
ଆଲେଖ୍ୟ – ଜବାହର ମିଶ୍ର
…………………………………………………………………….
ଦେଶ ବିଭାଜନର ସେହି ଦୁଃଖଦ ଘଟଣା, ଯାହା ଲକ୍ଷ ଲକ୍ଷ ଜୀବନକୁ ନଷ୍ଟ କରିଥିଲା ଏବଂ ଭାରତର ଇତିହାସରେ ଏକ ଅଲିଭା କ୍ଷତ ଛାଡ଼ିଯାଇଥିଲା, ୭୮ ବର୍ଷ ପରେ ତାହା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛି। ଜାତୀୟ ଶୈକ୍ଷିକ ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (NCERT) ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରକାଶ କରିଛି। ଏହି ମଡ୍ୟୁଲ୍ ଗୁଡିକ ଭାରତ ବିଭାଜନ ପାଇଁ ଦାୟୀ ମୁଖ୍ୟ କାରକ ଏବଂ ବ୍ୟକ୍ତିମାନଙ୍କ ଉପରେ ଆଲୋକପାତ କରି ଦେଶର ରାଜନୀତିରେ ଏକ ନୂତନ ବିତର୍କ ସୃଷ୍ଟି କରିଛି।
ମଡ୍ୟୁଲର ମୁଖ୍ୟ ଦାବି : ଜିନ୍ନା, କଂଗ୍ରେସ ଏବଂ ମାଉଣ୍ଟବ୍ୟାଟେନ ଦାୟୀ?- ସଦ୍ୟତମ ଖୁଲାସା ଅନୁସାରେ ନୂତନ ଏନ୍,ସି,ଇ,ଆର୍,ଟି, ମଡ୍ୟୁଲଗୁଡ଼ିକରେ ଗୁରୁତ୍ୱାରୋପ କରାଯାଇଛି ଯେ ଭାରତର ବିଭାଜନ ଏକ ଅପ୍ରତ୍ୟାଶିତ ଘଟଣା ନଥିଲା, ବରଂ ଭୁଲ ଚିନ୍ତାଧାରା ଏବଂ ନିଷ୍ପତ୍ତିର ଫଳାଫଳ ଥିଲା। ଏହି ମଡ୍ୟୁଲଗୁଡ଼ିକ ଅନୁସାରେ ତିନୋଟି ପ୍ରମୁଖ ପକ୍ଷ ବିଭାଜନ ପାଇଁ ଦାୟୀ ଥିଲେ।
ମାଉଣ୍ଟବ୍ୟାଟେନଙ୍କ ଶୀଘ୍ରାତିଶୀଘ୍ରତା ଏବଂ କଂଗ୍ରେସର ଭୂମିକା ଉପରେ ପ୍ରଶ୍ନ
ଏନ୍,ସି,ଇ,ଆର୍,ଟି,ର ମଡ୍ୟୁଲଗୁଡ଼ିକ ବିଶେଷ ଭାବରେ ଏହି ସବୁ ବିଷୟ ଉପରେ ଆଲୋକପାତ କରେ ଯେ ଲର୍ଡ ମାଉଣ୍ଟବ୍ୟାଟେନ ଜୁନ୍ ୧୯୪୮ ରୁ କ୍ଷମତା ହସ୍ତାନ୍ତରଣର ମୂଳ ତିଥିକୁ ହ୍ରାସ କରି ତାହାକୁ ଅଗଷ୍ଟ ୧୯୪୭ କରିଦେଲେ । ଏହି ଶୀଘ୍ରତାକୁ “ଅବହେଳାର ଏକ ବିରାଟ କାର୍ଯ୍ୟ” ଭାବରେ ବର୍ଣ୍ଣନା କରାଯାଇଛି, ଯାହା ଫଳରେ ସୀମା ନିର୍ଦ୍ଧାରଣ ପାଇଁ କେବଳ ପାଞ୍ଚ ସପ୍ତାହ ସମୟ ମିଳିଥିଲା, ଏହା ଦ୍ଵାରା ଅରାଜକତା ଏବଂ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମଡ୍ୟୁଲଗୁଡ଼ିକରେ ଏହି ଯୁକ୍ତି ମଧ୍ୟ ଉପସ୍ଥାପନ କରାଯାଇଛି ଯେ ବ୍ରିଟିଶ ଶାସକମାନେ ଭାରତକୁ ଏକଜୁଟ ରଖିବା ପାଇଁ କ୍ରିପ୍ସ ମିଶନ (୧୯୪୨) ଏବଂ କ୍ୟାବିନେଟ ମିଶନ (୧୯୪୬) ଭଳି ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ଭାରତକୁ ଏକ ଡୋମିନିଅନ୍ ଷ୍ଟାଟସ୍ କିମ୍ବା ଏକ ୟୁନିଅନ୍ ତଥା ସଂଘ ଭାବରେ ରଖିବାର ବ୍ୟବସ୍ଥା ଥିଲା। କିନ୍ତୁ କଂଗ୍ରେସ ଏହି ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲା, ଯାହା ଫଳରେ ବିଭାଜନ ପାଇଁ ପଥ ପ୍ରଶସ୍ତ ହୋଇଥିଲା। ସର୍ଦ୍ଦାର ପଟେଲଙ୍କ ଏକ ବିବୃତି ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସେ ବିଭାଜନକୁ “ତିକ୍ତ ଔଷଧ” ବୋଲି କହିଥିଲେ। କିନ୍ତୁ ଗୃହଯୁଦ୍ଧ ତୁଳନାରେ ଏହାକୁ ଏକ ଭଲ ବିକଳ୍ପ ବୋଲି କହିଥିଲେ।
ବିଭାଜନର ସ୍ଥାୟୀ ପ୍ରଭାବ- କାଶ୍ମୀରରୁ ସାମ୍ପ୍ରଦାୟିକ ଉତ୍ତେଜନା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଏନ୍,ସି,ଇ,ଆର୍,ଟି, ମଡ୍ୟୁଲ୍ କେବଳ ଅତୀତ ଉପରେ ଆଲୋକପାତ କରେନାହିଁ, ବରଂ ବିଭାଜନର ପରିଣାମ ଆଜି ମଧ୍ୟ ଭାରତକୁ କିପରି ପ୍ରଭାବିତ କରୁଛି; ତାହାର ମଧ୍ୟ ବ୍ୟାଖ୍ୟା କରେ। ଏଥିରେ ଉଲ୍ଲେଖ କରାଯାଇଛି ଯେ ବିଭାଜନ କିପରି କାଶ୍ମୀରକୁ ଭାରତ ପାଇଁ ଏକ ନୂତନ ସୁରକ୍ଷା ସଙ୍କଟ ବନେଇଦେଲା। ପଡ଼ୋଶୀ ଦେଶଗୁଡ଼ିକ ପ୍ରାୟତଃ ଭାରତ ଉପରେ ଚାପ ପକାଇବା ପାଇଁ କାଶ୍ମୀର ପ୍ରସଙ୍ଗକୁ ବ୍ୟବହାର କରୁଛନ୍ତି। ଏହା ସହିତ ମଡ୍ୟୁଲ୍ ଗୁଡିକ ମଧ୍ୟ ବିଭାଜନର ଦୀର୍ଘକାଳୀନ ପରିଣାମ ଭାବରେ ସାମ୍ପ୍ରଦାୟିକ ରାଜନୀତି ଏବଂ ଜାତିଗତ ଉତ୍ତେଜନାକୁ ଦାୟୀ କରେ, ଯାହା ଆଜି ମଧ୍ୟ ସମାଜରେ ତିଷ୍ଠି ରହିଛି।
କଂଗ୍ରେସର ତୀବ୍ର ପ୍ରତିକ୍ରିୟା: “ଏହି ପୁସ୍ତକକୁ ଜାଳିଦିଅ!” – ଏହି ଏନ୍, ସି , ଇ, ଆର୍, ଟି,ର ମଡ୍ୟୁଲ୍ ଉପରେ କଂଗ୍ରେସ ଦଳ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ମୁଖପାତ୍ର ପବନ ଖେଡା ଏହି ମଡ୍ୟୁଲ୍ ଗୁଡ଼ିକୁ ଭ୍ରାମକ ଏବଂ “ଅସତ୍ୟ” ବୋଲି କହିଛନ୍ତି ଏବଂ କହିଛନ୍ତି ଯେ “ଏହି ଡକ୍ୟୁମେଣ୍ଟକୁ ଜାଳିଦେବା ଉଚିତ।” ଖେଡା ଯୁକ୍ତି ବାଢିଛନ୍ତି ଯେ ବିଭାଜନର ପ୍ରକୃତ କାରଣ ହିନ୍ଦୁ ମହାସଭା ଏବଂ ମୁସଲିମ ଲିଗ ମଧ୍ୟରେ ସହଯୋଗ ଥିଲା, ଏବଂ ସେ ଆର୍,ଏସ୍,ଏସ୍,କୁ ଦେଶ ପାଇଁ ବିପଦ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଭାଜନର ଧାରଣା ପ୍ରଥମେ ୧୯୩୮ ମସିହାରେ ହିନ୍ଦୁ ମହାସଭା ଦ୍ୱାରା ପ୍ରଚାର କରାଯାଇଥିଲା, ଯାହାର ୧୯୪୦ ମସିହାରେ ଜିନ୍ନା ପୁନରାବୃତ୍ତି କରିଥିଲେ।
ଅପରପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଏହା କଂଗ୍ରେସ ଲାଗି ସୁବିଧାଜନକ ହେଉନଥିବାରୁ ଦଳ ଇତିହାସ ଠାରୁ ଦୂରେଇଯାଉଛି। ବିଜେପି ମୁଖପାତ୍ର ଶହେଜାଦ ପୁନାୱାଲା କହିଛନ୍ତି ଯେ ନେହେରୁ ସେତେବେଳେ କଂଗ୍ରେସର ନେତୃତ୍ୱ ନେଉଥିଲେ ଏବଂ ସେ କ୍ଷମତା ଲୋଭରେ ଭୁଲ ପଦକ୍ଷେପ ନେଇଥିଲେ, ଯାହାର ମୂଲ୍ୟ ଦେଶ ଆଜି ମଧ୍ୟ ଦେଉଛି।
ଇତିହାସକୁ ବୁଝିବା କାହିଁକି ଗୁରୁତ୍ୱପୂର୍ଣ୍ଣ? – ଏନ୍,ସି,ଇ, ଆର୍, ଟି, ର ଏହି ସ୍ୱତନ୍ତ୍ର ମଡ୍ୟୁଲ୍ସ, ଯାହା ନିୟମିତ ପାଠ୍ୟପୁସ୍ତକର ଅଂଶ ନୁହେଁ କିନ୍ତୁ ପ୍ରକଳ୍ପ, ପୋଷ୍ଟର, ଆଲୋଚନା ଏବଂ ବିତର୍କ ମାଧ୍ୟମରେ ପଢାଯାଇଥାଏ, ଇତିହାସକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବାକୁ ଚେଷ୍ଟା କରିଥାଏ। ଏଗୁଡ଼ିକର ଲକ୍ଷ୍ୟ ଯୁବ ପିଢ଼ିକୁ ବିଭାଜନର ଭୟାବହତା, ଏହାର କାରଣ ଏବଂ ଦୀର୍ଘକାଳୀନ ପରିଣାମ ବିଷୟରେ ସଚେତନ କରିବା, ଯାହା ଦ୍ଵାରା ସେମାନେ ଅତୀତର ଭୁଲରୁ ଶିକ୍ଷା ପାଇପାରିବେ ଏବଂ ଭବିଷ୍ୟତରେ ଏପରି ଦୁଃଖଦ ଘଟଣା ଘଟିବାକୁ ରୋକିପାରିବେ। ଏହି ମଡ୍ୟୁଲ୍ସ କିପରି ଅଦୂରଦର୍ଶୀତା ଏବଂ ନେତୃତ୍ୱର ଶୀଘ୍ରତା ଏକ ଜାତୀୟ ବିପର୍ଯ୍ୟୟର କାରଣ ହୋଇପାରେ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରେ।