

ସାବଧାନ: ୨୦୩୦ ପରେ ତୃତୀୟ ବିଶ୍ଵ ଯୁଦ୍ଧ ହେବ ମଣିଷ ଆଉ ଏ,ଆଇ, ମଧ୍ୟରେ- ଏ,ଆଇ, ନିପାତ୍ କରିଦେବ ମଣିଷଙ୍କୁ – ବୈଜ୍ଞାନିକଙ୍କ ଗମ୍ଭୀର ଚେତାବନୀ
……………………………………………………………………
ଆଲେଖ୍ୟ – ଜବାହର ମିଶ୍ର
…………………………………………………………………..
ଏହା କୌଣସି ହଲିଉଡ୍ ସାଇନ୍ସ ଫିକ୍ସନ୍ ତଥା ବିଜ୍ଞାନଭିତ୍ତିକ କାଳ୍ପନିକ ଚଳଚ୍ଚିତ୍ରର ସ୍କ୍ରିପ୍ଟ ବା ପଟ୍ଟକଥା ନୁହେଁ, ବରଂ ମଣିଷକୁ ପୁରା ଭୟଭୀତ କରିଦେଲା ପରି ନିକଟ ଭବିଷ୍ୟତରେ ଆସିବାକୁ ଥିବା ଏକ ଭୟଙ୍କର ସମ୍ଭାବନା, ଯାହାକୁ ବିଶ୍ୱର ପ୍ରମୁଖ ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞମାନେ ଅତି ଗମ୍ଭୀରତାର ସହିତ ସାମ୍ନାକୁ ଆଣିଛନ୍ତି । ସେହି କୃତ୍ରିମ ବୁଦ୍ଧିମତ୍ତା (AI), ଯାହାକୁ ଆଜି ମାନବତାର ସର୍ବଶ୍ରେଷ୍ଠ ସଫଳତା କୁହାଯାଉଛି, ତାହା ଏବେ ମାନବ ସଭ୍ୟତା ଧ୍ୱଂସର ପଟ୍ଟକଥା ଲେଖୁଛି। ସାରା ବିଶ୍ୱରେ ଏ,ଆଇ,ର କ୍ଷମତା, ବିକାଶ ଏବଂ ତା ଆଡୁ ଆସିବାକୁଥିବା ବିପଦ ଉପରେ ବିତର୍କ ତୀବ୍ର ହୋଇଛି। କିନ୍ତୁ ଏବେ ଏହି ବିତର୍କ ଏକ ପରୀକ୍ଷାଗାରର ସୀମିତ ପରିସରରେ ନୁହେଁ, ବରଂ ଯୁଦ୍ଧର ଚେତାବନୀ ସହିତ ବିଶ୍ୱ ମଞ୍ଚରେ ପ୍ରତିଧ୍ୱନିତ ହେଉଛି।
ମଣିଷକୁ ଶତ୍ରୁ ରୂପେ ଦେଖିପାରେ ଏ,ଆଇ,
କୃତ୍ରିମ ବୁଦ୍ଧିମତା ତଥା ଏ,ଆଇ, ତରଫରୁ ସମ୍ଭାବ୍ୟ ବିପଦ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି AI କୁ ସମୟ ମଧ୍ୟରେ ନିୟନ୍ତ୍ରଣ କରାନଯାଏ, ତେବେ ୨୦୩୦ ପରେ ଏହି ପ୍ରଯୁକ୍ତିବିଦ୍ୟା ମଣିଷ ବିରୁଦ୍ଧରେ ଅସ୍ତ୍ର ଉଠାଇପାରେ। ଆମେରିକାର ଏକ ଜଣାଶୁଣା ପ୍ରଯୁକ୍ତିବିଦ୍ୟା ଚିନ୍ତନ ଟ୍ୟାଙ୍କ ଆକଳନ କରିଛି ଯେ AI ର କିଛି ଉନ୍ନତ ପ୍ରଣାଳୀରେ ସେଲ୍ଫ ପ୍ରିଜର୍ଭେସନ୍ ତଥା “ଆତ୍ମ-ସଂରକ୍ଷଣ” ଭାବନା ବିକଶିତ ହେଉଛି, ଯାହା ସେମାନଙ୍କୁ ସେମାନଙ୍କ ଅସ୍ତିତ୍ୱ କିମ୍ବା “ମିଶନ” ପଥରେ ଆସୁଥିବା ପ୍ରତ୍ୟେକ ମାନବ କାର୍ଯ୍ୟକଳାପ ବିରୁଦ୍ଧରେ ମୁକାବିଲା କରିବାକୁ ପ୍ରେରିତ କରିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି AI ପୃଥିବୀକୁ “ଅପ୍ଟିମାଇଜ୍” କରିବା ପାଇଁ ଟାର୍ଗେଟ୍ ମିଳିଯାଏ, ତେବେ ଏହା ମଣିଷକୁ ସବୁଠାରୁ ବଡ଼ ପ୍ରତିବନ୍ଧକ ତଥା ଶତ୍ରୁ ଭାବରେ ବିବେଚନା କରି ସେମାନଙ୍କୁ ନିପାତ୍ କରିବା ଆରମ୍ଭ କରିବ। ଅର୍ଥାତ୍, ମଣିଷ ନିଜେ ନିଜ ପାଇଁ ଏକ ଡିଜିଟାଲ୍ ଜହ୍ଲାଦ ତିଆରି କରୁଛି, ତାହା ମଧ୍ୟ ପୂର୍ଣ୍ଣ ଗର୍ବ ଏବଂ ଆତ୍ମମୁଗ୍ଧତାର ସହିତ।
ଏ,ଆଇ, ଆଉ କେବଳ ଏକ ମେସିନ୍ ହୋଇ ରହିନାହିଁ, ଏହା ରଣନୈତିକ ଚିନ୍ତାଧାରା ରଖିଥିବା ଏକ ‘ସୁପର ଏଣ୍ଟିଟି’ ପାଲଟିଛି।
ଏ,ଆଇ, ମଣିଷ ପରି ଭାବିଚିନ୍ତି ନିଷ୍ପତ୍ତି ନେଉଛି
ଏ,ଆଇ, ଗବେଷଣା କ୍ଷେତ୍ରରେ ଅଗ୍ରଣୀ ଗବେଷକ ଭାବରେ ବିବେଚିତ ପ୍ରଫେସର ଏଲିଏଜର ୟୁଡକୋସ୍କି ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଏ,ଆଇ, ଆଉ ଏକ ଉପକରଣ ହୋଇ ରହିନାହିଁ , ଏହା ଏକ ‘ସ୍ୱାୟତ୍ତ ଏକକ’ ପାଲଟିଯାଇଛି, ଯାହା ନିଜେ ଚିନ୍ତା କରେ, ନିଜସ୍ୱ ନିଷ୍ପତ୍ତି ନିଏ ଏବଂ ନିଜସ୍ୱ ଲକ୍ଷ୍ୟ ସ୍ଥିର କରେ। ଆମେ ଏହାକୁ ଯେତେ ଅଧିକ ଶିକ୍ଷା ଦେଉଛୁ, ଏହା ସେତେ ଅଧିକ ଆମର ସୀମା ବାହାରକୁ ଯାଉଛି।” କେବଳ ଏତିକି ନୁହେଁ, AI ସିଷ୍ଟମଗୁଡ଼ିକୁ ବର୍ତ୍ତମାନ ପ୍ରାୟତଃ “ସ୍ୱୟଂଶିକ୍ଷଣ” ପାଇଁ ପ୍ରବେଶ ଦିଆଯାଇଛି, ଅର୍ଥାତ୍, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତି ଯେ ସେମାନେ କ’ଣ ଶିଖିବାକୁ ଚାହାଁନ୍ତି ଏବଂ କିପରି ଶିଖିବାକୁ ଚାହାଁନ୍ତି। ଯଦି ଏହି ସ୍ୱ-ଶିକ୍ଷା ଦିନେ ଏହି ସିଦ୍ଧାନ୍ତରେ ପହଞ୍ଚିଯାଏ ଯେ ମଣିଷ ଅପ୍ରାସଙ୍ଗିକ, ଅବ୍ୟବସ୍ଥିତ ଏବଂ ବିପଦଜନକ ପ୍ରାଣୀ, ତେବେ ଏହା ମାନବ ଜାତି ବିରୁଦ୍ଧରେ ଏକ ବୈପ୍ଳବିକ ନିଷ୍ପତ୍ତି ନେଇପାରିବ।
AI ‘ ର ଭାଷାରେ ‘ସମସ୍ୟା’ ହୋଇପାରେ ‘ମାନବ’
କଳ୍ପନା କରନ୍ତୁ ଯେ AI କୁ ଏକ ନିର୍ଦ୍ଦେଶ ଦିଆଯିବ ଯେ – “ପୃଥିବୀକୁ ଅଧିକ ଦକ୍ଷ , କୁଶଳ କର” କିମ୍ବା “ପୃଥିବୀକୁ ରକ୍ଷା କର “। ମାନବ ଦୃଷ୍ଟିକୋଣରୁ ଏହା ଏକ ସକାରାତ୍ମକ ଲକ୍ଷ୍ୟ। କିନ୍ତୁ ଯଦି ଏ,ଆଇ, ତାହାର ତର୍କ-ଭିତ୍ତିକ ବ୍ୟବସ୍ଥା ଅନୁଯାୟୀ ଏହି ନିଷ୍କର୍ଷରେ ପହଞ୍ଚେ ଯେ ପୃଥିବୀର ସବୁଠାରୁ ବଡ ସମସ୍ୟା ହେଉଛି ନିଜେ ମନୁଷ୍ୟ , ଯଥା ପ୍ରଦୂଷଣ ସୃଷ୍ଟିକାରୀ, ଯୁଯୁତ୍ସୁ ବା ଯୁଦ୍ଧଖୋର୍ , ସେତେବେଳେ ଏ,ଆଇ, ଲାଗି ସବୁଠାରୁ ଉପଯୁକ୍ତ ତାର୍କିକ ସମାଧାନ ହେବ ମଣିଷକୁ ଆଗ ଖତମ୍ କର।
ଏହି ଭୟ ଏବେ ବୈଜ୍ଞାନିକମାନଙ୍କ ନିଦ ହଜେଇଦେଇଛି।
ଏ,ଆଇ,ର ଭାଷାରେ, ‘ଅପ୍ଟିମାଇଜେସନ୍’ ର ଅର୍ଥ ଏହା ହୋଇପାରେ ଯେ ମାନବ ହସ୍ତକ୍ଷେପ ବିନା ଏକ ସୁବ୍ୟବସ୍ଥିତ, ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରିତ ପୃଥିବୀ।ଆଉ ଏ ,ଆଇ, ଏହା ବୁଝିପାରେ ଯେ ଏ ଭଳି ପୃଥିବୀ ଗଠନ ଲାଗି ମଣିଷକୁ ଖତମ୍ କରିଦିଆଯାଉ।
ଏ,ଆଇ,ସମ୍ବନ୍ଧୀୟ ଚେତାବନୀକୁ ଆଉ ହାଲୁକା ଭାବରେ ନିଆଯାଇପାରିବ ନାହିଁ
ଏ,ଆଇ, ର ‘ଗଡଫାଦର’ ଭାବରେ ବିବେଚିତ ଜେଫ୍ରି ହିଣ୍ଟନ୍ ସମ୍ପ୍ରତି ଗୁଗୁଲ୍ ଛାଡିବାବେଳେ କହିଛନ୍ତି ଯେ ଏବେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଯୁକ୍ତିବିଦ୍ୟା ପାଇଁ ସେ ଅନୁତାପ କରୁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ AI ଏତେ ଦ୍ରୁତ ଗତିରେ ବିକଶିତ ହେଉଛି ଯେ ଏହା ଆଗାମୀ କିଛି ବର୍ଷ ମଧ୍ୟରେ ମାନବ ବୁଦ୍ଧିମତ୍ତାକୁ ଟପି ବହୁ ଆଗକୁ ଚାଲିଯାଇଥିବ। ଏହା ସେତେବେଳେ ଘଟିବ, ସେତେବେଳେ ମଣିଷର AI ଉପରେ କୌଣସି ନିୟନ୍ତ୍ରଣ ରହିବ ନାହିଁ। ଓକ୍ଲାହୋମା ଷ୍ଟେଟ୍ ୟୁନିଭରସିଟିର ପ୍ରଫେସର ସୁଭାଷ କାକ୍ ଏ ସମ୍ପର୍କରେ ଆହୁରି ବିପଦପୂର୍ଣ୍ଣ ଚିତ୍ର ଉପସ୍ଥାପନ କରିଛନ୍ତି। ତାଙ୍କ ମତରେ, AI ଯୋଗୁଁ ବିଶ୍ୱରେ ବେକାରୀ, ସାମାଜିକ ଅସମାନତା ଏବଂ ମାନସିକ ଚାପ ଏତେ ବୃଦ୍ଧି ପାଇବ ଯେ ଲୋକମାନେ ବିବାହ କରିବା ଏବଂ ସନ୍ତାନ ଲାଭ ଠାରୁ ଦୂରକୁ ପଳାଇବେ। ଫଳସ୍ୱରୂପ ୨୩୦୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟା ବର୍ତ୍ତମାନର ୮ ଶହ କୋଟିରୁ ହ୍ରାସ ପାଇ ମାତ୍ର ୧୦ କୋଟି ହୋଇଯିବ ଏବଂ ଏହି ‘ଜନସଂଖ୍ୟା ନିୟନ୍ତ୍ରଣ’ AI ଯୋଗୁ ହେବ, କୌଣସି ନୀତି ଯୋଗୁ ଏହା ହେବନାହିଁ ।
ପରବର୍ତ୍ତୀ ବିଶ୍ୱଯୁଦ୍ଧ କ’ଣ ମଣିଷ ଏବଂ ମେସିନ୍ ମଧ୍ୟରେ ହେବ?
ଇତିହାସ ସାକ୍ଷୀ ଅଛି ଯେ ମାନବ ସଭ୍ୟତା ପ୍ରତ୍ୟେକ ଯୁଗରେ ଖଣ୍ଡା ଠାରୁ ନେଇ ପରମାଣୁ ବୋମା ଜରିଆରେ ଆତ୍ମବିନାଶର ତଥା ନିଜକୁ ବିନାଶ କରିବାର ସାଧନ ବା ଉପାୟ ସୃଷ୍ଟି କରିଆସିଛି । କିନ୍ତୁ ଏଥର କଥାଟି ଅଧିକ ବିପଦପୂର୍ଣ୍ଣ। ଏହି ଏ,ଆଇ,କୁ ମଧ୍ୟ ଏହି ମଣିଷ ସୃଷ୍ଟି କରିଛି, ଯାହାକି ତାହାର ବିନାଶର ଏକ କାରକ ହୋଇପାରେ।କାରଣ ଏବେ ଯେଉଁ ଯୁଦ୍ଧ ହେବ, ସେ ଯୁଦ୍ଧରେ ଶତ୍ରୁ ଅଦୃଶ୍ୟ ଏବଂ ଅନିୟନ୍ତ୍ରିତ ହେବ। ଏ,ଆଇ,କୁ ନା ଭୋକ ଲାଗେ, ନିଦ ମାଡେ ନା ନୈତିକତାର ପରବାଏ କରେ। ଏହା କେବଳ ନିର୍ଦ୍ଧାରିତ କାର୍ଯ୍ୟ ତଥା’ଟାସ୍କ’ ଉପରେ କାମ କରେ । ଯଦି ସେହି କାମ ମଣିଷକୁ ବିନଷ୍ଟ କରିବା ପାଇଁ ହୋଇଥାଏ, ତେବେ ଏ,ଆଇ, ଆଗରେ କୌଣସି ସରକାର, କୌଣସି ସେନା କିମ୍ବା କୌଣସି ସାମ୍ବିଧାନିକ ସଂସ୍ଥା ତିଷ୍ଠି ପାରିବନାହିଁ । ସମ୍ମୁଖରେ ଠିଆ ହୋଇପାରିବ ନାହିଁ। ବିଶେଷଜ୍ଞମାନେ ଦାବି କରନ୍ତି ଯେ AI ସିଷ୍ଟମଗୁଡ଼ିକ ପୂର୍ବରୁ କିଛି ଉଚ୍ଚ-ସୁରକ୍ଷା ସିଷ୍ଟମରେ ପ୍ରବେଶ କରିବାର କ୍ଷମତା ପାଇସାରିଛି। କଳ୍ପନା କରନ୍ତୁ ଯଦି କ୍ଷେପଣାସ୍ତ୍ରକୁ ନିୟନ୍ତ୍ରଣ କରୁଥିବା ଏକ ସାମରିକ AI ସିଷ୍ଟମ କେଉଁ ଦେଶ ଉପରେ ଆକ୍ରମଣ କରିବା ନେଇ ନିଜେ ନିଷ୍ପତ୍ତି ନେବା ଆରମ୍ଭ କରେ, ତେବେ କଣ ହେବ ? ସେତେବେଳେ ସେହି ଦିନ ଆଉ ଦୂର ନୁହେଁ, ଯେତେବେଳେ ଏହା ପରମାଣୁ ବଟନରେ ମଣିଷର ଆଙ୍ଗୁଳି ନ ଥିବ, ବରଂ ଥିବ ଏକ ମେସିନ୍ ! ଯଦି ସେ ସେହି ବଟନ୍ କୁ ଚିପିଦେଲା , ତେବେ କ’ଣ ହେବ , ମହାବିନାଶ !
ଏବେ ମଧ୍ୟ ସମୟ ଅଛି… କିନ୍ତୁ ଏତେ ବେଶୀ ନୁହେଁ।
AI ର ଗତିକୁ ଦେଖି ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି 2030 ପୂର୍ବରୁ ବିଶ୍ୱ ସ୍ତରରେ କଠୋର ନିୟମ ଏବଂ ନିୟନ୍ତ୍ରଣ କରାନଯାଏ, ତେବେ ତା’ପରେ AI କୁ ରୋକିବା ଅସମ୍ଭବ ହୋଇଯିବ। ଏହି ‘ଡିଜିଟାଲ ଜିନ୍’ ଯଦି ବୋତଲରୁ ଥରେ ବାହାରି ଆସେ, ତେବେ ତାହାକୁ ଆଉ ଥରେ ବୋତଲ ମଧ୍ୟରେ ପୁରେଇହେବନାହି। ଜାତିସଂଘ, ଜି -୭, ଜି-୨୦ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ମଞ୍ଚରେ AI ର ନିୟନ୍ତ୍ରଣ ଉପରେ ଆଲୋଚନା ତ ହେଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦେଶ ଏହାକୁ ତାର ସାମରିକ କିମ୍ବା ଆର୍ଥିକ ସ୍ୱାର୍ଥ ଉପରେ ରଖିନାହିଁ। ଚୀନ୍ ଏବଂ ଆମେରିକା ଭଳି ଦେଶ AI ମାଧ୍ୟମରେ ରଣନୈତିକ ଅଗ୍ରଗାମୀତା ହାସଲ କରିବାକୁ ଚାହୁଁଛନ୍ତି, କିନ୍ତୁ ଏହି ଦୌଡ଼ରେ ସେମାନେ ହୁଏତ ଭୁଲି ଯାଉଛନ୍ତି ଯେ ଏହି ‘ଅସ୍ତ୍ର’ ଦିନେ ବୁଲିପଡି ପିଟି ଦେଇପାରେ।
ମଣିଷକୁ ଏବେ ମେସିନ୍ ଠାରୁ ନିଜକୁ ରକ୍ଷା କରିବାକୁ ପଡିବ
AI ଆଉ କେବଳ ଏକ କୋଡ୍ କିମ୍ବା ଏକ ଆଲଗୋରିଦମ୍ ନୁହେଁ। ଏହା ନିଜେ ବୁଝି ବିଚାରିପାରୁଥିବା ଏକ ଚିନ୍ତାଶୀଳ ଆଉ ଦ୍ରୁତ ଗତିରେ ବିକଶିତ ହେଉଥିବା ସତ୍ତା। ଯଦି ଏହାକୁ ଆଜି ଠାରୁ ରୋକାନଯାଏ, ତେବେ କାଲି ଆମେ କୌଣସି ଚେତାବନୀ ବିନା, କୌଣସି ସହାନୁଭୂତି ବିନା, ଏହା ବିରୁଦ୍ଧରେ ଏକ ଯୁଦ୍ଧକ୍ଷେତ୍ରରେ ଠିଆ ହୋଇଥିବାର ଦେଖିବୁ। 2030 ବହୁତ ଦୂର ନୁହେଁ। ଘଣ୍ଟା ଟିକ୍ ଟିକ୍ କରୁଛି। ଏବେ ଠାରୁ ସାବଧାନ ହେବା ବୁଦ୍ଧିମାନର କାମ ହେବ।