
ନିକଟରେ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମଙ୍ଗଳବାର ରାତିରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତୀୟ ବାୟୁସେନାର ଏହି ସଠିକ୍ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ନିଜେ ଏକ ଟିଭି ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ ଭାରତ ପକ୍ଷରୁ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ପାକିସ୍ତାନ କୌଣସି ସାମରିକ ଜବାବ ଦେବେ ନାହିଁ।
ପାକିସ୍ତାନର ଏହି ନୀରବତା ଏବଂ ହଠାତ୍ ଆଭିମୁଖ୍ୟ ପରିବର୍ତ୍ତନ ଅନେକ ପ୍ରଶ୍ନ ଉଠାଇଛି। ମୋଟ ୫ ଟି ବଡ କାରଣ ଯୋଗୁ ପାକିସ୍ତାନ ଏପରି ନୀରବତା ପାଳନ ଲାଗି ବାଧ୍ୟ ହୋଇଛି।ଏଠାର ସେହି ୫ଟି ଗୁରୁତ୍ୱପୂର୍ଣ୍ଣ କାରଣ ଉପରେ ଆଲୋକପାତ କରାଯାଉଛି, ଯାହା ପାକିସ୍ତାନର ଏହି ‘ଥଣ୍ଡା ମନୋଭାବ’ ପଛରେ ପ୍ରକୃତ କାରଣ ଭାବରେ ଉଭା ହୋଇଛି।
୧. ଭାରତର ଶକ୍ତି – ପରାକ୍ରମକୁ ପାକିସ୍ତାନର ଭୟ
ପାକିସ୍ତାନ ଯେତେ ଦାବି କଲେ ମଧ୍ୟ, ବାସ୍ତବତା ହେଉଛି ଯେ ଏହା ଭାରତର ସାମରିକ ଶକ୍ତି ଆଗରେ କୌଣସି ପ୍ରକାରେ ତିଷ୍ଠି ପାରିବ ନାହିଁ। ସ୍ୱିଡେନର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଏସ୍,ଆଇ,ପି,ଆର୍ ,ଆଇ,(SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଭାରତର ସାମରିକ ଖର୍ଚ୍ଚ ୮୬ .୧ ବିଲିୟନ ଡଲାର ହେବ, ଯାହା ପାକିସ୍ତାନର ୧୦.୨ ବିଲିୟନ ଡଲରଅପେକ୍ଷା ପ୍ରତଧ୍ ଗୁଣ ଅଧିକ। କେବଳ ଏତିକି ନୁହେଁ, ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଯୁଦ୍ଧରେ ପାକିସ୍ତାନ ପରାଜୟର ସମ୍ମୁଖୀନ ହୋଇଛି। ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ସାମରିକ ଶକ୍ତି, ଯେତେବେଳେ ପାକିସ୍ତାନ ଏହି ତାଲିକାରେ ବହୁତ ପଛରେ ଅଛି। ପାକିସ୍ତାନର ସ୍ଥାନ ହେଉଛି ଦ୍ଵାଦଶ।
୨. ପାକିସ୍ତାନ ଆର୍ଥିକ ସଙ୍କଟରେ ଅଛି।
ପାକିସ୍ତାନ ଏକ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ବିଶ୍ୱ ଅର୍ଥନୀତିର ତଥ୍ୟ ଅନୁଯାୟୀ, ପାକିସ୍ତାନର ଜିଡିପି ମାତ୍ର ୩୫୦ ବିଲିୟନ ଡଲାର, ଯେତେବେଳେ କି ଭାରତର ଅର୍ଥନୀତି ପ୍ରାୟ ୪ ଲକ୍ଷ କୋଟି ଡଲାର ଛୁଇଁବାକୁ ଯାଉଛି। ଏହା ବ୍ୟତୀତ, ପାକିସ୍ତାନର ମୋଟ ବାହ୍ୟ ଋଣ ଏହାର ଜିଡିପି ର ୪୨ ପ୍ରତିଶତ। ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ଶୀର୍ଷରେ ପହଞ୍ଚିଛି, ଏବଂ ସାଧାରଣ ନାଗରିକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିପାରୁନାହାଁନ୍ତି।
୩. ଆଇ,ଏମ୍, ଏଫ୍ ,ଏବଂ ବିଶ୍ୱ ବ୍ୟାଙ୍କ ସହାୟତା ବନ୍ଦ୍ ର ବିପଦ
ପାକିସ୍ତାନ ଭୟ କରୁଛି ଯେ ଯଦି ସେ ଯୁଦ୍ଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱ ଆର୍ଥିକ ପ୍ରତିଷ୍ଠାନ ଏହାକୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ କରିଦେଇପାରନ୍ତି। ମେ ୯ ତାରିଖରେ ମୁଦ୍ରା ପାଣ୍ଠିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁଯାଉଛି, ଯେଉଁଥିରେ ପାକିସ୍ତାନକୁ ୧.୩ ବିଲିୟନ ଡଲାରର ସହାୟତା ମିଳିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ। ଏପରି ସମୟରେ ସାମରିକ ମୁକାବିଲା ଆଡକୁ ଗତି କରିବା ପାକିସ୍ତାନ ପାଇଁ ଆର୍ଥିକ ଆତ୍ମହତ୍ୟା ପ୍ରମାଣିତ ହୋଇପାରେ।
୪. ପାକିସ୍ତାନ ଷ୍ଟକ୍ ବଜାରରେ ଆତଙ୍କ
ଭାରତର ବିମାନ ଆକ୍ରମଣ ପରେ ପାକିସ୍ତାନର ସେୟାର ବଜାର ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଏପ୍ରିଲ ୨୨ ପରଠାରୁ, କେ,ଏସ୍,ଇ,-୧୦୦ ସୂଚକାଙ୍କ ୧୧,୦୦୦ ପଏଣ୍ଟ ହ୍ରାସ ପାଇଛି। ବିମାନ ଆକ୍ରମଣର ଦିନ ପରେ, ବଜାର ଖୋଲିବା ମାତ୍ରେ, ୬ ହଜାର ପଏଣ୍ଟର ଏକ ବଡ଼ ହ୍ରାସ ଘଟିଥିଲା ଏବଂ ସୂଚକାଙ୍କ ୧,୧୩,୫୬୮ ରୁ ୧,୦୭,୨୯୬ କୁ ଖସି ଆସିଥିଲା। ଏହା ଦେଶର ଡୁବିଯାଉଥିବା ଅର୍ଥନୀତି ଏବଂ ନିବେଶକଙ୍କ ବିଶ୍ୱାସ ହ୍ରାସ ପାଇବାର ସ୍ପଷ୍ଟ ସୂଚନା।
୫. ମିତ୍ର ଦେଶମାନେ ନୀରବ – ଚୀନ ନୀରବ
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏହାର ପାରମ୍ପରିକ ବନ୍ଧୁ ଦେଶ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଠାରୁ
ଆର୍ଥିକ ସାହାଯ୍ୟ ଲୋଡ଼ିଥିଲା। ପାକିସ୍ତାନର ଅର୍ଥମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ସେ ଚୀନକୁ ୩୦ ବିଲିୟନ ୟୁଆନର ସ୍ୱାପ୍ ଲାଇନକୁ ୪୦ ବିଲିୟନ ୟୁଆନକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଚୀନ୍ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ କୂଟନୈତିକ ବିପର୍ଯ୍ୟୟ ବୋଲି ବିବେଚନା କରାଯାଉଛି।
ମୁଖ୍ୟତଃ ଏହି ୫ ଟି ଭୟଜନିତ କାରଣ ପାକିସ୍ତାନକୁ ଭାରତ ବିରୋଧରେ ଯୁଦ୍ଧ କାର୍ଯ୍ୟାନୁଷ୍ଠାନ ଲାଗି ଭୟଭୀତ କରୁଛି। ଏଣୁ ପାକିସ୍ତାନ ବର୍ତ୍ତମାନ ସମୟରେ ହାତରେ ହାତ ଛନ୍ଦି ବସିରହିବିକୁ ବାଧ୍ୟ ହୋଇଛି। କେବଳ ମୁଖ ଲଜ୍ଜ୍ୟାରୁ ରକ୍ଷା ପାଇବା ଲାଗି ଏମିତି କରିଦେବ ଆଉ ସେମିତି କରିଦେବ ବୋଲି ବୋବାଉଛି।