
ଭାରତ, ବାଂଲାଦେଶ ଏବଂ ମ୍ୟାଁମାର ସୀମାରେ ଏକ ବଡ଼ ପରିବର୍ତ୍ତନ ଘଟିବାର ସମ୍ଭାବନା ବଢିଛି। ମ୍ୟାଁମାରରେ ସାମରିକ ଶାସନ ବିରୋଧରେ ବିଗତ ୪ ବର୍ଷ ଧରି ଲଢେଇ କରି ଆସୁଥିବା ‘ ଆରାକାନ ଆର୍ମି’ ଏହି ପରିବର୍ତ୍ତନର ସୂତ୍ରଧର ହେବ ବୋଲି କୁହାଯାଉଛି। ବିଦେଶୀ ଶକ୍ତି ଏବଂ ବିଶେଷକରି ଚୀନ୍ ସହାୟତାରେ ମ୍ୟାଁମାରର ସାମରିକ ଶାସନ ବିରୋଧରେ ଲଢେଇ କରୁଥିବା ଏକ ବିଦ୍ରୋହୀ ଗୋଷ୍ଠୀ ‘ଆରାକାନ୍ ଆର୍ମି ‘ ଭାବେ ପରିଚିତ।
ଉଲ୍ଲେଖଯୋଗ୍ୟ ଯେ ଏହି ଆରାକାନ ଆର୍ମି ମ୍ୟାନମାରର ଦୁଇ ତୃତୀୟାଂଶରୁ ଅଧିକ ଅଞ୍ଚଳ ଶାସକ ସେନାବାହିନୀ ଦଖଲରୁ ଛଡ଼ାଇ ନେଇ ଏକ ନୂତନ ରାଷ୍ଟ୍ର ଗଠନ ଦିଗରେ ଅଗ୍ରସର ହୋଇଛି । ଯଦି ଏହା ହୁଏ, ତେବେ ଭବିଷ୍ୟତରେ ଏହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି।
୨୦୨୧ରେ ଏଠାକାର ସୁ କ୍ବି ନିର୍ବାଚିତ ସରକାରକୁ ଭାଙ୍ଗି ସାମରିକ ଶାସନ ଆରମ୍ଭ କରାଯାଇଥିଲା ବେଳେ ଆରାକାନ ଆର୍ମି ତାହା ପରଠାରୁ ମ୍ୟାଁମାରର ସାମରିକ ଶାସନ ବିରୋଧରେ ଲଢେଇ କରିଆସୁଛନ୍ତି। ତେବେ ବିଗତ ୪ ବର୍ଷର ସଂଘର୍ଷ ପରେ ଆରାକାନ ଆର୍ମି ମ୍ୟାଁମାରର ରଖାଇନ ଷ୍ଟେଟର ୧୮ଟି ପ୍ରଦେଶ ମଧ୍ୟରୁ ଏବେ ସୁଦ୍ଧା ୧୫ଟି ପ୍ରଦେଶ ନିଜ କବ୍ଜାକୁ ନେଇ ସାରିଛି। କେବଳ ମ୍ୟାଁମାର ନୁହେଁ, ପଶ୍ଚିମ ମ୍ୟାଁମାର ସହ ଲାଗି ରହିଥିବା ବାଂଲାଦେଶର ପୂର୍ବ ଭାଗର କିଛି ଅଞ୍ଚଳକୁ ମଧ୍ୟ ଏହି ଗୋଷ୍ଠୀ ଅକ୍ତିଆର କରିନେଇଥିବା କୁହାଯାଉଛି। ରାଖାଇନ ଅଞ୍ଚଳରେ ଆରାକାନ ଆର୍ମିର ପଶ୍ଚିମ କମାଣ୍ଡ କାର୍ଯ୍ୟ କରୁଥିଲା,ବେଳେ ଚୀନ୍ ଦ୍ବାରା ପ୍ରଦତ୍ତ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ବାରା ଏହାର ସଦସ୍ୟମାନେ ଆଗକୁ ମାଡି ଚାଲିଛନ୍ତି।
ଆଉ କିଛି ଦିନ ମଧ୍ୟରେ ଆରାକାନ ଆର୍ମି ନିଜ ଦଖଲକୁ ନେଇଥିବା ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା କରି ସ୍ବାଧୀନତା ହାସଲ କରିପାରେ ବୋଲି କୁହାଯାଉଛି। ଏହାଦ୍ବାରା ଭାରତ-ବାଂଲାଦେଶ ଏବଂ ମ୍ୟାଁମାର ସୀମାରେ ଆଉ ଏକ ନୂଆ ରାଷ୍ଟ୍ର ଗଠନ ହେବାର ସମ୍ଭାବନା ବଢିଛି। କିନ୍ତୁ ଏହାଦ୍ବାରା ଭାରତ ପ୍ରତି ବିପଦ ବଢିବା ସହିତ ଭାରତୀୟ ଅର୍ଥନୀତି ଏବଂ ସାମାଜିକ ସ୍ଥିତି ପ୍ରତି ମଧ୍ୟ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ବଢିଛି। ଭାରତ ବାଂଲାଦେଶ ସମେତ ମ୍ୟାଁମାରରେ ବିଭିନ୍ନ କ୍ଷେତ୍ରରେପୁଞ୍ଜି ନିବେଶ କରିଛି।
କିନ୍ତୁ ଚୀନ୍ ରଣନୀତିରେ ପରିଚାଳିତ ଆରାକାନ ଆର୍ମି ଏଥିପାଇଁ ବିପଦ ହୋଇପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ଭାରତର ଉତ୍ତର ପୂର୍ବାଞ୍ଚଳ ସୀମାରେ ଆତଙ୍କବାଦ ଏବଂ ଡ୍ରଗ୍ସ କାରବାର ମଧ୍ୟ ଆହୁରି ବଢିବ ବୋଲି ଆଶଙ୍କା ରହିଛି। ମିଜୋରାମ ସହ ମ୍ୟାଁମାରର ପ୍ରାୟ ୫୧୦ କିମି ପରିବ୍ୟାପ୍ତ ଆନ୍ତର୍ଜାତିକ ସୀମା ରହିଛି। ଘନ ଜଙ୍ଗଲ ଏବଂ ପାହାଡ଼ରେ ପରିପୂର୍ଣ୍ଣ ଏହି ସୀମାର ପ୍ରାୟ ୧୦ କିମି ବ୍ୟବଧାନରେ ଉଭୟ ପାଶ୍ବର ଲୋକମାନେ ପରସ୍ପର ମଧ୍ୟରେ ସମ୍ପର୍କ ରଖୀବା ସହିତ ଯାତାୟତ ମଧ୍ୟ କରିଥାଆନ୍ତି। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ଏଥିପାଇଁ ୫୧୦ କିମି ପରିବ୍ୟାପ୍ତ ଆନ୍ତର୍ଜାତିକ ସୀମାରେ ବାଡ଼ ଲଗାଇବା ସହିତ ଉଭୟ ପଟର ଲୋକମାନଙ୍କ ମୁକ୍ତ ଯାତାୟତ ବନ୍ଦ କରିବା ଏବଂ ସ୍ଥିତି ଉପରେ ନଜର ରଖୀବା ଲାଗି ପଦକ୍ଷେପ ନିଆଯାଇଛି। ଆରାକାନ୍ ଆର୍ମି ଚୀନ ଦ୍ବାରା ପରିଚାଳିତ ହେଉଥିବାରୁ ଭାରତୀୟ ସୀମା ମଧ୍ୟରେ ମିଜୋରାମ, ନାଗାଲାଣ୍ଡ ଏବଂ ମଣିପୁର ଆଦି ରାଜ୍ୟରେ ପୁଣି ଆତଙ୍କବାଦକୁ ସହାୟତା କରି ଏଠାରେ ସ୍ଥିତି ବିଗାଡିବାକୁ ଉଦ୍ୟମ କରିପାରେ ବୋଲି କୁହାଯାଇଛି।
ଭାରତ ସହିତ ବଙ୍ଗଳାଦେଶ ମଧ୍ୟ ବଡ଼ ସମସ୍ୟାର ସମ୍ମୁଖିନ ହେବ। ଆରାକାନ ଆର୍ମି ବଙ୍ଗଳାଦେଶର ପୂର୍ବ ସୀମାନ୍ତରେ ଅନେକ ଅଞ୍ଚଳ ଦଖଲ କରି ନିଜ ଅଞ୍ଚଳରେ ମିଶାଇବ ବୋଲି ଆଗରୁ କହିସାରିଛି। ଏଣୁ ବଙ୍ଗଳାଦେଶର ସୀମାନ୍ତ ବି ଅସୁରକ୍ଷିତ ରହିବ ବୋଲି କୁହାଯାଉଛି। ତେବେ ସେ ଯାହା ହେଉ, ଭାରତ ସରକାରଙ୍କୁ ଏବେ ଠାରୁ ସତର୍କ ରହିବାକୁପଡିବ। ନଚେତ୍ ଭାରତର ଅନ୍ୟତମ ସବୁଠାରୁ ବଡ ଶତ୍ରୁ ଚୀନର ଗୋଡାଣିଆ ଥିବା ଆରାକାନ ଆର୍ମି ଭାରତର ସୀମା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକରେ ବିଚ୍ଛିନ୍ନ ତାହାକୁ ସହାୟତ କରି ଭାରତର ଅଖଣ୍ଡତାକୁ ବିଖଣ୍ଡିତ କରିପାରେ