


……………………………………………………………………
ଆଜିକୁ ୭୯ ବର୍ଷ ପୂର୍ବେ ଦେଶ ସ୍ଵାଧୀନ ହୋଇଥିଲା। ସେ ସମୟରେ କଣ ସବୁ ଘଟିଥିଲା, ତାହା ଜାଣିବା ଯେତିକି ରୋଚକ, ସେତିକି ଆକର୍ଷଣୀୟ। ୧୪ ଅଗଷ୍ଟ ୧୯୪୭ ରେ ବିଭାଜନ ପରେ ନୂତନ ଦେଶ ପାକିସ୍ତାନ ଗଠିତ ହୋଇଥିଲା। ଏହା ପରଦିନ ଭାରତ। ଯେତେବେଳେ ଧର୍ମ ନାମରେ ଦେଶ ବିଭାଜିତ ହୋଇଥିଲା, ସେତେବେଳେ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବଣ୍ଟନ। ବିଭାଜନ ସମୟରେ ସୈନିକ ଏବଂ ସାମରିକ ସମ୍ପତ୍ତି, କୋଷାଗାର, ରାଜକୀୟ ଯାନବାହାନ, କାର୍ଯ୍ୟାଳୟ ଫର୍ଣ୍ଣିଚର, ଷ୍ଟେସନାରୀ ସାମଗ୍ରୀ, ଏପରିକି ଇଲେକ୍ଟ୍ରିକ ବଲ୍ ବ୍ ଏବଂ କଲମ ଏବଂ ପେନସିଲ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଯେତେବେଳେ ଦେଶ ଧର୍ମ ନାମରେ ବିଭାଜିତ ହୋଇଥିଲା, ସେତେବେଳେ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ବିଭିନ୍ନ ସମ୍ପତ୍ତିର ବଣ୍ଟନ। ଏହି ବିଭାଜନ କିଛି ସ୍ଥାନରେ ହାସ୍ୟାସ୍ପଦ ହୋଇଯାଇଥିଲା। ସେନା, କୋଷାଗାର, ଗାଡ଼ି ଏବଂ ହାତୀ କିପରି ବାଣ୍ଟି ଦିଆଯାଇଥିଲା? ଜୟମଣି ନାମକ ହାତୀ ଉପରେ କାହିଁକି ବିବାଦ ହୋଇଥିଲା? ବ୍ରିଟିଶମାନଙ୍କର ପ୍ରସ୍ଥାନ ଏବଂ ଭାରତ ଏବଂ ପାକିସ୍ତାନର ବିଭାଜନ ସ୍ଥିର ହୋଇଥିଲା। ତା’ପରେ ଜଣେ ବ୍ରିଟିଶ ଓକିଲ ସାର୍ ସିରିଲ୍ ରାଡକ୍ଲିଫଙ୍କୁ ଦୁଇ ଦେଶ ମଧ୍ୟରେ ନୂତନ ସୀମା ନିର୍ଦ୍ଧାରଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହା ସହିତ ଭୌଗୋଳିକ ବିଭାଜନ ସମାପ୍ତ ହୋଇଥିଲା। ତେବେ ପ୍ରଶ୍ନ ଥିଲା ସେନା, ଧନସମ୍ପତ୍ତି ଏବଂ ସାଂସ୍କୃତିକ ଜିନିଷଗୁଡ଼ିକୁ କିପରି ବିଭକ୍ତ କରାଯିବ।
୧୬ ଜୁନ୍ ୧୯୪୭ରେ ପଞ୍ଜାବ ବିଭାଜନ କମିଟି ଗଠନ କରାଯାଇଥିଲା। ଏହାର କାମ ଥିଲା ଅର୍ଥ, ସେନା ଏବଂ ବରିଷ୍ଠ ପ୍ରଶାସନିକ ସେବାକୁ ବିଭାଜନ କରିବା ସହିତ ସେମାନଙ୍କର କାର୍ଯ୍ୟାଳୟ ଏବଂ ଉପକରଣର ବିଭାଜନ କରିବା। ତଥାପି ପରେ ଏହି କମିଟିକୁ ବିଭାଜନ ପରିଷଦ ଭାବରେ ନାମିତ କରାଯାଇଥିଲା, ଯେଉଁଥିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା ମଧ୍ୟ ସାମିଲ ଥିଲେ। ୧୪ ଅଗଷ୍ଟ ୧୯୪୭ରେ ପୁରୁଣା ଭାରତୀୟ ସେନାକୁ ବିଭାଜନ କରିବାର ଆଦେଶ ଆସିଥିଲା। ଏହା ବ୍ରିଟିଶ ଭାରତୀୟ ସେନାର ଶେଷ ଆଦେଶ ଥିଲା। ସୈନିକମାନଙ୍କୁ କୁହାଯାଇଥିଲା ଯେ ସେମାନେ ନିଜ ଇଚ୍ଛା ଅନୁସାରେ ଭାରତ କିମ୍ବା ନବଗଠିତ ରାଷ୍ଟ୍ର ପାକିସ୍ତାନକୁ ବାଛିପାରିବେ। ଏଥିରେ ଏକ ସର୍ତ୍ତ ମଧ୍ୟ ରଖାଯାଇଥିଲା। ଏଚ୍ ଏମ୍ ପଟେଲଙ୍କ ପୁସ୍ତକ ‘ରାଇଟ୍ସ ଅଫ୍ ପାସେଜ୍’ ଅନୁଯାୟୀ ସର୍ତ୍ତ ଥିଲା ଯେ ପାକିସ୍ତାନର କୌଣସି ମୁସଲିମ ଭାରତୀୟ ରାଜ୍ୟରେ ଯୋଗ ଦେଇପାରିବେ ନାହିଁ ଏବଂ ଭାରତର କୌଣସି ଅଣମୁସଲିମ ପାକିସ୍ତାନର ସଶସ୍ତ୍ର ବାହିନୀରେ ଯୋଗ ଦେଇପାରିବେ ନାହିଁ।
ବ୍ରିଟେନର ଜାତୀୟ ସେନା ସଂଗ୍ରହାଳୟର ରିପୋର୍ଟ ଅନୁଯାୟୀ ବିଭାଜନ ପରେ ଦୁଇ-ତୃତୀୟାଂଶ ସୈନିକ ଭାରତରେ ଯୋଗ ଦେଇଥିଲେ ଏବଂ ଏକ-ତୃତୀୟାଂଶ ପାକିସ୍ତାନ ଯାଇଥିଲେ। ଏହିପରି, ୨ଲକ୍ଷ ୬୦ ହଜାର ସୈନିକ ଭାରତୀୟ ସେନାକୁ ବାଛିଥିଲେ ଏବଂ ପ୍ରାୟ ୧ ଲକ୍ଷ ୪୦ ହଜାର ପାକିସ୍ତାନକୁ ବାଛିଥିଲେ। ପାକିସ୍ତାନକୁ ବାଛିଥିବା ଅଧିକାଂଶ ମୁସଲମାନ ଥିଲେ। ଏହି ରିପୋର୍ଟ ଅନୁଯାୟୀ ୯୮ ପ୍ରତିଶତ ମୁସଲମାନ ସୈନିକ ପାକିସ୍ତାନକୁ ନିଜର ଦେଶ ଭାବରେ ବାଛିଥିଲେ , ଯେତେବେଳେ ମାତ୍ର ୫୫୪ ଜଣ ମୁସଲମାନ ଅଧିକାରୀ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ।
ବିଭାଜନ ସମୟରେ ଭାରତୀୟ ସେନାରେ ପ୍ରାୟ ୩୬ ପ୍ରତିଶତ ମୁସଲମାନ ଥିଲେ, ଯାହା ହ୍ରାସ ପାଇ ୨ ପ୍ରତିଶତ ହୋଇଗଲା। ଏଥିରେ ବ୍ରିଗେଡିୟର ମହମ୍ମଦ ଉସମାନ, ବ୍ରିଗେଡିୟର ମହମ୍ମଦ ଅନୀସ ଅହମ୍ମଦ ଖାନ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ଇନାୟତ ହବିବୁଲ୍ଲା ଭଳି କିଛି ଅଧିକାରୀ ଥିଲେ, ଯେଉଁମାନେ ଭାରତକୁ ନିଜର ମାତୃଭୂମି ଭାବରେ ବାଛିଥିଲେ।
ପ୍ରଫେସର ୱାଜିର ଜମିଦାରଙ୍କ ପୁସ୍ତକ ହେଉଛି ‘ଦି ଲଙ୍ଗ୍ ପାର୍ଟିସନ୍ ଆଣ୍ଡ୍ ଦି ମେକିଂ ଅଫ୍ ମଡର୍ଣ୍ଣ ସାଉଥ୍ ଏସିଆ’। ଲକ୍ଷ୍ନୌର ଜଣେ ସୈନିକ ଗୁଲାମ ଅଲି କୃତ୍ରିମ ଅଙ୍ଗ ତିଆରି କରୁଥିଲେ। ବିଭାଜନ ସମୟରେ, ସେ ପାକିସ୍ତାନର ସାମରିକ କର୍ମଶାଳାରେ ଥିଲେ। ତାଙ୍କୁ ଲକ୍ଷ୍ନୌ ଫେରିବାକୁ ମନା କରାଯାଇଥିଲା ଏବଂ ପାକିସ୍ତାନ ସେନାରେ ସାମିଲ କରାଯାଇଥିଲା। ପାକିସ୍ତାନୀ ସେନା ୧୯୫୦ ମସିହାରେ ଗୁଲାମ ଅଲିଙ୍କୁ ବହିଷ୍କାର କରିଥିଲା ଏହା କହି ଯେ ସେ ଜଣେ ଭାରତୀୟ ନାଗରିକ। ଯେତେବେଳେ ସେ ଭାରତ ଫେରି ଆସିଲେ, ତାଙ୍କୁ ଜଣେ ପାକିସ୍ତାନୀ ସୈନିକ ଭାବରେ ବିବେଚନା କରାଯାଇଥିଲା ଏବଂ ବିନା ପରମିଟ୍ ସୀମା ପାର କରିବାଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ୧୯୫୧ ମସିହାରେ ଅଲିଙ୍କୁ ଜେଲରୁ ମୁକ୍ତ କରି ପାକିସ୍ତାନ ପଠାଯାଇଥିଲା। ଅଲି ଉଭୟ ଦେଶର ଜେଲ ଏବଂ ଶରଣାର୍ଥୀ ଶିବିରରେ ଛଅ ବର୍ଷ ବିତାଇଥିଲେ। ଏହା ପରେ, ତାଙ୍କୁ ପାକିସ୍ତାନରେ ଜଣେ ମୁସଲମାନ ସୈନିକ ଭାବରେ ବିବେଚନା କରାଯାଇଥିଲା ଏବଂ ହିନ୍ଦୁ ବନ୍ଦୀମାନଙ୍କ ଶିବିରରେ ରହୁଥିବା ଅଭିଯୋଗରେ ତାଙ୍କୁ ଜେଲ ପଠାଯାଇଥିଲା।
ଅର୍ଥର ଭାଗ ବଣ୍ଟରା୍
ସେନା ବିଭାଜନ ପରେ ଦ୍ୱିତୀୟ ପ୍ରମୁଖ ଚ୍ୟାଲେଞ୍ଜ ଥିଲା ଟଙ୍କା କିପରି ବାଣ୍ଟ ହେବ।ବିଭାଜନ ପରିଷଦ ନିଷ୍ପତ୍ତି ନେଇଥିଲା ଯେ ଉଭୟ ଦେଶ ଲାଗି ଗୋଟିଏ ବର୍ଷ ପାଇଁ ଗୋଟିଏ କେନ୍ଦ୍ରୀୟ ବ୍ୟାଙ୍କ ସେବା ପରିଚାଳନା କରିବ। ଉଭୟ ଦେଶ ୩୧ ମାର୍ଚ୍ଚ ୧୯୪୮ ପର୍ଯ୍ୟନ୍ତ ପ୍ରଚଳିତ ସିକ୍କା (ଖୁଚୁରା ପଇସା)ଏବଂ ମୁଦ୍ରା ( ଟଙ୍କା )ବ୍ୟବହାର କରିବେ। ପାକିସ୍ତାନ ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୧୯୪୮ ମଧ୍ୟରେ ଏକ ନୂତନ ମୁଦ୍ରା ପ୍ରଚଳନ କରିବ, କିନ୍ତୁ ପୁରୁଣା ମୁଦ୍ରା ମଧ୍ୟ ବୈଧ ରହିବ। ତଥାପି ପାକିସ୍ତାନ ସରକାରଙ୍କ ମୋହର ସହିତ ବର୍ଷ ବର୍ଷ ଧରି ସେଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ବ୍ୟବହାର କରାଯାଉଥିଲା।
ଦଲିଲଗୁଡ଼ିକ ଦର୍ଶାଉଛି ଯେ ବିଭାଜନରେ ପାକିସ୍ତାନକୁ ମୋଟ ୭୫ କୋଟି ଟଙ୍କା ଦିଆଯାଇଥିଲା। ଚୁକ୍ତି ଅନୁଯାୟୀ ଭାରତ ୧୫ ଅଗଷ୍ଟ ୧୯୪୭ରେ ପାକିସ୍ତାନକୁ ୨୦ କୋଟି ଟଙ୍କା ଦେଇଥିଲା। ବିଭାଜନ ହେବା ମାତ୍ରେ ପାକିସ୍ତାନରୁ ଆଦିବାସୀ ବେଶରେ ସୈନିକମାନେ କାଶ୍ମୀର ଉପରେ ଆକ୍ରମଣ କରିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପଷ୍ଟ ଭାବରେ କହିଥିଲେ ଯେ କାଶ୍ମୀର ଉପରେ କୌଣସି ସମାଧାନ ନହେଲେ ପାକିସ୍ତାନକୁ କୌଣସି ଦେୟ ଦିଆଯିବ ନାହିଁ।
ସେତେବେଳେ ମହାତ୍ମା ଗାନ୍ଧୀ ଏଥିରେ ବିରକ୍ତ ହୋଇଥିଲେ। ସେ କହିଥିଲେ ଯେ ଚୁକ୍ତି ଅନୁଯାୟୀ, ପାକିସ୍ତାନକୁ ଅଧିକ ୭୫ କୋଟି ଟଙ୍କା ଦିଆଯିବା ଉଚିତ। ଏଥିପାଇଁ ସେ ଅନଶନ କରିଥିଲେ। ଏପରି ପରିସ୍ଥିତିରେ ପଟେଲଙ୍କ ଆପତ୍ତି ସତ୍ତ୍ୱେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୫ ଜାନୁଆରୀ ୧୯୪୮ରେ ପାକିସ୍ତାନକୁ ୫୫ କୋଟି ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। ଆକର୍ଷଣୀୟ କଥା ହେଉଛି ଯେ ଉଭୟ ଦେଶ ଦାବି କରନ୍ତି ଯେ ଆଜି ମଧ୍ୟ ସେମାନେ ପରସ୍ପରକୁ ଟଙ୍କା ଦେବାକୁ ଅଛି। ଭାରତର ଆର୍ଥିକ ସର୍ଭେ ୨୦୨୨-୨୦୨୩ ଦର୍ଶାଉଛି ଯେ ପାକିସ୍ତାନ ଭାରତକୁ ୩୦୦ କୋଟି ଟଙ୍କା ଦେବାକୁ ଅଛି। ସେହିପରି ୨୦୧୪ରେ ପାକିସ୍ତାନର ଷ୍ଟେଟ୍ ବ୍ୟାଙ୍କ କହିଥିଲା ଯେ ଭାରତ ୫୬୦ କୋଟି ଟଙ୍କା ଦେବାକୁ ଅଛି।
ଘୋଡା ଗାଡିର ବାଣ୍ଟ ଟସ୍ ଫିଙ୍ଗି କରାଯାଇଥିଲା।
ବିଭାଜନ ସମୟରେ ଉଭୟ ଦେଶରେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ନେଇ ବହୁତ ହଙ୍ଗାମା ହୋଇଥିଲା, କିନ୍ତୁ ସବୁଠାରୁ ବଡ଼ ବିବାଦ ଭାଇସରାୟଙ୍କ ଘୋଡା ଗାଡ଼ିକୁ ନେଇ। “ଫ୍ରିଡମ୍ ଆଟ୍ ମିଡନାଇଟ୍” ପୁସ୍ତକ ଅନୁଯାୟୀ ଭାଇସରାୟଙ୍କ ପାଖରେ ହାତରେ ସୁନା ଏବଂ ରୂପାରେ ତିଆରି ୧୨ଟି ଗାଡ଼ି ଥିଲା। ଏଥିମଧ୍ୟରୁ ଛଅଟି ଗାଡ଼ି ସୁନାର ଏବଂ ଛଅଟି ରୂପାର ଥିଲା। ଏଗୁଡ଼ିକ ଚମତ୍କାର ଭାବରେ ସଜାଯାଇଥିଲା ଏବଂ ଏଥିରେ ଲାଲ ମଖମଲ ଗଦି ଥିଲା। ଭାରତର ଭାଇସରାୟ ଏବଂ ରାଜକୀୟ ଅତିଥିମାନଙ୍କୁ ଏହି ଗାଡ଼ିରେ ରାଜଧାନୀ ବୁଲାଇ ନିଆଯାଉଥିଲା। ସମସ୍ୟା ଥିଲା ଯେ ଗାଡ଼ି ସେଟ୍ ଭାଙ୍ଗିବା ଠିକ୍ ନୁହେଁ। ଏପରି ପରିସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା ଯେ ଭାଇସରାୟଙ୍କ ସୁନା ଗାଡ଼ି ଗୋଟିଏ ଦେଶକୁ ଏବଂ ରୂପା ଗାଡ଼ି ଅନ୍ୟ ଦେଶକୁ ଦିଆଯିବ। ଉଭୟ ଦେଶ ସୁନା ଗାଡ଼ି ନେବାକୁ ଜିଦ୍ ଧରିଥିଲେ। ବହୁତ ଦିନ ଧରି ବିତର୍କ ହୋଇଥିଲା । କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇପାରିଲା ନାହିଁ। ତା’ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ମୁଦ୍ରା ଫିଙ୍ଗି ତଥା ଟସ୍ କରି ନିଷ୍ପତ୍ତି ନିଆଯିବ। ତା’ପରେ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ଏଡିସି ଲେଫ୍ଟନାଣ୍ଟ କମାଣ୍ଡର ପିଟର ହଜ୍ ତାଙ୍କ ପକେଟରୁ ଏକ ରୂପା ମୁଦ୍ରା ବାହାର କରି ଶୂନ୍ୟରେ ଫିଙ୍ଗି ଦେଲେ।
ଏହି ସମୟରେ ପାକିସ୍ତାନୀ ସେନାର ନବନିଯୁକ୍ତ କମାଣ୍ଡର ମେଜର ୟାକୁବ ଖାନ ଏବଂ ଭାରତୀୟ ସେନାର କମାଣ୍ଡର ମେଜର ଗୋବିନ୍ଦ ସିଂହ ମଧ୍ୟ ସେଠାରେ ଠିଆ ହୋଇଥିଲେ। ବିଭାଜନ ପୂର୍ବରୁ ଉଭୟ ଭାଇସରାୟଙ୍କ ଅଙ୍ଗରକ୍ଷୀ ଥିଲେ। ଯେତେବେଳେ ମୁଦ୍ରାଟି ଝଙ୍କାର ଶବ୍ଦ ସହିତ ପଡ଼ିଲା, ସେତେବେଳେ ତିନି ଜଣ ଦେଖିବା ଆରମ୍ଭ କଲେ ଏବଂ ତା’ପରେ ମେଜର ଗୋବିନ୍ଦ ସିଂହ ଆନନ୍ଦରେ ଚିତ୍କାର କଲେ, ସୁନାର ଗାଡ଼ିଗୁଡ଼ିକ ଭାରତର।
ଅନ୍ଵେଷା ସେନଗୁପ୍ତାଙ୍କ ଗବେଷଣା ପତ୍ର ‘ବ୍ରେକିଂ ଅପ୍: ଡିଭାଇଡିଂ ଆସେଟ୍ସ ବିଟୁଇନ୍ ଇଣ୍ଡିଆ ଆଣ୍ଡ୍ ପାକିସ୍ତାନ ଇନ୍ ଟାଇମ୍ସ ଅଫ୍ ପାର୍ଟିସନ୍’ ଅନୁଯାୟୀ ସମ୍ପତ୍ତି ବିଭାଜନ ସମୟରେ ବଙ୍ଗଳାର ବନ ବିଭାଗର ମାଲିକାନାରେ ଥିବା ହାତୀ ଜୟମଣିକୁ ନେଇ ଏକ ଟଣାଓଟରା ହୋଇଥିଲା। ପ୍ରକୃତରେ ସେହି ସମୟରେ ହାତୀ ଜୟମଣିର ମୂଲ୍ୟ ଏକ ଷ୍ଟେସନ ୱାଗନ (ବିଳାସପୂର୍ଣ୍ଣ କାର) ସହିତ ସମାନ ଥିଲା। ନିଷ୍ପତ୍ତି ନିଆଯାଇଥିଲା ଯେ ପଶ୍ଚିମବଙ୍ଗ ଗାଡ଼ି ପାଇବ ଏବଂ ପୂର୍ବ ବଙ୍ଗ ଜୟମଣି ପାଇବ। ବିଭାଜନ ସମୟରେ ଜୟମଣି ପଶ୍ଚିମବଙ୍ଗର ମାଲଦାରେ ଥିଲା। ପୂର୍ବ ବଙ୍ଗକୁ ଜୟମଣି ପଠାଇବା ଖର୍ଚ୍ଚ ବିଷୟରେ ମାଲଦାର କଲେକ୍ଟର କହିଥିଲେ ଯେ ପୂର୍ବ ବଙ୍ଗ ସରକାର ହାତୀ ପାଇଁ ବହନ କରିବା ଉଚିତ କାରଣ ଏହା ସେମାନଙ୍କର ଅଂଶ ଥିଲା। ଅନ୍ୟପକ୍ଷରେ ପାକିସ୍ତାନ କହିଲା ଯେ ମାଲଦା ହାତୀ ବ୍ୟବହାର କରିଥିଲା, ତେଣୁ ସେମାନେ ଖର୍ଚ୍ଚ ବହନ କରିବା ଉଚିତ। ଶେଷରେ ଘଟଣାଟି କୂଟନୈତିକ ମହଲ ଅଧୀନକୁ ଯିବା ପରେ ଏହି ବିବାଦର ସମାଧାନ ହୋଇଥିଲା। ସାମଗ୍ରିକ ଭାବରେ ସେହି ବିଭାଜନ କେତେ ଅସମ୍ବେଦନଶୀଳ ଥିଲା ଯେଉଁଥିରେ ୨ କୋଟି ୫୦ ଲକ୍ଷ ଲୋକ ବାସହୀନ ହୋଇଥିଲେ ଏବଂ ପ୍ରାୟ ୧୫ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।