


ରାଜ୍ୟରେ ଏ,ଟି, ଏମ୍, ଆଉ ସୁରକ୍ଷିତ ନୁହେଁ। ଲୁଟେରାଙ୍କ ବେଧଡକ ଲୁଟି ଆଗରେ ଏ,ଟି,ଏମ୍, ସବୁ ଅସୁରକ୍ଷିତ ହୋଇ ପଡ଼ିଲାଣି।ଲକ୍ଷ ଲକ୍ଷ ନୋଟ୍ ଥାକ ମାରି ରଖାଯାଉଥିବା ସେହି ଲୌହ କବଚ ଆଉ ସୁରକ୍ଷିତ ନୁହଁ। କାରଣ ଏ,ଟି, ଏମ୍ , ଲୁଟେରା ପୂର୍ବରୁ ମେସିନ୍ ତାଡ଼ି ଟଙ୍କା ଲୁଟୁଥିଲେ। ଏଥର କିନ୍ତୁ ପୁରା ଏ,ଟି,ଏମ୍,କୁ କାନ୍ଧରେ ବୋହି ପାର୍ ହୋଇଯାଉଛନ୍ତି।
ରାଜଧାନୀ ସମେତ ରାଜ୍ୟବ୍ୟାପୀ କ୍ରମାଗତ ଏଭଳି ଘଟଣା ପରେ ଏଟିଏମ୍ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସର ଚିନ୍ତା ବଢିଛି କିପରି ଏ, ଟି, ଏମ୍, ଗୁଡିକୁ ସୁରକ୍ଷିତ ରଖାଯିବ। ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍ ମାମଲା ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।
ଯେମିତି ଭୁବନେଶ୍ବର ଲିଙ୍ଗରାଜ ଥାନା ଶ୍ରୀରାମନଗରର ଘଟଣା। ଦିନକ ତଳେ ଷ୍ଟେଟ୍ ବ୍ୟାଙ୍କ୍ ର ଏଟିଏମ୍କୁ ଟେକିନେଇଥିଲେ ଦୁର୍ବୃତ୍ତ । ଚାରି ଚାରି ଜଣ ଏଟିଏମ୍ ଲୁଟେରା ଟେକିନେଇଗଲେ ଟଙ୍କା ଭର୍ତ୍ତି ମେସିନକୁ। ତା’ପରେ ଏକ ଚୋରି ଅଟୋରେ ଉଠାଇ ନେଇ ମେସିନ ଭିତରେ ଥିବା ଚାମ୍ବରକୁ କାଟିଲେ। ଟଙ୍କା ସବୁ ପାଖରେ ରଖି ମେସିନକୁ ଗଙ୍ଗୁଆ ନାଳରେ ଫିଙ୍ଗି ଫେରାର୍ ହୋଇଗଲେ। ପୋଲିସ ଗଙ୍ଗୁଆ ନାଳରୁ ଏ,ଟି, ଏମ୍ ,ପାଇଲା ସତ, କିନ୍ତୁ ୩ ଦିନ ହୋଇଗଲା ପତ୍ତା ନାହିଁ ଲୁଟେରାଙ୍କର। ସ୍ପେଶାଲ ଟିମ୍ ଗଠନ କରି କମିଶନରେଟ ପୋଲିସ୍ ସେମାନଙ୍କୁ ଖୋଜିବୁଲୁଛି।
ରାଜଧାନୀରୁ ରାଜ୍ୟବ୍ୟାପୀ ଏ,ଟି, ଏମ୍ ,ଲୁଟତରାଜର କାହାଣୀ ଗୋଟିଏ କି ଯୋଡ଼ିଏରେ ସୀମିତ ନୁହେଁ। ୨୦୨୦ ଅକଟୋବର ୧୦ କଥା। ପଟିଆ ଷ୍ଟେସନ୍ ରୋଡ୍ରେ ଏକ ଘରୋଇ ବ୍ୟାଙ୍କର ଏ,ଟି, ଏମ୍,କୁ ଗ୍ୟାସ କଟରରେ କାଟି ଦୁର୍ବୃତ୍ତ ଲୁଟି ନେଇଥିଲେ ନଗଦ ୨୭ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟର କଥା, ଏହି ଘଟଣାରେ ଏଯାଏଁ କେହି ଧରାପଡ଼ିନାହାନ୍ତି। ୨୦୨୩ ଡିସେମ୍ବର ୧୧। ଲିଙ୍ଗରାଜ ମନ୍ଦିର ନିକଟ ଏକ ଏଟିଏମରୁ ୧୫ ଲକ୍ଷ ଓ ଏହାର କିଛିଦିନ ପୂର୍ବରୁ ଲିଙ୍ଗିପୁରରୁ ଲୁଟ୍ ହୋଇଥିଲା ୧୫ ଲକ୍ଷ। କେବଳ ଭୁବନେଶ୍ବର ନୁହଁ, ୨୦୧୮ ଜୁନ ୨୬ରେ ବ୍ରହ୍ମପୁର ଓ ତଳି ଅଞ୍ଚଳର ୫ଟି ଏଟିଏମ୍ କାଉଣ୍ଟର ଭାଙ୍ଗି ୧୭ ଲକ୍ଷ ଲୁଟି ନେଇଥିଲେ ଲୁଟେରା। ସେହିପରି ଗତ ୧୫ ତାରିଖରେ ବୌଦ୍ଧରେ ହୋଇଥିଲା ସିରିଜ୍ ଏ,ଟି, ଏମ୍ ,ଲୁଟ ଚାଲିଛି ରାଜ୍ୟ ସାରା। ୯ ତାରିଖରେ ଢେଙ୍କାନାଳ ପଞ୍ଚୁପଟି ନିକଟ ଏକ ଏଟିଏମକୁ ଗ୍ୟାସ୍ କଟରରେ କାଟି, ଟଙ୍କା ଲୁଟି ପେଟ୍ରୋଲ ଢ଼ାଳି ଜାଳିଦେଇଥିଲେ ଦୁର୍ବୃତ୍ତ। ଏସବୁ ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି, ଢିଲା ସୁରକ୍ଷା ବ୍ୟବସ୍ଥା।
ତେବେ ପୋଲିସର ବାରମ୍ବାର ତାଗିଦ ପରେ ବି କାହିଁକି ସୁରକ୍ଷା ବ୍ୟବସ୍ଥା ପ୍ରତି ଢିଲା ମାରୁଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ? ଢିଲା ସୁରକ୍ଷାକୁ ଢାଲ କରି ଲୁଟ୍ କରୁଛନ୍ତି କି ଦୁର୍ବୃତ୍ତ ? ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଏବଂ ପୋଲିସ ଟିପ୍ସକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ନା ଏଟିଏମ୍ ଲୁଟ୍ ହେଲେ ଟଙ୍କା ଭରୁଥିବା ଥାର୍ଡ ପାର୍ଟି ଜରିଆରେ ବୀମା ମାଧ୍ୟମରେ ଟଙ୍କା ଫେରିପାଇଯାଉଥିବାରୁ ବେପରୁୱା ହେଉଛନ୍ତି ? ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ପୋଲିସ ବି ନିଜ ଦାୟୀତ୍ବରୁ ଓହରିଯାଉନି ତ ? ଏମିତି ସବୁ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।