

ଗୋଟିଏ ପଟେ ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜର୍ମାନୀରେ ପାକିସ୍ତାନର ଆତଙ୍କବାଦୀ ଚେହେରାର ପର୍ଦ୍ଦାଫାସ କରୁଥିଲେ, ତାହାର ଠିକ୍ କିଛି ଘଣ୍ଟା ପରେ ଜର୍ମାନୀର ଦ୍ୱିତୀୟ ବୃହତ୍ତମ ସହର ହାମବର୍ଗରୁ ଏକ ଚାଞ୍ଚଲ୍ୟକର ଖବର ଆସିଲା। ସେଠାରେ ହାମବର୍ଗ କେନ୍ଦ୍ରୀୟ ରେଳ ଷ୍ଟେସନରେ ଜଣେ ମହିଳା ୧୮ ଜଣଙ୍କୁ ଛୁରୀରେ ଆକ୍ରମଣ କରି ଆହତ କରିଛି ।
ଷ୍ଟେସନଟିରେ ଯାତ୍ରୀ ଭିଡ଼ ଥିବା ବେଳେ ୧୩ ଏବଂ ୧୪ ନମ୍ବର ପ୍ଲାଟଫର୍ମ ମଧ୍ୟରେ ଏହି ଘଟଣା ଘଟିଥିଲା। ଜର୍ମାନ ପୋଲିସର ସୂଚନା ଅନୁଯାୟୀ ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଏବଂ କେତେଜଣଙ୍କୁ ତୁରନ୍ତ ସର୍ଜିକାଲ ୟୁନିଟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ବୟସ ୧୯ ରୁ ୮୫ ବର୍ଷ ମଧ୍ୟରେ। ଆକ୍ରମଣକାରୀ ମହିଳାଙ୍କୁ ଘଟଣାସ୍ଥଳରେ ଅଟକ ରଖାଯାଇଛି। ଏହି ମହିଳାଙ୍କ ବୟସ ୩୯ ବର୍ଷ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ।
ଏହି ଘଟଣା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ଯେତେବେଳେ କି ଜୟଶଙ୍କର ଜର୍ମାନୀର ଏକ ମଞ୍ଚରେ ପାକିସ୍ତାନକୁ କୋଣଠେସା କରି କହିଥିଲେ ଯେ, “ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କର, ତେବେ ଯାଇ ବିଶ୍ୱ ତୁମକୁ ଗମ୍ଭୀରତାର ସହ ନେବ। ଜୟଶଙ୍କର ଏହା ମଧ୍ୟ କହିଥିଲେ ଯେ ଭାରତ ଆଉ ଆତଙ୍କବାଦ ପ୍ରସଙ୍ଗରେ ଚୁପ୍ ରହିବ ନାହିଁ।”
ପୂର୍ବରୁ ଏପରି ଘଟଣା ଘଟିଛି
ଏହା ପ୍ରଥମ ଥର ନୁହେଁ ଯେ ହାମବର୍ଗ ରେଳ ଷ୍ଟେସନରେ ଏପରି ହିଂସାକାଣ୍ଡ ପ୍ରଥମ ଥର ପାଇଁ ଘଟିଛି। ୨୦୧୮ ମସିହାରେ ମଧ୍ୟ ଜଣେ ଯୁବକ ଷ୍ଟେସନରେ ତାଙ୍କ ସ୍ତ୍ରୀ ଏବଂ ନିର୍ଦ୍ଦୋଷ ଝିଅକୁ ଛୁରୀରେ ହତ୍ୟା କରିଥିଲେ। ଶୁକ୍ରବାର ହୋଇଥିବା ଏହି ଆକ୍ରମଣ ଘଟଣାରେ ଆତଙ୍କବାଦୀ ସମ୍ପୃକ୍ତି ଅଛି କି ନାହିଁ , ତାହାର ତଦନ୍ତ କରାଯାଉଛି। ଘଟଣା ପରେ ଷ୍ଟେସନରେ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଥିଲା ଏବଂ ପ୍ଲାଟଫର୍ମଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା। ଜର୍ମାନ ଗଣମାଧ୍ୟମରେ ଆକ୍ରମଣକାରୀଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ, କିନ୍ତୁ ସୋସିଆଲ ମିଡିଆରେ ଏହାକୁ 'ଘୃଣ୍ୟ ଆକ୍ରମଣ' ବୋଲି କୁହାଯାଉଛି।
ପ୍ରଶ୍ନ ଉଠୁଛି ଯେ କଣ ଜର୍ମାନୀ ଭଳି ଏକ ବିକଶିତ ଦେଶରେ ମଧ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକ ଆଉ ସୁରକ୍ଷିତ ନୁହେଁ ? ୟୁରୋପରେ ବୃଦ୍ଧି ପାଉଥିବା ଧର୍ମାନ୍ଧତା କିମ୍ବା ମାନସିକ ଚାପ କ’ଣ ଏପରି ଘଟଣାର କାରଣ ବଢୁଛି ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏପରି ଆକ୍ରମଣରେ କ’ଣ 'କପିକ୍ୟାଟ୍' ପ୍ରବୃତ୍ତି ଦେଖାଯାଉଛି ?