜୀବନ ସାରା ଭୟ କରୁଥିଲେ?
ଓପେନହାଇମରଙ୍କ ଅନ୍ତ ଏବଂ ବିଶ୍ୱର ଭୟ
୧୯୬୭ ମସିହାରେ ଓପେନହାଇମର କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ, କିନ୍ତୁ ସେ ସୃଷ୍ଟି କରିଥିବା ବିନାଶ ଆଜି ମଧ୍ୟ ବଞ୍ଚି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏହି ଯୁଦ୍ଧ କେବଳ ଦୁଇଟି ଦେଶ ମଧ୍ୟରେ ଲଢ଼େଇ ନୁହେଁ, ଏହା ମାନବୀୟ ଦୁର୍ବଳତାର ପ୍ରତୀକ, ଯେଉଁଠାରେ କ୍ଷମତା, ଧର୍ମ ଏବଂ ବିଜ୍ଞାନର ଶକ୍ତି ମିଳିତ ଭାବରେ ସମଗ୍ର ସଭ୍ୟତାକୁ ଧ୍ୱଂସ କରିପାରନ୍ତି। ଓପେନହାଇମର ତାଙ୍କ ଜୀବନର ଶେଷ ଦିନରେ କହିଥିଲେ, “ଆମେ ବୈଜ୍ଞାନିକ,ଆମେ ବୋମା ତିଆରି କରି ଏକ ରାକ୍ଷସକୁ ଜନ୍ମ ଦେଇଛୁ। ଏବେ ନେତାମାନଙ୍କର କାମ ହେଉଛି ଏହି ରାକ୍ଷସକୁ ରୋକିବା।” କିନ୍ତୁ ପାଲଟା ପ୍ରଶ୍ନ ସମାନ ଆସେ, ଯେତେବେଳେ କ୍ଷମତାରେ ମତ୍ତ ନେତାମାନେ ରାକ୍ଷସକୁ ଏକ ଅସ୍ତ୍ରରେ ପରିଣତ କରନ୍ତି, ତେବେ କିଏ ଏହାକୁ ରୋକିବ? ବିଶ୍ୱ ବର୍ତ୍ତମାନ ଏକ ଏପରି ମୋଡ଼ରେ ଠିଆ ହୋଇଛି ଯେଉଁଠାରୁ ଆଗକୁ କେବଳ ଅନ୍ଧକାର ଦେଖାଯାଉଛି। ଏବଂ ଏହି ଅନ୍ଧାରରେ କୌଣସି ସ୍ଥାନରେ ସ୍ୱର ପ୍ରତିଧ୍ୱନିତ ହେଉଛି ଯେ, “ଏବେ ମୁଁ କାଳ, ଜଗତର ବିନାଶକାରୀ।”