


୨୦ ଏପ୍ରିଲ୍ ୨୦୨୫ରେ, ଏକ ଭୀଷଣ ଭୟ ଉଦ୍ରେକକାରୀ ଖବର ସାରା ବିଶ୍ୱରେ ଚହଳ ଖେଳାଇଦେଇଛି। ଚୀନର ଏହି କାରନାମା ସାମରିକ ଏବଂ ବୈଜ୍ଞାନିକ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚୀନ୍ ଏକ ଅଣ-ପରମାଣୁ ହାଇଡ୍ରୋଜେନ୍ ବୋମାର ସଫଳତାର ସହ ପରୀକ୍ଷଣ କରିଛି, ଯାହା ପରମାଣୁ ଅସ୍ତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ।
ଚୀନ୍ ନ୍ୟୁଜ୍ ୱେବସାଇଟ୍ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଏହି ନୂତନ ଅସ୍ତ୍ର କେବଳ ସାମରିକ ରଣନୀତି ପରିବର୍ତ୍ତନ କରିବାର କ୍ଷମତା ରଖେ ନାହିଁ , ବରଂ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଏକ ନୂତନ ଦିଗ ମଧ୍ୟ ଦେଇପାରିବ।
ଏହି ବୋମାରେ ମ୍ୟାଗ୍ନେସିୟମ୍ ହାଇଡ୍ରାଇଡ୍ ନାମକ ଏକ କଠିନ ହାଇଡ୍ରୋଜେନ୍ ସଂରକ୍ଷଣ ସାମଗ୍ରୀ ବ୍ୟବହାର କରାଯାଇଛି। ପାରମ୍ପରିକ ପରମାଣୁ ବୋମାରେ ୟୁରାନିୟମ କିମ୍ବା ପ୍ଲୁଟୋନିୟମ ଭଳି ରେଡିଓଆକ୍ଟିଭ ସାମଗ୍ରୀ ବ୍ୟବହାର କରାଯାଏ, ଯାହା ବିସ୍ଫୋରଣ ପରେ ପରିବେଶକୁ ଦୀର୍ଘକାଳୀନ କ୍ଷତି ପହଞ୍ଚାଏ। କିନ୍ତୁ ଏହି ନୂତନ ବୋମା ସ୍ୱଚ୍ଛ ଶକ୍ତି ଉପରେ ଆଧାରିତ ଏବଂ ଏହା ରେଡିଓଆକ୍ଟିଭ୍ ଆବର୍ଜନା ଛାଡିଯାଏନାହିଁ। ଏହାର ବିଶେଷତ୍ୱ ହେଉଛି ଯେ ଏହାର ଓଜନ ମାତ୍ର ୨ କିଲୋଗ୍ରାମ, ତଥାପି ଏଥିରେ ପ୍ରଚଣ୍ଡ ବିନାଶକାରୀ ଶକ୍ତି ଅଛି।
'ବ୍ଲୋଟର୍ଚ୍ଚ' ବୋମା-
ଅଣ-ପରମାଣୁ ହାଇଡ୍ରୋଜେନ୍ ବୋମା: ଏହାକୁ ‘ବ୍ଲୋଟର୍ଚ୍ଚ’ ବୋମା ନାମ ଦିଆଯାଇଛି। ଏହା ୧୦୦୦ ସେଣ୍ଟିଗ୍ରେଡ ତାପମାତ୍ରାର ଏକ ଅଗ୍ନିଗୋଲା ସୃଷ୍ଟି କରିବ ଏବଂ ଧାତୁକୁ ତରଳାଇଦେବାର ସାମର୍ଥ୍ୟ ରଖିଥିବା ଦାବି କରାଯାଇଛି। ଏହା ନିଜ ରାସ୍ତାରେ ଆସୁଥିବା ସବୁ କିଛିକୁ ତରଳାଇଦେଇପାରିବ। ଗୋଟିଏ ପଟେ ଏହି ଅସ୍ତ୍ର ଭାରତୀୟ ଉପମହାଦେଶରେ ଅସ୍ତ୍ର ପ୍ରତିଯୋଗିତାକୁ ଆହୁରି ତୀବ୍ର କରିବ ଏବଂ ଅନ୍ୟପଟେ, ଏହା ଆମେରିକା ପାଇଁ ମଧ୍ୟ ଏକ ସତର୍କ ଘଣ୍ଟି।
ନାପାମ୍ ପରି ବୋମା-
ଚୀନର ଏହି ନୂତନ ‘ବ୍ଲୋଟର୍ଚ୍ଚ’ ବୋମାକୁ ନାପାମ ସହିତ ତୁଳନା କରାଯାଇଛି, ଯାହା ଏକ “ଧଳା-ଗରମ” ଅଗ୍ନିଗୋଲା ତିଆରି କରିବାର ଶକ୍ତିସମ୍ପନ୍ନ ହେବା ସହିତ ଏକ ସମ୍ପୂର୍ଣ୍ଣ ଅଞ୍ଚଳକୁ ଧ୍ୱଂସ କରିପାରେ। ଏ ପ୍ରକାରର ବୋମାଗୁଡ଼ିକୁ ଆମେରିକା ଭିଏତନାମ ଯୁଦ୍ଧ ଏବଂ ଇରାକ ଯୁଦ୍ଧରେ ବ୍ୟବହାର କରିଥିଲା।
ହାଇଡ୍ରୋଜେନ୍ ଇନ୍ଧନ ବୋମା-
ଗବେଷକମାନେ ହାଇଡ୍ରୋଜେନ୍ ଇନ୍ଧନ ଉପରେ ଆଧାରିତ ଏହି ଅଣ-ପରମାଣୁ ବିସ୍ଫୋରକ ଅସ୍ତ୍ର ତିଆରି କରିଥିବା ଜଣାପଡ଼ିଛି। ଏହି ବୋମାଟି ପ୍ରାୟ ଦୁଇ କିଲୋଗ୍ରାମ ଓଜନର।
ଟିଏନଟି ଠାରୁ ବହୁ ଅଧିକ ଘାତକ-
ଏହା ଏକ ଟି,ଏନ୍,ଟି, ବିସ୍ଫୋରଣ ଅପେକ୍ଷା ୧୫ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥାଏ। ଏହାକୁ ତିଆରି କରିଥିବା ଦଳ କହିଛନ୍ତି ଯେ ଏହି ବୋମାର ରହସ୍ୟ ହେଉଛି ମ୍ୟାଗ୍ନେସିୟମ୍ ହାଇଡ୍ରାଇଡ୍ ପାଉଡରରେ ତିଆରି , ଯାହା ହାଇଡ୍ରୋଜେନକୁ କଠିନ ରୂପରେ ସଂରକ୍ଷଣ କରେ। ଏହି ମ୍ୟାଗ୍ନେସିୟମ୍ ହାଇଡ୍ରାଇଡ୍ ର ଉତ୍ପାଦନ କରିବା ଏକ ଚ୍ୟାଲେଞ୍ଜିଂ ଏବଂ ବିଶେଷ ଭାବରେ ବିପଜ୍ଜନକ ଥିଲା। ଚୀନ୍ ଏହି ପଦାର୍ଥ ନିର୍ମାଣରେ ରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିଛି ଏବଂ ଏବେ ଏକ ନିରାପଦ ଏବଂ ଶସ୍ତା ପଦ୍ଧତିରେ ପ୍ରତିବର୍ଷ ୧୫୦ ଟନ୍ ଉତ୍ପାଦନ କରିପାରିବା ପାଇଁ ସକ୍ଷମ ଏକ କାରଖାନା ନିର୍ମାଣ କରିଛି।
ପରମାଣୁ ଅସ୍ତ୍ର ପରି ଶୃଙ୍ଖଳ ଗଠନ-
ଏକ ପରମାଣୁ ଅସ୍ତ୍ର ପରି, ଏହି ବୋମା କେବଳ ବିସ୍ଫୋରିତ ହୁଏ ନାହିଁ, ବରଂ ଏକ ତାପଜ ଚେନ୍ ତଥା ଶୃଙ୍ଖଳ ପ୍ରତିକ୍ରିୟା ଭାବରେ କାର୍ଯ୍ୟ କରେ, ଇନ୍ଧନ ସରିବାଯାଏ ଏହା ନିଜର ବିସ୍ଫୋରଣ ଜାରି ରଖିଥାଏ।
ବୋମା କିଏ ତିଆରି କଲେ ?-
ଚୀନ୍ ସୂତ୍ର ଅନୁଯାୟୀ ଏହି ବୋମାକୁ ଚୀନ୍ ଷ୍ଟେଟ୍ ସିପ୍ ବିଲ୍ଡିଂ କର୍ପୋରେସନ ( ସି,ଏସ୍,ଏସ୍,ସି,)ର ୭୦୫ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ କରାଯାଇଛି। ସେମାନେ ଏକ ନିୟନ୍ତ୍ରିତ କ୍ଷେତ୍ର ପରୀକ୍ଷଣରେ ସଫଳତାର ସହ ବୋମାଟିର ବିସ୍ଫୋରଣ କରିଥିଲେ।
ବିସ୍ଫୋରଣ କିପରି ବୃଦ୍ଧି ପାଏ-
ସି,ଏସ୍,ଏସ୍,ସି,ର ୱାଙ୍ଗ ଜୁଫେଙ୍ଗଙ୍କ ଗବେଷକ ଦଳ କହିଛନ୍ତି ଯେ ହାଇଡ୍ରୋଜେନ ଗ୍ୟାସ ବିସ୍ଫୋରଣ ସର୍ବନିମ୍ନ ପ୍ରଜ୍ୱଳନ ଶକ୍ତି ସହିତ ପ୍ରଜ୍ବଳିତ ହୁଏ। ଏହାର ଏକ ବିସ୍ତୃତ ବିସ୍ଫୋରଣ ପରିସର ଅଛି। ଏହା ଦ୍ରୁତ ଗତିରେ ବ୍ୟାପି ବାହାରକୁ ନିଆଁ ଛାଡ଼େ।
ଚୀନ୍ ଏହି ବୋମା କାହିଁକି ତିଆରି କଲା ?-
ଏହି ଅଣ-ପରମାଣୁ ହାଇଡ୍ରୋଜେନ୍ ବୋମା ବିକଶିତ କରିବାରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପି,ଏଲ୍,ଏ,) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରିପୋର୍ଟ ଅନୁସାରେ, ଏହି ଅସ୍ତ୍ରର ଲକ୍ଷ୍ୟ ହେଉଛି ଯୁଦ୍ଧ କୌଶଳକୁ ଅଧିକ ସ୍ୱଚ୍ଛ ଏବଂ ପ୍ରଭାବଶାଳୀ କରିବା। ପରମାଣୁ ଅସ୍ତ୍ର ଉପରେ ବିଶ୍ୱବ୍ୟାପୀ ଅନେକ କଟକଣା ଅଛି, ଏବଂ ସେଗୁଡ଼ିକର ବ୍ୟବହାର ଦ୍ୱାରା ପରିବେଶକୁ ହେଉଥିବା କ୍ଷତି ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ। ଏପରି ପରିସ୍ଥିତିରେ, ଚୀନ୍ ଏପରି ଏକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି, ଯାହା କୌଣସି ରେଡିଓଆକ୍ଟିଭ୍ ପ୍ରଭାବ ବିନା ପରମାଣୁ ଅସ୍ତ୍ରର ଶକ୍ତି ହାସଲ କରିପାରିବ। ଏହି ପରୀକ୍ଷଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ ବିଶ୍ୱ ସ୍ତରରେ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ନେଇ ଆଲୋଚନା ଜୋର ଧରିଛି।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି ବୋମା ବହୁ ବର୍ଷର କଠିନ ପରିଶ୍ରମ ଏବଂ ଗବେଷଣାର ଫଳାଫଳ। ଏହି ପ୍ରଯୁକ୍ତିବିଦ୍ୟା କେବଳ ସାମରିକ କ୍ଷେତ୍ରରେ ନୁହେଁ, ବରଂ ସ୍ୱଚ୍ଛ ଶକ୍ତି ବ୍ୟବହାରରେ ମଧ୍ୟ ବିପ୍ଳବ ଆଣିପାରିବ। ହାଇଡ୍ରୋଜେନକୁ ଭବିଷ୍ୟତର ଇନ୍ଧନ ଭାବରେ ବିବେଚନା କରାଯାଏ, କାରଣ ଏହା ଜଳିବା ସମୟରେ କେବଳ ପାଣି ନିର୍ଗତ କରେ। ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଚୀନ୍ ନିଜର ସାମରିକ ଏବଂ ବୈଜ୍ଞାନିକ କ୍ଷମତାକୁ ବିଶ୍ୱ ସମ୍ମୁଖରେ ପ୍ରତିଷ୍ଠିତ କରିବାକୁ ଚାହୁଁଛି। ଛୋଟ ଆକାର ସତ୍ତ୍ୱେ ଏହି ବୋମାରେ ପ୍ରଚୁର ଦାହିକା ଶକ୍ତି ରହିଛି, ଯାହା ଏହାକୁ ଯୁଦ୍ଧକ୍ଷେତ୍ରରେ ଏକ ବିପଦଜନକ ଅସ୍ତ୍ର କରିଥାଏ। ଏହାର ବିକାଶର ଏକ କାରଣ ଏହା ମଧ୍ୟ ହୋଇପାରେ ଯେ ଚୀନ୍ ଦକ୍ଷିଣ ଚୀନ୍ ସାଗର ଏବଂ ତାଇୱାନ ଭଳି ଅଞ୍ଚଳରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି, ଯେଉଁଠାରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ସହିତ ଏହାର ଉତ୍ତେଜନା ବୃଦ୍ଧି ପାଉଛି। ଏହାର ସାମରିକ ବ୍ୟବହାର ଏହାର ସକାରାତ୍ମକ ସମ୍ଭାବନା ଉପରେ ପ୍ରଶ୍ନ ଉଠାଇଥାଏ। ଭବିଷ୍ୟତରେ ଏହି ପ୍ରଯୁକ୍ତିବିଦ୍ୟା ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି। ପ୍ରଥମ ଚ୍ୟାଲେଞ୍ଜ ହେଉଛି ଯେ ଏହି ପ୍ରଯୁକ୍ତିବିଦ୍ୟାକୁ ସୁରକ୍ଷିତ ରଖିବା। ଯଦି ଏହା ଭୁଲ ହାତରେ ପଡ଼ିଯାଏ, ତେବେ ପରିଣାମ ଭୟଙ୍କର ହୋଇପାରେ। ଦ୍ୱିତୀୟ ଚ୍ୟାଲେଞ୍ଜ ହେଉଛି ଅନ୍ତର୍ଜାତୀୟ ନିୟମ। ପରମାଣୁ ଅସ୍ତ୍ର ପାଇଁ ଅନେକ ଚୁକ୍ତି ଏବଂ ନିୟମ ଅଛି, କିନ୍ତୁ ଏହି ନୂତନ ଅସ୍ତ୍ର ପାଇଁ କୌଣସି ସ୍ପଷ୍ଟ ନିର୍ଦ୍ଦେଶାବଳୀ ନାହିଁ। ତୃତୀୟ ଚ୍ୟାଲେଞ୍ଜ ହେଉଛି ଅନ୍ୟ ଦେଶର ପ୍ରତିକ୍ରିୟା। ଯଦି ଆମେରିକା, ରୁଷ କିମ୍ବା ଅନ୍ୟ ଦେଶ ଏପରି ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଦୌଡ଼ରେ ସାମିଲ ହୁଅନ୍ତି, ତେବେ ଏହା ଏକ ନୂତନ ସାମରିକ ପ୍ରତିଯୋଗିତାକୁ ଜନ୍ମ ଦେଇପାରେ। ଏହାର ଆକାର ଖୁବ୍ ଛୋଟ ତଥା ମାତ୍ର ଦୁଇ କିଲୋ ଓଜନର ହୋଇଥିବାରୁ ଏହାକୁ ହାତରେ ଧରି ନେଇହେବ। ଏହା ବ୍ୟତୀତ, ଏହି ପ୍ରଯୁକ୍ତିର ପ୍ରସାରକୁ ରୋକିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ।