


ଗତ ମଙ୍ଗଳବାର ସକାଳ ୬ଟା ୧୦ରେ ପୁରୀରୁ ୨୮୬ କିମି ଦୂର ସମୁଦ୍ର ର ୯୧ କିମି ତଳେ ଭୂକମ୍ପ ବୈଜ୍ଞାନିକ ମାନଙ୍କ ଆଶ୍ଚର୍ଯ୍ୟଚକିତ କରିଛି। ସମୁଦ୍ରର ୯୧ କିମି ତଳେ ଭୂକମ୍ପ କୁ ନେଇ ବଢିଛି ଭୟ। ପୁରୀ ନିକଟ ସମୁଦ୍ର ତଳେ ଫଲ୍ଟ ଲାଇନ୍ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଆଗକୁ ଏପରି ହେଲେ ଭୟଙ୍କର ରୂପ ନେଇପାରେ ଭୂକମ୍ପ। ସମୁଦ୍ର ରେ ଆସିପାରେ ବଡ ସୁନାମି।
ପୂର୍ବରୁ ସମୁଦ୍ର ର ଏତେ ତଳେ ଫଲ୍ଟ ଲାଇନ୍ ଥିବା ନେଇ ସୂଚନା ନ ଥିଲା। ଏହି ଘଟଣା ପରେ ଏହାକୁ ନେଇ ତନାଘନା ଆରମ୍ଭ କରିଚି ନେସନାଲ ସେଣ୍ଟର୍ ଫର୍ ସିଶ୍ମୋଲୋଜି।
ଜିଓ ଲୋଜିକାଆଲ ସର୍ଭେ ଅଫ ଇଣ୍ଡିଆ ଏହାର ଅନୁଧ୍ୟାନ ପାଇଁ ଯେଉଁ ଟିମ୍ ଗଠନ କରିଚି ସେଥିରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବୈଜ୍ଞାନିକ ମାନେ ଅଛନ୍ତି। ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ନେସନାଲ ସେଣ୍ଟର୍ ଫର୍ ଓସେନ୍ ଇନଫର୍ମେଶନ ସର୍ଭିସେସ ର ବୈଜ୍ଞାନିକ ମାନେ କହିଛନ୍ତି ଏଭଳି ଅସ୍ବାଭାବିକ ଭୂକମ୍ପ ଓ ଫଲ୍ଟ ଲାଇନ୍ କୁ ନେଇ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି। ୧୦ ବର୍ଷ ପୂର୍ବରୁ ବଙ୍ଗୋପସାଗରରେ ଅନୁରୂପ ଘଟଣା ଘଟିଥିଲା। ତେଣୁ ସମୁଦ୍ର ତଳେ ଏହି ଅଞ୍ଚଳରେ ଏକ ଫଲ୍ଟ ଲାଇନ୍ ଥିବା ନେଇ ଅନୁମାନ କରାଯାଉଛି।
ଅଧିକାଂଶ ଭୂମିକମ୍ପ ହେବାର କାରଣ ହେଉଚି ଫଲ୍ଟ ବାଉଣ୍ଡରି ରେ ପ୍ଲେଟ୍ ଜଙ୍କସନ୍ ଅବସ୍ଥିତ ଥାଏ। ଏବଂ ଏହା ମଧ୍ୟ କୁହାଯାଏ ଭୂମିକମ୍ପ ଦ୍ଵାରା ଯଦି ଟେକଟନିକ୍ ପ୍ଲେଟ୍ ଫଲ୍ଟ ବାଉଣ୍ଡରୀ ଯଦି ଘୁଞ୍ଚିଯାଏ,ତେବେ ଭୂମିକମ୍ପ ର ପ୍ରବଣତା ବଢିଯାଏ। ପୁରୀ ନିକଟ ସମୁଦ୍ରରେ ଯଦି ଏଭଳି ସ୍ଥିତି ଉପୁଜେ, ତେବେ ସମୁଦ୍ର ଏକ ଭୟଙ୍କର ରୁପ ନେବାର ସମ୍ଭାବନା ରହିଛି।
ଭୁବନେଶ୍ବର ପ୍ରତି ବିପଦ ଆଶଙ୍କା ସର୍ବାଧିକ
ଗତ ୧୦ ବର୍ଷ ଭିତରେ ଅନୁଭୂତ ହେଲା ଭଳି ଦୁଇଟି ଭୂକମ୍ପ। ଆଗକୁ ସତର୍କଘଣ୍ଟି ନୁହେଁ ତ ? ଆଗକୁ କିଛି ବଡ଼ ବିପଦ ଆସିବ କି ? ରାଜଧାନୀ ଭୁବନେଶ୍ବର ପ୍ରତି ଏପରି ବିପଦ ସମ୍ଭାବନା ସର୍ବାଧିକ ବୋଲି କୁହାଯାଉଛି। ବ୍ୟାପକ ସହରୀକରଣ ଏବଂ କଙ୍କ୍ରିଟ ଜଙ୍ଗଲର ନାହିଁ ନ ଥିବା ବିସ୍ତାର ଏହାର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି।
ହୁ ହୁ ହୋଇ ମାଡ଼ି ଚାଲିଛି ଉଚ୍ଚ ଅଟ୍ଟାଳିକା । ୫ ମହଲାରୁ ନେଇ ୨୦ ମହଲା ଯାଏ । ପଟିଆରୁ ପାହାଳ, ଧଉଳିରୁ ଖଣ୍ଡଗିରି ଯୁଆଡ଼େ ଦେଖିବ, ଅଟ୍ଟାଳିକା ପାହାଡ଼ । କିନ୍ତୁ, ଶକ୍ତିଶାଳୀ ଭୂକମ୍ପର ଝଟ୍କାରେ ଧସିଯାଇପାରେ ଅନେକ କୋଠାବାଡ଼ି । ୨୦୧୪ ଭୂକମ୍ପରେ ଅନେକ କୋଠାବାଡ଼ି, ଆପାର୍ଟମେଣ୍ଟ ଦୋହଲି ଯାଇଥିଲା । କାନ୍ଥରେ ଫାଟ ହେବା ସହ ରାଜଧାନୀରେ ଧାଁ ଧପଡ଼ ସ୍ଥିତି ଉପୁଜିଥିଲା । ଏବେ ଭୁବନେଶ୍ୱରରେ ପ୍ରାୟ ୫ ହଜାରରୁ ଅଧିକ ଉଚ୍ଚ ଅଟ୍ଟାଳିକା ଛିଡ଼ା ହୋଇଛି । ସେଥିରୁ ଅନେକ ବିନା ମାଟି ପରୀକ୍ଷା, ଭୂକମ୍ପ ପ୍ରତିରୋଧ ବ୍ୟବସ୍ଥାରେ ନିର୍ମାଣ ହୋଇଛି । କେଉଁଠି ଜଳାଶୟ ପୋତି, ଆଉ କେଉଁଠି ଫମ୍ପା ଭୂଖଣ୍ଡ ଉପରେ। କେତେବେଳେ କିଛି ବି ହୋଇପାରେ ।
ଭୁବନେଶ୍ୱରରେ ଭୟାନକ ସ୍ଥିତି ଆଣିପାରେ ଭୂକମ୍ପ ଝଟକା। ଯେଉଁ ଅଞ୍ଚଳରେ ଶହ ଶହ ଆକାଶଛୁଆଁ ଅଟ୍ଟାଳିକା ଛିଡ଼ା ହୋଇଛି, ସେଇ ଅଞ୍ଚଳକୁ ବିପଦ ବେଶୀ । ନନ୍ଦନକାନନ, ଧଉଳି, କୁଆଖାଇ ଅଞ୍ଚଳରେ ଉଚ୍ଚ କୋଠାବାଡ଼ିକୁ ସର୍ବାଧିକ କ୍ଷତିଗ୍ରସ୍ତ କରିପାରେ ଭୂମିକମ୍ପ । ଖୋର୍ଦ୍ଧା, ଯାଁଳା, ପିତାପଲ୍ଲୀ ଇଲାକା ମଧ୍ୟ ରହିଛି ଭୂକମ୍ପର ବିପଦପୂର୍ଣ୍ଣ ଜୋନ୍ ରେ । ଏଠି ବି ବଡ଼ ଧରଣର କ୍ଷୟକ୍ଷତି ଆଶଙ୍କା ରହୁଛି । ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ନେଇ ସତର୍କ କରାଇ ଦେଇଛି ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ (ଜିଏସ୍ଆଇ) । ନନ୍ଦନକାନନ, ରଘୁନାଥପୁର, ଧଉଳି ଓ କୁଆଖାଇ ନଈ ପାର୍ଶ୍ୱ ଅଞ୍ଚଳର ୨୨ ବର୍ଗ କିଲୋମିଟର ଅଞ୍ଚଳକୁ ଜିଏସ୍ଆଇ ଅତ୍ୟଧିକ ସମ୍ବେଦନଶୀଳ ଜୋନ୍ ଭାବେ ଚିହ୍ନଟ କରିଛି । ଖୋର୍ଦ୍ଧା, ପିତାପଲ୍ଲୀ ଓ ଯାଁଳା ସମେତ ଭୁବନେଶ୍ୱରର ଦକ୍ଷିଣରେ ଥିବା ୫୫ ବର୍ଗ କିଲୋମିଟର ଅଞ୍ଚଳକୁ ଅଧିକ ସମ୍ବେଦନଶୀଳ ଜୋନ୍ ରେ ରଖାଯାଇଛି ।
ଚିନ୍ତାର ବିଷୟ ହେଲା- ଏହି ଦୁଇଟି ଜୋନ୍ ରେ ଥିବା ଅଞ୍ଚଳକୁ ଭୁବନେଶ୍ୱର ଦ୍ରୁତ ଗତିରେ ମାଡ଼ି ଚାଲିଛି । ନନ୍ଦନକାନନ, ରଘୁନାଥପୁର ଅଞ୍ଚଳ ଆପାର୍ଟମେଣ୍ଟ ସହର ଭାବେ ମୁଣ୍ଡ ଟେକିଛି । ଗତ ଦୁଇ ଦଶନ୍ଧି ଭିତରେ ଶହଶହ ଉଚ୍ଚ ଅଟ୍ଟାଳିକା ଛିଡ଼ା ହୋଇଛି ଏ ଅଞ୍ଚଳରେ । ବହୁ ଜାତୀୟ ସ୍ତରର ରିୟଲ ଇଷ୍ଟେଟ ସଂସ୍ଥା ହାଉସିଂ କମ୍ପେ୍ଲକ୍ସ ଛିଡ଼ା କରିଛନ୍ତି । କୁଆଖାଇ ନଦୀ ପାର୍ଶ୍ୱ ହଂସପାଳ, ପାଣ୍ଡରା, ସତ୍ୟବିହାର, ରୁଦ୍ରପୁର, ପାହାଳ ଅଞ୍ଚଳକୁ ମଧ୍ୟ ଭୟ ରହୁଛି । ଏ ସବୁ ଅଞ୍ଚଳରେ ଥିବା କୋଠାବାଡ଼ି ଯଦି ଠିକ୍ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିନଥିବେ, ବିପଦମୁହାଁ ହେବେ । ଧଉଳି ଅଞ୍ଚଳରେ ଗଢ଼ି ଉଠିଥିବା ଶହ ଶହ କୋଠାବାଡ଼ି ବି ରହିଛି ବିପଦର ଆଁ ଭିତରେ । ଖୋର୍ଦ୍ଧା, ପିତାପଲ୍ଲୀ ଓ ଯାଁଳା ଅଞ୍ଚଳରେ ରିୟଲ ଇଷ୍ଟେଟ ବେପାର ଏବେ ଜୋରଦାର । ବହୁ ସଂଖ୍ୟାରେ ଶିକ୍ଷାନୁଷ୍ଠାନ ମଧ୍ୟ ଗଢ଼ି ଉଠିଛି । ଭୂକମ୍ପ ଝଟ୍କାରେ ଏହି ଅଞ୍ଚଳ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହୁଛି । ଏହି ଅଞ୍ଚଳକୁ ଲାଗିଥିବାରୁ ଗଙ୍ଗପଡ଼ା, ମୁଣ୍ଡମୁହାଣ, ତମାଣ୍ଡୋ ଓ ଆଇଗିଣିଆ ଅଞ୍ଚଳକୁ ମଧ୍ୟ ଭୂକମ୍ପ ଭୟ ରହିଛି ।
ବିପଦଜନକ ଜୋନ୍ – ୩ ରେ ଭୁବନେଶ୍ୱର
……………………………………………………………………..
ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍ରେ ସ୍ଥାନ ପାଇଛି। ସେଥିମଧ୍ୟରୁ କିଛି ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍-୨ରେ ଆସୁଥିବା ବେଳେ ଭୁବନେଶ୍ବର ପରି ସହର ଏବେ ଜୋନ୍-୩ରେ ଅଛନ୍ତି।
ଅହମଦାବାଦ ଓ ଜବଲପୁର ସହର ଯେପରି ଅତି ସମ୍ବେଦନଶୀଳ ଭୂମିକମ୍ପ ଜୋନ୍ ରେ ରହିଛି, ଓଡ଼ିଶାର ସ୍ଥିତି ମଧ୍ୟ ତାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ଭୂମିକମ୍ପ ଦୃଷ୍ଟିରୁ ଦୁଇ ଦଶନ୍ଧି ହେଲା ଭୁବନେଶ୍ବର ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ନାହିଁ। ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଅନୁରୋଧକ୍ରମେ ବିଲ୍ଡି˚ ମାଟେରିଆଲ୍ସ ଟେକ୍ନୋଲୋଜି ପ୍ରମୋସନ୍ କାଉନ୍ସିଲି˚ ପକ୍ଷରୁ ଭୂକମ୍ପ ନିରୋଧୀ ଗୃହନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଥିଲେ ମଧ୍ୟ ଭୁବନେଶ୍ବରରେ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବିନା ବାଧାରେ ଉଚ୍ଚ ଅଟ୍ଟାଳିକା ଛିଡ଼ା ହେଉଥିବାରୁ ଆଗାମୀ ଦିନରେ ସହରବାସୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
୨୦୦୧ରେ ଭୂମିକମ୍ପ ଯୋଗୁଁ ଅହମଦାବାଦ ଓ ଜବଲପୁରରେ ବ୍ୟାପକ ଧନଜୀବନ କ୍ଷତି ହୋଇଥିଲା। ରାସ୍ତା ଫାଟିବା ସହ ଶତାଧିକଙ୍କ ପ୍ରାଣହାନି ଘଟିଥିଲା। ତାହାକୁ ଦେଖି ଭୁବନେଶ୍ୱର ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଥିବାରୁ ୨୦୦୧ ମାର୍ଚ୍ଚ ୩ରେ ବିଡିଏ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କାନପୁର ଆଇଆଇଟିର ବିଶେଷଜ୍ଞ ସାମିଲ ହୋଇ ଭୁବନେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସହର ଭୂମିକମ୍ପ ଦ୍ବାରା କିଭଳି ବ୍ୟାପକ କ୍ଷତିଗ୍ରସ୍ତ ନ ହେବ ସେଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଦୁଃଖର ବିଷୟ ହେଉଛି ଯେ ସହରବାସୀଙ୍କ ଧନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପରିବର୍ତ୍ତେ ବିଡିଏ କର୍ତ୍ତୃପକ୍ଷ ଲୋକଙ୍କୁ ବିପଦରେ ପକାଇବାକୁ ଅଟ୍ଟାଳିକା ନିର୍ମାଣ ପାଇଁ ଉଚ୍ଚତା ସୀମା ଆକାଶ ଛୁଆଁ କରିବାକୁ ବ୍ୟବସ୍ଥା କରିଦେଇଛନ୍ତି।
ବି,ଡି,ଏ,ର ସର୍ବକ୍ଷମା ନୀତି ଭୂକମ୍ପକୁ ନିମନ୍ତ୍ରଣ କରିବ ?
……………………………………………………………………
ସୂଚନାଯୋଗ୍ୟ ଯେ ୨୦୦୦ ମସିହା ପୂର୍ବରୁ ବିଡିଏ ଦ୍ବାରା ୩୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଗୃହନିର୍ମାଣ ନକ୍ସା ଅନୁମୋଦନ ବ୍ୟବସ୍ଥା ଥିଲା। ତେବେ ସମ୍ଭାବ୍ୟ ଭୂମିକମ୍ପ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୦୧ରେ ପୂର୍ବ ନିୟମର ପରିବର୍ତ୍ତନ ବହୁତଳ ଅଟ୍ଟାଳିକାର ସର୍ବୋଚ୍ଚ ଉଚ୍ଚତା ୨୭ ମିଟର ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ଏଥିରେ ପରିବର୍ତ୍ତନ ଅଣାଯାଇ ଗୃହନିର୍ମାଣ ନକ୍ସା ଅନୁମୋଦନ ଲାଗି ଉଚ୍ଚତାର କୌଣସି ସୀମା ବାଧକ ହେବ ନାହିଁ ବୋଲି କୁହାଯାଇଛି। ପରିଣାମ ସ୍ବରୂପ ଏବେ ବିଲ୍ଡରମାନେ ମନଇଚ୍ଛା ଅଟ୍ଟାଳିକାର ଉଚ୍ଚତା ବଢ଼ାଇ ଚାଲିଛନ୍ତି। ଉଚ୍ଚ ଅଟ୍ଟାଳିକା ନିର୍ମାଣ ଦ୍ବାରା ବହୁ ଜଳ ବ୍ୟବହାର ହେବ। ଫଳରେ ଉପରିସ୍ଥ ଭୂଭାଗ ଭାରସାମ୍ୟ ହରାଇ ଭୂମିକମ୍ପ ସୃଷ୍ଟି କରିବ। ବେଙ୍ଗାଲୁରୁ ସହରରେ ଅନେକ ବହୁତଳ ପ୍ରାସାଦ ନିର୍ମାଣ କରାଯିବା ଦ୍ବାରା ଜଳସ୍ତର ସାଂଘାତିକ ହ୍ରାସ ପାଇଛି। ତେଣୁ ଗତବର୍ଷ ସହରରେ ବହୁତଳ ପ୍ରାସାଦ ନିର୍ମାଣକୁ ନିଷେଧ କରାଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର କହିଛନ୍ତି। ୨୦୧୪ରେ ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ କହିଥିଲେ ଯେ, ଭୂମିକମ୍ପ ସମ୍ଭାବନାକୁ ବିଚାରକୁ ନେଇ ବିଡିଏ ଅଞ୍ଚଳରେ ୨୭ ମିଟରରୁ ଅଧିକ ଉଚ୍ଚତାର ଘର ନ କରାଯିବା ଲାଗି କୌଣସି ପ୍ରସ୍ତାବ ନାହିଁ। ବରଂ ୩୦ ମିଟର କିମ୍ବା ଏହାଠାରୁ ଅଧିକ ଉଚ୍ଚର ଅଟ୍ଟାଳିକା ନିର୍ମାଣ ନକ୍ସା ଅନୁମୋଦନ ନିମନ୍ତେ ରାଜ୍ୟ ରିସୋର୍ସ ସେଣ୍ଟର କିମ୍ବା ସରକାରୀ ବୈଷୟିକ ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଡିଜାଇନ୍ ବ୍ୟବସ୍ଥା ରଖାଯାଇଛି। ଏହାଦ୍ବାରା ଭୂକମ୍ପ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ୍ୟ କରିବାର କ୍ଷମତା ଅଟ୍ଟାଳିକାର ରହିପାରିବ।
ଅଶୋକନଗରର ବାସୀନ୍ଦାମାନଙ୍କ କହିବାନୁଯାୟୀ ବିଡିଏର ସର୍ବକ୍ଷମାନୀତି ଯୋଗୁଁ ବେଆଇନ ଅଟ୍ଟାଳିକା ନିର୍ମାଣ ବଢ଼ୁଛି। ନିର୍ମାଣକାରୀ ଆପାର୍ଟମେଣ୍ଟ ମାଲିକ ଏହାଦ୍ବାରା ଲାଭବାନ ହେଉଛନ୍ତି। ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବାକୁ ଉତ୍ସାହିତ କରୁଛନ୍ତି। ବିଡିଏ ସର୍ବକ୍ଷମାନୀତି ଦ୍ବାରା ବେଆଇନ ନିର୍ମିତ ଆପାର୍ଟମେଣ୍ଟ ଆଇନ ସମ୍ମତ ପ୍ରକାଶ ପାଉନାହିଁ। ହାଇଦ୍ରାବାଦରେ ବେଆଇନ ଘର ନିର୍ମାଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଥାନା ପ୍ରତିଷ୍ଠା ହୋଇଛି। ମାତ୍ର ଓଡ଼ିଶା ସରକାର ବେଆଇନ ନିର୍ମାଣ ରୋକିବା ଦିଗରେ କିଛି କରି ନାହାନ୍ତି। ଏବେ ସମୟ ଆସୁଛି ରାଜଧାନୀବାସୀଙ୍କୁ ଭବିଷ୍ୟତରେ ଭୂମିକମ୍ପ ବିପତ୍ତିରୁ ରକ୍ଷା କରିବା ଏବଂ ଉଚ୍ଚ ଅଟ୍ଟାଳିକାର ଉଚ୍ଚତା ୨୧ ମିଟରରୁ ଅଧିକ ନକରିବାକୁ ସେମାନେ ଦାବି କରିଛନ୍ତି।