

ପଡୋଶୀ ଦେଶମାନଙ୍କ ମଧ୍ୟରେ ବଙ୍ଗଳାଦେଶ ଏବେ ଭାରତ ଲାଗି ସବୁଠାରୁ ବଡ ବିପଦର କାରଣ ବନିବାକୁଯାଉଛି। ବଙ୍ଗଳାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାର ଏବେ ପାକିସ୍ତାନ ସେନା ଲାଗି ତାଙ୍କ ଦେଶର ଦ୍ଵାର ପୁରା ଖୋଲିଦେଇଛନ୍ତି, ଯାହାକି ଭବିଷ୍ୟତରେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି। ଏହି ଦ୍ୱାରଗୁଡ଼ିକ କେବଳ ବାଣିଜ୍ୟ ପାଇଁ ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ପାଇଁ ମଧ୍ୟ ଖୋଲିଛି। ଗତ ସପ୍ତାହରେ ମଙ୍ଗଳବାର (ଜାନୁଆରୀ ୧୪) ଦିନ ବାଂଲାଦେଶ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏସଏମ କାମରୁଲ ହାସନ ପାକିସ୍ତାନ ଗସ୍ତ କରିଥିଲେ।
ୟୁନୁସ ସରକାର ଯାହା କରୁଛନ୍ତି ବା ଭାରତ ବିରୋଧରେ ଯେଉଁ ପଙ୍ଗା ନେଉଛନ୍ତି, ଭବିଷ୍ୟତରେ ତାହା ତାଙ୍କ ଲାଗି ବଡ଼ ମହଙ୍ଗା ପଡିବ ବୋଲି ଏବେ ଠାରୁ ଜଣା ପଡିଲାନି।
ଏହାରି ଭିତରେ ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ଅନ୍ୟାନ୍ୟ ଉଚ୍ଚ ସାମରିକ ଅଧିକାରୀଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଏହା ପରେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକ ଢାକା ଗସ୍ତରେ ଆସିଛନ୍ତି। ଏହା ବ୍ୟତୀତ ପାକିସ୍ତାନର ଶୀର୍ଷ ସାମରିକ ଅଧିକାରୀମାନେ ମଧ୍ୟ ବାଂଲାଦେଶ ଗସ୍ତ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ବାଂଲାଦେଶ ଏବଂ ପାକିସ୍ତାନ ଓମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ କୌଣସି ରାଜନୈତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ନୁହେଁ ବରଂ ସାମରିକ ଜେନେରାଲ ଏବଂ ଅଧିକାରୀଙ୍କ ମଧ୍ୟରେ ହୋଇଛି। ମହମ୍ମଦ ୟୁନୁସଙ୍କ ଶାସନ ସମୟରେ, ବାଂଲାଦେଶୀ ସେନା ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନର ଅଧୀନସ୍ଥ ମନେ ହେଉଛି। ଏହି ଦୁଇ ଦେଶ, ଯେଉଁମାନେ ପୂର୍ବରୁ ଘୋର ଶତ୍ରୁ ଥିଲେ, ସେମାନଙ୍କ ମଧ୍ୟରେ ସମ୍ପର୍କରେ ହଠାତ୍ ଘନିଷ୍ଠତା ଭାରତକୁ ଚିନ୍ତାରେ ପକାଇଛି।
ପାକିସ୍ତାନୀ ବିଶେଷଜ୍ଞମାନେ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ସମା ଟିଭିରେ ବିଶେଷଜ୍ଞ ନଜର ସେଠି ଏହାକୁ ବାଂଲାଦେଶରେ ଏକ ବଡ଼ ନୀତିଗତ ପରିବର୍ତ୍ତନ ବୋଲି ବିବେଚନା କରିଛନ୍ତି। ତଥାପି, ସେ ଏହାକୁ ଅତ୍ୟଧିକ ତରବରିଆ ଭାବେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ସେ କହିଛନ୍ତି, “ବାଂଲାଦେଶରେ ନୀତିଗତ ପରିବର୍ତ୍ତନ ବହୁତ ଶୀଘ୍ର ଆସିଛି। ମୁଁ ଆଶା କରି ନଥିଲି ଯେ ନୀତି ଏତେ ଶୀଘ୍ର ବଦଳିଯିବ।" ପାକିସ୍ତାନୀ ବିଶେଷଜ୍ଞ କହିଛନ୍ତି, “ପ୍ରଥମେ ଭାରତ ସହିତ ଆମର ସମ୍ପର୍କ ନଷ୍ଟ କରିବା ଏବଂ ତା’ପରେ ପାକିସ୍ତାନ ସହିତ ସମ୍ପର୍କ ଉନ୍ନତ କରିବା, ମୋର ଅନୁମାନ ଥିଲା ଯେ ଏହା ଧୀରେ ଧୀରେ ଘଟିବ। କିନ୍ତୁ ବାଂଲାଦେଶ ଯେଭଳି ଭାବରେ ପାକିସ୍ତାନକୁ ଆଲିଙ୍ଗନ କରିଛି ଏବଂ ଭାରତକୁ ବାଦ ଦେଇଛି, ତାହା ଆଶ୍ଚର୍ଯ୍ୟଜନକ।” ସେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ଏବଂ ସାମରିକ ସହଯୋଗକୁ ପାକିସ୍ତାନ ପାଇଁ ଏକ ବଡ଼ ସଫଳତା ଏବଂ ଭାରତ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ବର୍ଣ୍ଣନା କରିଥିଲେ।
ଅପରପକ୍ଷରେ ମହମ୍ମଦ ୟୁନୁସଙ୍କ ଚାଲବାଜି ସେ ଦେଶର ପ୍ରମୁଖ ରାଜନୈତିକ ଦଳ ଆଉ ସାଧାରଣ ଜନତା ଏବେ ବୁଝିବାକୁ ଲାଗିଲେଣି, ଯାହାକି ଆଗକୁ ବିଦ୍ରୋହର ରୂପ ନେଇପାରେ। ଏବେ, ଦେଶ ଭିତରୁ ତାଙ୍କ ଇସ୍ତଫା ପାଇଁ ଦାବି ଉଠିବାରେ ଲାଗିଛି। ଏହି ଦାବି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବି,ଏନ୍,ପି,)ର ଜଣେ ବରିଷ୍ଠ ନେତା ଉଠାଇଛନ୍ତି, ଯିଏ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ, ମହମ୍ମଦ ୟୁନୁସ ଭାରତଠାରୁ ପଙ୍ଗା ବାକୁ ଚେଷ୍ଟା କରୁଥିଲେ। ଆଜି ପରିସ୍ଥିତି ଏପରି ହୋଇଛି ଯେ ସେଠାକାର ନେତାମାନେ ମଧ୍ୟ ତାଙ୍କ ନୀତିରେ ଖୁସି ଥିବା ପରି ମନେ ହେଉନାହାଁନ୍ତି। ବିଏନପି ମହାସଚିବ ଫଖରୁଲ ଇସଲାମ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିରପେକ୍ଷତା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାର ନିରପେକ୍ଷ ଭାବରେ କାମ କରିବେ ଏବଂ ଦେଶକୁ ସଠିକ ଦିଗରେ ନେଇଯିବେ ବୋଲି ଆଶା କରାଯାଏ। ସେ ଅଭିଯୋଗ କରିଛନ୍ତି ଯେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିରପେକ୍ଷତା ବଜାୟ ରଖିବାରେ ବିଫଳ ହୋଇଛି, ଯାହା ଦେଶରେ ଅସ୍ଥିରତା ବୃଦ୍ଧି କରିଛି।
ଫଖରୁଲ ଇସଲାମ ଇଙ୍ଗିତ ଦେଇଥିଲେ ଯେ ଯଦି ମଧ୍ୟବର୍ତ୍ତୀକାଳୀନ ସରକାର ନିରପେକ୍ଷ ରହିପାରିବ ନାହିଁ, ତେବେ ନିର୍ବାଚନ ସମୟରେ ଏକ ନିରପେକ୍ଷ ସରକାର ଆବଶ୍ୟକ ହେବ। ବିଏନପି ମହାସଚିବ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଯଥାଶୀଘ୍ର ସଂସ୍କାର ପ୍ରକ୍ରିୟା ସମାପ୍ତ କରିବାକୁ ଏବଂ ବାଂଲାଦେଶରେ ନିର୍ବାଚନ କରାଇବାକୁ ଦାବି କରିଥିଲେ। ସେ କହିଥିଲେ ଯେ କେବଳ ନିର୍ବାଚନ ସହାୟତାରେ ଗଠିତ ସରକାର ହିଁ ଦେଶବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିପାରିବ ଏବଂ ଦେଶକୁ ସ୍ଥିରତା ଆଡକୁ ନେଇପାରିବ। ସେ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ବିଳମ୍ବ କରିବା ଦ୍ୱାରା ଅନ୍ୟ ଶକ୍ତି ପରିସ୍ଥିତିର ଫାଇଦା ଉଠାଇପାରନ୍ତି, ଯାହା ପରିସ୍ଥିତିକୁ ଆହୁରି ଖରାପ କରିପାରେ।
ଗତ ମାସରେ ବି ଏନ୍ ପି ର ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଉନ୍ନତ ସ୍ଵାସ୍ଥ୍ୟ ସେବା ପାଇବା ଆଳରେ ବଙ୍ଗଳାଦେଶ ଛାଡି ଇଂଲଣ୍ଡ ପଳାଇଛନ୍ତି। କିନ୍ତୁ ଅସଲ କାରଣ ହେଉଛି ଯେ ଆଗକୁ ୟୁନୁସ ସରକାର ତାଙ୍କୁ ବନ୍ଦୀ କରିପାରନ୍ତି ବୋଲି ଆଶଙ୍କା କରି ଖଲିଦା ବିଦେଶ ପଳାଇଛନ୍ତି। ଖଲିଦା ଆଉ ଭାରତରେ ରାଜନୈତିକ ଶରଣ ନେଇଥିବା ଶେଖ ହସିନା ଓ୍ଵାଜେଦଙ୍କ ସହିତ ହାତ ମିଳାଇ ୟୁନୁସ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ଯଦି ଏପରି ହୁଏ, ତେବେ ଆଗକୁ ବଙ୍ଗଳାଦେଶରେ ଗୃହଯୁଦ୍ଧ ଲାଗି ଯାଇପାରେ। ଏପରି ହେଲେ ସେଠାରେ ପରିସ୍ଥିତି ଅତି ସାଂଘାତିକ ହେବ। କାରଣ ସେଠାରେ ଯଦି ପାକିସ୍ତାନ ସେନାର ଉପସ୍ଥିତି ରହେ, ତେବେ ସେଠାରେ ୧୯୭୧ ସମାନ ପରିସ୍ଥିତି ଉତ୍ପନ୍ନ ହୋଇପାରେ।
