
ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି।ତା ସହିତ ଆଧିନାୟକତ୍ଵରେ ମଧ୍ୟ ତାଙ୍କର ପୂର୍ବର ସେ ତୀକ୍ଷ୍ଣ ଧାର ଆଉ ନାହିଁ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ହାମୁଡେଇପଡିବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ କ୍ରମାଗତ ଭାବେ ଉଭୟ ବ୍ୟାଟିଙ୍ଗ ଆଉ ଅଧିନାୟକତ୍ଵରେ ବିଫଳ ହେବାରେ ଲାଗିଛନ୍ତି। ଏପରି ଦୁଃସ୍ଥିତିରେ ରୋହିତ ଶର୍ମାଙ୍କୁ ଦଳରୁ ପୁରା ବାଦ୍ ଦିଆଯାଉ କି ସେ ଟି- ଟ୍ଵେଣ୍ଟି ପରି ଉଭୟ ଟେଷ୍ଟ ଆଉ ଏକ ଦିବସୀୟ କ୍ରିକେଟରୁ ଅବସର ନିଅନ୍ତୁ ବୋଲି ସାଧାରଣରେ ଦାବି ଉଠିଲାଣି। ବୋର୍ଡ ମଧ୍ୟ ଏ ଦିଗରେ ମୁଣ୍ଡ ଖେଳେଇଲାଣି ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି।
ରୋହିତ କେବଳ ଦିନିକିଆ ଓ ଟେଷ୍ଟ ଖେଳୁଛନ୍ତି। କିନ୍ତୁ ଟେଷ୍ଟରେ ରୋହିତଙ୍କ ସେହି ଚମକ ନାହିଁ। ପିଙ୍କ୍ ବଲ ଟେଷ୍ଟରେ ଭାରତ ହାରିଥିବା ବେଳେ ଗାବାରେ କଷ୍ଟେ ମଷ୍ଟେ ମ୍ୟାଚ୍ ଡ୍ର ହୋଇଥିଲା। ମେଲବର୍ଣ୍ଣ ଟେଷ୍ଟରେ ଭାରତ ୧୮୪ ରନରେ ଅଷ୍ଟ୍ରେଲିଆ ଠାରୁ ହାରିଛି। ଏହି ପରାଜୟ ଭାରତୀୟଙ୍କୁ ବେଶ ବାଧିଛି। କାରଣ ପରାଜୟ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଏକପ୍ରକାରର ଧୂଳିସାତ ହୋଇଯାଇଛି।
ମେଲବର୍ଣ୍ଣରେ ବୋଲରମାନେ ଭାରତକୁ ବିଜୟ ଲାଭର ସୁଯୋଗ ଦେଇଥିଲେ। କିନ୍ତୁ ବ୍ୟାଟରମାନେ ପୁଣିଥରେ ସମସ୍ତଙ୍କୁ ନିରାଶ କଲେ। ପ୍ରଥମ ଇନିଂସରେ ବିଫଳ ହୋଇଥିବା ରୋହିତ ଦ୍ୱିତୀୟ ଇନିଂସରେ ୪୦ ବଲର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ କେବଳ ୯ ରନ କରିବାକୁ ସକ୍ଷମ ହେଲେ। ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଆସିବା ପୂର୍ବରୁ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା। ଏହି ସିରିଜରେ ରୋହିତ ୬ଟି ଇନିଂସରେ ମାତ୍ର ୯୧ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର କେବଳ ୫୨ ରନ ରହିଥିଲା। ସେହିପରି ତାଙ୍କ ଅଧିନାୟକତ୍ଵ ଉପରେ ମଧ୍ୟ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଥିଲେ।
ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ହାରିଥିଲେ ହେଁ ନୂଆ ଆଶା ନେଇ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ପ୍ରଥମ ଟେଷ୍ଟରେ ରୋହିତ ନଥିବାରୁ ଯଶପ୍ରୀତ ବୁମରାହା ଦଳର କମାଣ ସମ୍ଭାଳିଥିଲେ। ଭାରତ ମଧ୍ୟ ଚମତ୍କାର ଢଙ୍ଗରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା। ଦ୍ୱିତୀୟ ମ୍ୟାଚରେ ରୋହିତ ଫେରିବା ସହ ଭାରତର ଅଧିନାୟକ ପଦ ପୁଣି ସମ୍ଭାଳିଥିଲେ। କିନ୍ତୁ ଭାରତର ପରାଜୟର ଧାରା ପିଙ୍କ ବଲ ଟେଷ୍ଟରୁ ଆରମ୍ଭ ହୋଇଥିଲା। ବୁମରାହାଙ୍କ ଅଧିନାୟକତ୍ଵରେ ଭାରତ ୫ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗରେ ଥିଲା। କିନ୍ତୁ ୪ର୍ଥ ମ୍ୟାଚ୍ ଶେଷ ବେଳକୁ ସ୍ଥିତି କଙ୍ଗାରୁ ଟିମ ସପକ୍ଷରେ ୨-୧ ହୋଇଯାଇଛି। ରୋହିତ ୬ଟି ଇନିଂସରେ କେବଳ ୩୧ ରନ କରିଛନ୍ତି। ସେହିପରି ଟିମ ଚୟନକୁ ନେଇ ମଧ୍ୟ ରୋହିତ କାଠଗଡ଼ାରେ ରହିଛନ୍ତି।
ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟରେ କମବ୍ୟାକ ପାଇଁ ସୁଯୋଗ ଦେଇଥିଲା। କିନ୍ତୁ ରୋହିତଙ୍କ ଖରାପ ଅଧିନାୟକତ୍ଵ ପାଇଁ ଏହାର ଫାଇଦା ଦଳ ଉଠାଇ ପାରି ନଥିଲା ବୋଲି ମଧ୍ୟ କୁହାଯାଉଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଏକଦା ୯୧ ରନରେ ୬ଟି ୱିକେଟ ହରାଇଥିଲା। ତଥାପି ଦଳ ୨୩୪ ଯାଏ ଯାଇଥିଲା। କଙ୍ଗାରୁ ଟିମର ନିମ୍ନ ଅର୍ଡର ବ୍ୟାଟରମାନେ ସ୍କୋର କରିଥିବା ବେଳେ ରୋହିତ ପ୍ରଭାବୀ ଢଙ୍ଗରେ ସେମାନଙ୍କ ବିରୋଧରେ କୌଣସି ରଣନୀତି କରିପାରି ନଥିଲେ। ଆକ୍ରମଣାତ୍ମକ କ୍ରିକେଟ ବଦଳରେ ସେ ପ୍ରତିରକ୍ଷାତ୍ମକତା ଉପରେ ବେଶୀ ଦୃଷ୍ଟି ଦେଲେ। ଏଥିଯୋଗୁ ତାଙ୍କୁ କ୍ରିକେଟ ପଣ୍ତିତଙ୍କ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଏ ପର୍ଯ୍ୟନ୍ତ ଖେଳିଥିବା ୬ ଇନିଂସରେ ମାତ୍ର ୩୧ ରନ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଟୁରରେ ତାଙ୍କ ବ୍ୟାଟିଂ ହାର ମାତ୍ର ୬ ରହିଛି। ଏହା କୌଣସି ଭ୍ରମଣକାରୀ ଅଧନାୟକଙ୍କ କ୍ଷେତ୍ରରେ ସବୁଠାରୁ କମ୍ ବ୍ୟକ୍ତିଗତ ସ୍କୋର୍।
ରୋହିତ ଦଳର ଜଣେ ପ୍ରମୁଖ ସଦସ୍ୟ ଓ ଅଧିନାୟକ। ତାଙ୍କର ଏପରି ପ୍ରଦର୍ଶନ କେବଳ ଦଳ ପାଇଁ କ୍ଷତିକାରକ ହେଉନାହିଁ, ବରଂ ସେ ଚୂଡ଼ାନ୍ତ ଏକାଦଶରେ ରହୁଥିବାରୁ ଅନେକ ଉଦୀୟମାନ ପ୍ରତିଭାବାନ ଖେଳାଳି ସାମ୍ନାକୁ ଆସି ପାରୁ ନଥିବା କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। କୁହାଯାଉଛି ଯେ ରୋହିତ ଶର୍ମା ଟେଷ୍ଟରୁ ଅବସର ଘୋଷଣା କରିବାର ସମୟ ଆସିଯାଇଛି। ଏହି ଚର୍ଚ୍ଚାକୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଖୋରାକ ଯୋଗାଇଛନ୍ତି। ରୋହିତଙ୍କ ଭଳି ବିରାଟ କୋହଲି ମଧ୍ୟ କ୍ରମାଗତ ଫେଲ ମାରି ଚାଲିଛନ୍ତି। ହେଲେ ସେ ଆହୁରି ୩ରୁ ୪ ବର୍ଷ ଖେଳିବେ ବୋଲି ଶାସ୍ତ୍ରୀ ଆଶା ରଖିଛନ୍ତି। ପର୍ଥ ଟେଷ୍ଟରେ ବିରାଟ ଶତକ ମାରି ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ।
ଶାସ୍ତ୍ରୀ କହିଛନ୍ତି ଯେ, “ମୁଁ ଭାବୁଛି ବିରାଟ ଆହୁରି କିଛି ବର୍ଷ ଖେଳିବେ। ସେ ଏବେ ଯେଉଁଭଳି ଆଉଟ ହେଉଛନ୍ତି, ସେକଥା ଭୁଲିଯାଅନ୍ତୁ। ମୁଁ ଭାବୁଛି ସେ ଆହୁରି ୩ରୁ ୪ ବର୍ଷ ଖେଳିବେ। ରୋହିତଙ୍କ କଥା ବିଚାରକୁ ନେଲେ, ନିଷ୍ପତ୍ତି ନେବାର ସମୟ ଆସି ଯାଇଛି। ଟପ ଅର୍ଡର ଫୁଟୱର୍କର ଗୁରୁତ୍ୱ ରହିଥାଏ। ରୋହିତଙ୍କ ପାଖରେ ସେ ଫୁଟୱର୍କ ଆଉ ନାହିଁ। ସେ ଏମିତି ଏକ ସମୟରେ ପହଞ୍ଚି ଯାଇଛନ୍ତି, ଯେଉଁଠି ବଲକୁ ମିଡଲିଙ୍ଗ କରିବାରେ ବିଳମ୍ବ ହେଉଛି। ତେଣୁ ସିରିଜ ଶେଷରେ ରୋହିତ ହିଁ ତାଙ୍କ କ୍ୟାରିୟରକୁ ନେଇ ନିଷ୍ପତ୍ତି ନେବେ।” ଶାସ୍ତ୍ରୀଙ୍କ ଏପରି ବୟାନ ପରେ ରୋହିତ ବର୍ଡର-ଗାଭାସ୍କର ଟ୍ରଫି ପରେ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ହେଲେ ରୋହିତ ନିଜ ଅବସର ସମ୍ପର୍କରେ ଓଲଟା କଥା କହିଛନ୍ତି। ବାହାରେ ଅନେକ କଥା କୁହାଯାଉଥିଲେ ହେଁ ସେ ସିଡନୀରେ ଖେଳା ଯିବାକୁ ଥିବା ନୂଆ ବର୍ଷର ଟେଷ୍ଟରେ ଭାରତର କମାଣ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି।
ରୋହିତ ମ୍ୟାଚ୍ ପରେ କହିଛନ୍ତି, “ମୁଁ ସେହିଠାରେ ରହିଛି, ଯେଉଁଠାରେ ମୁଁ ଆଜି ରହିଛି। ଅତୀତରେ କ’ଣ ସବୁ ହୋଇଛି, ସେସବୁ ଭାବିବାର କିଛି କାରଣ ନାହିଁ। ନିଶ୍ଚିତ ଭାବେ କିଛି ମ୍ୟାଚ୍ରର ଫଳାଫଳ ଆମ ସପକ୍ଷରେ ଯାଇନାହିଁ। ଅଧିନାୟକ ହିସାବରେ ଏହା ନିରାଶାଜନକ। ବ୍ୟାଟର ଭାବେ ମଧ୍ୟ ନିରାଶ କରିଛି। ମୁଁ ଅନେକ ଜିନିଷ ଚେଷ୍ଟା କରିଥିଲେ ହେଁ ଏହାର ସୁଫଳ ମିଳିନାହିଁ।”