
ଶାସନକଳକୁ ଅଧିକରୁ ଅଧିକ ଲୋକାଭିମୁଖୀ କରି ଉନ୍ନୟନ ପ୍ରକ୍ରିୟାକୁ ଗତିଶୀଳତା ପ୍ରଦାନ ଉଦ୍ଦେଶ୍ୟରେ ମୋହନ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ଫଳରେ ସେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ୧୬ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଭାରୀ ଦାୟୀତ୍ୱ ପ୍ରଦାନ କରିଛନ୍ତି।
ଏବେ ମନ୍ତ୍ରୀମାନେ ରାଜଧାନୀ ଛାଡିବେ ଆଉ ଜିଲ୍ଲାସବୁ ବୁଲିବେ। ଲୋକଙ୍କ ସମସ୍ୟା ଶୁଣିବେ ଏବଂ ସମାଧାନର ବାଟ ବାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରିପୋର୍ଟ ରଖିବେ। ବିକଶିତ ଓଡ଼ିଶା ଗଠନ ଦିଗରେ ଗୁରୁଦାୟିତ୍ବ ତୁଲାଇବେ ଏହି ପ୍ରଭାରୀ ମନ୍ତ୍ରୀଗଣ।
ଲୋକସେବା ଭବନରେ ନୁହେଁ ଏଣିକି ଲୋକଙ୍କ ପାଖକୁ ଯାଆନ୍ତୁ ମନ୍ତ୍ରୀମାନେ। କିଛି ଏଭଳି ଆଭିମୁଖ୍ୟ ସହ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଫର୍ମୁଲାକୁ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକଶିତ ଓଡ଼ିଶା ପାଇଁ ବିଜେପି ସରକାରର ଭିନ୍ନ ଏକ ଷ୍ଟ୍ରାଟେଜି। ରାଜ୍ୟ ବିକାଶର ଚିତ୍ର ଏଣିକି କେବଳ ରାଜଧାନୀରେ ସୀମିତ ରହିବନି। ବରଂ ପ୍ରତି ଜିଲ୍ଲାକୁ ବ୍ୟାପିବ ବିକାଶର ବହ୍ନି। ଏଥିପାଇଁ ପ୍ରଭାରୀ ମନ୍ତ୍ରୀ ଭାବେ ୨ ଉପ ମୁଖ୍ୟମନ୍ତ୍ରୀ ଓ ୧୩ ମନ୍ତ୍ରୀଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟୀତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କଣ ସବୁ କାର୍ଯ୍ୟ କରିବେ ପ୍ରଭାରୀ ମନ୍ତ୍ରୀଗଣ ?
ଲୋକାଭିମୁଖୀ ପ୍ରକଳ୍ପର ଅଗ୍ରଗତି ପାଇଁ ଜିଲ୍ଲା ପ୍ରଶାସନ ସହ କରିବେ ଆଲୋଚନା।
ସରକାରୀ ଯୋଜନା ପ୍ରଣୟନର କରିବେ ତଦାରଖ।
ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବେ।
ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପୂରା କରିବା ଦିଗରେ କାମ କରିବେ ପ୍ରଭାରୀ ମନ୍ତ୍ରୀ।
ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାରୀ ମନ୍ତ୍ରୀ ଦାୟୀତ୍ବ ବଣ୍ଟନକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେଡ଼ି କହିଛି ଯେ, ନୂଆ ସରକାରକୁ ୬ ମାସ ବିତିଲାଣି କିନ୍ତୁ କାମ ଶୂନ। ଏବେ ପ୍ରଭାରୀ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ ମିଳିଛି, ଆଉ ୬ ମାସ ଅପେକ୍ଷା କରନ୍ତୁ। ସବୁ ଜାଣିପାରିବେ ରାଜ୍ୟବାସୀ। ଅନ୍ୟପଟେ ବିଜେଡିକୁ କାଉଣ୍ଟର କରି ଆଇନ ମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୂର୍ବ ସରକାର ସମୟରେ ବିଧାୟକ, ମନ୍ତ୍ରୀ ଓ ସଚିବ କେତେଥର ଜିଲ୍ଲାକୁ ଯାଉଥିଲେ ତାହା ଓଡ଼ିଶାବାସୀ ଦେଖିଛନ୍ତି। ମୋହନ ସରକାରର ଏହି ମଡେଲ ଚାଲିଲେ ୩ ବର୍ଷରେ ଅନ୍ୟ ରାଜନୈତିକ ଦଳକୁ ଭୁଲିଯିବେ ରାଜ୍ୟବାସୀ।
ତେବେ ପ୍ରଭାରୀ ମନ୍ତ୍ରୀ ପ୍ରତି ମାସରେ ଦାୟୀତ୍ବରେ ଥିବା ଜିଲ୍ଲାକୁ ଯିବା ସହ ପ୍ରତିଟି କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ଦେବେ। ଏବେ ଅପେକ୍ଷା, ମୋହନ ସରକାରଙ୍କ ଏହି ନୂଆ ଶାସନ ଷ୍ଟାଇଲ ଜିଲ୍ଳାର ଭାଗ୍ୟ ବଦଳାଇବ ଦେବ କି ବୋଲି ଆଲୋଚନା ଶୁଣିବାକୁ ମିଳେ।
ମୋହନ ସରକାରଙ୍କ ନୂଆ ଶାସନ ଷ୍ଟାଇଲରେ କଣ କରିବେ ପ୍ରଭାରୀ ମନ୍ତ୍ରୀମାନେ ? ଲୋକାଭିମୁଖୀ ପ୍ରକଳ୍ପର ଅଗ୍ରଗତି ପାଇଁ ଜିଲ୍ଲା ପ୍ରଶାସନ ସହ ସେମାନେ କରିବେ ଆଲୋଚନା। ସରକାରୀ ଯୋଜନା ପ୍ରଣୟନର କରିବେ ତଦାରଖ
ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବେ।
ବ୍ୟବହାରିକ ଦୃଷ୍ଟିରୁ ମୋହନ ସରକାରର ଏହା ଏକ ଭଲ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି, ଯାହାକି ଜନଗଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ଫୋକସ୍ କରିବା ସହ ସମାଧାନ ପ୍ରକ୍ରିୟାକୁ ଗତିଶୀଳତା ପ୍ରଦାନ କରିବ। ତେବେ କେବଳ ମନ୍ତ୍ରୀମାନଙ୍କୁ ପ୍ରଭାରୀ ଦାୟୀତ୍ୱ ପ୍ରଦାନ କରିଦେଲେ ସମସ୍ୟାର ସମାଧାନ ହୋଇଯିବନାହିଁ। ଏଥିଲାଗି ମନ୍ତ୍ରୀମାନଙ୍କ ଠାରେ ନିଷ୍ଠାପରତାର ଆବଶ୍ୟକତା ରହିଛି। ଅତୀତରେ ବିଭିନ୍ନ ସରକାର ଅମଳରେ ଏହିଭଳି ବିଭିନ୍ନ ଯୋଜନା ଗ୍ରହଣ କରାଯାଇଥିଲା। ଏ ସବୁ କେଇ ମାସ ଚାଲିବା ପରେ ବନ୍ଦ ହୋଇଯାଇଥିଲା। ଏଣୁ ନିଷ୍ପତ୍ତି ନେବା ଆଉ ତାର କ୍ରିୟାନ୍ଵୟନତାକୁ ଅବ୍ୟାହତ ରଖିବା ମଧ୍ୟରେ ବ୍ୟବଧାନ ରହିଲେ କୈାଣସି ଯୋଜନା ସଫଳ ହୋଇନଥାଏ। ଏହାର ଏକାଧିକ ଦୃଷ୍ଟାନ୍ତ ରହିଛି। ଯଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ସଠିକ ତଦାରଖ କରିଚାଲନ୍ତି,ତେବେ ଏହି ଯୋଜନ ନିଶ୍ଚିତ ରୂପେ ସଫଳ ହେବ