
ଯଦି କେହି ବ୍ୟକ୍ତି ନରେନ୍ଦ୍ର ମୋଦିଙ୍କ ପାକିସ୍ତାନ ସମ୍ପର୍କରେ ନୀତିକୁ ସାମଗ୍ରିକ ଭାବରେ ବୁଝିବାକୁ ଚାହାଁନ୍ତି, ତେବେ ସେ ପାକିସ୍ତାନର ପ୍ରସିଦ୍ଧ ଖବରକାଗଜ ‘ଡନ୍’ରେ ପ୍ରକାଶିତ ଏକ ସମ୍ପାଦକୀୟ ଲେଖା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏହି ଲେଖାଟି ଲାହୋରର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ “ଲାହୋର ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ”ର ଡିନ୍ ପ୍ରଫେସର ଅଞ୍ଜୁମ୍ ଅଲତାଫଙ୍କ ଦ୍ୱାରା ଲେଖାଯାଇଛି।
ସେ ଲେଖିଛନ୍ତି ଯେ ପାକିସ୍ତାନରେ ସାଧାରଣ ଜନତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇଚାଲିଛି। ସାଧାରଣ ଜନତା ରାଷ୍ଟ୍ରବାଦର ପତାକା ବହନ କରିବାକୁ ପ୍ରସ୍ତୁତ, କିନ୍ତୁ ଯଦି କୌଣସି ସରକାର ସେହି ପତାକା ବହନ କରିବା ପାଇଁ ରାଷ୍ଟ୍ର ଦ୍ୱାରା ଯୋଗାଇ ଦିଆଯାଉଥିବା ସର୍ବନିମ୍ନ ସୁବିଧା ଯୋଗାଇନଦେଲେ ଲୋକମାନେ ସେହି ପତାକାକୁ ଫିଙ୍ଗି ଦିଅନ୍ତି।
ସେ ଆହୁରି ଲେଖିଛନ୍ତି ଯେ ପାକିସ୍ତାନ ଏକ କଲ୍ୟାଣକାରୀ ରାଷ୍ଟ୍ର ହେବା କଥା ଥିଲା, କିନ୍ତୁ ଏହା ଏକ ଯୁଦ୍ଧଖୋର୍ ରାଷ୍ଟ୍ର ହୋଇଗଲା। ପାକିସ୍ତାନର କ୍ୟାବିନେଟ କହିଛି ଯେ ପଡ଼ୋଶୀ ରାଷ୍ଟ୍ରମାନଙ୍କଠାରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଅଧିକ ପ୍ରତିରକ୍ଷା ବଜେଟ୍ ଆବଶ୍ୟକ। କିନ୍ତୁ ଅସଲ ସତ୍ୟ ଏହି ଯେ ପାକିସ୍ତାନ ସ୍ୱାସ୍ଥ୍ୟ, ପରିମଳ, ସ୍ୱଚ୍ଛ ପାନୀୟ ଜଳ, ସାକ୍ଷରତା ଏବଂ ରାସ୍ତା ଉପରେ ବଜେଟ୍ ହ୍ରାସ କରି ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିଚାଲିଛି। ତଥାପି ଯୁଦ୍ଧର ଭୟ ଯୋଗୁ ଏହାକୁ ଆହୁରି ହ୍ରାସ କରାଯାଉଛି। ନୋଟ୍ ମୁଦ୍ରଣ ଜୋରସୋରରେ ଚାଲିଛି ଯାହା ଫଳରେ ସାଧାରଣ ଲୋକଙ୍କ ହାତରେ ଥିବା ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଛି।
ରୁଷ ଏବଂ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧର ଏକ ସୁନ୍ଦର ଉଦାହରଣ ଦେଇ ସେ ବ୍ୟାଖ୍ୟା କରିଛନ୍ତି ଯେ କିପରି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ ସୋଭିଏତ୍ ରୁଷ ନେତୃତ୍ଵର ମନରେ ଯୁଦ୍ଧର ଏକ ଅନାବଶ୍ୟକ ଭୟ ସୃଷ୍ଟି କରିଥିଲେ ଏବଂ ସେହି ଭୟରେ ସୋଭିଏତ୍ ରୁଷ ତାଙ୍କ ଲୋକଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବା ପରିବର୍ତ୍ତେ ନିଜର ସମସ୍ତ ଧ୍ୟାନ ନିଜର ସେନାକୁ ମଜବୁତ କରିବା ଉପରେ କେନ୍ଦ୍ରିତ କରିଥିଲା ଏବଂ ଭୁଲି ଯାଇଥିଲା ଯେ ଏକ ଦେଶ ସେନା ଦ୍ୱାରା ନୁହେଁ, ଜନତା ଦ୍ୱାରା ଗଠିତ। ସେନା କେବଳ ସେହି ଲୋକ/ଦେଶର ସୁରକ୍ଷା ପାଇଁ। ଶେଷରେ, ସୋଭିଏତ୍ ରୁଷ କେବଳ ତା’ର ଲୋକଙ୍କ ଆଶା ଏବଂ ଆକାଂକ୍ଷାର ବୋଝ ତଳେ ଦବିରହି କୌଣସି ଯୁଦ୍ଧ ବିନା ପତନ ବରଣ କଲା।
ଏହି ଲେଖାର ଉପସଂହାରରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଜଣେ ବହୁତ ଚତୁର ନେତା। ସେ ପାକିସ୍ତାନ ସହିତ ପଇଁତରାବାଜୀ କରୁଛନ୍ତି ଏବଂ ପାକିସ୍ତାନ ମଧ୍ୟ ତାଙ୍କର ସେହି ଚାଲ୍ ରେ ନାଚୁଛି ଏବଂ ସୋଭିଏତ ଋଷ୍ ପରି ସମସ୍ତ ଧ୍ୟାନ ସାମରିକ ଏବଂ ପ୍ରତିରକ୍ଷା ଉପରେ କେନ୍ଦ୍ରିତ କରିଛି। ଏପରି ଏକ ସମୟ ଆସିପାରେ ଯେତେବେଳେ ପାକିସ୍ତାନକୁ ଚିନ୍ତା କରିବାକୁ ସୁଯୋଗ ମଧ୍ୟ ମିଳିବ ନାହିଁ ଏବଂ ମୋଦି ତାଙ୍କ କାମ ହାସଲ କରି ଚାଲିଯିବେ। ପାକିସ୍ତାନ ନିଜ ଲୋକଙ୍କ ଆଶା ଏବଂ ଆକାଂକ୍ଷାରୁ ଦୂରେଇ ଯାଇଥିବାରୁ ତା ପାଖରେ ନିଜର ପୁନରୁଦ୍ଧାର ପାଇଁ ଅଧିକ ସମୟ ନାହିଁ। ଭିନ୍ନ ଭିନ୍ନ ହାରରେ ଉନ୍ନତି କରିଥିବା ଦୁଇ ଦେଶ ମଧ୍ୟରେ ପାକିସ୍ତାନ ସୃଷ୍ଟି କରିଥିବା ଅନାବଶ୍ୟକ ପ୍ରତିଯୋଗିତା ଯୋଗୁ ନିଜେ ଭିତରେ ଭିତରେ ଦୁର୍ବଳ ହେବାରେ ଲାଗିଛି ଏବଂ ଏହାର ଆଲୋଚନା ଶକ୍ତି ଦିନକୁ ଦିନ ହ୍ରାସ ପାଉଛି। ସେ କହିଛନ୍ତି ଯେ ପରମେଶ୍ୱର ଯାହାକୁ ନଷ୍ଟ କରିବାକୁ ଚାହାଁନ୍ତି, ସେ ପ୍ରଥମେ ତାକୁ ପାଗଳ କରିଦିଆନ୍ତି। ଏବେ ପାକିସ୍ତାନ ବୋଧହୁଏ ସେହି ରାସ୍ତାରେ ଅଛି।