
କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି କି ପଡୋଶୀ ଦେଶ ନେପାଳ ମଧ୍ୟ ଏହାକୁ ଜୋରଦାର ବିରୋଧ କରିଛି। ମଙ୍ଗଳବାର କାଠମାଣ୍ଡୁରେ ନେପାଳୀ କଂଗ୍ରେସ ପାର୍ଟି ରାସ୍ତାକୁ ଓହ୍ଲାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଘ ହୁଙ୍କାର ଭରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ସେ ଯାହା ହେଉ, ଏହି ନେପାଳୀ ଛାତ୍ରୀର ଆତ୍ମହତ୍ୟା କିଟ୍ ‘ ର ସବୁ ଗୁମର କଥା ଖୋଲି ଦେଇଛି।ଏହି ଆତ୍ମହତ୍ୟା ଏବଂ ଏହା ପରବର୍ତ୍ତୀ ଘଟଣା ଏବେ କିଟ୍’ ର ସେହି ସବୁ ଅନାଲୋଚିତ କାହାଣୀ ସବୁକୁ ପଦାରେ ଆଣି ପକାଇଛି, ଯାହା ସବୁ କି ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି।
ଛାତ୍ରମାନେ କିଟ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତ ଦାବି କରିବା ସହ କିଟ୍ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି।
କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି ଭାରତ। ଘଟଣା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିବାବେଳେ କିଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି।
ଏହାକୁ ନେଇ ଉଦବେଗ ପ୍ରକାଶ କଲେ ନେପାଳ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଚିନ୍ତାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ। କିଟ୍ ରେ ଯାହା ଅଭାବନୀୟ ଘଟଣା ଘଟିଲା, ତାହା ଭାରତକୁ ବଦନାମ କଲା ବୋଲି କୁହାଯାଉଛି । ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପମାନ ନେଇ କ୍ଷୁବ୍ଧ ହୋଇଛନ୍ତି ଭାରତ ସରକାର । କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପରେ ବଢ଼ିଛି ଚାପ । କୁହାଯାଉଛି ଅଚ୍ୟୁତଙ୍କ ବିରୋଧରେ ହୋଇପାରେ ବଡ଼ ଆକ୍ସନ।
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଓ ତା ପରବର୍ତ୍ତୀ ସମୟରେ ନେପାଳ ଛାତ୍ରଙ୍କ ଉପରେ ଜୁଲୁମ ଘଟଣାରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୩ ବିଭାଗର ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ଅଧିକାରୀଙ୍କୁ ନେଇ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି । କମିଟି ତଦନ୍ତ କରି ଯେଉଁ ରିପୋର୍ଟ ଦେବ, ସେଇ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି । ମନ୍ତ୍ରୀ ଏକଥା ବି କହିଛନ୍ତି ଯେ କିଟ୍ରେ ପଢୁଥିବା ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ କରାଯାଉ । ଯେଉଁମାନେ କିଟ୍ ଛାଡ଼ି ପଳାଇଛନ୍ତି, ସମସ୍ତଙ୍କ ଟ୍ରାକ୍ କରାଯାଉ । କ୍ୟାମ୍ପସ ଫେରିଲେ ସେମାନଙ୍କ ଉପରେ ପ୍ରତିଶୋଧ ନିଆ ନ ଯାଉ ବୋଲି ତାଗିଦ୍ କରି ଦେଇଛନ୍ତି ମନ୍ତ୍ରୀ ।
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରିଛନ୍ତି। ଏଥିସହିତ ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସୋମବାର କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍ ଦୁଃଖିତ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ବି.ଟେକ୍ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍ସଲ୍ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍ ଜରିଆରେ ଓଢ଼ଣିରେ ଝୁଲି ଆଖି ବୁଜିଛନ୍ତି।
ତେବେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ତେବେ ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍ରୁ ପ୍ରକୃତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଛାତ୍ରଛାତ୍ରୀ ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ।
ସେପଟେ ଏହି ଘଟଣାରେ ପୁରୁଷବନ୍ଧୁ ବି.ଟେକ୍ ତୃତୀୟ ବର୍ଷ (ମେକାନିକାଲ)ର ଛାତ୍ର ଆଦଭିକ୍ ଶ୍ରୀବାସ୍ତବଙ୍କ ବ୍ଲାକମେଲ୍ ସହି ନ ପାରି ପ୍ରକ୍ରିତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାନ୍ତ ସିଗ୍ଦେଲ୍ କହିଛନ୍ତି। ସିଗ୍ଦେଲଙ୍କ ଏତଲା ଆଧାରରେ ଇନ୍ଫୋସିଟି ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଦଫା ୧୦୮ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ.୫୪/୨୦୨୫) ରୁଜୁ କରିଛି। ଅଭିଯୁକ୍ତ ଆଦଭିକ୍ ରାଜ୍ୟ ବାହାରକୁ ଖସି ପଳାଉଥିବା ବେଳେ ପୋଲିସ ଟିମ୍ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ତାଙ୍କୁ ବିଚାବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଦଭିକ୍ଙ୍କ ଘର ଲକ୍ଷ୍ନୌରେ ହୋଇଥିବାବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ପାଖରୁ ମୋବାଇଲ ଓ ଲାପଟପ୍ ଜବତ କରାଯାଇଛି।
ତେବେ ଏହି ଘଟଣାକୁ ନେଇ ନେପାଳୀ ଛାତ୍ରୀଛାତ୍ର ଓ କିଟ୍ କର୍ତ୍ତୃପକ୍ଷ ମୁହାଁମୁହିଁ ପରିସ୍ଥିତିର କେତେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଛାତ୍ରୀଙ୍କୁ ଧମକ ସହ ହଷ୍ଟେଲରୁ ବଳପୂର୍ବକ ତଡୁଥିବା ଦେଖିବାକୁ ମିଳିଛି। ଏଥିସହ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରୁଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି। ସେପଟେ କ୍ୟାମ୍ପସ୍ରେ ଅଧିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡାଇବା ପାଇଁ ସବୁ ବର୍ଷର ନେପାଳୀ ଛାତ୍ରୀଛାତ୍ରଙ୍କ କ୍ଲାସ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ‘ସାଇନ୍ ଏ ଡାଏ’ ଘୋଷଣା କରିଥିଲେ। ସେମାନଙ୍କୁ ନିଜ ଘରକୁ ଫେରିଯିବାକୁ କୁହାଯିବା ସହ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ପ୍ରାୟ ଶତାଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ବସ୍ ଯୋଗେ ବଳପୂର୍ବକ କଟକ ରେଳ ଷ୍ଟେଶନରେ ଛାଡ଼ି ଦିଆଯାଇଥିଲା।
ଏହାକୁ ନେଇ ନେପାଳୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଘରକୁ ଯିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯାଇ ତୁରନ୍ତ ଚାଲିଯିବାକୁ କୁହାଯିବାରୁ ଛାତ୍ରୀଛାତ୍ରମାନେ ଅକଳରେ ପଡ଼ିଥିଲେ। ପୋଲିସ ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକୃତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକୃତିଙ୍କୁ ବ୍ଲାକମେଲ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍ ଇଣ୍ଟରନ୍ୟାଶନାଲ ରିଲେଶନ୍ ଅଫିସ (ଆଇଆର୍ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋଷ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକୃତି ରାଜି ନ ହେବାରୁ ଆଦ୍ଵିକ୍ ତାଙ୍କୁ ପୁଣି ମାନସିକ ନିର୍ଯାତନା ଦେଇଥିଲେ।
ରବିବାର ସକାଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପ୍ରକୃତି ଆତ୍ମହତ୍ୟା କରିଥିବା ନେଇ ସହପାଠୀମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଉଦ୍ବେଗ ପ୍ରକାଶ କରିବା ସହ ନେପାଳ ଦୂତାବାସ ଘଟଣାକୁ ନେଇ ଚିନ୍ତାପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ତେବେ ଏହାପରେ ସାରେ କିଟ୍ ପକ୍ଷରୁ ନୋଟିସ୍ ଜାରି କରାଯାଇ ଛାତ୍ରୀଛାତ୍ରମାନଙ୍କୁ ଫେରିଆସିବାକୁ ଅପିଲ୍ କରାଯାଇଛି। ଯେଉଁମାନେ ଯାଇଛନ୍ତି କିମ୍ବା ଯିବାକୁ ବସିଛନ୍ତି, ସେମାନେ ଫେରିବାକୁ କୁହାଯାଇଛି। ତେବେ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସ୍ରେ ଦର୍ଶାଯାଇଛି।
ତେବେ ସେ ଯାହା ହେଉ ପରିଶେଷରେ ଏତିକି କୁହାଯାଇପାରେ ଯେ କେବଳ କିଟ୍ ନୁହେଁ, ସମଗ୍ର ଦେଶରେ ଶିକ୍ଷାକୁ ଏକ ବହୁ ଲାଭଜନକ ବ୍ୟବସାୟରେ ପରିଣତ କରାଯିବାର ବିଭିନ୍ନ ଦୁଃଷ୍ପରିଣାମ ମଧ୍ୟରୁ ଗୋଟିଏ। ରାଜସ୍ଥାନର କୋଟାରେ ଆଇଏଏସ ପରୀକ୍ଷା ଲାଗି କୋଚିଙ୍ଗ୍ ନେଉଥିବା ଅନେକ ଛାତ୍ରଛାତ୍ରୀ ପଢାର ବୋଝ ସମ୍ଭାଳି ନପାରି ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି।
କେବଳ ବିପୁଳ ରୋଜଗାରକୁ ଦୃଷ୍ଟିରେ ରଖି ଏପରି ଶିକ୍ଷାଦାନ କରାଯାଉଥିବାରୁ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁସଂସ୍କାର ଆଣିବା ଦିଗରେ ଧ୍ୟାନ ଦିଆନଯିବା ଫଳରେ ଏପରି ସବୁ ଅଘଟଣମାନ ଘଟୁଛି। ଏଣୁ ଛତୁ ଫୁଟିଲା ପରି ବ୍ୟବସାୟିକ ଶିକ୍ଷାନୁଷ୍ଠାନ ଖୋଲିବା ପରିବର୍ତ୍ତେ ସଂସ୍କାରଧର୍ମୀ ଶିକ୍ଷାନୁଷ୍ଠାନ ଖୋଲାଯାଉ। ସେଠାରେ ପ୍ରଥମେ ପିଲାଙ୍କ ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯାଉ । ଏହାପରେ ସେମାନଙ୍କୁ ପ୍ରଚଳିତ ବସ୍ତୁବାଦୀ ଶିକ୍ଷାଦାନ କରାଯାଉ। ଆଜିର ଶିକ୍ଷା ରୋଜଗାରଧର୍ମୀ ହୋଇଥିବାରୁ ଏହାର ବି ଉପଯୋଗିତା ଅଛି। ଏଣୁ ଏ ଶିକ୍ଷାଦାନ ଚାଲୁ, ତାହା ସହିତ ଚରିତ୍ର ନିର୍ମାଣଧର୍ମୀ ଶିକ୍ଷାଦାନ ବି କରାଯାଉ। ଦେଶବ୍ୟାପୀ ବ୍ୟାପକ ପ୍ରସାର ଲାଭ କରିଥିବା ଏବଂ ସଂସ୍କାରମୂଳକ ଶିକ୍ଷାଦାନ ସହିତ ଆଧୁନିକ ଶିକ୍ଷାଦାନ ଉପଯୁକ୍ତ ତାଳମେଳ ସ୍ଥାପନ କରିଥିବା ସରସ୍ବତୀ ଶିଶୁ ମନ୍ଦିର ସମସ୍ତଙ୍କ ଲାଗି ଅନୁକରଣୀୟ। ଦେଶବ୍ୟାପୀ ଚାଲିଥିବା ଏହି ଶିକ୍ଷାନୁଷ୍ଠାନରେ ଆଜିଯାଏ ଏପରି କୈାଣସି ଅଭାବନୀୟ ବା ଅପ୍ରୀତିକର ଘଟଣା ଘଟିଥିବାର ଗୋଟିଏ ବି ହେଲେ ପ୍ରମାଣ ନାହିଁ। ଏହା ହେଉଛି ଅଧ୍ୟାତ୍ମପୂରକ ସଂସ୍କାର ପ୍ରଦାନର ସୁଖଦ ପରିଣାମ। ଏଥିରେ କୈାଣସି ଖାସ୍ ପରିଶ୍ରମ ବା ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡେନାହିଁ। ଏଥିଲାଗି କେବଳ ଆବଶ୍ୟକତା ରହିଛି ପିଲାଙ୍କୁ ସତ୍ ପଥରେ ଆଗେଇନେବାର ସଦିଚ୍ଛା