
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ପାଳିତ ହୋଇଛି। ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
“ବିଜୁ ବାବୁ ଥିଲେ ଟଲ୍ ମ୍ୟାନ। ଓଡ଼ିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ। ହେଲେ ଏବେ ରାଜ୍ୟର ବିଜେପି ସରକାର ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି। ୩୦ ବର୍ଷ ଧରି ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଥିଲା। ଏବେ କିନ୍ତୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସର ତାରିଖକୁ ବଦଳାଇ ଦେଲେ। ସରକାର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନାମ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସେମାନେ ନାଁ ବଦଳାଇପାରିବେ କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବେ ନାହିଁ। ଏହା ସେମାନଙ୍କ ଛୋଟ ଚିନ୍ତାଧାରା”, କହିଛନ୍ତି ନବୀନ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତି, “ବିଜୁ ବାବୁ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ବିଜୁ ବାବୁ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବନାହିଁ। କିଛି ବ୍ୟକ୍ତି ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ।”
ଆଜି ସକାଳେ ନବୀନ ପଟ୍ଟନାୟକ ଭୁବନେଶ୍ଵର ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିଜେଡିର ଅନ୍ୟ ନେତାମାନେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ନେଇ ଗୁରୁବାର ସାରା ରାଜ୍ୟରେ ପ୍ରତିବାଦ ସଭା କରିବ ବିଜେଡି।
ବୁଧବାର ଶଙ୍ଖ ଭବନରେ ହୋଇଥିବା କାର୍ଯ୍ୟକ୍ରମରେ ବିଜେଡିର ବହୁ ବିଧାୟକ ଓ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହାସହ ଅନେକ ସଂଖ୍ୟାରେ ବିଜେଡି କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।