
ବିଜେଡିର କଷି କଷି ନେତାମାନଙ୍କ ଠାରୁ ନେଇ ପାକଲା ପାକଲା ନେତାମାନେ କେଉଁଠି ବସି ଟିକେ ଟାଇମ୍ ପାସ୍ କଲେ କି ମେଳି କଲେ ତାହା ବିଜେଡି ପରିବାରର ମୁରବୀ ନବୀନ ପଟ୍ଟନାୟକଙ୍କ ଆଖିରେ ଭାରି ଜ୍ଵଳନ ସୃଷ୍ଟି କରୁଛି। ଏଥିନେଇ ଏବେ ନବୀନ ସେମାନଙ୍କୁ ତାଗିଦ୍ କରିବାକୁ ପଛାଉନାହାଁନ୍ତି ।
ଗତ ମାସରେ ବିଜେଡିର ଯୁବ ନେତାମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଫୋନ୍ କରିଥିଲେ। ମେଳି ନ କରିବାକୁ ତାଗିଦ୍ କରିଥିଲେ। ଏହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଥମି ନଥିଲା ବେଳେ ଏବେ ଆଉ ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି। ଦଳର ଦୁଇ ଜଣ ବରିଷ୍ଠ ନେତାଙ୍କୁ କୁଆଡେ ନିଜେ ନବୀନ ଫୋନ୍ କରି କାହିଁକି ମେଳି କରୁଛ ବୋଲି ପଚାରିଥିଲେ। ନବୀନଙ୍କ କଲ୍ ପରେ ବି ୨୦ରୁ ଅଧିକ ବରିଷ୍ଠ ନେତା ଏକାଠି ହୋଇ ଭବିଷ୍ୟତ ଯୋଜନା ସଂପର୍କରେ ମାନସ ମନ୍ଥନ କରିଛନ୍ତି। ନବୀନଙ୍କ ବିରୋଧରେ ନୁହେଁ, ତାଙ୍କ ପାଖ ଲୋକଙ୍କ ଏକଚାଟିଆ କାରବାର ବିରୋଧରେ ସେମାନେ ଅସନ୍ତୋଷ ଓଗାଳିଛନ୍ତି ବୋଲି କୁହାଯାଏ।
ନିକଟରେ ନବୀନ ଢେଙ୍କାନାଳ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଫୋନ୍ କରିଥିଲେ। ଆପଣମାନେ ଏକାଠି ହୋଇ ଗଣମାଧ୍ୟମକୁ କହୁଥିବାରୁ ଦଳ ପାଇଁ ଭୁଲ୍ ବାର୍ତ୍ତା ଯାଉଛି ବୋଲି କହିଥିଲେ। କିନ୍ତୁ ସେହି ବରିଷ୍ଠ ନେତାଜଣକ ଏହାକୁ ଅସ୍ବୀକାର କରିଥିଲେ। ଦଳ ବିରୋଧରେ କେବେ କୌଣସି କାମ କରାଯାଉନି ବୋଲି ସିଧାସଳଖ ଜଣାଇଥିଲେ। ମୁଁ ଅଧିକାଂଶ ସମୟରେ ନିଜ ଅଞ୍ଚଳରେ ରହୁଛି ବୋଲି କହିଥିଲେ। ଏହା ପରେ ନବୀନ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ନେତାଙ୍କୁ ଫୋନ୍ କରି ସମାନ କଥା କହିଥିଲେ। ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତକାର ଦଳ ପାଇଁ କ୍ଷତି ପହଞ୍ଚାଉଛି ବୋଲି ନବୀନ ତାଙ୍କୁ କହିଥିଲେ। ଏହାକୁ ସିଧାସଳଖ ଅସ୍ବୀକାର କରିଥିଲେ ସଂପୃକ୍ତ ନେତା। ଏହାର କିଛି ସମୟରେ ସେହି ବରିଷ୍ଠ ନେତା ଜଣକ ନବୀନ ନିବାସରେ ପହଞ୍ଚିଥିଲେ। ୟୁଟୁବ୍ ଖୋଲି ନିଜ ସାକ୍ଷାତକାର ବି ନବୀନଙ୍କୁ ଦେଖାଇଥିଲେ। କୌଣସି ସ୍ଥାନରେ ଦଳର ସୁପ୍ରିମୋ ଓ ଦଳ ବିରୋଧରେ କହି ନାହିଁ ବୋଲି ଜୋର୍ ଦେଇଥିଲେ। ନବୀନ ମଧ୍ୟ ବୁଝିଥିଲେ। କିଛି ଲୋକ ଏବେ ବି ତାଙ୍କୁ ଭୁଲ୍ ସୂଚନା ଦେଇ ଦଳରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ନେତାଜଣକ ରାଗ ତମତମ ହୋଇ କହିଥିଲେ। ଏହି ଘଟଣା ଧୀରେ ଧୀରେ ପଦାକୁ ଆସିବା ପରେ ଦଳ ଭିତରେ ଚର୍ଚ୍ଚାର ବିଷୟ ହୋଇଛି।
ନବୀନ ନିଜ ଆଡ଼ୁ ବରିଷ୍ଠ ଓ ଯୁବ ନେତାମାନଙ୍କୁ କଲ୍ କରି ଏମିତି କଥା ପଚାରିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ନବୀନଙ୍କୁ କହି କେହି ଫୋନ୍ କରାଉଛନ୍ତି ବୋଲି ଧାରଣା ଦୃଢ଼ ହେବାରେ ଲାଗିଛି। ସାଂଗଠନିକ ନିର୍ବାଚନ ଜରିଆରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଗୋଟି ଚଳାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏପରି କରୁଥିବା କୁହାଯାଉଛି। ତେବେ ବରିଷ୍ଠ ଓ ଯୁବ ନେତାଙ୍କ ମେଳି ଭାଙ୍ଗିବା ପାଇଁ ନବୀନଙ୍କ ଦ୍ବାରା ହେଉଥିବା ଫୋନ୍ ବିଶେଷ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରୁନି। ଗତ ସପ୍ତାହରେ ବିଜେଡିର କିଛି ବରିଷ୍ଠ ନେତା ପୁଣି ଏକାଠି ହୋଇଥିଲେ। ଖୋର୍ଦ୍ଧା ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ ଏକ ସ୍ଥାନରେ ୨୦ରୁ ଅଧିକ ନେତା ଏକାଠି ହୋଇଥିଲେ। ସମସ୍ତେ ଅନୁଭବୀ ଓ ଲମ୍ବା ସମୟ ଧରି ଜନ ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇଛନ୍ତି। ବର୍ତ୍ତମାନର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବାଟବଣା କରିବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଚକ୍ରାନ୍ତ କରୁଛନ୍ତି ବୋଲି ଏହି ବୈଠକରେ କୁଆଡେ ମତପ୍ରକାଶ ପାଇଥିବା ଶୁଣାଯାଏ ।
ଆହୁରି ଅଭିଯୋଗ ହୋଇଥିଲା ଯେ କିଛି ଦଳୀୟ ନେତା ବାରମ୍ବାର ଦଳର ସୁପ୍ରିମୋଙ୍କୁ ଭୁଲ୍ ସୂଚନା ଦେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନେ ହିଁ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଏ ସମ୍ପର୍କରେ ନବୀନଙ୍କ ସହ ସିଧାସଳଖ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ନବୀନଙ୍କ ନେତୃତ୍ବ ପ୍ରତି ସମସ୍ତେ ଆନୁଗତ୍ୟ ପ୍ରକାଶ କରିବା ସହ ବିଜେଡିକୁ ତଳିତଳାନ୍ତ କରୁଥିବା ଲୋକଙ୍କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହି ବୈଠକ ଲମ୍ବା ସମୟ ଧରି ଚାଲିଥିଲା। ଖୁବ୍ ଶୀଘ୍ର ସେମାନେ ପୁଣି ଏକାଠି ହେବେ ବୋଲି ସୂଚନା ମିଳିଛି। କ୍ଷମତାରେ ଥିଲା ବେଳେ ଦଳର ଆଭ୍ୟନ୍ତରୀଣ ସ୍ଥିତି ଯାହା ଥିଲା, ଏବେ ତାହା ଆଉ ନାହିଁ। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳରେ ବସିଲା ପରେ ସାଂଗଠନିକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ଏବେ ବି ନବୀନ ନିବାସରେ ନବୀନଙ୍କ ପାଖରେ ରହି ଭି କେ ପାଣ୍ଡିଆନ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି। ପ୍ରଣବପ୍ରକାଶ ଦାସ ଓ ଆଉ କିଛି ନିର୍ଦ୍ଦିଷ୍ଟ ନେତା ହିଁ ପାଣ୍ଡିଆନଙ୍କ ଇସାରାରେ କାମ କରୁଛନ୍ତି। ତେଣୁ ସାଂଗଠନିକ ନିର୍ବାଚନରେ ବରିଷ୍ଠ ଓ ଅନୁଭବୀ ନେତାମାନଙ୍କୁ ଆଡ଼େଇ ନିଜ ପସନ୍ଦର ନେତାଙ୍କୁ ଥଇଥାନ କରିବାକୁ ଗୋଟି ଚାଳନା ହୋଇଛି। କିନ୍ତୁ ଏହାକୁ ବରିଷ୍ଠ ନେତାମାନେ ହଜମ କରିବା ସ୍ଥିତିରେ ନାହାନ୍ତି। ଫଳରେ ବିଜେଡିରେ ଆଭ୍ୟନ୍ତରୀଣ ସ୍ଥିତି ଦୋହଲିଗଲାଣି। ଯେ କୌଣସି ସମୟରେ ଏହା ଦଳରେ ବଡ଼ ଫାଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।
ସନା ମହାକୁଡଙ୍କୁ ନବୀନଙ୍କ ତେରେଛା ବାଣ
……………………………………………………………
ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରଥିଲେ ନବୀନ।
ନବୀନ ଗାଡିରୁ ଓହ୍ଲାଇବା ପରେ ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକମାନେ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ନବୀନ ସନାତନଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ଗତ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ପ୍ରଶ୍ନ କରିଥିଲେ। ଉତ୍ତରରେ ସନା ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇଥିଲେ ବେଳେ ପ୍ରତିଜବାବରେ ଭାଜପା ଆଡ଼କୁ ଯାଉଛନ୍ତି କି କହି ତେରଛା ବାଣ ମାରିଥିଲେ ନବୀନ।
ଅପରପକ୍ଷରେ ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପାରେ ମିଶିବା ଚର୍ଚ୍ଚା ନେଇ କହିଛନ୍ତି ଯେ, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି, ରହିବି। ସେ ପୁଣି କହିଛନ୍ତି, ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ ।
ସନା ମହାଙ୍କୁଡଙ୍କୁ ନବୀନଙ୍କ ତାଗିଦ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଏଥିରେ କିଛି ନା କିଛି ପେଞ୍ଚ ଥିବା ଜଣାପଡିଛି । ବାସ୍ତବ କଥା ନବୀନ ବାବୁ କହିପାରିବେ । ସନାତନ ମୂଳରୁ ଦଳରେ ନଥିଲେ । ସନାତନଙ୍କ ସବୁ ଦଳ ସହ ସମ୍ପର୍କ ଥିଲା କହିଛନ୍ତି ବିଜୟ । ବିଜେଡିର ଆବଶ୍ୟକତା ଥିବାରୁ ତାଙ୍କୁ ଆଣିଥିଲେ ।ଦଳ ଠିକଠାକ ଚାଲୁନାହିଁ । ଏହା ସତ୍ୟ । ଦଳରେ କିଛି ଗୋଷ୍ଠୀ ନବୀନଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି । ଦଳର ପରାଜୟ ସେହି ଗୋଷ୍ଠୀ ପାଇଁ ହିଁ ହୋଇଛି ବୋଲି ଆହୁରି କହିଛନ୍ତି ବିଜୟ ମହାପାତ୍ର।