
ଗତକାଲି ଜୟଦେବ ଭବନରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ବିଜୁ ବାବୁଙ୍କ ସହିତ ତାଙ୍କର ବ୍ୟକ୍ତିଗତ, ରାଜନୈତିକ ଅନୁଭବ ବର୍ଣ୍ଣନା କରି କହିଥିଲେ । ଆଉ ବିଜୁ ବାବୁ ତାଙ୍କୁ ୨୧ ଦିନ ପାଇଁ କାହିଁକି ଆରେଷ୍ଟ କରାଇ ଜେଲରେ ପୁରାଇଥିଲେ, ତାହାର ଖୁଲାସା କରିଥିଲେ ।
କନକ ବର୍ଦ୍ଧନ ଏ ସମ୍ପର୍କରେ କହିଲେ ଯେ, ବିଜୁ ବାବୁ ସବୁବେଳେ ତୃଣମୂଳ ସ୍ତରର ଲୋକଙ୍କ ସେବା କରିବା ଉପରେ ଗୁରୁତ୍ବ ଆରୋପ କରୁଥିଲେ । ଥରେ ମୁଁ ବିଜୁ ବାବୁଙ୍କ ଘରକୁ ଯାଇଥିଲି । ବିଜୁ ବାବୁ ମତେ ଏବଂ ପତ୍ନୀ ସଙ୍ଗୀତାଙ୍କୁ ଜଳଖିଆ ଖାଇବାକୁ ଦେଇ କହିଲେ, ତୋତେ ଆରେଷ୍ଟ କରିବି । ମୁଁ କହିଲି, ମୁଁ ଆଇନରୁ ଊର୍ଦ୍ଧ୍ବରେ ନୁହେଁ । ଯଦି କିଛି ଭୁଲ କରିଛି ତେବେ ମତେ ଆରେଷ୍ଟ କରନ୍ତୁ । ତା’ପରେ ମୁଁ ଘରକୁ ଆସିବା ପରେ ପୋଲିସ ମୋତେ ଆରେଷ୍ଟ କରିଥିଲା ।
୨୧ ଦିନ ଜେଲରେ ରହିଲି । ଜେଲରୁ ବାହାରିବା ପରେ ମୋ ଦାଦା ବିକ୍ରମ କେଶରୀ ସିଂହଦେଓଙ୍କୁ କହିଲି ମତେ ବିଜୁ ବାବୁଙ୍କୁ ଭେଟାଅ । ମୁଁ ସ୍ତ୍ରୀକୁ କହିଲି ମୁଁ ଆଜି ବୁଢାକୁ ଶୁଣେଇକି ଆସିବି । ବିକ୍ରମ କେଶରୀ ଦେଓ ମୋତେ ବିଜୁ ବାବୁଙ୍କ ପାଖକୁ ନେଇକି ଗଲେ । ହେଲେ ବିଜୁ ବାବୁ କହିଲେ ଯେ ତୋତେ ମୁଁ ଫ୍ରି' ରେ ପବ୍ଲିସିଟି ଦେଲି । ଯାହା ଦଳ ତୋତେ କେବେ ଦେଇ ପାରିନଥାଆନ୍ତା । ମୁଁ ତାଙ୍କୁ ଧନ୍ୟବାଦ ଦେଲି ଆଉ କହିଲି, ମୁଁ ଆପଣଙ୍କୁ ବିରୋଧ କରୁନି । ଏତିକି କହୁଛି ଯେ, ଖାଲି ବିଜୁ ବାବୁଙ୍କ ନାଁରେ ଓଡ଼ିଶାରେ ଭୋଟ ନାହିଁ । ବିଜେପିର ବି ଅସ୍ତିତ୍ୱ ଅଛି । ତା'ପରେ ବିଜୁ ବାବୁ ମୋତେ କୁଣ୍ଢେଇ ପକେଇଲେ । ୧୯୯୫ରେ ଏକପାଖିଆ ଭାବେ ମୁଁ ଜିତିକି ଆସିଲି ।