


ଆଲେଖ୍ୟ – ଜବାହର ମିଶ୍ର
ଆଜି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଯେଉଁ ଗତିରେ ବିକାଶ କରୁଛି, ତାହା ଦେଖିଲେ ଲାଗୁଛି ଯେ ଆଗାମୀ ଦିନରେ ଭବିଷ୍ୟତ ସମ୍ପୂର୍ଣ୍ଣ ବିଜ୍ଞାନଭିତ୍ତିକ ଏବଂ ସ୍ୱୟଂଚାଳିତ ହେବ। ଆଗାମୀ ୨୦୫୦ ମସିହା ଏପରି ଏକ ସମୟ ହେବ, ଯେତେବେଳେ ମାନବ ଜଗତର ପ୍ରତ୍ୟେକ ଦିଗରେ ପ୍ରଯୁକ୍ତିର ପ୍ରାଧାନ୍ୟ ଦେଖାଯିବ। ଆମେ ବର୍ତ୍ତମାନ ଯେଉଁ ପ୍ରଯୁକ୍ତିବିଦ୍ୟାକୁ ଆଶ୍ଚର୍ଯ୍ୟଜନକ କିମ୍ବା ଅସମ୍ଭବ ବୋଲି ଭାବୁଛୁ, ତାହା ୨୦୫୦ ସୁଦ୍ଧା ସାଧାରଣ ଜୀବନର ଏକ ଅଂଶ ହୋଇସାରିଥିବ।
ମନେ କରାଯାଉ ଯେ ଜଣଙ୍କ ଶରୀରରେ କୌଣସି ରୋଗ ବିକଶିତ ହୋଇଛି ଏବଂ ଚିକିତ୍ସା ପାଇଁ ଅପରେସନ କରିବା ପରିବର୍ତ୍ତେ ଡାକ୍ତର ତାଙ୍କ ଶରୀର ଭିତରକୁ ଏକ ଅଣୁବୀକ୍ଷଣିକ ରୋବୋଟ୍ ପଠାଇଲେ , ଯାହା ଶରୀର ଭିତରକୁ ଯାଇ ରୋଗ ଚିହ୍ନଟ କରି ତାହାକୁ ଦୂର କରିବ। ଆଗାମୀ ଦିନରେ ନାନୋଟେକ୍ନୋଲୋଜି ସାହାଯ୍ୟରେ ଏସବୁ ସମ୍ଭବପର ହେବ। ୨୦୫୦ ମସିହାରେ ନାନୋଟେକ୍ନୋଲୋଜି ଚିକିତ୍ସା ଜଗତରେ ଏକ ବିପ୍ଳବ ଆଣିବ। ନାନୋରୋବଟ୍ ଦ୍ୱାରା କେବଳ ରୋଗର ଚିକିତ୍ସା ହେବନାହିଁ, ବରଂ ତାହା ସହିତ ଔଷଧ ଯୋଗାଣ, ଶରୀର ଭିତର ଭାଗରେ ପ୍ରକୃତ ସମୟରେ ନଜର ରଖିବା ଏବଂ କ୍ଷତିଗ୍ରସ୍ତ ଅଙ୍ଗଗୁଡ଼ିକର ମରାମତି ମଧ୍ୟ ସମ୍ଭବ ହେବ। ଏହା ଦୀର୍ଘ ଜୀବନ ବୃଦ୍ଧି କରିବ ଏବଂ ଗମ୍ଭୀର ରୋଗ ମଧ୍ୟ ସାଧାରଣ ରୋଗ ସମାନ ହୋଇଯିବ।
ଥ୍ରୀ- ଡି ପ୍ରିଣ୍ଟ ଟେକ୍ନୋଲୋଜି
ସେହିପରି ୨୦୫୦ ସୁଦ୍ଧା ଥ୍ରୀ-ଡି ପ୍ରିଣ୍ଟ ଟେକ୍ନୋଲୋଜିର ବିକାଶ ମଧ୍ୟ ବହୁତ ଉନ୍ନତ ମାନର ହେବ। ବର୍ତ୍ତମାନ ୩-ଡି ପ୍ରିଣ୍ଟ୍ ର ସାହାଯ୍ୟରେ ଖେଳଣା, ଉପକରଣ କିମ୍ବା ମଡେଲ ତିଆରି କରାଯାଉଛି। ଭବିଷ୍ୟତରେ ଏହି ଟେକ୍ନୋଲୋଜି ମଣିଷ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେବ। ଲୋକମାନେ ଥ୍ରୀ-ଡି ପ୍ରିଣ୍ଟର ସାହାଯ୍ୟରେ ନିଜ ଘରେ ଆବଶ୍ୟକତା ଅନୁସାରେ ଜୋତା,ଚପଲ, ପୋଷାକ, ବାସନକୁସନ, ଫର୍ଣ୍ଣିଚର ଏବଂ ଏପରିକି ଖାଦ୍ୟ ସାମଗ୍ରୀ ମଧ୍ୟ ତିଆରି କରିପାରିବେ। ଚିକିତ୍ସା କ୍ଷେତ୍ରରେ ଏହି ଟେକ୍ନୋଲୋଜିକୁ ମଣିଷ ଅଙ୍ଗଗୁଡିକର ପ୍ରିଣ୍ଟିଙ୍ଗରେ କରିବାରେ ମଧ୍ୟ ବ୍ୟବହାର କରାଯିବ, ଯାହା ଫଳରେ ଅଙ୍ଗଦାନର ଅଭାବଜନିତ ସମସ୍ୟା ଆଉ ରହିବନାହିଁ। ନିର୍ମାଣ ଶିଳ୍ପରେ ଥ୍ରୀ-ଡି ପ୍ରିଣ୍ଟିଂ ଦ୍ୱାରା ବହୁତଳ କୋଠା ଏବଂ ସେତୁ ମାତ୍ର କିଛି ଘଣ୍ଟା ମଧ୍ୟରେ ନିର୍ମାଣ କରାଯାଇପାରିବ, ଯାହା ସମୟ ଏବଂ ଖର୍ଚ୍ଚ ଉଭୟ ସଞ୍ଚିତ ହୋଇପାରିବ।
ମାନବୀୟ ରୋବୋଟ୍
ଆମେ ଯେତେବେଳେ ଭବିଷ୍ୟତ ବିଷୟରେ କଥା ହେଉ, ସେତେବେଳେ ରୋବୋଟିକ୍ସ ବିଷୟରେ କଥା ହେବା ସ୍ୱାଭାବିକ। ଆଗାମୀ ୨୦୫୦ ମସିହାରେ ରୋବୋଟ୍ଗୁଡ଼ିକ କେବଳ କାରଖାନାରେ କାମ କରୁଥିବା ମେସିନ୍ ହେବେନାହିଁ, ବରଂ ମଣିଷ ପରି ଦେଖାଯାଉଥିବେ, ମଣିଷ ପରି ଚିନ୍ତା କରୁଥିବେ ଏବଂ ମଣିଷ ପରି ଆଚରଣ ମଧ୍ୟ କରୁଥିବା ମାନବୀୟ ରୋବୋଟ୍ଗୁଡ଼ିକ ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପରି କାମ କରିବେ। ଏହି ରୋବୋଟ୍ଗୁଡ଼ିକ ଘରେ ବୟସ୍କ ଲୋକଙ୍କ ଯତ୍ନ ନେବେ, ପିଲାମାନଙ୍କୁ ପାଠ ପଢ଼ାଇବେ, ଅଫିସ୍ରେ କାମ କରିବେ ଏବଂ ଆପଣଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିପାରିବେ। କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଏହି ରୋବୋଟ୍ଗୁଡ଼ିକ ମଣିଷଙ୍କ ଭାବନାକୁ ହୃଦୟଙ୍ଗମ କରିପାରିବେ ଏବଂ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେଇପାରିବେ। ଏହା ଫଳରେ ଗୋଟିଏ ପଟେ ମଣିଷର ଜୀବନଯାତ୍ରାର ସୁବିଧା ବୃଦ୍ଧି ପାଇବ ଏବଂ ଅନ୍ୟପଟେ ମାନବ ଶ୍ରମର ଭୂମିକା ମଧ୍ୟ ପରିବର୍ତ୍ତିତ ହେବ।
୨୦୫୦ ମସିହାରେ ପରିବହନ
୨୦୫୦ ମସିହାରେ ପରିବହନ କ୍ଷେତ୍ରରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆସିବ। ବର୍ତ୍ତମାନ ଟ୍ରାଫିକ୍, ସମୟ ଅପଚୟ ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଗାମୀ ସମୟରେ ଅତୀତର କଥା ହୋଇଯିବ। ଉଡ଼ନ୍ତା କାର, ସ୍ୱୟଂଚାଳିତ ଯାନ ଏବଂ ହାଇପରଲୁପ୍ ଭଳି ଦ୍ରୁତଗାମୀ ଟ୍ରେନ୍ ମାଧ୍ୟମରେ ଲୋକମାନେ ମାତ୍ର କିଛି ମିନିଟ୍ ମଧ୍ୟରେ ଘଣ୍ଟା ଘଣ୍ଟା ଯାତ୍ରା କରିପାରିବେ। ସ୍ୱୟଂଚାଳିତ ଟ୍ରାଫିକ୍ ବ୍ୟବସ୍ଥା ଦୁର୍ଘଟଣା ହ୍ରାସ ପାଇବ ଏବଂ ଇନ୍ଧନର ସଞ୍ଚୟ ହେବ। ଡ୍ରୋନ୍ ଏବଂ ଏଆଇ ଆଧାରିତ ବିତରଣ ବ୍ୟବସ୍ଥା ଦୈନନ୍ଦିନ ସେବାର ଏକ ଅଂଶ ହୋଇଯିବ।
ମହାକାଶ ପ୍ରଯୁକ୍ତିବିଦ୍ୟା
୨୦୫୦ ମସିହାରେ ମହାକାଶ ବିଜ୍ଞାନ ମଧ୍ୟ ଏକ ନୂତନ ଉଚ୍ଚତାରେ ପହଞ୍ଚିବ। ଆଜି ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ଉପରେ ଗବେଷଣା କରାଯାଉଥିବା ବେଳେ ୨୦୫୦ ସୁଦ୍ଧା ଏହି ଗ୍ରହଗୁଡ଼ିକରେ ମାନବ ବସତି ସ୍ଥାପିତ ହେବ। ମହାକାଶ ପର୍ଯ୍ୟଟନ ଏକ ନୂତନ ଶିଳ୍ପ ହେବ, ଯେଉଁଠାରେ ଲୋକମାନେ ଛୁଟିଦିନ ପାଳନ କରିବାକୁ ପୃଥିବୀ ବାହାରକୁ ସେଠାକୁ ଯିବେ। ମହାକାଶ ଷ୍ଟେସନରେ ସାଧାରଣ ଜୀବନ ସମ୍ଭବ ହେବ ଏବଂ ସେଠାରୁ ଶକ୍ତି ସଂଗ୍ରହ କରି ପୃଥିବୀକୁ ପଠାଇବା ମଧ୍ୟ ସମ୍ଭବ ହେବ। ଏହି ପ୍ରଯୁକ୍ତିବିଦ୍ୟା ମହାକାଶରେ ମାନବ ସଭ୍ୟତାକୁ ଏକ ନୂତନ ପରିଚୟ ଦେବ।
ସ୍ମାର୍ଟ୍ ଘର- ସ୍ମାର୍ଟ ଜୀବ
୨୦୫୦ ମସିହାରେ ଆମର ଘରଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଥିବ। ସ୍ମାର୍ଟ ଘରଗୁଡ଼ିକ କେବଳ ଭଏସ୍ କଣ୍ଟ୍ରୋଲ୍ କିମ୍ବା ସ୍ମାର୍ଟ ବଲ୍ ବ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ସମ୍ପୂର୍ଣ୍ଣ ଘର ଏକ ବୁଦ୍ଧିମାନ ବ୍ୟବସ୍ଥାରେ ପରିଣତ ହେବ, ଯାହା ମଣିଷର ଅଭ୍ୟାସ, ପସନ୍ଦ ଏବଂ ଆବଶ୍ୟକତାକୁ ନିଜେ ବୁଝିବ ଏବଂ ସେହି ଅନୁସାରେ ପରିବେଶ ତିଆରି କରିବ। ସକାଳେ ଉଠିଲାବେଳକୁ କୋଠରୀର ଆଲୋକ ଜଳିଉଠିବ ଏବଂ ସଙ୍ଗୀତ ବାଜିବ, ରୋଷେଇ ଘରେ କଫି ପ୍ରସ୍ତୁତ ହୋଇଯିବ ଏବଂ ଫ୍ରିଜ୍ ସ୍ୱୟଂଚାଳିତ ଭାବରେ ବଜାରରୁ ଅନଲାଇନ୍ରେ ବଜାରରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମଗାଇନେବ। ସୁରକ୍ଷା ବ୍ୟବସ୍ଥା ଏତେ ଶକ୍ତିଶାଳୀ ହେବ ଯେ ଏହା ଯେକୌଣସି ଅଜଣା କାର୍ଯ୍ୟକଳାପକୁ ଚିହ୍ନିପାରି ତୁରନ୍ତ ସତର୍କ କରିଦେଇପାରିବ। ଏହିପରି ଭାବରେ ୨୦୫୦ ମସିହାର ଦୁନିଆ ଆଜିର କଳ୍ପନା ଠାରୁ କାହିଁ ଅଧିକ ବିକଶିତ, ସୁରକ୍ଷିତ ଏବଂ ଦ୍ରୁତ ହେବ। ପ୍ରଯୁକ୍ତିବିଦ୍ୟା ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିସାରିଥିବ, ଯାହା ଫଳରେ ଜୀବନ ଅଧିକ ସ୍ମାର୍ଟ ତଥା ଫୁର୍ତ୍ତିଲା, ସରଳ ଏବଂ ପ୍ରଭାବଶାଳୀ ହୋଇଯାଇଥିବ।
ଉପସଂହାରରେ ଏତିକି କୁହାଯାଇପାରିବ ଯେ ପ୍ରଯୁକ୍ତି ବିଦ୍ୟା ଯୋଗୁ ମଣିଷ ଜୀବନରେ ଭୌତିକ ସୁଖ ସୁବିଧାର କୈାଣସି ଅଭାବ ନ ରହି ଏହା ଚରମ ସୀମାରେ ପହଞ୍ଚିଥିବ। ହେଲେ ଗୋଟିଏ ଅଭାବ ରହିଯିବ, ତାହା ହେଉଛି ଅଧ୍ୟାତ୍ମ। ପ୍ରଯୁକ୍ତି ବିଦ୍ୟା ମଣିଷକୁ ସବୁ କିଛି ସାଧନ ଯୋଗେଇଦେଇପାରିବ, କିନ୍ତୁ ମଣିଷକୁ ଏହା ଆଧ୍ୟାତ୍ମିକତା କେବେ ଯୋଗେଇଦେଇପାରିବ ନାହିଁ। କାରଣ ଅଧ୍ୟାତ୍ମ ବସ୍ତୁବାଦ ତଥା ଭୌତିକବାଦ ପରି ବାହାରର କୈାଣସି ବିଷୟ ନୁହେଁ। ଏହା ଭିତରର ତତ୍ତ୍ଵ। ମଣିଷକୁ ଏ ତତ୍ତ୍ଵ ନିଜକୁ ନିଜେ ଯୋଗାଇବାକୁ ପଡିବ। ଭୌତିକ ସୁଖ ସୁବିଧା ଯେତେ ଚରମରେ ପଛେ ପହଞ୍ଚୁ, ଅଧ୍ୟାତ୍ମ ବିନା ତାହା ନିଃସାର ଆଉ ନିରର୍ଥିକ
