



ଆଲେଖ୍ୟ – ଜବାହର ମିଶ୍ର
ଶାସନ କ୍ଷମତା ସହିତ ଜଡିତ ଜଣେ ଦକ୍ଷ ରାଜନେତା ଲାଗି Numerical age ତଥା ସାଂଖ୍ୟିକ ବୟସର ବେଶୀ ଆବଶ୍ୟକତା ଅଛି ନା Biological age ତଥା ଜୈବିକ ବୟସର ବେଶୀ ଆବଶ୍ୟକତା ଅଛି ? ଏହା ଏବେ ଭାରତୀୟ ରାଜନୀତିରେ ଏକ ଯକ୍ଷ ପ୍ରଶ୍ନ ହେବାକୁ ଯାଉଛି । ଏଣୁ ଏହା ଉପରେ ଅତି ଗଭୀରତାର ସହିତ ଅଧିକ ବୌଦ୍ଧିକ ମନ୍ଥନ ଏବଂ ବିଶ୍ଳେଷଣର ଆବଶ୍ୟକତା ରହିଛି ।
ଏଠାରେ ଏହି ବିଷୟ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚୁର ପ୍ରାଣଶକ୍ତିରେ ସମ୍ପନ୍ନ ଜୈବିକ ବୟସର ଉଦ୍ଦାମତାକୁ ଉପେକ୍ଷା କରାଯାଇ ତାଙ୍କର ସାଂଖ୍ୟିକ ବୟସ ଉପରେ ଅତ୍ୟଧିକ ଗୁରୁତ୍ବ ଆରୋପ କରାଯାଉଛି। ଏହାର କାରଣ କଣ ? କାରଣଟା ଅତି ସ୍ପଷ୍ଟ, ତାହା ହେଉଛି ଯେ ବହୁତ ହୋଇଗଲା, ଏବେ ପ୍ରଧାନମନ୍ତ୍ରୀ ପଦରୁ ସହର୍ଷ ବିଦାୟ ସମ୍ବର୍ଦ୍ଧନା ନିଅ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଂଖ୍ୟିକ ବୟସକୁ ନେଇ ମଝିରେ ମଝିରେ ଟିକେ ବାବନା ଭୂତର ଝଡ ଉଠେ ଆଉ ସେ ଝଡ଼ ଭୁଷ୍ କରି ଉଠି ସଙ୍ଗେ ସଙ୍ଗେ ଥମିଗଲା ପରି ଶୀତଳ ଭଣ୍ଡାରକୁ ଚାଲିଯାଏ। କିନ୍ତୁ ଏଥର ସେ ଝଡ ବାବନା ଭୂତର ଝଡ ପରି ନ ଉଠି ଏକ ବାତ୍ୟା ପରି ଉଠିବାର ଗୁରୁତର ପ୍ରୟାସ ଆରମ୍ଭ କରିଛି।
ନିକଟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପଲକ୍ଷ୍ୟ କରି ଏହି ବୟସ ପ୍ରକରଣକୁ ନେଇ ଯେଉଁ ବାକ୍ୟଝଡ ଛାଡିଲେ, ତାହା ଜାତୀୟ ରାଜନୀତି ବଡ ହଲଚଲ୍ ସୃଷ୍ଟି କରିଛି।”ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ୭୫ ବର୍ଷ ବୟସରେ ନେତାମାନେ ଅବସର ନେଇ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଉଚିତ। ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଭାଗବତ ପୂର୍ବତନ ଆରଏସଏସ ନେତା ମୋରୋପନ୍ତ ପିଙ୍ଗଲେଙ୍କ ମତକୁ ଉଦ୍ଧୃତ କରି କହିଛନ୍ତି ଯେ, ୭୫ ବର୍ଷରେ ଶାଲ ଦେଇ ସମ୍ମାନିତ କରିବାର ଅର୍ଥ ହେଉଛି ଯେ ଆପଣ ବୁଢା ହୋଇଯାଇଛନ୍ତି, ଏଣୁ ଏବେ ଅବସର ନେଇ ଅନ୍ୟମାନଙ୍କୁ ସୁଯୋଗ ଦିଅନ୍ତୁ।
ଏହି ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୋହନ ଭାଗବତ ଉଭୟେ ୨୦୨୫ ସେପ୍ଟେମ୍ବରରେ ୭୫ ବର୍ଷ ପୂରଣ କରିବେ। ମୋଦି ୧୭ ସେପ୍ଟେମ୍ବରରେ ଏବଂ ଭାଗବତ ୧୧ ସେପ୍ଟେମ୍ବରରେ ୭୫ ବର୍ଷ ବୟସରେରେ ଉପନୀତ ହେବେ।
ମୋହନ ଭାଗବତଙ୍କ ଏହି ମତ ବିରୋଧୀ ଦଳଙ୍କ ଲାଗି ମଳୁ ଖୋଜୁଥିଲା ଯାହା, ବଇଦ ଲୋଡିଲା ତାହା ସଦୃଶ ହୋଇଛି। ମୋଦିଙ୍କ ଉପରେ ଆକ୍ରମଣ କରିବା ଲାଗି ବିରୋଧୀ ଦଳଙ୍କୁ ମାଗଣାରେ ଏକ ଆଧାର ମିଳିଯିବାରୁ ସେମାନେ ଏହି ବୟସ ଅସ୍ତ୍ରକୁ ଆହୁରି ଶାଣ ଦେଇ ପ୍ରଧାନମନ୍ତ୍ରୀ ପଦରୁ ଅବସର ନେବା ଲାଗି ମୋଦିଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।ବିରୋଧୀ ଦଳମାନେ ବିଶେଷକରି କଂଗ୍ରେସ ଏହି ବୟାନକୁ ମୋଦିଙ୍କ ଅବସର ନେଇ ଏକ ଇଙ୍ଗିତ ବୋଲି କହିଛିି। କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ କହିଛନ୍ତି ଯେ, ମୋଦିଙ୍କୁ ଘରକୁ ଫେରିଯିବା ପାଇଁ ଆରଏସଏସ ମୁଖ୍ୟ ମନେ ପକାଇ ଦେଇଛନ୍ତି। କିନ୍ତୁ ମୋଦି ମଧ୍ୟ ଭାଗବତଙ୍କୁ ମନେ ପକାଇ ପାରନ୍ତି ଯେ ସେ ମଧ୍ୟ ୭୫ ବର୍ଷରେ ପହଞ୍ଚୁଛନ୍ତି। ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଧ୍ୟ କହିଛନ୍ତି ଯେ, ମୋଦି ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଜୋଶୀ ଏବଂ ଯଶବନ୍ତ ସିଂହଙ୍କୁ ୭୫ ବର୍ଷ ପରେ ଅବସର ନେବାକୁ ବାଧ୍ୟ କରିଥିଲେ। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଦେଖାଯାଉ ମୋଦି ନିଜ ଉପରେ ଏହି ନିୟମ ଲାଗୁ କରୁଛନ୍ତି କି ନାହିଁ।" କର୍ଣ୍ଣାଟକର କଂଗ୍ରେସ ବିଧାୟକ ବେଲୁର ଗୋପାଳକୃଷ୍ଣ ମୋହନ ଭାଗବତଙ୍କ ବୟାନ ଉପରେ ଆଉ ଅଧିକ ମାଞ୍ଜା ଲଗେଇ କହିଛନ୍ତି ଯେ ଯଦି ମୋହନ ଭାଗବତଙ୍କ ତତ୍ତ୍ଵ ଠିକ୍, ତେବେ ମୋଦି ପଦ ଛାଡିଦେବା ଉଚିତ। ଏହା ସହିତ ସେ ନଖରେ ନଖ ଘଷି ଲଢେ଼ଇ ବଢେଇଲା ପରି ଇଙ୍ଗିତ ଦେଇଛନ୍ତି ଯେ ମୋଦିଙ୍କ ବିକଳ୍ପ ଭାବେ ନୀତିଶ ଗଡକରୀ ପ୍ରଧାନମନ୍ତ୍ରୀ ହେବା ଉଚିତ। ମୋହନ ଭାଗବତଙ୍କ ଠାରୁ ନେଇ କଂଗ୍ରେସ ଆଉ ଅନ୍ୟ କଟ୍ଟର୍ ମୋଦି ବିରୋଧୀ ନେତାମାନେ ମୋଦିଙ୍କ ବୟସ କଥା ତ ଉଠାଇଲେ, କିନ୍ତୁ ବୟସର ପ୍ରକାର ଭେଦ ବିଷୟ ଉଠାଇଲେ ନାହିଁ। ଏକୁ ଉଠାଇଥିଲେ ପ୍ରକୃତରେ ବୟସ କାହାକୁ କୁହାଯାଏ, ତାହା ଜଣାପଡ଼ି ଥାଆନ୍ତା। ବୟସ ଦୁଇ ପ୍ରକାରର ଅଛି। ଗୋଟିଏ ହେଉଛି Numerical age ବା ସାଂଖ୍ୟିକ ବୟସ, ଯେଉଁ ସଂଖ୍ୟାକୁ ପ୍ରତିବର୍ଷର ଜନ୍ମଦିନରୁ ୧ କରି ବୃଦ୍ଧି ହିସାବରେ ଗଣନା କରାଯାଏ। ଅପରଟି ହେଉଛି Biological age ବା ଜୈବିକ ବୟସ। ଏହା ବ୍ୟକ୍ତିର ଚେହେରା ପ୍ରତିବର୍ଷର ବର୍ଦ୍ଧିତ ବୟସ ତୁଳନାରେ କମ୍ କିମ୍ଵା ବେଶୀ ଜଣାଯାଇପାରେ। ଜୈବିକ ବୟସ ଅନୁଯାୟୀ କେହି ନିଜର ସାଂଖ୍ୟିକ ବୟସ ତୁଳନାରେ ଦଶ ପନ୍ଦର ବର୍ଷ କମ୍ ଲାଗିପାରେ କି ଦଶ ପନ୍ଦର ବର୍ଷ ବେଶୀ ଲାଗିପାରେ। ସାଂଖ୍ୟିକ ବୟସ ଏବଂ ଜୈବିକ ବୟସ ଦୁଇଟି ଭିନ୍ନ ଧାରଣା। ସାଂଖ୍ୟିକ ବୟସ ହେଉଛି ଜନ୍ମ ପରଠାରୁ ବର୍ଷ ସଂଖ୍ୟାକୁ ବୁଝାଏ, ଯେତେବେଳେ ଜୈବିକ ବୟସ ଜଣେ ବ୍ୟକ୍ତିଙ୍କ ଶରୀର କୋଷ ଏବଂ ଟିସୁଗୁଡ଼ିକର ପ୍ରକୃତ ଅବସ୍ଥାକୁ ବୁଝାଏ, ଯାହା ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ନିର୍ଭର କରେ। ଅନ୍ୟ ଶବ୍ଦରେ, ଜଣଙ୍କର ଜୈବିକ ବୟସ କହିଥାଏ ଯେ ତାଙ୍କ ଶରୀର ଭିତରରୁ କେତେ ସୁସ୍ଥ, ଯେତେବେଳେ ତାଙ୍କର ସାଂଖ୍ୟିକ ବୟସ କେବଳ ତାଙ୍କ ଜନ୍ମ ପରଠାରୁ ବର୍ଷ ସଂଖ୍ୟା। ସଂଖ୍ୟାତ୍ମକ/କାଳକ୍ରମିକ ବୟସ- ଏହା ବ୍ୟକ୍ତିର ଜନ୍ମ ତାରିଖରୁ ହିସାବ କରାଯାଏ ଏବଂ ବର୍ଷ, ମାସ ଏବଂ ଦିନରେ ପ୍ରକାଶିତ ହୁଏ। ଏହା ଏକ ସ୍ଥିର ସଂଖ୍ୟା ଏବଂ ସାଧାରଣତଃ ସରକାରୀ ଡକ୍ୟୁମେଣ୍ଟରେ ବ୍ୟବହୃତ ହୁଏ। ଏହା ଆପଣଙ୍କ ବୟସର ଏକ ସାଧାରଣ ପରିମାପକ, କିନ୍ତୁ ଏହା ଆପଣଙ୍କ ଶରୀରର ପ୍ରକୃତ ଅବସ୍ଥାକୁ ପ୍ରତିଫଳିତ କରେ ନାହିଁ। ଜୈବିକ ବୟସ- ଏହା ଆପଣଙ୍କ ଶରୀର କୋଷ ଏବଂ ଟିସୁର ବୟସକୁ ବୁଝାଏ।
ଏହା ଜଣଙ୍କ ଜୀବନଶୈଳୀ, ଖାଦ୍ୟ, ବ୍ୟାୟାମ, ଚାପ ଏବଂ ଜେନେଟିକ୍ସ ଭଳି କାରଣଗୁଡିକ ଦ୍ୱାରା ପ୍ରଭାବିତ ହୁଏ।
ଏହା ବ୍ୟକ୍ତିଠାରୁ ବ୍ୟକ୍ତି ପର୍ଯ୍ୟନ୍ତ ଭିନ୍ନ ହୋଇପାରେ, ଯଦିଓ ସେମାନଙ୍କର ସାଂଖ୍ୟିକ ବୟସ ସମାନ।
ଏକ ସୁସ୍ଥ ଜୀବନଶୈଳୀ ଏବଂ ଉପଯୁକ୍ତ ଯତ୍ନ ସହିତ ଜୈବିକ ବୟସ ହ୍ରାସ କରାଯାଇପାରିବ। ଉଦାହରଣ ସ୍ୱରୂପ- ଜଣେ ବ୍ୟକ୍ତି ୫୦ ବର୍ଷ ବୟସର ହୋଇପାରେ , କିନ୍ତୁ ଯଦି ସେ ସୁସ୍ଥ ଜୀବନଶୈଳୀ ଅନୁସରଣ କରିଛନ୍ତି ତେବେ ତାଙ୍କର ଜୈବିକ ବୟସ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ ପରି ହୋଇପାରେ।
ଅନ୍ୟ ଜଣେ ବ୍ୟକ୍ତି ୫୦ ବର୍ଷ ବୟସର ହୋଇପାରେ, କିନ୍ତୁ ଯଦି ସେ ଏକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରିଛନ୍ତି ତେବେ ତାଙ୍କର ଜୈବିକ ବୟସ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପରି ହୋଇପାରେ।
ତେଣୁ ଜୈବିକ ବୟସ ଏକ ଅଧିକ ସଠିକ୍ ପରିମାପକ, ଯାହା ଜଣଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ସ୍ଥିତିକୁ ପ୍ରତିଫଳିତ କରେ, ଯେତେବେଳେ ସାଂଖ୍ୟିକ ବୟସ କେବଳ ଏକ ସଂଖ୍ୟା ମାତ୍ର।
ଏବେ ବୟସର ପ୍ରକାର ଭେଦ ଉପରେ ବିଶ୍ଳେଷଣାତ୍ମକ ଆଲୋଚନା ହେବା ପରେ ବୟସଟା ପ୍ରକୃତରେ କଣ ଆଉ କାହାକୁ କୁହାଯାଏ, ତାହା ଆଉ ବୁଝିବାକୁ ବାକି ନ ଥିବ।
ତାହା ସହିତ ଏହା ମଧ୍ୟ ସହଜରେ ବୁଝିହେଉଥିବ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ କେତେ ତଥା ସେ କେଉଁ ପ୍ରକାର ବୟସ ଶ୍ରେଣୀରେ ସ୍ଥାନିତ ହେବା ଉଚିତ। ମୋଦିଙ୍କ ସାଂଖ୍ୟିକ ବୟସ ୭୫ ହୋଇପାରେ, କିନ୍ତୁ ତାଙ୍କ ଠାରେ ୭୫ ବର୍ଷ ବୟସର ବୃଦ୍ଧତ୍ଵର କୈାଣସି ଚିହ୍ନବର୍ଣ୍ଣ ନାହିଁ। ବରଂ ତାଙ୍କ ଠାରେ ଅଛି ଜଣେ ପଇତିରିଶ କି ଛତ୍ରିଶ ବର୍ଷ ବୟସର ଯୁବ ସୁଲଭ ଉଦ୍ଦାମତା ଆଉ ଉର୍ଜା।ଯାହ ଫଳରେ ସେ ଆଜି ବି ଫିଟ୍ ଆଉ ନିରୋଗ ଅଛନ୍ତି। କାମ କରିବା ଲାଗି ତାଙ୍କ ଠାରେ କୈାଣସି ଆଳସ୍ୟତା ନାହିଁ। ବରଂ ଅଛି କାମ କରିବା ଲାଗି ପ୍ରଚଣ୍ଡ ମାନସିକ ଶକ୍ତି ଆଉ ଶାରୀରିକ ଫିଟନେସ୍।
ପ୍ରଧାନମନ୍ତ୍ରୀ ଏପରି ବ୍ୟକ୍ତି ହେବା ଉଚିତ, ଯିଏ ଚେୟାରରେ ବସି ଢୁଳୋଉନଥିବେ, ହାଇ ମାରୁନଥିବେ, ଗୋଡ ଘୋଷାଡି ଘୋଷାଡି ଚାଲୁନଥିବେ କି ବାଡି ଧରି ଚାଲୁନଥିବେ କି ସ୍ଲୋ ମୋସନ୍ ଚାଲି ଚାଲୁନଥିବେ। ଏମିତିକି ହ୍ଵିଲ୍ ଚେୟାରରେ ବସି ରାଇଜ ଶାସନ କରୁନଥିବେ। କଚ୍ଛପ ପରି ମାନ୍ଦା ନୁହେଁ, ସିଂହ ସମାନ ଠାଣୀ ଆଉ ଆଉ ଅଶ୍ଵ ସମାନ ଗତିଶୀଳ ବ୍ୟକ୍ତି ପ୍ରଧାନମନ୍ତ୍ରୀ ପରି ସବୁ ଠାରୁ ଦାୟୀତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିବା ଉଚିତ। ତେବେ ଯାଇ ଦେଶ ପ୍ରଗତିର ରାଜମାର୍ଗରେ ଘୋଡ଼ା ପରି ଦୌଡ଼ିବ | ଦେଶକୁ ପ୍ରଗତିର ରାଜମାର୍ଗରେ ଅଶ୍ଵଗତି ଦେବାର ଗୁଣ,ଲକ୍ଷଣ ଆଉ କାର୍ମିକତା ଏ ବୟସରେ ବି ମୋଦିଙ୍କ ଠାରେ ରହିଛି। ସମ୍ପ୍ରତି ତାଙ୍କ ପରି ଉର୍ଜାବାନ ରାଜନେତା ଦେଶରେ ବିରଳ। ଏ ବୟସରେ ବି ସେ ହିମାଳୟର ଗିରି କନ୍ଦରରେ ଯାଇ ତପସ୍ୟା କରିବା, ନବରାତ୍ରୀରେ ନଅ ଦିନ ଉପବାସରେ ଥାଇ ବି କାମ କରିଚାଲିବା ଆଉ ରାତିରେ ତିନି ଘଣ୍ଟା ଶୋଇ ବାକି ୨୧ ଘଣ୍ଟା ଅବିରାମ କାମ କରିଚାଲିବା କେତେ ଜଣ ଯୁବକଙ୍କ ପକ୍ଷରେ ସମ୍ଭବପର ? ଏହି ହେଉଛି ମୋଦିଙ୍କ ସ୍ପେଶାଲିଟୀ । ଏଥିଲାଗି ତ ୧୧ ବର୍ଷରେ ଭାରତ ସାମଗ୍ରିକ ଭାବେ ୧୧୧ ବର୍ଷର ଉତ୍ଥାନ ଲାଭ କରିଛି। ମୋଦିଙ୍କ ଅମଳରେ କାମ ହେଉଛି, ତାହା ବି ଅଶ୍ଵଗତିରେ।
ଏତେ ସତ୍ତ୍ଵେ ମୋଦୀଙ୍କ ବିଦାୟ ସମ୍ବର୍ଦ୍ଧନା ଲାଗି ବ୍ୟାକୁଳ ହେବାର କଣ କାରଣ ରହିଛି। ବରଂ ସ୍ଵାଗତମ୍ କରାଯାଉଥାଉ।
ଦେଶକୁ ଦରକାର ଢୁଳୋଉନଥିବା ବରଂ କାମ କରୁଥିବା ପ୍ରଧାନମନ୍ତ୍ରୀ। ଦେଶକୁ ଦରକାର ଖାଉନଥିବା କି ଖାଇବାକୁ ଦେଉନଥିବା ପ୍ରଧାନମନ୍ତ୍ରୀ । ଦେଶକୁ ଦରକାର ୭୫ ବର୍ଷ ବୟସରେ ୧୦୦ ବର୍ଷର ଦେଖାନଯାଇ ୭୫ ବର୍ଷ ବୟସରେ ୩୫ ବର୍ଷ ବୟସର ଉଦ୍ଦାମ ଯୁବକ ପରି କାମ କରୁଥିବା ପ୍ରଧାନମନ୍ତ୍ରୀ। ଯଦି ମୋଦିଙ୍କ ଠାରେ ଏ ସବୁ ବୈଶିଷ୍ଟ୍ୟ ଅଛି, ତେବେ ସେ ପଦରୁ ଅବ୍ୟାହତି ନ ନେଇ ଅବ୍ୟାହତ ରହନ୍ତୁ।
ପରିଶେଷରେ ମଞ୍ଜ କଥାଟି କହିରଖୁଛୁ ଯେ ଆମେ କହିଦେଲେ ମୋଦି ପ୍ରଧାନମନ୍ତ୍ରୀ ପଦରୁ ଅବସର ନେଇଯିବେ ନାହିଁ। ଯେଉଁ ଭୋଟଦାତା ଜନତା ଜନାର୍ଦ୍ଦନ ମୋଦିଙ୍କ ନେତୃତ୍ବକୁ ସମର୍ଥନ ଦେଇ ତାଙ୍କୁ ଆଉ ତାଙ୍କ ଦଳକୁ କ୍ଷମତାସୀନ କରାଇଆସୁଛନ୍ତି, କେବଳ ସେହିମାନେ ମୋଦିଙ୍କୁ ଅବ୍ୟାହତି ଦେବାର କ୍ଷମତା ରଖିଛନ୍ତି। କେବଳ ଜନତା ଜନାର୍ଦ୍ଦନ ଚାହିଁଲେ ମୋଦିଙ୍କୁ ବଦଳାଇପାରିବେ। ଜନତା ତ ଏଥିନେଇ ନୀରବ ଅଛନ୍ତି ଏବଂ ମୋଦିଙ୍କୁ ତିନି ତିନି ଥର ସମର୍ଥନ ଦେଇ କ୍ଷମତାସୀନ କରାଇଚାଲିଛନ୍ତି, ତେବେ ଆମେ ତୁମେ ବୋବେଇକରି କିଛି ଲାଭ ନାହିଁ। ଯଦି ଜନତା ମୋଦିଙ୍କୁ ୨୦୨୯ ଲାଗି ବି ଚାହିଁବେ, ତେବେ ତାହା ହିଁ ହେବ ଫାଇନାଲ୍। ଫାଇନାଲ୍ ପରେ ଆଉ କିଛି ନାଲ୍ ନାହିଁ ଫାଲ୍ ନାହିଁ। ଏଣୁ ଆଉ ସେ ବୟସ ପ୍ରହେଳିକାରେ ନ ମାତି ୨୦୨୯’ ର ଫଳାଫଳକୁ ଅପେକ୍ଷା କରିବା ଉଚିତ। ଗତ ଫେବୃଆରୀ ମାସରେ ଇପ୍ସୋସ୍ ଇଣ୍ଡିଆ ବସ୍ ତରଫରୁ ହୋଇଥିବା ସଦ୍ୟତମ ସର୍ଭେରେ ଦେଶର ୬୮ ପ୍ରତିଶତ ଜନତା ମୋଦିଙ୍କୁ ସମର୍ଥନ କରୁଛନ୍ତି। ଯଦି ଜନତା ୨୦୨୯ ରେ ମୋଦିଙ୍କୁ ପ୍ରତ୍ୟାଖ୍ୟାନ କଲେ , ତେବେ ସେତେବେଳେ ମୋଦିଙ୍କ ଅବସର ଦାବି କଲେ ସାଜିବ। ଆଉ ଯଦି ସେତେବେଳେ ଜନତା ମୋଦିଙ୍କୁ ସମର୍ଥନ କଲେ, ତେବେ ….. । ତେବେ ଯିଏ ଯାହା ବୁଝିବ