
ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତିର ସହିତ ଆରମ୍ଭ ହୋଇଛି। ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ମହାମେଳା ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରାରମ୍ଭିକ ଦିବସରେ ୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି।
୧୨ବର୍ଷ ପରେ ଆୟୋଜିତ ହୋଇଥିବା ଏହି ମେଳାକୁ ଅତି କମ୍ ରେ ୪୦କୋଟି ଲୋକ ଆସିବେ ବୋଲି ଆକଳନ କରାଯାଉଛି। ତଥାପି ଦିନକୁ ୧ କୋଟିରୁ ଅଧିକ ଲୋକ ଏହିପରି ୪୫ ଦିନର ଏହି ମେଳାକୁ ୪୫ ରୁ ୫୦ କୋଟି ଲୋକ ଆସିପାରନ୍ତି ବୋଲି ଆକଳନ କରାଯାଇଛି, ଯାହା ଆମେରିକା ଓ ରୁଷର ଜନସଂଖ୍ୟାଠାରୁ ଅଧିକ। ସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ୪ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏହି ୪୫ଦିନିଆ ମେଗା କାର୍ଯ୍ୟକ୍ରମ ପାଇଁ ୭୦୦୦କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।
ୟୁପି ସରକାର ଏହି ମେଳା ପାଇଁ ୭,୦୦୦କୋଟି ଖର୍ଚ୍ଚ କରିଥିବା ବେଳେ ମହାକୁମ୍ଭ ୨୦୨୫ ଉତ୍ତରପ୍ରଦେଶ ପାଇଁ ୨ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଅଭିବୃଦ୍ଧି ଆଣିବ ବୋଲି ଆକଳନ କରାଯାଇଛି। ଆକଳନ ଅନୁଯାୟୀ, ଯଦି ୪୦କୋଟି ପରିଦର୍ଶକଙ୍କ ମଧ୍ୟରୁ ପ୍ରତ୍ୟେକ ହାରାହାରି ୫,୦୦୦ ଟଙ୍କା ଖର୍ଚ୍ଚ କରନ୍ତି ତେବେ ଏହି କାର୍ଯ୍ୟକ୍ରମରୁ ୨ ଲକ୍ଷ କୋଟି ଟଙ୍କା ଆୟ ହୋଇପାରିବ। ଅନ୍ୟ ଏକ ସୂତ୍ରରେ କୁହାଯାଇଛି ଯେ ଫେବ୍ରୁଆରୀ ୨୬ ତାରିଖ (ମହା ଶିବରାତ୍ରୀ)ରେ ଉଦଯାପିତ ହେବାକୁ ଥିବା ଏହି ମେଳାରେ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମେତ ବ୍ୟାବସାୟିକ ସମାବେଶ ଏଠାରେ ହେବ। ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବ।
ଏଥିଯୋଗୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବେପାର ହେବ ବୋଲି ଆଶା କରାଯାଉଛି। ଏଥିରେ ବିଭିନ୍ନ କିଣା ବିକା, ଖାଦ୍ୟ ସାମଗ୍ରୀ ଏବଂ ହୋଟେଲ ଆଉ ଲଜିଙ୍ଗ ରହଣୀ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ଉତ୍ତର ପ୍ରଦେଶ ସରକାରଙ୍କ ଆକଳନ ଅନୁଯାୟୀ, ଯଦି ୪୦ କୋଟି ଶ୍ରଦ୍ଧାଳୁ ଆସନ୍ତି ଏବଂ ଜଣକା ହାରାହାରି ୫ ହଜାର ଟଙ୍କା ଖର୍ଚ୍ଚ କରନ୍ତି ତା’ହେଲେ ୨ ଲକ୍ଷ କୋଟି ଟଙ୍କାର ବେପାର ହେବ। କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଲୋକଙ୍କ ମୁଣ୍ଡପିଛା ଖର୍ଚ୍ଚ ୧୦ ହଜାର ଟଙ୍କା ରହିପାରେ। ଏହାହେଲେ କୁମ୍ଭମେଳାର ମୋଟ ଅର୍ଥନୈତିକ ପ୍ରଭାବ ୪ ଲକ୍ଷ କୋଟିରେ ପହଞ୍ଚିବ। ତେବେ ଦିନକୁ ୧ କୋଟିରୁ ଅଧିକ ଲୋକ ହିସାବରେ ୪୫ ଦିନରେ ଏହି ମେଳାକୁ ୪୫ ରୁ ୫୦ କୋଟି ଲୋକ ଆସିପାରନ୍ତି।ଏପରି ହେଲେ ଏହି ମେଳାରୁ ଅତି ବେଶୀରେ ୫ ଲକ୍ଷ କୋଟି ଟଙ୍କାର ଆୟ ହେବ। ଜିଡିପିକୁ ମହାକୁମ୍ଭ ମେଳା ୧ ପ୍ରତିଶତରୁ ଅଧିକ ପ୍ରୋତ୍ସାହନ ଯୋଗାଇବ ବୋଲି କୁହାଯାଉଛି। ୪୫ ଦିନିଆ ଏହି କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ କମ୍ପାନି ସେମାନଙ୍କ ଉତ୍ପାଦ ଓ ସେବା ପ୍ରଦର୍ଶନ କରିବେ। ଏଫ୍ଏମ୍ସିଜି କମ୍ପାନି ଠାରୁ ଆରମ୍ଭ କରି ଫାର୍ମା କମ୍ପାନି, ଯାତାୟତ ସେବା ପ୍ରଦାନ କରୁଥିବା କମ୍ପାନି, ଡିଜିଟାଲ ପେମେଣ୍ଟ୍ ପ୍ରଦାନକାରୀ କମ୍ପାନି ସେମାନଙ୍କ ମାର୍କେଟିଂ ଖର୍ଚ୍ଚକୁ କୁମ୍ଭମେଳା ପାଇଁ ବଢ଼ାଇ ଦେଇଛନ୍ତି। କୁମ୍ଭମେଳା ମାଧ୍ୟମରେ ଲୋକଙ୍କ ନିକଟରେ ସେମାନଙ୍କ ବ୍ରାଣ୍ଡ୍କୁ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି। କୁମ୍ଭମେଳାରେ କମ୍ପାନିଗୁଡ଼ିକ ବ୍ରାଣ୍ଡିଂ ଓ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ୩ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମହାକୁମ୍ଭ ମେଳା ୨୦୨୫ରେ ବିଭିନ୍ନ ଢାଞ୍ଚା ନିର୍ମାଣ ପାଇଁ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ସେଲ୍ ୪୫ ହଜାର ଟନ୍ ଇସ୍ପାତ ଯୋଗାଇ ଦେଇଛି। ସନାତନ ଧର୍ମାବଲମ୍ବୀଙ୍କ ଏହି ମହାସମାବେଶ ପାଇଁ ପ୍ରୟାଗରାଜକୁ ନୂଆ ରୂପ ଦିଆଯାଇଛି। ୨୦୦ରୁ ଅଧିକ ରାସ୍ତା ନିର୍ମାଣ କରାଯିବା ସହିତ ଉନ୍ନତୀକରଣ କରାଯାଇଛି। ସେହିଭଳି ଲୋକମାନେ ଏଠାକୁ ସହଜରେ ଯାତାୟାତ କରିପାରିବେ ସେଥିପାଇଁ ସବୁପ୍ରକାର ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି। ରାସ୍ତାଘାଟକୁ ସୁଦୃଶ୍ୟ କରିବା ପାଇଁ ୩ ଲକ୍ଷରୁ ଅଧିକ ଗଛ ଏବଂ ୧ ଲକ୍ଷ ଫୁଲ ଗଛ ଲଗାଯାଇଛି। ଉଲ୍ଲେଖନୀୟ ଯେ ହିନ୍ଦୁ ମେଳା, ମହୋତ୍ସବ ସହିତ କେବଳ ଆଧ୍ୟାତ୍ମିକ ପକ୍ଷ ଜଡ଼ିତ ରହିନାହିଁ। ବିଭିନ୍ନ ଧାର୍ମିକ ଉତ୍ସବ ଅବସରରେ ଗୋଟିଏ ଗୋଟିଏ ଛୋଟ ମନ୍ଦିର ଆଗରେ ଲାଗୁଥିବା ପଥପ୍ରାନ୍ତ ଉଠା ଦୋକାନୀମାନଙ୍କରେ ବି ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହୋଇଥାଏ, ଯାହା ଅନେକ ପରିବାରକୁ ଆର୍ଥିକ ପୋଷଣର ସହାୟତା କରିଥାଏ। ଏହିପରି ଗୋଟିଏ ବଡ ମେଳା ହେଲା କଟକର ବାଲିଯାତ୍ରା। ୭ ଦିନର ଏହି ମେଳାରେ ଶହ ଶହ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଏଥିରୁ ଏହା ସ୍ପଷ୍ଟ ବୁଝାପଡେ ଯେ ହିନ୍ଦୁ ପର୍ବ ପର୍ବାଣୀ ଅବସରରେ ଆୟୋଜିତ ହେଉଥିବା ମେଳା ମହୋତ୍ସବ ଲୋକଙ୍କ ଆଧ୍ୟାତ୍ମିକ ଉପକାର ସାଧନ କରିବା ସହିତ ଆର୍ଥିକ ପକ୍ଷର ମଧ୍ୟ ଉନ୍ନତି ସାଧନ କରିଥାଏ।
