
ବଡ ଆଶ୍ଚର୍ଯ୍ୟର କଥା। କଥାଟା ବିଶ୍ଵାସଯୋଗ୍ୟ ନ ହେଲେ ବି ସତ ଅଟେ । କଥାଟା ହେଉଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିନେ ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ । ତାହା ବି ଥରେ ନୁହେଁ, ଦୁଇ ଥର ସେ ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ। ଅପିଲ୍ କରିବା ସତ୍ତ୍ବେ ବି ସେ ପଇସା ଫେରିପାଇ ନଥିଲେ।ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏଥିରୁ ଏହା ଜଣାପଡିଲା ଯେ ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ରାଜ୍ୟର ପ୍ରାୟ ୬ ଲକ୍ଷ ଜମାକାରୀଙ୍କ ଭିତରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଅଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସ୍ଵୀକାରୋକ୍ତି ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୯୦ ଓ ୨୦୦୨ରେ ସେ ଦୁଇ ଥର ଚିଟ୍ଫଣ୍ଡ ଠକେଇର ଶିକାର ହୋଇଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସରକାରୀ ଓ ଆଉ ଗୋଟିଏ ବେସରକାରୀ ସଂସ୍ଥା ତାଙ୍କୁ ଠକିଥିଲେ । ସେ ଟଙ୍କା ଯୋଗାଡ଼ କରି ଦେଇଥିଲେ, କିନ୍ତୁ ପରେ ସେହି ସଂସ୍ଥା ଉଭାନ ହୋଇଗଲା । ୧୯୮୬ ଆଇନ ଅନୁସାରେ ଟଙ୍କା ଫେରସ୍ତ ପାଇଁ ଆବେଦନ କରି ନିରାଶ ହେଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି
ରାଜ୍ୟରେ ବଡ଼ କମ୍ପନ ସୃଷ୍ଟି କରିଛି । କାରଣ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବିଜେପି । ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଚିଟ୍ଫଣ୍ଡ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଘୋଷଣା କରିଛି । ଏହାରି ଭିତରେ କିନ୍ତୁ ଚିଟ୍ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି । ୧୦ ହଜାରରୁ କମ୍ ସ୍ୱଳ୍ପ ଜମାକାରୀଙ୍କୁ ଚିହ୍ନଟ ପାଇଁ ଗଠନ ହୋଇଥିଲା ଏହି କମିଶନ । ୨୦୧୩ ଜୁଲାଇ ୯ରେ ଜଣିକିଆ କମିଶନ ଗଠନ କରିଥିଲେ ତତ୍କାଳୀନ ସରକାର। ୨୦୨୦ ଫେବୃଆରୀ ୪ ରୁ ଜଷ୍ଟିସ ଏମଏମ ଦାସ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହା ପରଠାରୁ କମିଶନଙ୍କ ଶୁଣାଣୀ ଓ ସ୍ୱଳ୍ପ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି। ଏଣୁ ପ୍ରଶ୍ନ ହେଉଛି
ଯେ ବର୍ତ୍ତମାନ ସରକାର କମିଶନଙ୍କ କାର୍ଯ୍ୟକାଳ ବଢ଼ାଇବେ ନା କିଛି ନୂଆ ବ୍ୟବସ୍ଥା ଆପଣାଇବେ ?
ଏବେ ଦେଖିବାର ଅଛି ଯେ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ମୋହନ ସରକାର କି ପଦକ୍ଷେପ ଆପଣେଇବେ ? ସି-ସୋର, ଅର୍ଥତତ୍ତ୍ୱ, ଶାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ ୧୬୩ଟି ଚିଟ୍ଫଣ୍ଡ ସଂସ୍ଥା ପ୍ରାୟ ୬ ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି । ଅଧିକ ଲାଭର ଲୋଭ ଦେଖାଇ, ଲୋକଙ୍କ କଷ୍ଟଅର୍ଜିତ ଧନ ଠକିନେବା ପରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ତେବେ ଲକ୍ଷଲକ୍ଷ ଜମାକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୪୪ଟି ସଂସ୍ଥା ବିରୋଧରେ ତଦନ୍ତ କରିଥିଲା ସିବିଆଇ । ଯେଉଁଥି ପାଇଁ ୬କୋଟି ୧୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ସବୁ ମାମଲାରେ ଚାର୍ଜସିଟ୍ ଦେଇନାହିଁ କେନ୍ଦ୍ରୀୟ ତଦନ୍ତ ସଂସ୍ଥା । ଇଡିରେ ହୋଇଥିବା ମାମଲା ମଧ୍ୟ ଝୁଲିରହିଛି । ତେଣୁ ଜମାକାରୀ କେବେ ତାଙ୍କ ଟଙ୍କା ଫେରିପାଇବେ ତାକୁ ନେଇ ପୁଣିଥରେ ସନ୍ଦେହରେ ପଡ଼ିଛନ୍ତି
।
ତେବେ ସେ ଯାହା ହେଉ, ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟରେ ପୁଣିଥରେ ଚିଟଫଣ୍ଡ ଦୁର୍ନୀତି ଉପରୁ ପରଦା ହଟିଛି। ଅନେକ ଜମାକାରୀ ଚିଟଫଣ୍ଡ ସଂସ୍ଥାରେ ଜମା କରିଥିବା ନିଜ ଟଙ୍କା ଫେରି ପାଇବାକୁ ଆଜି ମଧ୍ୟ ଅପେକ୍ଷାରେ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଅଞ୍ଜନା ପଣ୍ଡା ଓ ରାଜ୍ୟ ଖାଉଟୀ ବିବାଦ ସମାଧାନ ଆୟୋଗର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।