

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ପୁଅର୍ ଲେଡି କହି ତାତ୍ସଲ୍ୟ କରିବା ଟିପ୍ପଣୀ ରାଜନୀତିର ହବନ କୁଣ୍ଡରେ ଘିଅ ଢାଳିବା ସଦୃଶ କାମ କରିଛି, ଯାହା ଫଳରେ ରାଜନୈତିକ ପରିବେଶ ଖୁବ୍ ଉଷ୍ଣ ହୋଇପଡିଛି। ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୋନିଆଙ୍କ ଏପରି ଅଭାବନୀୟ ମନ୍ତବ୍ୟ ଉପରେ ରାଷ୍ଟ୍ରପତି ଭବନରୁ କଡା ଜବାବ ଆସିବା ପରିସ୍ଥିତିକୁ ଅଧିକ ସରଗରମ କରିଦେଇ ସୋନିଆଙ୍କୁ ଅକଳରେ ପକାଇଛି। ଏହାକୁ ନେଇ ଆଗକୁ ରାଜନୀତି ଅଧିକ ଉତ୍ତେଜନାପୂରକ ହୋଇପାରେ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି କହିବା ପରେ ରାଷ୍ଟ୍ରପତି ଭବନରୁ ଏହାର ଉତ୍ତର ଆସିଛି। ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ, ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ସୋନିଆଙ୍କ ବକ୍ତବ୍ୟ ଆଘାତ ଦେଇଛି, ଯାହା ଆଦୌ ଶୋଭନୀୟ ନୁହେଁ। ରାଷ୍ଟ୍ରପତି କୌଣସି କ୍ଷେତ୍ରରେ ଥକ୍କି ପଡ଼ିନାହାନ୍ତି। ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଳାନ୍ତ ଆଣେନି ବୋଲି ରାଷ୍ଟ୍ରପତି ଭବନରୁ ବୟାନ ଆସିଛି।
ସୂଚନାଯୋଗ୍ୟ ଯେ, ସୋନିଆ ଗାନ୍ଧୀ ଶୁକ୍ରବାର ବଜେଟ୍ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ଦେଇଥିଲେ। ସୋନିଆ ରାଷ୍ଟ୍ରପତିଙ୍କୁ ଜଣେ ‘Poor Lady’ ବୋଲି କହିଥିଲେ ଏବଂ କହିଥିଲେ ଯେ, ଭାଷଣ ପରେ ସେ କ୍ଳାନ୍ତ ହୋଇଯାଇଥିଲେ। ଏହି ସମୟରେ ରାହୁଲ ରାଷ୍ଟ୍ରପତିଙ୍କ ଭାଷଣକୁ ବିରକ୍ତିକର ବୋଲି କହିଥିଲେ, ଯାହା ପରେ ରାଜନୀତି ଉଷ୍ମ ହୋଇଗଲାଣି। ଭାଜପା ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି, କ୍ଷମା ମାଗିବା ଉଚିତ। କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ପରେ ସରଗରମ ରାଜନୀତି। ରାଷ୍ଟ୍ରପତିଙ୍କୁ Poor Lady କହି କରିଥିଲେ ତାତ୍ସଲ୍ୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଉଚିତ୍ ଜବାବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ‘କଂଗ୍ରେସର ପୁରୁଣା ଅଭ୍ୟାସ ଦଳିତ, ଏସସି,ଏସଟି,ଓବିସିଙ୍କୁ ନିମ୍ନ ଚକ୍ଷୁରେ ଦେଖିବା’। ରାଷ୍ଟ୍ରପତି ଜଣେ ଆଦିବାସୀ ହେବା ସହ ତାଙ୍କର ମାତୃଭାଷା ଓଡ଼ିଆ ହୋଇଥିବା ସତ୍ତ୍ୱେ ସେ ହିନ୍ଦୀରେ ଏକ ପ୍ରେରଣାଦାୟୀ ଭାଷଣ ଦେଇଥିଲେ, ଯାହା ଆମର ଭବିଷ୍ୟତର ଆକାଂକ୍ଷାକୁ ଆଚ୍ଛାଦିତ କରିଥିଲା। ଦିଲ୍ଲୀର ଦ୍ୱାରକାରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିବାକୁ ଯାଇ ମୋଦି ଏହା କହିଛନ୍ତି।
ଏପରିକି ମୋଦି କହିଛନ୍ତି ଯେ ଆଜି କଂଗ୍ରେସର ରାଜପରିବାର ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ଘୋର ଅପମାନିତ କରିଛି।ଏଥିପାଇଁ ସେ ଯଥାଶୀଘ୍ର ରାଷ୍ଟ୍ରପତିଙ୍କ ନିକଟରେ ଏବଂ ଆମର ଗରିବ ଭାଇଭଉଣୀ, ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟର ଲୋକଙ୍କ ନିକଟରେ କ୍ଷମା ମାଗିବା ଉଚିତ୍।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଛାଡ଼ିଲେନାହିଁ
……………………………………………………………..
ଏହାକୁ ନେଇ ସୋନିଆ ଓ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ଏହା ସେମାନଙ୍କର ସମ୍ଭ୍ରାନ୍ତବାଦୀ ଆଚରଣର ପ୍ରତିଫଳନ। ଏଭଳି ଆଚରଣ କରିବା ଓଡ଼ିଶାର ପୂରା ସାନ୍ତାଳୀ ଜନଜାତିକୁ ଅପମାନ। ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। କଂଗ୍ରେସ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର।
ମା’ ସପକ୍ଷରେ ବାହାରିଲେ ଝିଅ ପ୍ରିୟଙ୍କା
…………………………………………
ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କଡ଼ା ଜବାବ ଦିଆଯିବା ପରେ ସୋନିଆଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ସଫେଇ ଦୈଇ କହିଛନ୍ତି ଯେ ମୋ ମା’ ଜଣେ ବୟସ୍କା ମହିଳା।ରାଷ୍ଟ୍ରପତି ଲମ୍ବା ଭାଷଣ ପଢ଼ିଲେ ବୋଲି ମୋ ମା’ କହିଲେ। ତେଣୁ ରାଷ୍ଟ୍ରପତି ଥକି ଯାଇଥିବା ସେ କହିଥିବା ପ୍ରିୟଙ୍କା କହିଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। କିନ୍ତୁ ମିଡିଆ ଏହାକୁ ଟୁଇଷ୍ଟ କରିବା ଦୁର୍ଭାଗ୍ୟଜନକ। ଉଭୟ ସମ୍ମାନିତ ମହିଳା ଓ ଆମମାନଙ୍କ ଠାରୁ ବଡ଼ ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି।
