
ଏଥର ନିର୍ବାଚନରେ ବିଜେଡି କାହିଁକି ଚିରାଚରିତ ବିଜୟକୁ ସବୁଥର ପରି କୋଳାଗ୍ରତ କରିବା ବଦଳରେ ପରାଜୟକୁ କୋଳାଗ୍ରତ କଲା, ତାହା ଉପରେ ସାଧାରଣ ଜନତାଙ୍କ ଠାରୁ ନେଇ ରାଜନୈତିକ ପଣ୍ଡିତ- ବିଶେଷଜ୍ଞବର୍ଗ ଖୁବ୍ ଗବେଷଣାତ୍ମକ ଆଲୋଚନା କରିସାରିଛନ୍ତି।ବିଜେଡି ନେତାଙ୍କୁ ବି ଏ ରାଜ୍ ଅଛପା ନାହିଁ। ଓଡ଼ିଶାର ଆଞ୍ଚଳିକ ଦଳକୁ ‘ଓଡ଼ିଆ ଅସ୍ମିତା’ର ଦ୍ବାହି ଦେଇ ଏକ ଜାତୀୟ ଦଳ କାହିଁକି ଘାଇଲା କଲା, ତାହା ସର୍ବଜନବିଦିତ। ଏବେ ୭ ମାସ ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିକଟରେ ବିଜେଡିର ପ୍ରତିଷ୍ଠା ଦିବସରେ ପରାଜୟର କାରଣ ନେଇ ଗୋଟିଏ ଅଜବ ଗଜବ ଯୁକ୍ତି ରାଜନୈତିକ ମାର୍କେଟକୁ ଛାଡ଼ିଛନ୍ତି।
ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଲେ ଯେ ‘ସାମାଜିକ ଗଣମାଧ୍ୟମରେ ବିଜେପିର ମିଛ ପ୍ରଚାରର ଆମେ ମୁକାବିଲା କରିପାରିଲୁ ନାହିଁ।’ ନବୀନଙ୍କର ଏହି ମନ୍ତବ୍ୟ ବିଜୁ ଜନତା ଦଳ ଓ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନାର ବିଷୟ ହୋଇଛି। ନିକଟରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଉପରେ ସ୍ଵଲିଖିତ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣରେ ଏହାର କାରଣ ଭାଇରାଲ୍ କରିଛନ୍ତି।
ସୁଶାସନ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ସାରା ବିଶ୍ବରେ ପରିଚିତି ହାସଲ କରିଥିବା ନବୀନ ପଟ୍ଟନାୟକ ତାଙ୍କର ନିର୍ମଳ ଭାବମୂର୍ତ୍ତି ପାଇଁ ପୁରା ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଏକାଧିକ ଥର ପୁରସ୍କୃତ ଆଉ ଅଭିନନ୍ଦିତ ହୋଇଥିବାବେଳେ ସାମାଜିକ ଗଣମାଧ୍ୟମରେ ବିଜେପିର ମିଥ୍ୟା ପ୍ରଚାର କାରଣରୁ ଦଳ ହାରିଗଲା ବୋଲି କହିବା ବିଶ୍ଵାସଯୋଗ୍ୟ ହେଉନାହିଁ।
ତାହା କେମିତି ଅବା ହେବ ? ନବୀନଙ୍କର ଏହି ମନ୍ତବ୍ୟ ବିଜୁ ଜନତା ଦଳ ଓ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନାର ବିଷୟ ହୋଇଛି ଏଇଥିପାଇଁ ଯେ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ହିଁ ବିଜେଡି ଅଧିକ ଫୋକସ୍ କରିଥିଲା। ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିଥିଲା। କେବଳ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ରାଜ୍ୟ ବାହାରର ଏକ ସଂସ୍ଥାକୁ କୁଆଡେ ୮୦ କୋଟି ଟଙ୍କାରୁ ଅଧିକ ଦିଆଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ, ବିଜେଡିର ଏକ ବଡ଼ ସାମାଜିକ ଗଣମାଧ୍ୟମ ଶାଖା ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟ କରୁଥିଲା। ଆସାମରୁ ଆଇଆଇଟିର ଜଣେ ପୂର୍ବତନ ଛାତ୍ର(ସାମାଜିକ ଗଣମାଧ୍ୟମରେ ଅଭିଜ୍ଞତା ରଖିଥିବା)ଙ୍କୁ ମାସିକ ପ୍ରାୟ ୨୦ ଲକ୍ଷ ଟଙ୍କା ଦିଆଯାଇ ଏହି କାମରେ ନିୟୋଜିତ କରାଯାଇଥିଲା। ସାମାଜିକ ଗଣମାଧ୍ୟମକୁ ନେଇ ଏତେ ବଡ଼ ପ୍ରସ୍ତୁତି ଓ ବିପୁଳ ଖର୍ଚ୍ଚ ପରେ ବି ‘ବିଜେପିର ମିଛ’କୁ କାହିଁକି ମୁକାବିଲା କରାଯାଇପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।ଏ ସବୁର ତର୍ଜମା କଲେ ସ୍ପଷ୍ଟ ବୁଝାପଡେ ଯେ ନବୀନ ଅସଲ କାରଣକୁ ପରଦା ଆଢ଼ୁଆଳରେ ରଖି ସାମ୍ନା ପଟରେ ବାଆଁରୋଉଛନ୍ତି। ସତରେ କଣ ନବୀନ ତାଙ୍କ ଦଳର ପରାଜୟର ପ୍ରକୃତ ତଥ୍ୟ ଜାଣିନାହାନ୍ତି ନା ପାଣ୍ଡିଆନଙ୍କୁ ରାଜନୈତିକ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସତକୁ ଗିଳି ମିଛକୁ ଓଗାଳୁଛନ୍ତି ? ନବୀନ ନ କହନ୍ତୁ, କିନ୍ତୁ ଲୋକେ ଏହା ଭଲ ଭାବେ ଜାଣିଛନ୍ତି ଯେ ପରାଜୟ ଲାଗି ଦାୟୀ କିଏ ସେହି କରିତକର୍ମା। ୟେ ପବ୍ଲିକ ହେଁ ସବ୍ ଜାନତି ହେଁ, ୟେ ପବ୍ଲିକ ହେଁ l ଅନ୍ଦର୍ କ୍ୟା ହେଁ ବାହାର୍ କ୍ୟା ହେଁ, ୟେ ସବ୍ ଜାନତି ହେଁ,ୟେ ପବ୍ଲିକ ହେଁ।
ସତକଥା ହେଉଛି ଯେ, ନବୀନ ପଟ୍ଟନାୟକ ଲଗାତାର ୫ ଥରର ବିପୁଳ ବିଜୟର ଗର୍ବୋନ୍ମାଦରେ ଆଖିବୁଜି ଧରିନେଇଥିଲେ ଯେ, ଲୋକପ୍ରିୟତା ବଳରେ ସେ ପୁଣିଥରେ ରାଜ୍ୟରେ କ୍ଷମତାସୀନ ହେବେ। ଏଥିପାଇଁ ତାଙ୍କୁ ପ୍ରଚାର କରିବାର କୌଣସି ଆବଶ୍ୟକତା ନାହିଁ। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିର୍ବାଚନରେ ପ୍ରଚାର ନକରି ତାଙ୍କର ଏକମାତ୍ର ଚଳନ୍ତି ପ୍ରତିମା ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ଲଦିଦେଇ ସେବେଠାରୁ ବିଜୟୋଲ୍ଲାସର ସୁଖଦ ସ୍ଵପ୍ନ ଦେଖିବାକୁଲାଗିଲେ ଯେ ଏଥର ବି ହୋଲ୍ ଓଡ଼ିଶାରେ ଶଙ୍ଖ ବାଜିବ , ଆଉ ନାଗରା ବି ବାଜିବ।
କିନ୍ତୁ ଚଳନ୍ତି ପ୍ରତିମାକୁ ମଇଦାନକୁ ସେନାପତି ରୂପେ ଛାଡି ନବୀନ ସାଂଘାତିକ ଭୁଲ୍ ଟିଏ କରିବସିଲେ। ଏହି ନିଷ୍ପତ୍ତି ବିଜେପିର ଓଡିଆ ଅସ୍ମିତାକୁ ଅଧିକ ବଳ ପ୍ରଦାନ କରି ବିଜେଡିର ଗାତ ଖୋଳିଦେଲା। ଏଥିରୁ ଲୋକମାନଙ୍କର ପୂରା ବିଶ୍ୱାସ ହୋଇଗଲା ଯେ ଯଦି ଏଥର ନବୀନଙ୍କୁ ପୁଣିଥରେ କ୍ଷମତା ପ୍ରଦାନ କରାଯାଏ, ତେବେ ଏହି ଚଳନ୍ତି ପ୍ରତିମା ଜଣକ ଚଳନ୍ତି ପ୍ରତିମାରୁ ପୂଜିତ ପ୍ରତିମା ବନି ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ ହୋଇଯିବେ। ଏହି କାରଣରୁ ହିଁ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିକରେ ୧୫ ହଜାରରୁ ଅଧିକ ଭୋଟରେ ପରାଜିତ ହେଲେ ଓ ତାଙ୍କର ପାରମ୍ପରିକ ଆସନ କୁହାଯାଉଥିବା ହିଞ୍ଜିଳିକାଟୁରୁ ମାତ୍ର ୪ ହଜାରରୁ ଅଳ୍ପ କିଛି ଅଧିକ ଭୋଟରେ ନିର୍ବାଚିତ ହେଲେ।
ବାସ୍ତବରେ ଯଦି ସୂକ୍ଷ୍ମ ଦୃଷ୍ଟିରେ ଦେଖାଯାଏ, ତେବେ ଜଣାପଡିବ ଯେ ଲୋକେ ନବୀନଙ୍କୁ ରୋକିବା ଲାଗି କି ତାଙ୍କୁ ହରାଇବା ଲାଗି ବିଜେଡି ବିପକ୍ଷରେ ଭୋଟ ଦେଇନଥିଲେ। ନବୀନ ଏବେ ବି ପରାଜୟ ସତ୍ତ୍ଵେ ଲୋକଙ୍କ ମଧ୍ୟରେ ସବୁ ଠାରୁ ଅଧିକ ଲୋକପ୍ରିୟ ନେତା। କେବଳ ଚଳନ୍ତି ପ୍ରତିମାକୁ ପୂଜିତ ପ୍ରତିମା ହେବାରୁ ରୋକିବା ଲାଗି ବିଜେଡି ବିପକ୍ଷରେ ଭୋଟ ଦେଇଥିଲେ । କେବଳ ଏତିକି ନୁହେଁ, ତାହା ସହିତ ନବୀନ ନିଜର ଲୋକପ୍ରିୟତାକୁ ନେଇ ଏତେ ଅନ୍ଧ ଥିଲେ ଯେ, ପ୍ରତିନ୍ଦ୍ୱନ୍ଦିତା କରୁଥିବା ଆସନଗୁଡ଼ିକୁ ମଧ୍ୟ ଦୁଇଦିନ ସକାଶେ ପ୍ରଚାର ପାଇଁ ଗଲେ ନାହିଁ। ଏହା ବି ବିଜେଡି ଲାଗି ବଡ଼ ମହଙ୍ଗା ପଡିଲା।
ଜାତୀୟ ସ୍ତରରେ ବିଜେଡି ଯେପରି ଭାବରେ ଆଖିବୁଜା ଭାବରେ ବିଜେପି ସରକାରଙ୍କୁ ସବୁ ପ୍ରସଙ୍ଗରେ ସମର୍ଥନ କରି ଆସୁଥିଲା, ସେଥିରେ ବିଜେଡି ସମର୍ଥକମାନଙ୍କ ଭିତରେ ସେମାନଙ୍କର ଜାତୀୟ ନେତା ଭାବରେ ନରେନ୍ଦ୍ର ମୋଦୀଙ୍କୁ ଗ୍ରହଣ କରି ନିଆଗଲା। ତେଣୁ ନରେନ୍ଦ୍ର ମୋଦୀ ଓ ବିଜେପିର କେନ୍ଦ୍ରୀୟ ନେତାମାନେ ଆସି ଓଡ଼ିଶାରେ ଯେତେବେଳେ ନିର୍ବାଚନ ପ୍ରଚାର କଲେ ଓ ଯାହାସବୁ କହିଲେ ସେଗୁଡ଼ିକ ଜନସାଧାରଣ ଗ୍ରହଣ କରିବାରେ ବିଶେଷ ଅସୁବିଧା ହେଲା ନାହିଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ବା ଜଣେ ରାଜନୀତିଜ୍ଞ ଭାବରେ ଦୀର୍ଘ ଅନୁଭୁତି ଥିବା ସତ୍ତ୍ୱେ ସେ ଯେପରି ଭାବରେ ଗତ ନିର୍ବାଚନକୁ ଘରେ ବସି ପାଣ୍ଡିଆନଙ୍କ ଦ୍ୱାରା ପରିଚାଳନା କରିବାକୁ ଚାହିଁଲେ , ତାହା ରାଜ୍ୟରେ ବିଜୁ ଜନତା ଦଳ ପ୍ରତି ଏକ ନକରାତ୍ମକ ଭାବ ସୃଷ୍ଟିକଲା। ଫଳରେ ବିଜେପିର ସବୁ ପ୍ରତିଶ୍ରୁତିଗୁଡ଼ିକ ବିଜେଡି ଉପରେ ଭାରି ହୋଇପଡ଼ିଲା। ତେଣୁ ବିଜେଡ଼ି ନିର୍ବାଚନ ହାରିନାହିଁ ଓ ଲୋକମାନେ ବିଭ୍ରାନ୍ତିକର ପ୍ରଚାର ଦ୍ୱାରା ଭ୍ରମିତ ହୋଇଛନ୍ତି ବୋଲି ତାଙ୍କର ଉକ୍ତି,ଯୁକ୍ତି କେହି ବି ଗ୍ରହଣ କରିବେ ନାହିଁ।
ବିଜେଡିର ପରାଜୟର ସବୁଠାରୁ ବଡ କାରଣ ହେଲା ୫- ଟି ରୂପାନ୍ତରୀକରଣ ବନାମ ଓଡ଼ିଆ ଅସ୍ମିତା - ଏହି ଦୁଇଟି ଉତ୍ତପ୍ତ ପ୍ରସଙ୍ଗ ମଧ୍ୟରେ ଯେଉଁ ମହାଭାରତ ସମାନ ଆର୍ ପାର୍ ର ଲଢେଇ ହେଲା, ସେଥିରେ ବାଜି ମାରିଥିଲା ବିଜେପିର ଅସ୍ମିତା କାର୍ଡ । ବିଜେପି ଅସ୍ମିତା କାର୍ଡ ଅସ୍ତ୍ର ଆଗରେ ବିଜେଡିର କୈାଣସି ଅସ୍ତ୍ର କାଟୁ କରିନଥିଲା ।ଫଳରେ କ୍ଷମତା ରାଜନୀତିର ଘମାଘୋଟ ଯୁଦ୍ଧରେ ପଛରେ ପଡିଯାଇଥିଲା ବିଜେଡି ଆଉ ଅତି ଅବିଶ୍ଵସନୀୟ ଭାବେ ବିଜେପି ଶାସନ ଗାଦି ହାତେଇବାରେ ସଫଳ ହୋଇଥିଲା ।