
ଆଜି ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଦଳକୁ ଆଗକୁ ଆଗେଇନେବାର ଗୁରୁମନ୍ତ୍ର ଦେଇଛନ୍ତି।
ଏହି ଅବସରରେ ନବୀନ ଏକ ଚାଞ୍ଚଲ୍ୟକର କଥା ପ୍ରକାଶ କରି କହିଛନ୍ତି ଯେ ସେତେବେଳେ ବହୁ ଲୋକ କହିଥିଲେ ଏଥର ବିଜେଡି ଆଗକୁ ବଢିପାରିବ ନାହିଁ କି ସଫଳ ହେବନାହିଁ। ଆଉ ମୋତେ ମଧ୍ୟ କହିଥିଲେ ଯେ ମୁଁ ରାଜନୀତି କରିପାରିବି ନାହିଁ। ହେଲେ ନିଜସ୍ଵ ପରିଶ୍ରମ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ୫ ଥର ନିର୍ବାଚନ ଜିତି ଆପଣମାନଙ୍କ ସେବା କରିବାକୁ ସୁଯୋଗ ପାଇଛି।
ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା? ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି। ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ଭାଜପା ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ଭାଜପା ଆମଠୁ କମ ଭୋଟ ପାଇଛି । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଏମିତି କହି ଭାଜପା ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ।
ସେ ଆହୁରି କହିଛନ୍ତି, ଆମର ଭୁଲ ହେଲା, ଭାଜପା ମିଛକୁ ଆମେ ଠିକ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ଭାଜପା ମିଛ କଥା କହି କ୍ଷମତା ଦଖଲ କରିଛି ।
ବର୍ତ୍ତମାନର ସରକାର ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପନିପରିବା ସବୁଥିରେ ଦର ବୃଦ୍ଧି ଘଟିଛି। ପ୍ରତି ପରିବାର ଆଜି କାନ୍ଦୁଛି । ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା’ ମାନେ ଦୁଃଖରେ ଅଛନ୍ତି । କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର ବୋଲି ନବୀନ କହିଛନ୍ତି।