

ବିରାଟ କୋହଲୀଙ୍କ ଭବ୍ୟ ଆଉ ଚିତ୍ତାକର୍ଷକ ଶତକ ବଳରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬ ଉଇକେଟରେ ହରାଇ ଭାରତ ଚମ୍ପିୟାନ୍ସ ଟ୍ରଫିର ସେମି ଫାଇନାଲରେ ପ୍ରବେଶ କରିଛି। ଏହି ଦୟନୀୟ ପରାଜୟ ପାକିସ୍ତାନକୁ ପ୍ରତିଯୋଗୀତାରୁ ବାହାରିଯିବାର ରାସ୍ତା ଦେଖାଇ ଦେଇଛି।
“ଭାରତ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ସମୟରେ ଦୁବାଇରେ ପାକିସ୍ତାନକୁ ଏକ ବହୁ ଯୁଦ୍ଧର ବିଜୟୀ ଯୋଦ୍ଧା ବିରାଟ କୋହଲିଙ୍କ ସହ ମୁକାବିଲା କରିବାକୁ ପଡିଥିଲା ଏବଂ ଏହି ୩୬ ବର୍ଷୀୟ ପ୍ରବୁଦ୍ଧ ଲଢୁଆ ବ୍ୟାଟର୍ ତାଙ୍କର ୫୧ ତମ ଦିନିକିଆ ଶତକ ସହିତ ପାକିଙ୍କୁ ପ୍ରତିଯୋଗୀତାରୁ ବାହାରିଯିବାର ପ୍ରଶସ୍ତ ରାସ୍ତା ଦେଖାଇଦେଲେ। କୋହଲି ତାଙ୍କର ଇନିଂସକୁ ଉତ୍ତମ ଭାବରେ ଗତି ଦେଲେ ଏବଂ ଭାରତକୁ ୬ ଟି ୱିକେଟ ଏବଂ ୪୫ଟି ବଲ୍ ବାକି ରଖି ୨୪୨ ରନ୍ ର ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କଲେ। ଭାରତ ଲକ୍ଷ୍ୟର ପିଛା କରିବାବେଳେ କୋହଲି ତାଙ୍କର ଶତକ ହାସଲ କରିବେ କି ନାହିଁ , ତାହା ଉପରେ ଆଶା ଆଉ ଆଶଙ୍କା ଦେଖାଦେଇଥିଲା। କିନ୍ତୁ କୋହଲି ଉଭୟ ଲକ୍ଷ୍ୟ ହାସଲ କଲେ। ସେ ଚୌକା ମାରି ବିଜୟୀ ରନ୍ ମାରିଲେ ଏବଂ ୧୧୧ ଟି ବଲ୍ ରେ ୧୦୦ ରନ୍ କରି ଅପରାଜିତ ରହିଲେ।
ଶାହିନ ଆଫ୍ରିଦି କେତୋଟି ୱାଇଡ୍ ବଲ୍ ପକାଇଥିଲେ, ଯାହାକି ବିରାଟ କୋହଲିଙ୍କ ପକ୍ଷେ ନିଜ ପାଇଁ ଏବଂ ଭାରତ ପାଇଁଁ ଲକ୍ଷ୍ୟ ହାସଲର ପିଛା କରିବା ସହଜସାଧ୍ୟ ହୋଇଥିଲା। ଏହା ଏକ ଦିବସୀୟ କ୍ରିକେଟରେ ବିରାଟଙ୍କ ୫୧ ତମ ଶତକ ଥିଲା।
ଭାରତର ଏହି ଭବ୍ୟ ବିଜୟ ଭାରତକୁ ସେମି ଫାଇନାଲରେ ପହଞ୍ଚାଇବା ସହ ପାକିସ୍ତାନକୁ ପ୍ରତିଯୋଗୀତାରୁ ବାହାରିଯିବାର ରାସ୍ତା ଦେଖାଇ ଦେଇଛି।
ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ୫୧ତମ ବିରାଟ ଶତକ ସହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଥିଲା।
ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିଲା।
ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ।
ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା। ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ। ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା।ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।
ସଚିନଙ୍କ ରେକର୍ଡ଼ ଭାଙ୍ଗିଲେ କୋହଲୀ – କଲେ ୧୪ ହଜାର ରନ୍
………………………………………………………………
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର୍ ବିରାଟ କୋହଲି ଦିନିକିଆ କ୍ରିକେଟରେ ଏକ ବଡ଼ ରେକର୍ଡ କରିଛନ୍ତି। ପାକିସ୍ତାନ ବିପକ୍ଷରେ ୧୫ ରନ୍ କରିବା ମାତ୍ରେ ସେ ଏକ ସ୍ୱତନ୍ତ୍ର ତାଲିକାରେ ସାମିଲ ହୋଇଥିଲେ, ଯେଉଁଥିରେ ଏପର୍ଯ୍ୟନ୍ତ ସଚିନ ତେନ୍ଦୁଲକର ଏବଂ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ନାମ ସାମିଲ ଥିଲା। ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳୁଛି।
ଏହି ମ୍ୟାଚ୍ ସମୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର୍ ବିରାଟ କୋହଲି ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ବିରାଟ ଏକ ସ୍ୱତନ୍ତ୍ର ତାଲିକାରେ ବିଶ୍ୱର ସମସ୍ତ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଏପର୍ଯ୍ୟନ୍ତ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା ।
ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ରେ ବିରାଟ କୋହଲି ୧୫ ରନ୍ କରି ଦିନିକିଆ କ୍ରିକେଟ୍ରେ ତାଙ୍କର ୧୪ହଜାର ରନ୍ ପୂରଣ କରିଛନ୍ତି। ବିରାଟ ବିଶ୍ୱର କେବଳ ତୃତୀୟ ବ୍ୟାଟସମ୍ୟାନ ଯିଏ ଦିନିକିଆରେ ୧୪ ହଜାର ରନ ସ୍କୋର କରିଛନ୍ତି। ବିରାଟଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଏହି କୃତିତ୍ୱ ହାସଲ କରିଛନ୍ତି। କିନ୍ତୁ ବିରାଟ କୋହଲି ଦିନିକିଆରେ ସବୁଠାରୁ ଦ୍ରୁତତମ ୧୪ ହଜାର ରନ୍ ପୂରଣ କରିଛନ୍ତି। ୩୫୯ତମ ମ୍ୟାଚ୍ର ୩୫୦ତମ ଇନିଂସରେ ସଚିନ ତେନ୍ଦୁଲକର ଏହି ସଫଳତା ପାଇଥିଲେ। ଯେତେବେଳେ, ବିରାଟ କୋହଲି ୨୯୯ତମ ମ୍ୟାଚ୍ର ୨୮୭ତମ ଇନିଂସରେ ଏହା କରିଛନ୍ତି।
ବିରାଟ କୋହଲିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ମଧ୍ୟ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ଦିନିକିଆରେ ତାଙ୍କର ୧୪ହଜାର ରନ ପୂରଣ କରିଥିଲେ। ସଚିନ ୬ ଫେବୃଆରୀ ୨୦୦୬ରେ ପେଶାୱରରେ ଏହି ସଫଳତା ହାସଲ କରିଥିଲେ। ଏବେ, ବିରାଟ କୋହଲି ଦୁବାଇରେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ଦୋହରାଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ, ବିରାଟ ଦିନିକିଆରେ ସର୍ବାଧିକ ରନ ସ୍କୋର କରିବାରେ ତୃତୀୟ ସ୍ଥାନରେ ଅଛନ୍ତି। କୁମାର ସାଙ୍ଗାକାରା ୧୪୨୩୪ ରନ ସହିତ ଦ୍ୱିତୀୟ ସ୍ଥାନରେ ଏବଂ ସଚିନ ୧୮୪୨୬ ରନ ସହିତ ପ୍ରଥମ ସ୍ଥାନରେ ଅଛନ୍ତି।