
ନିକଟରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଅବସରରେ ଫ୍ଲଡ୍ ଲାଇଟ୍ ଜ୍ଵଳନ ବନ୍ଦ ହୋଇ ପ୍ରାୟ ଅଧ ଘଣ୍ଟା ଲାଗି ଯେଉଁ ଅନ୍ଧକାର ଛାଇଗଲା, ସେହି ଅନ୍ଧକାର ଏବେ ଏକ ପରିବାର ଦ୍ଵାରା ଷ୍ଟାଡିୟମର ବ୍ୟବସାୟିକ ପରିଚାଳନା ଉପରେ ଆଲୋକପାତ କରିଛି। ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏ ସମ୍ପର୍କରେ ଗୁରୁତର ଅଭିଯୋଗ ଆଣିବାର ଦିନକ ପରେ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଦେବାଶୀଷ ସାମନ୍ତରାୟ ସମାନ ଅଭିଯୋଗ ଆଣିଛନ୍ତି।
ବାରବାଟୀ ବିଭ୍ରାଟକୁ ନେଇ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିବା ସହ ନିର୍ଦ୍ଧିଷ୍ଟ ଏକ ପରିବାରର କବଜାରେ ବାରବାଟୀ ରହିଥିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ବାରବାଟୀ ଷ୍ଟାଡିୟମରେ ଅନେକ ଦୁର୍ନୀତି ହୋଇଛି । ଟିକେଟ ବିକ୍ରି ଠାରୁ ଆରମ୍ଭ କରି ମ୍ୟାଚ ଯାଏ ସବୁଠି ଦୁର୍ନୀତି ହୋଇଛି ।
ପରିଚାଳନାଗତ ତ୍ରୁଟି ପାଇଁ ଓଡ଼ିଶା ଏବେ ସାରା ବିଶ୍ୱରେ ନିନ୍ଦିତ ହୋଇଛି । ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ପରିବାର ହିଁ ଦାୟୀ । ଷ୍ଟାଡିୟମକୁ ଏକାଧିକ ମଣ୍ଡପ କରି ଅନେକ ଅର୍ଥ ଉପାର୍ଜନ ହେଉଛି । ଆସୁଥିବା ଟଙ୍କା କେଉଁ କାର୍ଯ୍ୟରେ ଖର୍ଚ୍ଚ, ହେଉଛି ତାହାର ହିସାବ ନାହିଁ ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ।
ସେହିପରି ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍କୁ ନେଇ ବିବାଦ ଥମିବାରେ ନାଁ ନେଉନି। ଚାଲିଛି ଦୋଷ ଲଦାଲଦି। ଏହାରି ଭିତରେ ବିସ୍ପୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଓଡ଼ିଶା କ୍ରିକେଟ ଆସୋସିଏସନ୍ କାହାର ପୈତୃକ ସମ୍ପତ୍ତି ନୁହେଁ। ଗୋଟିଏ ପରିବାର ଓ କିଛି ଲୋକଙ୍କ ହାତରେ ରହିଛି ଓସିଏ। ସେଥିପାଇଁ ଅନ୍ତର୍ଜାତୀୟ ମ୍ୟାଚ ବେଳେ ଓସିଏର କର୍ମକର୍ତ୍ତାମାନେ ବ୍ୟାପକ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ୨୬ ହଜାର ପାସ କୁଆଡେ ଗଲା? ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ନେତାଙ୍କ ନାଁ ରେ ପାସ ଦିଆଯାଇଥିବା କହି ଓସିଏ ଟିକେଟ କଳାବଜାରୀ କରିଥିବା ସେ ଖୋଲାଖୋଲି କହିଛନ୍ତି। ଟିକେଟ କଳାବଜାରୀ ସହ ବିଜ୍ଞାପନରେ ବି ବ୍ୟାପକ ଦୁର୍ନୀତି ହୋଇଥିବା କଥା କହିଛନ୍ତି ପ୍ରକାଶ । ମ୍ୟାଚ ସମୟରେ ଷ୍ଟାଡିୟମରେ ପିଜା ଓ ପାଣିବୋତଲ ବିକିବାରେ ଓସିଏ ହେରଫେର କରିଥିବା ଅଭିଯୋଗ ଆଣିଛନ୍ତି ପ୍ରକାଶ।
ସମସ୍ତ ଘଟଣାର ତଦନ୍ତ କରନ୍ତୁ ରାଜ୍ୟ ସରକାର ବୋଲି ଦାବି କରିଛନ୍ତି ପ୍ରକାଶ। ଟିକେଟ ବ୍ଲାକ ମାର୍କେଟକୁ ନେଇ ମଧ୍ୟ କ୍ରିକେଟ ପ୍ରେମୀ ଓସିଏର ପରିଚାଳନାକୁ ଦାୟୀ କରିଛନ୍ତି। ବାରବାଟୀ ଷ୍ଟାଡିୟମର ୪୫ ହଜାର ଟିକେଟ ଥିବା ବେଳେ ଅଧା ଟିକେଟ ପାସ ଦେବା ନାଁରେ କଳାବଜାରୀ କରିଛନ୍ତି। ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଖେଳ ପ୍ରେମୀ ଦାବି କରିଛନ୍ତି। କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟିକେଟ କଳାବଜାରୀ କଥାକୁ ସ୍ୱୀକାର କରିଛନ୍ତି। ଏ ନେଇ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ଆଗକୁ ଯେଭଳି ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।ଟିକେଟ ବ୍ଲାକ ମାର୍କେଟି
ଙ୍ଗ ନେଇ ଓସିଏ ଏବେ କାଠଗଡାରେ ଠିଆ ହୋଇଛି।