


ଏଲୋନ ମସ୍କଙ୍କ ସ୍ପେସଏକ୍ସ କମ୍ପାନୀ ଦ୍ୱାରା ପଠାଯାଇଥିବା ଉପଗ୍ରହଗୁଡ଼ିକ ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଚାଲିଛନ୍ତି। ଏଗୁଡ଼ିକୁ ମହାକାଶକୁ ପ୍ରେରଣ କରି ପ୍ରକୃତି ସହିତ ଖେଳ ଖେଳାଯାଉଛି, ଯାହାକି ଭବିଷ୍ୟତରେ ପୃଥିବୀ ପ୍ରତି ବଡ ବିପଦକାରକ ହୋଇପାରେ ବୋଲି ମହାକାଶ ବିଜ୍ଞାନୀମାନେ ସତର୍କ କରାଇଦେଇଛନ୍ତି ।
ନିକଟରେ ମହାକାଶରେ ଏହି ପରି ଏକ ଉପଗ୍ରହରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଜଳୁଥିବା ଉପଗ୍ରହଗୁଡ଼ିକରୁ ନିର୍ଗତ ଆଲୁମିନିୟମ୍ ଅକ୍ସାଇଡ୍ କଣିକାଗୁଡ଼ିକ ବାୟୁମଣ୍ଡଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ଏବଂ ଓଜୋନ୍ ସ୍ତରକୁ କ୍ଷତି ପହଞ୍ଚାଇପାରେ। ବୈଜ୍ଞାନିକମାନେ ଏହାକୁ ପରିବେଶ ପ୍ରତି ଏକ ଗମ୍ଭୀର ବିପଦ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। ବୈଜ୍ଞାନିକମାନେ ଆହୁରି କହିଛନ୍ତି ଯେ ଯେତେବେଳେ ଏହି ଉପଗ୍ରହଗୁଡ଼ିକ ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରନ୍ତି, ସେମାନଙ୍କଠାରୁ ନିର୍ଗତ ଆଲୁମିନିୟମ ଅକ୍ସାଇଡ୍ କଣିକା ଉପର ବାୟୁମଣ୍ଡଳ ଅର୍ଥାତ୍ ଷ୍ଟ୍ରାଟୋସ୍ଫିଅରରେ ସ୍ଥିର ହୋଇଯାଏ। ଏହା ସେହି ସ୍ତର ଯାହା ସୂର୍ଯ୍ୟର କ୍ଷତିକାରକ ଅଲ୍ଟ୍ରାଭାୟୋଲେଟ୍ କିରଣରୁ ପୃଥିବୀକୁ ସୁରକ୍ଷା ଦିଏ। ଗବେଷଣା ଅନୁଯାୟୀ, ଏହି ଆଲୁମିନିୟମ ଅକ୍ସାଇଡ୍ ଓଜୋନ ସ୍ତରକୁ କ୍ଷତି ପହଞ୍ଚାଇପାରେ। ଯାହା ଫଳରେ ଭବିଷ୍ୟତରେ ଗମ୍ଭୀର ପରିବେଶଗତ ପରିଣାମ ଦେଖାଯାଇପାରେ।
ୟୁରୋପୀୟ ସ୍ପେସ୍ ଏଜେନ୍ସି ଅନୁଯାୟୀ, ବର୍ତ୍ତମାନ ମହାକାଶରେ ୨୮ ହଜାରରୁ ଅଧିକ ବସ୍ତୁ ତଥା ଉପଗ୍ରହ ଅଛି, ଯାହା ମଧ୍ୟରୁ ଅଧିକାଂଶ ପୃଥିବୀର ନିମ୍ନ କକ୍ଷପଥରେ ଅଛନ୍ତି। ସ୍ପେସଏକ୍ସ ଏକାକୀ ଏପର୍ଯ୍ୟନ୍ତ ପ୍ରାୟ ୮ ହଜାର ସଂଖ୍ୟକ ଷ୍ଟାରଲିଙ୍କ୍ ଉପଗ୍ରହ ଉତକ୍ଷେପଣ କରିସାରିଛି ଏବଂ ଆହୁରି ୧୨ ହଜାର ଉପଗ୍ରହ ପଠାଇବାକୁ ଅନୁମତି ପାଇଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ହଜାର ହଜାର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ଭବିଷ୍ୟତରେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପାରେ। ପ୍ରକୃତରେ ଯେତେବେଳେ ଉପଗ୍ରହଗୁଡ଼ିକ ବାୟୁମଣ୍ଡଳରେ ପୁନଃ ପ୍ରବେଶ କରନ୍ତି, ସେମାନେ ଘଣ୍ଟା ପ୍ରତି ପ୍ରାୟ ୨୭ ହଜାର କିଲୋମିଟର ବେଗରେ ଯାତ୍ରା କରନ୍ତି। ଏହି ସମୟରେ, ଅତ୍ୟଧିକ ଘର୍ଷଣ ଯୋଗୁଁ ସେଗୁଡ଼ିକ ତୁରନ୍ତ ଜଳିଯାଏ ଏବଂ ସେମାନଙ୍କର ଧାତୁଗୁଡ଼ିକ ବାଷ୍ପୀଭୂତ ହୋଇଯାଏ। ବୈଜ୍ଞାନିକଙ୍କ ମତରେ, ଏହି ଦହନ ପ୍ରକ୍ରିୟାରେ, ୪୦ ପ୍ରତିଶତ ଉପଗ୍ରହ ଆଲୁମିନିୟମ ଅକ୍ସାଇଡରେ ପରିଣତ ହୁଏ।
ଏକ ଗବେଷଣା ଅନୁଯାୟୀ, ଏକ ଷ୍ଟାରଲିଙ୍କ୍ ସାଟେଲାଇଟ୍ ହାରାହାରି ୨୫୦ କିଲୋଗ୍ରାମ ଓଜନର ହୋଇଥାଏ ଏବଂ ଏହାର ଜଳିବା ଦ୍ୱାରା ପ୍ରାୟ ୩୦ କିଲୋଗ୍ରାମ ଆଲୁମିନିୟମ୍ ଅକ୍ସାଇଡ୍ ଉତ୍ପାଦନ ହୁଏ, ଯାହା ମାସରୁ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ରହିପାରେ। ବୈଜ୍ଞାନିକମାନେ କହିଛନ୍ତି ଯେ ୨୦୧୬ ରୁ ୨୦୨୨ ମଧ୍ୟରେ ଆଲୁମିନିୟମ ଅକ୍ସାଇଡ୍ କଣିକାର ପରିମାଣ ଆଠ ଗୁଣ ବୃଦ୍ଧି ପାଇଛି। ଯଦି ଏହି ଗତିରେ ଉପଗ୍ରହ ଉତ୍ କ୍ଷେପଣ ଜାରି ରହେ, ତେବେ ଏହି ପରିମାଣ ୨୦୫୦ ମସିହା ସୁଦ୍ଧା ୬୪୬ ପ୍ରତିଶତକୁ ବୃଦ୍ଧି ପାଇପାରେ, ଯାହା ଓଜୋନ ସ୍ତରକୁ ଅପୂରଣୀୟ କ୍ଷତି ପହଞ୍ଚାଇବ।
ଷାଠିଏ ଦଶକରୁ ମହାକାଶକୁ ଉପଗ୍ରହର ପ୍ରେରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଆଉ ତାହା ବି ବିଭିନ୍ନ ଦେଶରୁ ସରକାରୀ ସ୍ତରରେ। ଏସବୁ ପ୍ରେରଣର ମୂଳ ଉଦ୍ଦେଶ୍ୟ ହେଉଛି ଯେପରିକି ଯୋଗାଯୋଗ ରିଲେ, ପାଣିପାଗ ପୂର୍ବାନୁମାନ, ନାଭିଗେସନ୍ (GPS), ପ୍ରସାରଣ, ବୈଜ୍ଞାନିକ ଗବେଷଣା ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ। ଅତିରିକ୍ତ ସାମରିକ ବ୍ୟବହାର ହେଉଛି ଗୁଇନ୍ଦାଗିରି, ପ୍ରାରମ୍ଭିକ ସତର୍କତା, ସଙ୍କେତ ଗୁପ୍ତଚର ଏବଂ ସମ୍ଭାବ୍ୟ ଭାବରେ ଅସ୍ତ୍ରଶସ୍ତ୍ର ବିତରଣ। ଅପରପକ୍ଷରେ ଚଳିତ ଦଶନ୍ଧିରୁ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଯେପରି କି ଆଲାନ ମସ୍କଙ୍କ ଷ୍ଟାର୍ ଲିଙ୍କ୍ ପକ୍ଷରୁ ବେସରକାରୀ ସ୍ତରରେ ଉପଗ୍ରହ ପ୍ରେରଣ ଆରମ୍ଭ ହୋଇଛି। ଷ୍ଟାର୍ ଲିଙ୍କ୍ ର ଉପଗ୍ରହ ପ୍ରେରଣର ଉଦ୍ଦେଶ୍ୟ ହେଉଛି ଦୂରଦୂରାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇବା ଏବଂ ମହାକାଶ ଅନୁସନ୍ଧାନକୁ ସକ୍ଷମ କରିବା ପାଇଁ ଏଲୋନ୍ ମସ୍କଙ୍କ ସ୍ପେସ୍ଏକ୍ସ ମହାକାଶକୁ ଉପଗ୍ରହ ପଠାଉଛି। ସ୍ପେସ୍ଏକ୍ସର ଷ୍ଟାରଲିଙ୍କ୍ ପ୍ରକଳ୍ପର ଲକ୍ଷ୍ୟ ହେଉଛି ଦୂରଦୂରାନ୍ତ ଅଞ୍ଚଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଯୋଗାଇବା।
ସଂଯୋଗ ଗତିକୁ ଯଥାସମ୍ଭବ ଦ୍ରୁତ କରିବା ପାଇଁ ଉପଗ୍ରହଗୁଡ଼ିକୁ ନିମ୍ନ-ପୃଥିବି କକ୍ଷପଥରେ ରଖାଯାଇଛି।
ସ୍ପେସ୍ ଏକ୍ସ କହିଛି ଯେ ଏହି ପ୍ରକଳ୍ପ ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସିଷ୍ଟମ ନିୟୋଜିତ କରିବା।
ଏହା ସହିତ ଆମ ଗ୍ରହର ନିକଟତର ହେବା ଏବଂ ଏକତ୍ର ନେଟୱାର୍କିଂ ଦ୍ୱାରା, ଷ୍ଟାରଲିଙ୍କ୍ ର ଉପଗ୍ରହଗୁଡ଼ିକ ପୃଥିବୀର ଯେକୌଣସି ସ୍ଥାନକୁ, ମହାସାଗର ଉପରେ ଏବଂ ଅତ୍ୟନ୍ତ କଷ୍ଟକର ସ୍ଥାନରେ ମଧ୍ୟ, ଯେଉଁଠାରେ ଫାଇବର-ଅପ୍ଟିକ୍ କେବୁଲ୍ ବିଛାଇବା ମହଙ୍ଗା ହେବ, ଦ୍ରୁତ ଗତିରେ ପ୍ରଚୁର ପରିମାଣର ସୂଚନା ବହନ କରିବାକୁ ଉଦ୍ଦିଷ୍ଟ।
ତେବେ ସେ ଯାହା ହେଉ, ଷ୍ଟାର୍ ଲିଙ୍କ୍ ର ଅନ୍ୟ ଉଦ୍ଦେଶ୍ୟ ହେଉଛି ସମ୍ପୂର୍ଣ୍ଣ ବ୍ୟବସାୟିକ। ଉପରୋକ୍ତ ସମସ୍ତ ଆଳରେ ମହାକାଶକୁ ବିପୁଳ ପରିମାଣରେ ଭଡ଼ାରେ ବଡ଼ବଡ଼ିଆ ଗ୍ରାହକଙ୍କୁ ମହାକାଶକୁ ବୁଲେଇନେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଯେଉଁଠି ବିଭିନ୍ନ ଦେଶର ସରକାରମାନେ ମହାକାଶକୁ ଉପଗ୍ରହ ପ୍ରେରଣ କରି ସେଗୁଡିକୁ ବେଳେବେଳେ ସୁରକ୍ଷିତ ରଖିପାରି ପୃଥିବୀ ପ୍ରତି ବିପଦର କାରଣ ହେଉଛନ୍ତି, ସେପରି ସ୍ଥଳେ ବେସରକାରୀ ସଂସ୍ଥାଙ୍କ ଠାରୁ କଣ ଭଲ ଆଶା କରାଯାଇପାରେ।
ଏଣୁ ପୃଥିବୀର ଏବଂ ପୃଥିବୀବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ବେସରକାରୀ ସଂସ୍ଥାଙ୍କ ଉପଗ୍ରହ ପ୍ରେରଣ ଉପରେ ବିଶ୍ଵବ୍ୟାପୀ କଟକଣା ଲାଗୁ ହେବା ଉଚିତ। ଜାତିସଂଘର ପତାକା ତଳେ ସମସ୍ତ ରାଷ୍ଟ୍ର ଏହି ପଦକ୍ଷେପ ନେବା ଉଚିତ