
ଚାରି ଦିନ ଅନ୍ତରରେ ରାଜ୍ୟରେ ଲଗାତାର ଦୁଇ ଦୁଇଟି ଲଘୁଚାପଜନିତ ବର୍ଷା ରାଜ୍ୟର ଲକ୍ଷାଧିକ ଚାଷୀଙ୍କ ଭାଗ୍ୟକୁ ଲଘୁ କରିଦେଇଛି। ମୁଣ୍ଡ ପିଟୁଛନ୍ତି ଚାଷୀମାନେ। ହଜାର ହଜାର ହେକ୍ଟର ଜମିରେ ପଡ଼ିରହିଛି କଟା ଧାନ। ଚାଷୀ କାଟିପାରୁନି କି ଅମଳ କରିପାରୁ ନାହିଁ। ଏହି ଲଘୁଚାପଜନିତ ବର୍ଷା ଏବେ ସବୁ କିଛି ଛଡ଼ାଇ ନେଇଛି। ଜମିରେ କଟା ହୋଇ ପଡ଼ିଥିବା ଧାନ ଗଜା ଧରିଲାଣି। ଆଉ କେଉଁଠି ବିଲରେ ହିଁ ନଡ଼ା ପଚିଗଲାଣି। ଲଘୁଚାପ ବର୍ଷା ଯୋଗୁ ଉପକୂଳରୁ ପଶ୍ଚିମ ଓଡ଼ିଶା ଅଥବା ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ଚାଷୀ କ୍ଷତିଗ୍ରସ୍ତ।କଣ କରିବେ, ସେହି କଥା ଭାବିହେଉଛନ୍ତି ଚାଷୀମାନେ।ଏବେ କେବଳ ରାଜ୍ୟ ସରକାର ହିଁ ସେମାନଙ୍କର ଭରସା।
ଗୋଟିଏ ପରେ ଗୋଟିଏ ଲଘୁଚାପ ଏବେ ଚାଷୀଙ୍କ ହୋସ ଉଡ଼ାଇ ଦେଇଛି। ପ୍ରଥମେ ଗଜା ମରୁଡ଼ି, ପରେ ଅଭାବୀ ବୃଷ୍ଟି ଆଉ ଏବେ ଅମଳ ସମୟରେ ବର୍ଷା ଭିଜାଇ ଦେଇଛି ଚାଷୀଙ୍କ ବର୍ଷକର ଆହାର। ଧାନ ଫସଲ ଉଜୁଡ଼ିବା ପରେ ସାରା ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ଫସଲର ସୁରକ୍ଷା ପାଇଁ ଚାଷୀମାନେ ମଧ୍ୟ କିଛି କମ୍ ପରିଶ୍ରମ କରୁନାହାନ୍ତି। ଦୁଇ ସପ୍ତାହ ହେଲା ରାତି ଅନିଦ୍ରା ହୋଇ ବିଲରେ ପଡ଼ିରହିଛନ୍ତି। ଜମିରେ କଟା ହୋଇଥିବା ଧାନକୁ ଉପରକୁ ଉଠାଉଥିଲେ ମଧ୍ୟ ବର୍ଷା ମାଡ଼ରେ ତାହା ପୁଣି ଓଦା ହୋଇଯାଉଛି। ଯେଉଁମାନେ କଷ୍ଟେମଷ୍ଟେ ବିଲରୁ ଧାନ ଆଣିଛନ୍ତି ସେମାନେ ବି ଏବେ ନାକେଦମ ହେଉଛନ୍ତି। ଖରା ନ ଥିବାରୁ ଧାନ ଶୁଖି ପାରୁ ନାହିଁ।
କେବଳ ଧାନ ନୁହେଁ, ବରଂ ବର୍ଷାରେ ଭିଜିବା ପରେ ଫୁଲକୋବି ଚାଷ ପ୍ରଭାବିତ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଏବର୍ଷ କୋବି ଚାଷ ଭଲ ହୋଇଥିଲା। ଚାଷୀ ଆଶା ରଖିଥିଲେ ଫୁଲକୋବି ବିକି ଚାଷ ପାଇଁ ଆଣିଥିବା ଋଣ ଟଙ୍କା ପରିଶୋଧ କରିବେ। କିନ୍ ଅଦିନିଆ ବର୍ଷା ସବୁ କିଛି ଧୋଇ ନେଇଛି। ଜମିରେ ଥିବା ଫୁଲକୋବି ବର୍ଷାରେ ଭିଜିବା ପରେ କଳା ଦାଗ ହେବା ସହିତ ଧୀରେ ଧୀରେ ପଚିଯାଉଛି। କଳା ଦାଗ ହୋଇଯାଉଥିବା ଫୁଲକୋବିକୁ ଚାଷୀଙ୍କଠାରୁ କିଣିବାକୁ ବ୍ୟବସାୟୀ ରୋକ୍ଠୋକ ମନା କରିଦେଉଛନ୍ତି। ଅନ୍ୟ ପନିପରିବା ଫସଲ କରି ଚାଷୀ ଦି’ ପଇସା ରୋଜଗାର କରିବାକୁ ଯେଉଁ ଆଶା ରଖିଥିଲା ତାହା ସଫଳ ହୋଇନାହିଁ। ବରଂ ଶାଗମାଛ ଦରରେ କୋବିଗୁଡ଼ିକୁ ବିକ୍ରି କରୁଛନ୍ତି। ଗୋଟା ହିସାବରେ ନୁହେଁ, ବରଂ ଡଜନ ହିସାବରେ କୋବି ବିକ୍ରି କରୁଛନ୍ତି ଚାଷୀ। ପୂର୍ବରୁ ୩ଟି କୋବିକୁ ୧୦୦ ଟଙ୍କାରେ ବିକ୍ରି କରୁଥିବା ଚାଷୀ ଆଜି ରାସ୍ତାପାର୍ଶ୍ବରେ ୧୦୦ ଟଙ୍କାରେ ୧୨ଟି କୋବି ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି।
ଲଗାଣ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ମଧ୍ୟ ବହୁ ପରିମାଣରେ କ୍ଷତିଗସ୍ତ ହୋଇଛି। ହେକ୍ଟର ହେକ୍ଟର ଜମିରେ ଚାଷ ହୋଇଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିଛି। ଅଦିନିଆ ବର୍ଷାରେ ଚିନା ବାଦାମ ଚାଷ ଉଜୁଡ଼ି ଯାଇଛି। ଚାଷ ଜମି ପାଣିରେ ବୁଡ଼ି ରହିଥିବାରୁ ଲାଗିଥିବା ଚାରାଗୁଡ଼ିକ ନଷ୍ଟ ହୋଇଛି। ତେଣୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ପ୍ରଥମେ ବାତ୍ୟା। ତା’ପରେ ବନ୍ୟା। ଆଉ ଏବେ ଅଦିନିଆ ବର୍ଷା ଅଧା ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କିଏ ଋଣ କରି ଚାଷ କରିଥିଲେ ତ ଆଉ କିଏ ମହାଜନଠାରୁ କରଜ ଆଣି ଜମିରେ ସୁନାର ଫସଲ ଫଳାଇଥିଲେ। ଲଗାଣ ବର୍ଷାରେ ଚାଷ ଉଜୁଡ଼ିଯିବା ପରେ ଏବେ ଚାଷୀଙ୍କୁ କେବଳ ରାଜ୍ୟ ସରକାର ଭରସା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଣ୍ଟାଲ୍ ପିଛା ୩୧୦୦ ଟଙ୍କା କରି ରାଜ୍ୟ ସରକାର ବାହାବା ସାଉଁଟିଥିଲେ। ଚାଷୀ ମଧ୍ୟ ଆଶା ରଖିଥିଲେ ଯେତେଶୀଘ୍ର ହେବ ଅମଳ ଧାନ ବିକ୍ରି କରି କିଛି ଟଙ୍କା ରୋଜଗାର କରିବେ। ଋଣ ଟଙ୍କା ସୁଝିବେ। ଧାନ ବିକିବା ପୂର୍ବରୁ ଜମିରେ ହିଁ ନଷ୍ଟ ହୋଇଯାଇଛି। ଲଗାଣ ବର୍ଷାରେ କ୍ଷତିଗସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ଏବେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ କେବେ କ୍ଷୟକ୍ଷତିର ମୂଲ୍ୟାୟନ ହେବ? କେତେ କ୍ଷତିପୂରଣ ମିଳିବ? କ୍ଷତିଗ୍ରସ୍ତ ସବୁ ଚାଷୀ ଏହାର ସୁବିଧା ପାଇବେ ତ? ନା କେବଳ କିଛି ଅଞ୍ଚଳ ସର୍ଭେ କରି କ୍ଷତିପୂରଣ ଦେଇ ରାଜ୍ୟ ସରକାର ଚୁପ୍ ବସିଯିବେ? ଏହି ପରି ଏକାଧିକ ପ୍ରଶ୍ନ ଚାଷୀଙ୍କ ମନ ମସ୍ତିଷ୍କକୁ କବଳିତ କରି ପ୍ରବଳ ମନସ୍ତାପ ଦେଉଛି।