
ଭି କେ ପାଣ୍ଡିଆନ ସକ୍ରିୟ ରାଜନୀତିରେ ନାହାନ୍ତି କି ସେ ବିଧାନସଭାର ନିର୍ବାଚିତ ସଦସ୍ୟ ବି ନୁହଁନ୍ତି, ଅଥଚ ବିଧାନସଭା ଅଧିବେଶନ ତାଙ୍କରି ଇଙ୍ଗିତରେ ଚାଲିଛି।ଏପରି କଥା କଣ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ଭବପର ? ଏହା ସମ୍ଭବପର ତ ନୁହଁ, କିନ୍ତୁ ଏପରି ଅଭିଯୋଗ ଶାସକଦଳ ବିଜେପିର ସଦସ୍ୟମାନେ ଆଣିଛନ୍ତି।
ପାଣ୍ଡିଆନଙ୍କ କଥାରେ ଚାଲୁଛି ବିଧାନସଭା। ପାଣ୍ଡିଆନଙ୍କ ଇସାରାରେ ନାଚୁଛନ୍ତି ବିଜେଡି ବିଧାୟକ ବୋଲି ସେମାନେ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି।
ଏବେ ବି ବିଜେଡିରେ ଆକ୍ଟିଭ ଅଛନ୍ତି ପାଣ୍ଡିଆନ । ଏବେ ବି କମିନି ପତିଆରା । ଏବେ ବି ତାଙ୍କ ଇସାରାରେ କାମ କରୁଛନ୍ତି ବିଜେଡି ବିଧାୟକ । ପାଣ୍ଡିଆନଙ୍କ ଇସାରାରେ କାମ କରୁଛନ୍ତି ବିଜେଡି ବିଧାୟକ । ସେ କହିଲେ ବିଧାୟକମାନେ ବିଧାନସଭାରେ ଚୁପ୍ ବସୁଛନ୍ତି, ଆଉ ସେ କହିଲେ ବିଧାୟକାମାନେ ବିଧାନସଭା ଅଚଳ କରିଦେଉଛନ୍ତି ।ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ବିସ୍ଫୋରଣ ବୟାନ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ଗୃହ ଅଚଳକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ପୋରଣ କଲେ ଜୟନାରାୟଣ । ସେ କହିଛନ୍ତି, “ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ । ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ । କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି । ଲବିରେ କିଛି ବିଜେଡ଼ି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ ।”
ଜୟନାରାୟଣ ମିଶ୍ର କହିଛନ୍ତି ଯେ, ‘ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ? ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡ଼ି ସଦସ୍ୟ କ୍ଷମା ମାଗିବା ଦରକାର । ପାଣ୍ଡିଆନଙ୍କ ନମ୍ବର ୱାନ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି । ଗୃହରେ ମିଥ୍ୟା କହିବା ମହାପାପ । କଂଗ୍ରେସ ପକ୍ଷରୁ ଚାଷୀ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦିଆଯାଇଥିଲା । ବାଚସ୍ପତି ଏହାକୁ ଗ୍ରହଣ କରିଥିବାରୁ ଧନ୍ୟବାଦ । କଂଗ୍ରେସ ଆଲୋଚନା ପାଇଁ ଚାହୁଁ ଥିବାବେଳେ ବିଜେଡ଼ି ବନ୍ଦ କରିଦେଲା । ବିଜେଡ଼ି ଚାହିଁଥିଲେ ଆଲୋଚନା ହୋଇଥାନ୍ତା ।’
ସେପଟେ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘ବରିଷ୍ଠ ସଦସ୍ୟ ଗୃହରେ ମନଗଢ଼ା କାହାଣୀ କହୁଛନ୍ତି । ଗୃହରେ ସଦସ୍ୟ ନଥିବା ଲୋକଙ୍କ ନାମକୁ ଗୃହ ବିବରଣୀରୁ ବାଦ ଦିଆଯାଉ । କେଉଁ ବିଧାୟକ ଲବିରେ କହିଥିଲେ ତାଙ୍କ ନାଁ କୁହନ୍ତୁ ।’