

ଆଲେଖ୍ୟ – ଜବାହର ମିଶ୍ର
ସମୟ ଏବେ ନବୀନଙ୍କ ସାଥ୍ ଦେଉନାହିଁ, ଯେମିତି ୮ ମାସ ପୂର୍ବେ ଦୀର୍ଘ ୨୪ ବର୍ଷ ସୁଖଦ ସାଥ୍ ଦେଇଥିଲା। କରଛଡା ଦେଇଛି ସମୟ। ଫଳରେ ଦଳ ଭିତରେ ବାହାରେ କେହି ତାଙ୍କୁ ଆଗ ପରି ଆଉ ମାନ୍ୟ କରୁନାହାଁନ୍ତି କି ଗଣ୍ୟ କରୁନାହାଁନ୍ତି।
ଯେଉଁ ନବୀନଙ୍କୁ ଦେଖିଲେ ବାଘ ବି ଲାଙ୍ଗୁଳ ହଲାଉଥିଲା ଆଉ ତାଙ୍କ ନାଲି ଆଖି ଦେଖିଲେ ବିଜେଡ଼ି ନେତାଙ୍କ ପିଳେହି ପାଣି ହୋଇ ଯାଉଥିଲା , ଏବେ ସେମାନେ କୁଆଡେ ଆଗ ପରି ତାଙ୍କୁ ଆଉ ଖାତିର କରୁନାହାନ୍ତି । ସତେଯେମିତି କ୍ଷମତାରୁ ଯିବା ପରେ ନବୀନ ଅସହାୟ ହୋଇପଡ଼ିଛନ୍ତି ।
ଏହାର ସୁଯୋଗ ନେଇ ଯୁବ ଓ ବରିଷ୍ଠ ନେତାମାନେ ମେଳି ବାନ୍ଧି ରୁଦ୍ଧଦ୍ୱାର ବୈଠକ କରୁଥିବା ଦେଖିବାକୁ ମିଳୁଛି ।
ବିଜୁ ଜନତା ଦଳ ଦୀର୍ଘଦିନ ଧରି କ୍ଷମତାରେ ରହିବା ପଛରେ ଗୋଟିଏ ବଡ ସଶକ୍ତ କାରଣ ରହିଛି । ତାହା ହେଉଛି ଦଳରେ No to infighting ତଥା ଗୋଷ୍ଠୀକନ୍ଦଳକୁ ନାଁ । ବିଧାୟକ ହୁଅନ୍ତୁ କି ସାଂସଦ ଅବା ମନ୍ତ୍ରୀ ହୁଅନ୍ତୁ, ଯିଏ ଯେତେ ବତ ହସ୍ତୀ ହୁଅନ୍ତୁ, ସମସ୍ତଙ୍କ ପାଇଁ ନବୀନ ଲକ୍ଷ୍ମଣରେଖା ଟାଣିଥିଲେ । କିନ୍ତୁ କ୍ଷମତାରୁ ଯିବା ପରେ ବିଜେଡ଼ି ନେତାମାନେ ଏହି ଲକ୍ଷ୍ମଣରେଖାକୁ ଆଉ ଖାତିର ନକରି ତାକୁ ଡେଇଁ ବାହାରକୁ ବାହାରିଯାଇଛନ୍ତି। ଫଳରେ ଏକ ପ୍ରକାରେ Yes to infighting ଅବସ୍ଥାକୁ ଚାଲିଆସିଛନ୍ତି । ଯେଉଁଥିପାଇଁ ଏବେ ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି ।
ଯୁବ ଓ ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଯାଇଛନ୍ତି । ଏକାଠି ହୋଇ ପରୋକ୍ଷରେ ଶକ୍ତି ପ୍ରଦର୍ଶନ କରିବାକୁ ବି ପଛାଉନାହାନ୍ତି । ଗତ ସୁବାସ ବୋଷ ଜୟନ୍ତୀରେ କଟକରେ ଏମିତି କିଛି ଯୁବ ନେତା ଏକାଠି ହୋଇଥିଲେ । ଦେବୀ ରଞ୍ଜନ ତ୍ରିପାଠୀ, ସୁନୀଲ ମହାନ୍ତି, ଚନ୍ଦ୍ରସାରଥି ବେହେରା, ରୁଦ୍ର ପ୍ରତାପ ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ରାଜା ସ୍ୱାଇଁଙ୍କ ପୁତୁରା ଆଦିତ୍ୟ ପ୍ରତାପ ସ୍ୱାଇଁ ପ୍ରମୁଖ ଏକାଠି ହୋଇଥିଲେ । ଖାଲି ସେତିକିନୁହେଁ ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ଯୁବ ନେତାଙ୍କ ମେଳି ଦେଖିବାକୁ ମିଳିଥିବାବେଳେ ଏଇ ନିକଟରେ ଆସାମରେ ବି ମେଳି ବାନ୍ଧିଥିଲେ । ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ନେତାଙ୍କ ଭେଟଘାଟ ରାଜନୀତିକ ପରିବେଶକୁ ଉତ୍ତପ୍ତ କରିଦେଇଛି ।
ଏହାର କାରଣ କଣ ?ସେ ସମ୍ପର୍କରେ ରାଜନୈତିକ ପଣ୍ଡିତବର୍ଗ କହନ୍ତି ଯେ କେଉଁଠି ନା କେଉଁଠି ଦଳ ଉପରେ ଆଉ ଦଳର ମୁଖିଆଙ୍କ ପ୍ରତି ବିଜେଡ଼ି ନେତାଙ୍କ ଆସ୍ଥା କମି କମି ଯାଉଛି । କାହିଁକି ନା ଗତ ନିର୍ବାଚନରେ ହାରିବା ପରେ ବିଜେଡ଼ିରେ ସବୁ କିଛି ଠିକ୍ ଚାଲିନାହିଁ । ନେତାମାନେ ଦ୍ୱନ୍ଦ୍ୱ ଓ ନିଜ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ଆଶଙ୍କା ଭିତରେ ରହିଥିବା ଦେଖିବାକୁ ମିଳୁଛି । ଏଭଳି କ୍ଷେତ୍ରରେ ଯୁବନେତାମାନେ ଏକାଠି ହୋଇ ଭବିଷ୍ୟତ ପାଇଁ ବାଟ କାଢିବାକୁ ବାଧ୍ୟ ହେଉଛନ୍ତି । ଏକାଠି ହୋଇ ରାଜନୀତି ଓ ବ୍ୟବସାୟକୁ ଆଗକୁ ନେବାକୁ ଯୋଜନା କରିଛନ୍ତି । ଏବେ ଅଳ୍ପ ନେତା ଏକାଠି ହେଉଛନ୍ତି, ଯଦି ନବୀନ ନୀରବ ରୁହନ୍ତି ଆଗାମୀ ଦିନରେ ପ୍ରତି ଜିଲ୍ଳାରେ ବିଜେଡ଼ି ନେତାଙ୍କ ମେଳି ଦେଖିବାକୁ ମିଳିବ । ଯାହାକି ଦଳକୁ ଅଡ଼ୁଆରେ ପକାଇଦେବ ବୋଲି ଆକଳନ କରାଯାଉଛି ।
ମୁଖିଆଙ୍କୁ ନେତାମାନେ ଆଗ ପରି ମାନ୍ୟ ନ କରିବାର ଆଉ କାରଣ ବି ରହିଛି। ତାହା ହେଉଛି ପାଣ୍ଡିଆନ ଫ୍ୟାକ୍ଟର୍ । ଦଳରେ ସମସ୍ତେ ଜାଣନ୍ତି ଯେ ମୁଖିଆ କେବେ ଠାରୁ ବିରାଟ ରାଜାଙ୍କ ଭୂମିକାକୁ ଚାଲିଆସିଛନ୍ତି। ସେନାପତି କୀଚକ ଭୂମିକାରେ ଥିବା ପାଣ୍ଡିଆନ ହିଁ ଏବେ ବି ସର୍ବଶକ୍ତିମାନ। ସେ ନ ହେବାଯାଏ ନବୀନ ହଲନ୍ତିନାହି। ସେ ଯେଉଁ ପୋଜ୍ ରେ ହଲେଇବେ, ମୁଖିଆ ସେହି ପୋଜ୍ ରେ ହଲିବେ।ଆଗେ ସେ ଯେମିତି ପ୍ରକାରେ ହସିଲେ ବି କ୍ଷମତାର ଦଣ୍ଡ ସେତେବେଳେ ତାଙ୍କ ହାତରେ ଥିବାରୁ ତାଙ୍କୁ ସମସ୍ତେ ମାନି ଯାଉଥିଲେ। ଏବେ ଦଣ୍ଡ ହାତରୁ ଖସିପଡିଛି। ଏଣୁ ଏବେ ବାଘ କଣ ହରିଣ ବି ବୋଲ ନ ମାନିବା ଦୁଃସ୍ଥିତି ଦଳରେ ଆସି ଦେଖାଦେଇଛି।