
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁନଶ୍ଚ ସଭାପତି ନିଯୁକ୍ତ ହେବା ପରେ ଦଳର ସାଂଗଠନିକ ପୁର୍ନଗଠନ କରିଛନ୍ତି। ତେବେ ଏହି ପୁନର୍ଗଠନରେ ରାଜନୈତିକ ସନ୍ନ୍ୟାସ ନେଇଥିବା ଭିକେ ପାଣ୍ଡିଆନଙ୍କ ହାତର ବାସ୍ନା ଥିବା ପୁରା ବାରି ହୋଇପଡିଛି। ଦଳର ଏପରି ପାଣ୍ଡିଆନକୃତ ପୁର୍ନଗଠନ କରି ନବୀନ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ସବୁ ବିଜୁୂ ଜନତା ଦଳର ନେତା ଓ କର୍ମୀମାନଙ୍କୁ ଚକିତ କରିଛି। ଏହି ପୁର୍ନଗଠନରେ ନବୀନ ସ୍ପଷ୍ଟ ଭାବରେ ଏକ ବାର୍ତ୍ତା ଦଳର ସବୁ ସ୍ତରର ନେତାମାନଙ୍କୁ ଦେଇଛନ୍ତି ଯେ, ଯିଏ ଭି.କେ ପାଣ୍ଡିଆନ୍ଙ୍କୁ ସମାଲୋଚନା କରିବେ ବା ତାଙ୍କ ବିରୋଧରେ ଯିବେ, ସେ ଦଳରେ ଅପାକ୍ତେୟ ତଥା ରଦ୍ଦି ମାଲ୍ ପରି ଅଦରକାରୀ ହୋଇଯିବେ। ତାଙ୍କୁ ଦଳରେ କୈାଣସି ଗୁରୁତ୍ୱ ମିଳିବ ନାହିଁ।
ଏହା ଦ୍ଵାରା ନବୀନ ପରୋକ୍ଷରେ ହେଲେ ବି ସମସ୍ତଙ୍କୁ ଜଣାଇଦେଲେ ଯେ, ଯିଏ ପାଣ୍ଡିଆନ୍ର ନୁହେଁ ସେ ମୋର ନୁହେଁ। ପାଣ୍ଡିଆନ୍ ଦଳରେ ନାହାଁନ୍ତି, ଏଣୁ ତମେ ତାଙ୍କ ବିଷୟରେ କିଛି କହିପାରିବ ନାହିଁ। ପରୋକ୍ଷରେ ଦେଖିଲେ ନବୀନଙ୍କ କାର୍ଯ୍ୟାଧାରାରୁ ସ୍ପଷ୍ଟ ଜଣାପଡ଼ିଲା ଯେ ଏବେବି ବିଜେଡିରେ ପ୍ରଛଦ ପଟରେ ପାଣ୍ଡିଆନ୍ ସକ୍ରିୟ ହୋଇ ରହିଛନ୍ତି। ତାଙ୍କ ଇଶାରାରେ ହିଁ ସବୁ କିଛି ଚାଲିଛି।
ଦଳର ସାଂଗଠନିକ ପୂର୍ନଗଠନ ପୂର୍ବରୁ ୱାକଫ୍ ବୋର୍ଡକୁ ନେଇ ସମର୍ଥନ ଦେବା ଓ ନଦେବା ପ୍ରସଙ୍ଗରେ ବଡ଼ଧରଣର ଝଡ଼ ସୃଷ୍ଟି ହୋଇଥିଲା। ପ୍ରଥମେ ଦଳର ସଂସଦୀୟ କମିଟି ବୈଠକରେ ୱାକଫ୍ ବୋର୍ଡକୁ ବିରୋଧ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ମତ ବଦଳାଇ ନିଜ ବିବେକ ଅନୁସାରେ ଭୋଟ୍ ଦେବାକୁ କୁହାଗଲା। ଯାହାକୁ ନେଇ ବିବାଦ ବଢ଼ିଲା। ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏପରିକି ଏହି ନିର୍ଦ୍ଦେଶ ନବୀନ ନିଜେ ଦେଇଥିବା ନେଇ ସ୍ପଷ୍ଟ କଲେ ନାହିଁ। ଏହାପରେ ଅନୁଧ୍ୟାନ କରାଯିବ ବୋଲି ନବୀନ କହି ସନ୍ଦେହକୁ ଅଧିକ ଘନୀଭୁତ କଲେ। ଯାହା ଫଳରେ ସମସ୍ତଙ୍କ ସନ୍ଦେହ ପାଣ୍ଡିଆନ୍ଙ୍କ ଆଡ଼କୁ ଗଲା। ବରିଷ୍ଠ ନେତାମାନେ ଏକାଠି ହୋଇ ବୈଠକ କଲେ ଏବଂ ଅସନ୍ତୋଷ ବ୍ୟକ୍ତ କଲେ। ଯାହାକି ବିଜେଡିର 'ମିଡ୍ନାଇଟ୍ ଅପରେସନ୍' ପରେ ପ୍ରଥମ ମେଳି ହେଲା। ପ୍ୟାରୀ ମହାପାତ୍ର ଥିଲାବେ
ଳେ ଏହି 'ମିଡ୍ନାଇଟ୍ ଅପରେସନ୍' ରେ ସବୁ ବରିଷ୍ଠ ନେତାମାନଙ୍କୁ ଏକାଠି କରିଥିଲେ
, ଯାହାକୁ ନେଇ ସେତେବେଳେ ବହୁ ବିବାଦ ଦେଖାଦେଇଥିଲା। ଯାହାର ପରିଣତି ସମସ୍ତେ ଜାଣନ୍ତି।
ଏବେ ପୁଣି ବରିଷ୍ଠ ନେତାମାନେ ଏକାଠି ହୋଇ ପାଣ୍ଡିଆନ୍ଙ୍କ ବିରୋଧରେ ବିଶୋଦ୍ଗାର କରିବା ଘଟଣାକୁ ନବୀନ ସହଜରେ ଗ୍ରହଣ କଲେ ନାହିଁ।
ଏହି ବୈଠକରେ ବରିଷ୍ଠ ଠାରୁ ନେଇ କନିଷ୍ଠ ଯାଏ ସମସ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମର୍ଥନ ଦେଇଥିଲେ। ନବୀନଙ୍କ ସହ ରହିବେ ବୋଲି ଘୋଷଣା କରିଥିଲେ। ପାଣ୍ଡିଆନ୍ଙ୍କୁ ବିରୋଧ କରିଥିଲେ। ପାଣ୍ଡିଆନ୍ ହଟାଅ ନେଇ ଏକ ପ୍ରକାର ସ୍ୱର ଜୋର୍ଦାର୍ ହୋଇଥିଲା। ଶେଷରେ ନବୀନ ଗଣମାଧ୍ୟମକୁ ଆସି ପାଣ୍ଡିଆନ୍ଙ୍କ ସୁରକ୍ଷା କବଚ ସାଜିଥିଲେ । ସେବେଠାରୁ ଜଣାପଡ଼ୁଥିଲା ଯେ ନବୀନ କିଛି ପଦକ୍ଷେପ ନେବେ ଆଉ ଯେଉଁ କେତେଜଣ ବରିଷ୍ଠ ନେତା ଗରିଷ୍ଠ ସ୍ୱର ଉଠାଇଥିଲେ, ସେମାନଙ୍କୁ ଦୂରେଇ ରଖିବେ।
ସଭାପତି ହେବାପରେ ନବୀନ ଦଳ ପରିଚାଳନା ପାଇଁ ଯେଉଁ ସହଯୋଗୀମାନଙ୍କୁ ନେଲେ ସେଥିରୁ ପାଣ୍ଡିଆନ୍ଙ୍କ ବିରୋଧରେ ନେତାମାନଙ୍କୁ ବିଦା କଲେ। ପ୍ରଫୁଲ୍ଲ ମଲ୍ଲିକ, ଶଷିଭୁଷଣ ବେହାରା, ଭୁପିନ୍ଦର ସିଂ, ଦେବାଶିଷ ସମାନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମୁଖଙ୍କୁ ଆଉ ସଂଗଠନରେ କୌଣସି କର୍ମକର୍ତ୍ତା ଭାବେ ନେଲେ ନାହିଁ। ଦଳରେ ୧୫ଜଣ ଉପସଭାପତି, ୨୦ଜଣ ବରିଷ୍ଠ ସାଧାରଣ ସମ୍ପାଦକ ଓ ୩୫ଜଣ ସାଧାରଣ ସମ୍ପାଦକ ୭୦ଜଣଙ୍କୁ ନେଇଥିଲେ ବି ଅସନ୍ତୁଷ୍ଠଙ୍କୁ ସ୍ଥାନ ଦେଲେ ନାହିଁ। ପାଣ୍ଡିଆନ୍ଙ୍କ ବିରୋଧରେ ଯେଉଁ ମେଳି ହୋଇଥିଲା ସେଥିରେ ରଣେନ୍ଦ୍ର ପତାପ ସ୍ୱାଇଁ ଯୋଗ ଦେଇନଥିଲେ। ହେଲେ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ଓ ଜନଜାତିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦଳ ସଂଗଠନରେ ଦେବା ପାଇଁ ଚିଠି ଲେଖି ଥିବାରୁ ବିବାଦରେ ଫସିଥିଲେ। ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିଲେ ବି ସେ ଦଳରେ ନାହାଁନ୍ତି ବୋଲି ନବୀନ କହିଲେ। ତାଙ୍କ ପୁଅ ବର୍ତ୍ତମାନ ବିଧାୟକ ଥିଲେ ବି ଦଳରୁ ବାଦ୍ ପଡ଼ିଲେ।
ଆଗକୁ ଦେଖିବାକୁ ରହିଲା ଏହି ଉପେକ୍ଷିତ ବରିଷ୍ଠ ନେତାମାନେ ସ୍ଵର ପୁଣି ଗରିଷ୍ଠ କରି ବିଦ୍ରୋହର ଝଡ ସୃଷ୍ଟି କରୁଛନ୍ତି ନା ମୋଡି ମକଚି ହୋଇ ପାଣ୍ଡିଆନଙ୍କ ଅଦୃଶ୍ୟ ନେତୃତ୍ଵକୁ ସ୍ଵୀକାର କରିନେଉଛନ୍ତି