


ମହାକୁମ୍ଭ ମେଳା ଚାଲିଥିବା ପ୍ରୟାଗରାଜରେ ଗତକାଲି ରାତିରେ ଦଳଚକଟାର ଏକ ଦୁଃଖଦ ଘଟଣା ଘଟି ପ୍ରାୟ ୧୦ ଜଣ ଶ୍ରଦ୍ଧାଳୁ ଭକ୍ତ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ସରକାରୀ ସୂତ୍ରରେ ଏହା କୁହାଯାଇଛି। ଆହତଙ୍କୁ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ତେବେ ଘଟଣାସ୍ଥଳରେ ଥିବା ଡ଼ାକ୍ତରମାନେ ସେମାନଙ୍କ ପରିଚୟ ପ୍ରକାଶ ନ କରିବା ସର୍ତ୍ତରେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ପ୍ରାୟ ୧୫ ଜଣ ପ୍ରାଣ ହରାଇଛନ୍ତି ଏବଂ ଆହତଙ୍କୁ ଚିକିତ୍ସାଧୀନ ରଖାଯାଇଛି।
ଦଳାଚକଟାର କାରଣ ଥିଲା ଯେ ରାତିରେ ନଦୀ କୂଳରେ ଅନେକ ଭକ୍ତ ଶୋଇଥିବାବେଳେ ହଠାତ୍ ଭିଡ ଅସମ୍ଭାଳ ଭାବେ ବଢିଯିବାରୁ ସାହି ସ୍ନାନ ଲାଗି ଆସିଥିବା ଲୋକେ ଶୋଇଥିବା ଲୋକଙ୍କ ଉପରେ ଅତର୍କିତ ଭାବେ ଚଢି ଯିବାରୁ ଏପରି ଦୁର୍ଘଟଣା ଘଟିତ ହୋଇଥିଲା। ଏଥିରେ ଅନେକ ମହିଳା ଭକ୍ତ ମୃତାହତ ହୋଇଛନ୍ତି।
ମହାକୁମ୍ଭରେ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ବୟାନ ଆସିଛି। ସେ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ମାତା ଗଙ୍ଗାଙ୍କ ନିକଟତମ ଘାଟରେ ସ୍ନାନ କରିବା ଉଚିତ୍। ସଙ୍ଗମ ନୋଜ ଆଡକୁ ଯିବାକୁ ଚେଷ୍ଟା କରନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ନାନ ପାଇଁ ଅନେକ ଘାଟ ନିର୍ମାଣ କରାଯାଇଛି ଯେଉଁଠାରେ ସ୍ନାନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଉଚିତ୍ ଏବଂ ବ୍ୟବସ୍ଥା କରିବାରେ ସହଯୋଗ କରିବା ଉଚିତ୍। ଏହା ସହିତ କୌଣସି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ।ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଘଣ୍ଟାଏ ଭିତରେ ଦୁଇ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ଥିତି ଉପରେ ନଜର ରଖିଛନ୍ତି ନରେନ୍ଦ୍ର ମୋଦୀ। ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଭରସା ଦେଇଛନ୍ତି ଗୃହମନ୍ତ୍ରୀ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଯୋଗୀଙ୍କ ସହ କଥା ହୋଇଛନ୍ତି। ଏବେ ସ୍ଥିତି ସ୍ବାଭାବିକ ଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ।