


ବ୍ୟାୟାମ ନାମରେ ଜୋରେ ଚାଲିବା – ଦୈାଡିବା ସ୍ଵାସ୍ଥ୍ୟ ଲାଗି କ୍ଷତିକାରକ
…………………………………………………………………….
ଜବାହର ମିଶ୍ର
ଅଧ୍ୟାତ୍ମ ବିଜ୍ଞାନୀ
ପ୍ରାକୃତିକ ଚିକିତ୍ସାବିତ୍
ବରିଷ୍ଠ ସାମ୍ବାଦିକ
……………………………………………………………………..
ଆମ ଦେଶ ଭାରତରେ ଲୋକମାନେ ବ୍ୟାୟାମ ନାମରେ କେବେ ବି ଦୌଡ଼ିବା ଉଚିତ୍ ନୁହେଁ । ଏହାର କାରଣ କ’ଣ ? ଏହା ପଛରେ ଦୃଢ ବୈଜ୍ଞାନିକ କାରଣ ରହିଛି। ଏବେ ପ୍ରଶ୍ନ କରାଯାଇପାରେ ଯେ ଚାଲିବା , ଦୈାଡିବା, କୈାଣସି କସରତ କରିବା ମଧ୍ୟରୁ କେଉଁଟି ସର୍ବୋତ୍ତମ ବ୍ୟାୟାମ ? ଯଦି
କେହି ଭାବନ୍ତି ଯେ ଦୌଡ଼ିବା ସର୍ବୋତ୍ତମ ବ୍ୟାୟାମ, ତେବେ
ତାଙ୍କ ଭାବନା ସମ୍ପୂର୍ଣ୍ଣ
ଭାବେ ଭୁଲ।
କାରଣ ଭାରତୀୟ ପରମ୍ପରା ଅନୁସାରେ ଦୌଡ଼ିବା ଭଲ ନୁହେଁ,
ଏହାର ବୈଜ୍ଞାନିକ କାରଣ
ହେଉଛି ଯେ ଭାରତ ହେଉଛି ବାତ ପ୍ରଧାନ ଦେଶ। ଏଣୁ ଦୌଡ଼ିବା ସମୟରେ ଶରୀରରେ ବାତ ଅଧିକ ଶକ୍ତିଶାଳୀ ହୋଇଯାଏ। ଭାରତ ହେଉଛି ବାତ ପ୍ରକୃତିର ଦେଶ, କାରଣ ଏହା ଏକ ଗରମ ଦେଶ, ଅଧିକାଂଶ ଅଞ୍ଚଳ ଗରମ ଆଉ ଏକ ଶୁଷ୍କ । ଅର୍ଥାତ୍ ଏଠାରେ ରୁକ୍ଷ ପବନ ବହିଥାଏ। ତେଣୁ ଏହା ବାତ ପ୍ରକୃତିର ଦେଶ ହୋଇଥିବାରୁ ଦୌଡ଼ିବା ସର୍ବଦା ବର୍ଜ୍ଜନୀୟ ଅଟେ। ଏଣୁ ଏଠାରେ ଯେଉଁ ବ୍ୟାୟାମଗୁଡ଼ିକ ଧୀର- ମନ୍ଥର ଏବଂ ବାୟୁ ଚାପ ବୃଦ୍ଧି କରେ ନାହିଁ ,ତାହା ସର୍ବୋତ୍ତମ ଅଟେ। ଏଣୁ ଭାରତ ପରି ଦେଶରେ ସୂର୍ଯ୍ୟ ନମସ୍କାର ଏବଂ ପ୍ରାଣାୟାମ ସର୍ବୋତ୍ତମ ଅଟେ। ସୂର୍ଯ୍ୟ ନମସ୍କାରକୁ ଏକ ଆସନ କିମ୍ବା ଏକ ବ୍ୟାୟାମ ଭାବରେ ବିଚାର କରାଯାଇପାରେ। ବାତ ପ୍ରଧାନ ଦେଶ ହୋଇଥିବାରୁ ଆମ ଦେଶରେ ସୂର୍ଯ୍ୟ ନମସ୍କାର କରିବା ବା ପ୍ରାଣାୟାମ ଆଦି କରିବା ସର୍ବୋତ୍ତମ।ଏଥିସକାଶେ ଆମର ସେହି ମହାନ୍ ବୈଜ୍ଞାନିକପ୍ରତିମ ଋଷିଗଣ ଆମ ଦେଶର ପ୍ରାକୃତିକ ଅବସ୍ଥାକୁ ଦୃଷ୍ଟିରେ ରଖି ସୂର୍ଯ୍ୟ ନମସ୍କାର ପରି ଏକ ସର୍ବୋତ୍ତମ ବ୍ୟାୟାମର ଉଦ୍ଭାବନ କରିଥିଲେ।
ଏହା ପରେ ଦ୍ଵିତୀୟ ସୁଖଦ ବ୍ୟାୟାମ ହେଉଛି ଦଣ୍ଡ ବୈଠକ। ତେବେ ଏହା ଯେପରି ଖୁବ୍ ଶୀଘ୍ର ଶୀଘ୍ର ବା ବହୁତ ଲମ୍ବା ନ ହୁଏ, ଯେଉଁଥିରେ ଝାଳ ଯେପରି ବିପୁଳ ମାତ୍ରାରେ ନ ବହେ, ସେଥି ପ୍ରତି ଦୃଷ୍ଟି ରଖିବା ଆବଶ୍ୟକ। ଆମ ଦେଶ ବାତ ପ୍ରଧାନ ଦେଶ ହୋଇଥିବାରୁ ନିୟମିତ ଦୈାଡିଲେ ଆଣ୍ଠୁ ଗଣ୍ଠି ରୋଗ ଦେଖାଯାଇଥାଏ। ୟୁରୋପୀୟ ଦେଶଗୁଡିକ କଫ ପ୍ରଧାନ ତଥା ଥଣ୍ଡା ପ୍ରକୃତିର ଦେଶ ହୋଇଥିବାରୁ ସେଠାକାର ଲୋକଙ୍କ ଲାଗି ଦୈାଡ କୁଦ ନିରାପଦ।
ଆଫ୍ରିକୀୟ ଦେଶଗୁଡିକ ପିତ୍ତ ପ୍ରଧାନ ଦେଶ। ୟୁରୋପୀୟ ଦେଶଗୁଡିକ ଶୀତ ପ୍ରଧାନ ଦେଶ ହୋଇଥିବାରୁ ସେ ସବୁ ଦେଶର ଲୋକେ ଅଲିମ୍ପିକ ଇତ୍ୟାଦି ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ବିଶେଷ ସଫଳତା ହାସଲ କରି ବିପୁଳ ସଂଖ୍ୟକ ସ୍ଵର୍ଣ୍ଣ ପଦକ ଇତ୍ୟାଦି ହାସଲ କରିଥାଆନ୍ତି। କିନ୍ତୁ ଆମ ଦେଶ ବିଶେଷ କରି ଭାରତୀୟ ଉପମହାଦେଶ ତଥା ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଦୈାଡିବା ଲାଭପ୍ରଦ ନୁହେଁ। ଯେତେ ଦୈାଡିଲେ ବି ଆମେମାନେ ସେମାନଙ୍କ ପରି ସଫଳ ହେବୁ ନାହିଁ, ଯେପରି ସଫଳତା ସେମାନେ ପାଇଆସୁଛନ୍ତି। ଭାରତର ପୂର୍ବତନ ମହାନ ଧାବକ ତଥା ଅଲିମ୍ପିକ ଶହେ ମିଟର ଦୈାଡରେ ୪ ର୍ଥ ହୋଇଥିବା ମିଲଖା ସିଂହ ଏକଦା ଏହା କହିଥିଲେ ଯେ ଦୈାଡିବା କାରଣରୁ ତାଙ୍କର ଗୋଇଠି ଉପରେ ବରାବର ଚାପ ପଡି ତାହା ପୁରା ଖରାପ ହୋଇଯିବାରୁ ସେ ପରିଣତ ବୟସରେ ବଡ କଷ୍ଟ ଭୋଗ କରୁଛନ୍ତି।
ଚାଲିବା ଅପେକ୍ଷା ସାଇକେଲ ଚଲାଇବା ଶ୍ରେୟସ୍କର
…………………………………………………………………
ସେହିପରି ଗ୍ରୀଷ୍ମ ଋତୁ ଏବଂ ବର୍ଷା ଋତୁରେ ବି ସକାଳେ ମାତ୍ରାଧିକ ଚାଲିବା ଉଚିତ ନୁହେଁ। ଏହାର କାରଣ ସେହି ବାତ ପ୍ରକୃତି। ସକାଳ ସମୟରେ ଆଉ ମଧ୍ୟାହ୍ନରେ ବାତର ପ୍ରଧାନ୍ୟ ଅଧିକ ଥାଏ। ଅପରାହ୍ନରେ ପିତ୍ତର ପ୍ରଧାନ୍ୟ ଅଧିକ ଥାଏ। ଏଣୁ ଏହି ଦୁଇ ସମୟରେ ଚାଲିବା ଆଉ ଦୈାଡିବା ବର୍ଜନୀୟ। ଏପରି କଲେ ଶରୀରରେ ବାତ ଦୋଷ ପ୍ରବଳ ହୋଇ ବିଭିନ୍ନ ବାତଜ ରୋଗ ସୃଷ୍ଟି କରିବ। ତେବେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ଚାଲିହେବ। କାରଣ ସେ ସମୟରେ କଫ ପ୍ରକୃତିର ପ୍ରାଧାନ୍ୟ ଆସିଥାଏ। ଏଣୁ ସେ ସମୟରେ ଚାଲିହେବ, କିନ୍ତୁ ସେ ସମୟରେ ଦୈାଡିବା ଉଚିତ ନୁହେଁ।
ସକାଳେ ଏବଂ ସନ୍ଧ୍ୟା ସମୟରେ ଚାଲିବା ଅପେକ୍ଷା ସାଇକେଲ ଚଲାଇବା ଶରୀର ଲାଗି ଆହୁରି ଭଲ। ସାଇକେଲ ଚଲାଇବା ଦ୍ଵାରା ସମଗ୍ର ଗୋଡରେ ଉପଯୁକ୍ତ ରକ୍ତ ପ୍ରବାହ ହୋଇ ଗୋଡ଼ ସମେତ ସମଗ୍ର ଶରୀରକୁ ସୁସ୍ଥତା ପ୍ରଦାନ କରିଥାଏ। ତାହା ସହିତ ସାଇକେଲ ଚଲାଇବା ଫଳରେ ପାନକ୍ରିୟାଜ୍ ତଥା ଜଠର ଉପରେ ବରାବର ଚାପ ପଡ଼ିଥାଏ। ଏହା ଫଳରେ ପାନକ୍ରିୟାଜ୍ କ୍ରିୟାଶୀଳ ହୋଇ ଆବଶ୍ୟକ ପରିମାଣର ଇନସ୍ୟୁଲିନ୍ ନାମକ ମୁଖ୍ୟ ହରମୋନ୍ ର କ୍ଷରଣ କରେ। ଇନସୁଲିନ୍ ରକ୍ତ ଶର୍କରା ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। ଇନସୁଲିନ୍ ନାମକ ଏହି ହରମୋନ୍ ରକ୍ତରେ ଶର୍କରା (ଗ୍ଲୁକୋଜ୍)କୁ କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରେ, ଯାହା ଶକ୍ତି ଯୋଗାଇଥାଏ। ଯେତେବେଳେ ଇନସୁଲିନର ଅଭାବ ଥାଏ କିମ୍ବା ଶରୀର ଇନସୁଲିନକୁ ଠିକ୍ ଭାବରେ ବ୍ୟବହାର କରିପାରେନାହିଁ, ସେତେବେଳେ ମଧୁମେହ ହୋଇପାରେ। କିନ୍ତୁ ସାଇକେଲ ଚାଳନା ସେ ବିପଦକୁ ଅନେକାଂଶରେ ଦୂରୀଭୂତ କରିଥାଏ। ଏଣୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ କରି ମଧୁମେହ ପୀଡ଼ିତ ଲୋକେ କାର୍, ମଟର ସାଇକେଲ ଏବଂ ସ୍କୁଟର୍ ଇତ୍ୟାଦି ଯାନ ଚାଳନା ଯେତେ ସମ୍ଭବ କମ୍ କରି ଅଧିକରୁ ଅଧିକ ସାଇକେଲ ଚଲାଇଲେ ମଧୁମେହ ସହିତ ଅନ୍ୟାନ୍ୟ ଅନେକ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ। ଅଗ୍ନାଶୟ ମଧ୍ୟ ଅନ୍ୟାନ୍ୟ ହରମୋନ କ୍ଷରଣ କରେ, ଯେପରିକି ସୋମାଟୋଷ୍ଟାଟିନ୍, ଯାହା ଇନସୁଲିନ୍ ଏବଂ ଗ୍ଲୁକାଗନ୍ କ୍ଷରଣକୁ ନିୟନ୍ତ୍ରଣ କରେ।
ସିମେଣ୍ଟ ଚଟାଣ ଉପରେ ଚାଲିବା ବର୍ଜ୍ଜନୀୟ
…………………………………………………………………….
ଏଠାରେ ଏହା ସୂଚନାଯୋଗ୍ୟ ଯେ ଶକ୍ତ ଚଟାଣ ତଥା ସିମେଣ୍ଟ ଚଟାଣ ଉପରେ କେବେ ଚାଲନ୍ତୁ ନାହିଁ। ଏହା ଫଳରେ ପାଦର ଗୋଇଠି ଏବଂ ଆଣ୍ଠୁ ଉପର ଅତ୍ୟଧିକ ଚାପ ପଡ଼ିଥାଏ, ଯାହାକି ବାତକୁ ପ୍ରକୁପିତ କରି ବିଭିନ୍ନ ଅସୁବିଧା ତଥା ବାତଜ ରୋଗ ସୃଷ୍ଟି କରିବ। ଏଣୁ ଯେତେବେଳେ ଚାଲିବେ, ସେତେବେଳେ ମାଟି ଉପରେ ଚାଲିବେ। ଫଳରେ ଆଣ୍ଠୁ ଆଉ ଗୋଇଠି ଉପରେ ଚାପ ପଡ଼ିନଥାଏ।ଘାସ ଥିବା ମାଟି ଉପରେ ଅନ୍ୟୁନ ୧୫ ମିନିଟ ଯାଏ ଚାଲିବା ଖୁବ୍ ଲାଭକାରୀ। ମାଟି ଉପରେ ଖାଲି ପାଦରେ ଚାଲିଲେ ଶରୀରର ଭୋଲ୍ଟେଜ୍ ଜିରୋ ହେବା ସହ ପୃଥିବୀର ଇଲେକ୍ଟ୍ରନ୍ କଣିକା ଶରୀର ମଧ୍ୟରେ ପ୍ରବେଶ କରି ସମଗ୍ର ଶରୀରକୁ ରୋଗମୁକ୍ତ କରିଥାଏ। ସ୍ଥାନାଭାବରୁ ଏ ସମ୍ପର୍କରେ ଏଠାରେ ବିଷଦ ଆଲୋଚନା କରାଯାଇପାରୁନାହି।
ଯୋତା, ମୋଉଜା ପିନ୍ଧିବା ଅନୁଚିତ
……………………………………………………………………..
ଏଠାରେ ଏହା ସୂଚନାଯୋଗ୍ୟ ଯେ ଗ୍ରୀଷ୍ମ ଋତୁ ଏବଂ ବର୍ଷା ଋତୁରେ ଯୋତା, ମୋଉଜା ପିନ୍ଧି ଚାଲିବା, ଦୈାଡିବା କିମ୍ଵା ବ୍ୟାୟାମ କରିବା ଅନୁଚିତ୍। କାରଣ ସେ ସମୟରେ ଏଣେ ବାହାରର ଉତ୍ତାପ ଏବଂ ସେଣେ ବ୍ୟାୟାମ କିମ୍ବା ଚାଲିବା କିମ୍ଵା ଦୈାଡିବା ଜନିତ ଉତ୍ତାପ ଶରୀର ମଧ୍ୟରୁ ବାହାରକୁ ନିଷ୍କାସିତ ହୋଇନପାରିବା କାରଣରୁ ଶରୀର ମଧ୍ୟରେ ରହି ସ୍ଵାସ୍ଥ୍ୟ ଲାଗି କ୍ଷତିକାରକ ହୋଇଥାଏ। ଏଣୁ ଏ ସମୟରେ ଖାଲି ପାଦରେ ରହିବା ଉଚିତ କିମ୍ବା ଚପଲ ବ୍ୟବହାର କରାଯାଇପାରେ। ଏହା ଫଳରେ ଶରୀରର ଅତିରିକ୍ତ ଉତ୍ତାପ ପାଦ ବାଟେ ନିଷ୍କାସିତ ହୋଇ ଶରୀର ଲାଗି ଆଶ୍ଵସ୍ତିକାରକ ହୋଇଥାଏ।
ଆଉ ଗୋଟିଏ ସୂଚନାଯୋଗ୍ୟ ତଥ୍ୟପୂରକ ବିଷୟ ଯେ ପିତ୍ତ ପ୍ରକୃତିର ଲୋକମାନେ ପ୍ରଥମେ ବ୍ୟାୟାମ କରିବା ପରେ ମସାଜ୍ ତଥା ମାଲିସ୍ ହେବା ଆବଶ୍ୟକ। ପିଲାମାନଙ୍କ ପାଇଁ ମସାଜ୍ ହେଉଛି ଏକମାତ୍ର ଉପଚାର, କାରଣ ସେମାନେ କଫ ପ୍ରଭାବରେ ଥାଆନ୍ତି। ତେଣୁ ପିତ୍ତ ପ୍ରକୃତିର ଲୋକମାନେ ପ୍ରଥମେ ବ୍ୟାୟାମ କରିବା ଉଚିତ ଏବଂ ପରେ ମସାଜ୍ କରିବା ଉଚିତ। କିନ୍ତୁ ବାତ ଦ୍ୱାରା ପ୍ରଭାବିତ ଲୋକମାନେ ପ୍ରଥମେ ମସାଜ୍ କରିବା ଉଚିତ ଏବଂ ପରେ ବ୍ୟାୟାମ କରିବା ଉଚିତ। ଏବେ ପ୍ରଶ୍ନ କରାଯାଇପାରେ ଯେ କେତେ ମାତ୍ରାରେ ବ୍ୟାୟାମ କରିବା ଉଚିତ। କାଖରୁ ଝାଳ ବାହାରିବା ପର୍ଯ୍ୟନ୍ତ ବ୍ୟାୟାମ କରାଯିବା ଆବଶ୍ୟକ। କାଖରୁ ଝାଳ ବାହାରିବା ମାତ୍ରେ ବ୍ୟାୟାମ କରିବା ବନ୍ଦ କର। ୧୦ ମିନିଟ୍ ମଧ୍ୟରେ ଝାଳ ବାହାରୁ କିମ୍ବା ୫୦ ମିନିଟ୍ ମଧ୍ୟରେ ବାହାରୁ, ଶରୀର ତ୍ରିଗୁଣ ନେଇ ସମୟ ସମସ୍ତଙ୍କ ପାଇଁ ଭିନ୍ନ ହେବ। ଏଣୁ ଝାଳ ବାହାରିବା ଯାଏ ବ୍ୟାୟାମ କରାଯାଇପାରେ, ଯଦି ବ୍ୟକ୍ତି ଥକିନପଡନ୍ତି। ଝାଳ ବାହାରିବା ପରେ ଏହାଠାରୁ ଅଧିକ ବ୍ୟାୟାମ କରନ୍ତୁ ନାହିଁ।
ଚାଲିଲାବଳେ କଥାବାର୍ତ୍ତା ହେବା ଅନୁଚିତ
…………………………………………………………………..
ଚାଲିବା, ଦୈାଡିବା ବା ବ୍ୟାୟାମ ଇତ୍ୟାଦି ସମୟରେ ପରସ୍ପର ମଧ୍ୟରେ କଥୋପକଥନ ହେବା ଅନୁଚିତ। ବିଶେଷ କରି ଏକାଧିକ ଜଣ ଏକାଠି ସଂଘବଦ୍ଧ ହୋଇ ମର୍ଣ୍ଣିଙ୍ଗ୍ ଓ୍ଵାକ୍ ରେ ଚାଲିବାବେଳେ ପରସ୍ପର ସହିତ ଗପସପ ହୋଇ ଚାଲିଥାଆନ୍ତି।ଏହା ଶରୀର ଆଉ ସ୍ବାସ୍ଥ୍ୟ ପକ୍ଷେ ବଡ କ୍ଷତିକାରକ। ଚିଲିବା ସମୟରେ ନାକ ବାଟେ ବାହାରୁ ଶୁଦ୍ଧ ବାୟୁ ରୂପେ ଅକ୍ସିଜେନ ଗ୍ରହଣ କରାଯାଇ ଶରୀର ମଧ୍ୟରୁ ଅଶୁଦ୍ଧ ବାୟୁ କାର୍ବନ ଡାଇଅକ୍ସାଇଡ୍ ଛଡାଯାଇଥାଏ। କିନ୍ତୁ କଥାବାର୍ତ୍ତା ହେବା ଫଳରେ ବ୍ୟକ୍ତି ଶୁଦ୍ଧ ବାୟୁ ଗ୍ରହଣରୁ ବଞ୍ଚିତ ହେବା ସହ ସେମାନେ ଛାଡୁଥିବା ପରସ୍ପରର ଅଶୁଦ୍ଧ କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରି ନିଜ ନିଜର ସ୍ଵାସ୍ଥ୍ୟକୁ ବିପଦାପନ୍ନ କରିଥାଆନ୍ତି। ତାହା ଛଡା କଥାବାର୍ତ୍ତା ଜରିଆରେ ପାଟିବାଟେ ବାହାରର ବାୟୁ ଗ୍ରହଣ କରିବା ସ୍ଵାସ୍ଥ୍ୟ ପକ୍ଷେ ଆହୁରି କ୍ଷତିକାରକ।
ଆଉ ଏକ ବିପଦଜନକ ବିଷୟ ହେଉଛି ଯେ ବ୍ୟାୟାମ ସମୟରେ କି ଚାଲିବା ସମୟରେ କଥାବାର୍ତ୍ତା କରିବା ଫଳରେ ହୃତପିଣ୍ଡ ଉପରେ ଅତିରିକ୍ତ ଚାପ ପଡ଼ିଥାଏ। ସେ ସମୟରେ ରକ୍ତଚାପ ମଧ୍ୟ ବୃଦ୍ଧି ଅବସ୍ଥାରେ ଥାଏ। ଏପରି ସ୍ଥଳେ କଥାବାର୍ତ୍ତା ହେଲେ ରକ୍ତଚାପ ଅଧିକ ବୃଦ୍ଧି ପାଇବ। ଏଣୁ ଯଦି ବ୍ୟକ୍ତିର ରକ୍ତରେ ଯଦି ବ୍ୟାଡ୍ କଲେଷ୍ଟ୍ରଲ ହାଇ ଥାଏ, ତେବେ ହୃଦଘାତ ହୋଇପାରେ। ଏଣୁ ବ୍ୟାୟାମ ସମୟରେ ଆଉ ଚାଲିବା ସମୟରେ କଥାବାର୍ତ୍ତା କରିବା ଅନୁଚିତ।
ଘର କାମ କରୁଥିବା ମହିଳା ଅଧିକ ବ୍ୟାୟାମ କରିବା ଅନୁଚିତ
……………………………………………………………………
ମହର୍ଷି ଭାଗଭଟ୍ଟ କହନ୍ତି ଯେ ମା’ମାନେ ଯଦି ଘର କାମରେ ବ୍ୟସ୍ତ ରହୁଛନ୍ତି, ତେବେ ସେମାନଙ୍କୁ ଅଧିକ ବ୍ୟାୟାମ କରିବାର ଆବଶ୍ୟକତା ନାହିଁ। ତାହା ହିଁ ସେମାନଙ୍କ ଲାଗି ପର୍ଯ୍ୟାପ୍ତ ବ୍ୟାୟାମ ଅଟେ। ଏଣୁ ସେମାନେ ଅଧିକ ବ୍ୟାୟାମ କରିବାର ଆବଶ୍ୟକତା ନାହିଁ।ଯେପରିକି ଶିଳରେ ବିଭିନ୍ନ ଜିନିଷ ବାଟିବା, ଚକି ଚଲାଇବା ଏବଂ ଅନ୍ୟନ୍ୟ ଘରକାମ ଇତ୍ୟାଦି। ଯେଉଁ ମାଆ ଏବଂ ଭଉଣୀମାନେ ଘରେ ଏହି କାମ କରୁନାହାନ୍ତି, ତେବେ ସେମାନେ ଏବେଠାରୁ ଏହା ଆରମ୍ଭ କରିବା ଉଚିତ। ମିକ୍ସିର ବ୍ୟବହାର କମ୍ କରନ୍ତୁ ଏବଂ ଶିଳରେ ବାଟିବା ଆଉ ଚକି ଚଲାଇବା କାମ ଅଧିକ କରନ୍ତୁ। କାରଣ ଏସବୁ ମନ୍ଥର ବ୍ୟାୟାମ। ବଜାରର ମିଲ୍ ଚକି ବ୍ୟବହାର ବନ୍ଦ କରନ୍ତୁ ଏବଂ ଘରେ ହାତ ଚକି ଚଲାନ୍ତୁ। ଏହା ଦ୍ଵାରା ସେହି ଅଟାର ଗୁଣବତ୍ତା ଉତ୍କୃଷ୍ଟ ମାନର ହେବ, କାରଣ ଏଥିରେ ଘର୍ଷଣ କମ୍ ହେବ ଏବଂ ଘର୍ଷଣ କମ୍ ହେଲେ ଶସ୍ୟ ଧୀରେ ଧୀରେ ପେଷି ହେବ। ଯଦି ଶସ୍ୟଗୁଡ଼ିକୁ ଧୀରେ ଧୀରେ ପେଷିହେବ ତ ଏଥିରେ ଟେମ୍ପରେଚର ତଥା ଉତ୍ତାପ ବୃଦ୍ଧି ପାଇବନାହିଁ। ଭାରତ ପରି ବାତ ପ୍ରଧାନ ଦେଶରେ କୌଣସି ଖାଦ୍ୟ ସାମଗ୍ରୀର ତାପମାନ ବୃଦ୍ଧି ହେବା ଉଚିତ୍ ନୁହେଁ। ଯଦି ତୁମେ ବଜାରର ଅଟା ମିଲରେ ଅଟା ପେଷିବ, ତେବେ ସେଥିରେ ତାପମାତ୍ରା ବୃଦ୍ଧି ଯୋଗୁଁ ଶସ୍ୟର ଗୁଣବତ୍ତା ତଥା ପୌଷ୍ଟିକତା ନଷ୍ଟ ହୋଇଯିବ। ଏହାର ପୁଷ୍ଟିକର ମୂଲ୍ୟ ହ୍ରାସ ପାଇଲେ ଶରୀର ବିଭିନ୍ନ ରୋଗର ସମ୍ମୁଖୀନ ହେବ ଏବଂ ହୋଇଆସୁଛି। ହାତ ଚକିର ଅଟା ଏବଂ ବଜାରର ଅଟାରୁ ତିଆରି ରୋଟି ଖାଇ ଦେଖନ୍ତୁ,ଏଥିରୁ ଆପଣ ପାର୍ଥକ୍ୟ କଣ , ତାହା ଜାଣିପାରିବେ। ଯଦି ବଜାରରେ ହାତ ଚକି ଅଟା ଉପଲବ୍ଧ ନାହିଁ, ତେବେ ଶିଳରେ ଗହମ ପେଷୁଥିବା ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ତାଙ୍କୁ ଏହା ତିଆରି କରିବାକୁ କୁହନ୍ତୁ।
ସଶିଳ୍ପରେ ବାଟିବା- ଚକି ଚଲାଇବା ଶ୍ରେଷ୍ଠ ବ୍ୟାୟାମ
…………………………………………………………………..
ମହିଳାମାନେ ଶିଳରେ ବାଟିବା ଏବଂ ଚକିରେ ପେଷିବା ଏବଂ ଢେଙ୍କିରେ ଶସ୍ୟ କୁଟିବା ଫଳରେ ସେମାନଙ୍କର କେବଳ ଉପଯୁକ୍ତ ବ୍ୟାୟାମ ହୋଇନଥାଏ, ତାହା ସହିତ ସେମାନଙ୍କ ଶରୀରରେ ମାତ୍ରାଧିକ ଚର୍ବି ବଢ଼ିନଥାଏ, ଆଣ୍ଠୁ ଗଣ୍ଠି ରୋଗ ହୋଇନଥାଏ। ଏହା ସହିତ ଶିଳରେ ବାଟିବା, ଚକିରେ ପେଷିବା ଏବଂ ଢେ଼ଙ୍କି କୁଟିବା ଫଳରେ ଗର୍ଭାଶୟ ଉପରେ ଚାପ ପଡ଼ିଥାଏ। ଫଳରେ ବିନା ଅପରେସନରେ ସୁଖ ପ୍ରସବ ହୋଇଥାଏ। ଆଗକାଳରେ ଏହି କାରଣରୁ ମାଆମାନେ ବିନା ଶଲ୍ୟ ଚିକିତ୍ସାରେ ଆରାମରେ ସୁଖ ପ୍ରସବ କରୁଥିଲେ।
ପୁଚି ଖେଳ ମଧ୍ୟ ଏକ ଅତି ଉତ୍ତମ ବ୍ୟାୟାମ। ପୁଚି ଖେଳିବା ଫଳରେ ଗର୍ଭାଶୟ ଉପରେ ଚାପ ପଡି ଏହା ମଜଭୁତ ହୋଇଥାଏ। କମ୍ ବୟସରୁ ପିଲାବେଳୁ ଏହା ଖେଳିବା ଫଳରେ ବିବାହ ପରେ ବିନା ଅସ୍ତ୍ରୋପଚାରରେ ସୁଖ ପ୍ରସବ ହୋଇଥାଏ। କିନ୍ତୁ ଆଧୁନିକତାର ଭବ୍ୟତାରେ ଦିଗହରା ହୋଇ ଆମ ଲୋକେ ପ୍ରାକୃତିକ ଚିକିତ୍ସା ରୂପୀ ଏହି ମହାର୍ଘ ସାଧନକୁ ଭୁଲି ନିଜକୁ ଏହାର ଉପକାରରୁ ବଞ୍ଚିତ କରୁଛି
ଯଦି ଘରେ ଶିଳ ଆଉ ହାତପେଷା ଚକି ଅଛି , ତେବେ ମହିଳାମାନଙ୍କୁ ବ୍ୟାୟାମ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଘରେ ଏ ସବୁ ସାମଗ୍ରୀ ଉପଲବ୍ଧ ନାହିଁ, ତେବେ ସେମାନେ କିଛି ବ୍ୟାୟାମ କରନ୍ତୁ। ଆଗକୁ ନଇଁବା ମା’ ଏବଂ ଭଉଣୀମାନଙ୍କ ପାଇଁ ଏକ ବହୁତ ଭଲ ବ୍ୟାୟାମ। ତେଣୁ ପ୍ରତ୍ୟେକ ଥର ନଇଁବା ସମୟରେ ଅଣ୍ଟା ପାଖରୁ ନଇଁବାକୁ ଚେଷ୍ଟା କରନ୍ତୁ। ଫଳରେ ଜୀବନରେ କେବେ ବି ପିଠି ଯନ୍ତ୍ରଣା ହେବନାହିଁ। ଯେତିକି ନଇଁପାରିବେ, ସେତିକି ନୁଅନ୍ତୁ।ପୂରା ତଳକୁ ନଇଁବାର ଆବଶ୍ୟକତା ନାହିଁ। ଏହାକୁ ସହଜରେ କର, ଅସହଜ ହୋଇ କରନ୍ତୁନାହିଁ। ତେଣୁ କିଛି ବ୍ୟାୟାମ କରନ୍ତୁ ଏବଂ ତା’ପରେ ମସାଜ୍ ବା ମାଲିସ୍ କରନ୍ତୁ। ମୁଣ୍ଡ ଏବଂ କାନକୁ ଅଧିକ ମାଲିସ୍ କରନ୍ତୁ ଏବଂ ବାକି ଶରୀରକୁ ଯେତିକି ମାଲିସ କରିହେବ କରନ୍ତୁ। ତେବେ ଦୁଇ ପାଦ ତଳିକୁ ଅଧିକ ମାଲିସ୍ କରନ୍ତୁ। ଏହାର ଅଧଘଣ୍ଟା ପରେ ସ୍ନାନ କରନ୍ତୁ ଏବଂ ଭୋଜନ ଗ୍ରହଣ କରନ୍ତୁ ଆଉ ତାପରେ କିଛି ସମୟ ବିଶ୍ରାମ କରନ୍ତୁ। ଏହା ପରେ ଦୈନନ୍ଦିନ କାର୍ଯ୍ୟ କରନ୍ତୁ ।