
ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆସନ୍ତା ୩୧ରେ ସରୁଥିଲା। ସେ ଗତ ଜୁନ୍ ୩୦ରେ ଓଡ଼ିଶାର ମୁଖ୍ୟଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ।
ମନୋଜ ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର।ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ରାଜ୍ୟରେ ଭାଜପା ସରକାର ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଆହୁଜାଙ୍କ ଗୃହ କ୍ୟାଡରକୁ ଫେରିଯିବାକୁ ଅନୁମତି ଦେଇଥିଲେ। ଏହା ପରେ ସେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବ ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ ।
ଆଗାମୀ ୩୧ ତାରିଖରେ ଅହୁଜା ଚାକିରୀରୁ ଅବସର ନେଇଥାଆନ୍ତେ । ଏବେ କାର୍ଯ୍ୟକାଳ ବୃଦ୍ଧି ହେତୁ ସେ ଆଉ ଏକ ବର୍ଷ ଲାଗି ସେବାରତ ରହିବେ।କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଥିଲେ।
କେନ୍ଦ୍ର ସରକାରଙ୍କର ଅନୁମୋଦନ କ୍ରମେ ଅହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ରାଜ୍ୟରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ସେଗୁଡିକର କାର୍ଯ୍ୟକାରୀତା ପାଇଁ ସରକାର ଅମଲାତନ୍ତ୍ରର ସମର୍ଥନ ଆବଶ୍ୟକ କରନ୍ତି।