
ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ମୁଖ୍ୟ ପ୍ରଶାସକଙ୍କ ବିବୃତି ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକଥା ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ ସାତ ପାହାଚ ଦ୍ୱାର ଦେଇ ଭକ୍ତଗଣ ବ୍ୟାରିକେଡ୍ରେ ପ୍ରବେଶ କରିବେ। ଅସ୍ଥାୟୀ କାଠ ରାଂପରେ ଚଢ଼ି ଦର୍ଶନ ସାରିବା ପରେ ଘଣ୍ଟି ଏବଂ ଗାରଦ ଦ୍ୱାରରେ ପ୍ରସ୍ଥାନ କରିବେ ।
ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ । ନୂଆବର୍ଷରୁ ନୂଆ ପ୍ରଣାଳୀ । ସାତ ପାହାଚ ପାଖରୁ ଭକ୍ତ ବ୍ୟାରିକେଡରେ ପଶିବେ ।
ନାଟମଣ୍ଡପରେ ରାଂପରେ ଚଢ଼ି ଜଗା ଦର୍ଶନ କରିବେ । ଜାନୁଆରୀ ପହିଲାରୁ ଜଗନ୍ନାଥ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଶୁଭାରମ୍ଭ ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି- ଭକ୍ତ ସାତ ପାହାଚ ପାଖରେ ହିଁ ଲାଇନ୍ ଲଗାଇବେ । ନାଟ ମଣ୍ଡପରେ ଧାଡ଼ିରେ ଦର୍ଶନ ସାରି ଘଣ୍ଟି ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ଏବଂ ଗାରଦ ଦ୍ୱାର ଦେଇ ପୁରୁଷ ଭକ୍ତ ବାହାରକୁ ବାହାରିବେ । ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ମୁଖ୍ୟ ପ୍ରଶାସକଙ୍କ ସହ ସେ ଆଲୋଚନା କରିଛନ୍ତି- ଏ ଦିଗରେ ଚାଲିଥିବା ଆନୁସଙ୍ଗିକ କାର୍ଯ୍ୟ ସନ୍ତୋଷଜନକ ରହିଛି । ନୂଆବର୍ଷରେ ନିୟମିତ ନୂଆ ଧାଡ଼ି ଦର୍ଶନ ଆରମ୍ଭ ପୂର୍ବରୁ ୨୭ ଓ ୨୮ ତାରିଖରେ ବ୍ୟାରିକେଡ୍ ଲଗାଯିବ ।
୩୦ ଏବଂ ୩୧ ତାରିଖ ଦୁଇଦିନ ଧରି ପରୀକ୍ଷାମୂଳକ ଭାବେ ଏହାକୁ ଅନୁଧ୍ୟାନ କରାଯିବ । ତେଣେ ନୂଆ ଦର୍ଶନ ବ୍ୟବସ୍ଥାରୁ ସୁଫଳ ମିଳିବା ନେଇ ଶଙ୍କା ପ୍ରକାଶ କଲେଣି ସେବାୟତ । ସେମାନଙ୍କ ଅଭିଯୋଗ ହେଉଛି ଯେ ଯେହେତୁ ଏଯାଏ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ଗଢ଼ା ହୋଇନି, ତେଣୁ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସେଠି ବିସ୍ତୃତ ବିଚାର ବିମର୍ଶ କରାଯାଉ।
ତା ସହିତ ଏ ନେଇ ବରିଷ୍ଠ ସେବାୟତ କିମ୍ବା ଛତିଶା ନିଯୋଗର ମଧ୍ୟ ମତ ନିଆଯାଇନି । ନାଟ ମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ ସାହାଣ ମେଲା ଦର୍ଶନରୁ ଭକ୍ତ ବଞ୍ଚିତ ହେବେ । ଭିତର କାଠ ଦର୍ଶନ ଉପରେ ଅଙ୍କୁଶ ଲାଗିଯିବ । ଭକ୍ତ ଆଉ ପାଖରୁ ଠାକୁରଙ୍କୁ ଦେଖିବାର ସୁଯୋଗ ପାଇବେନି । ନାଟ ମଣ୍ଡପରେ ଧାଡ଼ି ଲାଗିଲେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଅପେକ୍ଷା କରିବେ ।
ତେଣୁ ପ୍ରଶାସନ ଏସବୁ ଦିଗରେ ମଧ୍ୟ ଧ୍ୟାନ ଦେବା ଦରକାର । ସେପଟେ ଭକ୍ତଗଣ କହିଛନ୍ତି ଯେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଉ, ହେଲେ ଭକ୍ତଙ୍କୁ ଭିତରକାଠ ଦର୍ଶନରୁ ବଞ୍ଚିତ କରାନଯାଉ । ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସୁବିଧା ହେଉ । ସୂଚନା ଅନୁସାରେ ନୂଆବର୍ଷରୁ ଧାଡ଼ି ଦର୍ଶନ ପାଇଁ ନାଟ ମଣ୍ଡପରେ ୬ ଲାଇନ୍ ଅସ୍ଥାୟୀ ବ୍ୟାରିକେଡ୍ ତିଆରି ହେବ । ସେଥିରୁ ୩ଟିରେ ପୁରୁଷ ଓ ବାକି ତିନିଟି ମହିଳା, ଶିଶୁ ଓ ବୟସ୍କ ଦର୍ଶନାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।
ନାଟମଣ୍ଡପ ନୂଆ ଧାଡ଼ିଦର୍ଶନ ଉପରେ ଆଜି ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍,ପି, ବିନୀତ ଅଗ୍ରୱାଲଙ୍କ ସମେତ ଦେଉଳକରଣ, ତଢ଼ଉକରଣ, ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ।