

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହି ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିଶନ ଶକ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ମିଶନ ଶକ୍ତି ବିଭାଗ ପାଇଁ ବ୍ୟୟ ବରାଦ ୨ ହଜାର ୭ ଶହ ୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ବିଶେଷ ଭାବେ ଆମ ମହିଳାମାନଙ୍କୁ ଆର୍ଥିକ ଭାବେ ଶସକ୍ତ କରିବା ସହ ଲକ୍ଷପତି ଦିଦି ହେବାରେ ସହାୟକ ହେବ ।
ଅନ୍ୟପଟେ ଶିଶୁ ବିକାଶ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା, ୧୬ ଲକ୍ଷ ୯୫ ହଜାର ପ୍ରାକ୍ ସ୍କୁଲ ପିଲାଙ୍କୁ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ୟୁନିଫର୍ମ ପ୍ରଦାନ କରାଯିବ । ଏହି ଯୋଜନା ପାଇଁ ୮୫ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଛାତଘର ପ୍ରତ୍ୟେକ ପରିବାରର ଆବଶ୍ୟକତା ଏବଂ ଅଧିକାର ଅଟେ । ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)-ଗ୍ରାମୀଣ ଅଧୀନରେ ୫ ଲକ୍ଷ ଘର ନିର୍ମାଣ ପାଇଁ ୪ ହଜାର ୫ ଶହ କୋଟି ଟଙ୍କା ଆବଣ୍ଟନ କରିବାକୁ ମୁଁ ପ୍ରସ୍ତାବ ଦେଉଛି । ଏହାବ୍ୟତୀତ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG)ର ଉନ୍ନତି ପାଇଁ PM-JANMAN ଅଧୀନରେ ୨ ଶହ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ରହିଛି ।
ଅନ୍ୟପଟେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଅନ୍ତୋଦୟ ଗୃହ ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି । ଏଥି ପାଇଁ ମୋଟ ୭ ହଜାର ୫ ଶହ ୫୦ କୋଟି ଟଙ୍କାର ବ୍ୟୟ ଅନୁମୋଦନ କରାଯାଇଛି । ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟ, ସରକାରୀ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଲୋକ ପରିବାରର ଭିନ୍ନକ୍ଷମ ପ୍ରାଥମିକ ଆୟକାରୀ ଏବଂ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଯୋଗ୍ୟ ଥିବା ପୂର୍ବରୁ ପ୍ରଚଳିତ ଥିବା ଗୃହ ନିର୍ମାଣ ଯୋଜନରୁ ବଞ୍ଚିତ ପରିବାର ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ।
ଆସନ୍ତା ୩ ବର୍ଷରେ ଅତି କମରେ ୨ ଲକ୍ଷ ୨୫ ହଜାର ନୂତନ କଂକ୍ରିଟ ଘର ମଞ୍ଜୁର କରାଯିବ । ୨୦୨୫-୨୬ ବର୍ଷରେ ୭୫ ହଜାର ଗୃହନିର୍ମାଣ ଏବଂ ହିତାଧୁକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ୨ ହଜାର ୬ ଶହ ୩ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ା ଆକାରର ସହାୟତା ଦେବାକୁ ଏଥର ବଜେଟ୍ରେ ଧ୍ୟାନ ଦେଇଛନ୍ତି ସରକାର । ରାଜ୍ୟରେ କୃଷି ଓ କୃଷକଙ୍କୁ ସମୃଦ୍ଧ କରିବାକୁ ସମୃଦ୍ଧ କୃଷକ ଯୋଜନା କାର୍ୟ୍ୟକାରୀ ହେଉଛି ।
ଧାନଚାଷୀଙ୍କ ଅମଳ ଧାନ କ୍ବିଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହା ଏବେ ସୁଦ୍ଧା ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।
ଏଥର କୃଷି ବଜେଟ ୧୪୮୬୧ କୋଟି ଟଙ୍କାର ରହିଛି । ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀ ଲାଭ ପାଇବେ । ଏହି ବଜେଟ୍ରେ ସମସ୍ତ ହିତାଧିକାରୀ ବା ଚାଷୀଙ୍କ ସମୃଦ୍ଧି ଉପରେ ଧ୍ୟାନ ଦିଆଯିବ । ଏଥର ଇନପୁଟ୍ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳର କପା ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଗତ ଆର୍ଥିକ ବର୍ଷମାନଙ୍କରେ ଉଦ୍ୟାନ କୃଷି ଚାହିଦା ବଢିଛି । ବଜେଟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଜଳସେଚନ ପ୍ରକଳ୍ପର ବିକାଶ ଲାଗି ଯୋଜନା କରାଯାଇଛି । ଚାଷୀଙ୍କ ଆୟ ବଢାଇବା ଆମର ଲକ୍ଷ୍ୟ । ଆଳୁ ଉପରେ ଆମେ ନିର୍ଭର ହେବାକୁ ଚାହୁଁନାହୁଁ । ଏଥିପାଇଁ ରବି ଋତୁରେ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି ।