
ଆଲେଖ୍ୟ – ଜବାହର ମିଶ୍ର
…………………………………………………………
କ୍ଷମତା ରାଜନୀତିର ଖଟା ମିଠା ସ୍ଵାଦ ଯିଏ ଥରେ ଚାଖିଛି, ସେ କଦାଚନ ସେହି ମୁଖରୋଚକ ସ୍ଵାଦକୁ ଛାଡିରହିପାରିବନାହି। ତାକୁ ସେହି ସ୍ଵାଦ ଗ୍ରହଣରୁ ଯେତେ ଦୂରେଇକରି ରଖିଲେ ବି ସେ ସେହି ସ୍ଵାଦକୁ ବାରମ୍ବାର ଚାଖିବାର ପ୍ରୟାସ କରିଚାଲିବ। ସେଥିରେ ସେ ସଫଳ ହେଉ କି ବିଫଳ ହେଉ , ପ୍ରୟାସ ଅବଶ୍ୟ ସେ କରିଚାଲିବ। ବିଜେଡିର ସନ୍ନ୍ୟାସୀ ରାଜନେତା କାର୍ତ୍ତିକେୟନ ପାଣ୍ଡିଆନଙ୍କର ଠିକ୍ ସେହି ଅବସ୍ଥା ହୋଇଛି। ନିକଟରେ ଲୋକସଭା ଆଉ ବିଧାନସଭା ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି କେ ପାଣ୍ଡିଆନ ବେଶୀ ଦିନ ସନ୍ନ୍ୟାସୀ ଜୀବନ କାଟିନପାରି ପୁଣି ରାଜନୀତିର ବଡ଼ଦାଣ୍ଡରେ ଆସି ଡିଆଁ ଡେଇଁ କରିବାକୁ ରାସ୍ତା ସଫା କଲେଣି।
ସୂଚନାଯୋଗ୍ୟ ଯେ ଗତ ୬ ମାସ ତଳେ ରାଜ୍ୟରେ ସମ୍ପନ୍ନ ବିଧାନସଭା ନିର୍ବାଚନରେ ବିଜେଡି ବଡ ଅପ୍ରତ୍ୟାଶିତ ଭାବେ ମାଟି କାମୁଡ଼ି ପଡ଼ିଲା ଆଉ କ୍ଷମତାଚ୍ୟୁତ ହେଲା। ପରାଜୟର ସମସ୍ତ ଦାୟରୂପୀ କଚରା ପାଣ୍ଡିଆନଙ୍କ ଉପରେ ଅଜାଡିଦିଆଗଲା। ଦଳ ଭିତରେ ଆଉ ବାହାରେ ଏପରିକି ଗଣମାଧ୍ୟମରେ ପରାଜୟ ଲାଗି ପାଣ୍ଡିଆନଙ୍କୁ ଦାୟୀ କରାଗଲା। ଏଣୁ ଏ ସବୁ ଦାୟରୁ ମୁକ୍ତ ହେବା ଲାଗି ପାଣ୍ଡିଆନ ବଡ ଚତୁରତାର ସହିତ ରାଜନୈତିକ ସନ୍ନ୍ୟାସ ନେଇ ବାନପ୍ରସ୍ଥରେ ଚାଲିଗଲେ।କେହି ତାଙ୍କର ଦର୍ଶନ ପାଇଲେନାହିଁ । କିନ୍ତୁ ସେ ନବୀନ ନିବାସକୁ ହିଁ ତାଙ୍କର ବାନପ୍ରସ୍ଥର ବନ କରି ସେହିଠାରୁ ପରୋକ୍ଷ ଭାବେ ଦଳର ଚାବି ମୋଡାମୋଡି କଲେ। କିନ୍ତୁ ପରୋକ୍ଷ ରାଜନୀତି ଏକ ଭେଜିଟେରିଆନ୍ ରାଜନୀତି ହୋଇଥିବାରୁ ଏବଂ ସେଥିରୁ କିଛି ଖାସ୍ ମଜା ନ ମିଳିବାରୁ ଏବେ ପାଣ୍ଡିଆନ ନନ୍ ଭେଜ୍ ରାଜନୀତି ବା ପ୍ରତ୍ୟକ୍ଷ ରାଜନୀତି କରିବାକୁ ଡହଳ ବିକଳ ହେଲେଣି।
ଏଥିଲାଗି ଗତ କେଇ ଦିନ ହେଲା ପାଣ୍ଡିଆନ ଖୁବ୍ ଡ଼ିଆଁ ଡେଇଁ କରିବା ଲକ୍ଷଣୀୟ ହୋଇଥିଲା। କିନ୍ତୁ ଡିସେମ୍ଵର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସର ଦିନକ ଆଗରୁ ପାଣ୍ଡିଆନ ଯେଉଁ ବାର୍ତ୍ତା ତାଙ୍କର ସୋସିଆଲ ମିଡିଆ ‘ଏକ୍ସ’ର ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟରୁ ଦିନ ୧୨ଟା ୧୫ମିନିଟରେ ଓଡ଼ିଆ ଭାଷାରେ ପୋଷ୍ଟ କଲେ, ତାହା ପାଣ୍ଡିଆନଙ୍କ ଅନୁଶୋଚନା ଓ ଭବିଷ୍ୟତ ମହତ୍ୱାକାଂକ୍ଷାର ପ୍ରମାଣ ଦେଇଛି । ଏହି ପୋଷ୍ଟ ଜରିଆରେ ସେ ଜଣାଇଦେଇଛନ୍ତି ଯେ, ମୁଁ ପୁଣି ଆସୁଛି। ଏଥର ଖୋଲା ମଇଦାନରେ କସରତ କରିବି।
ବିଜେଡି ସରକାରର ପତନକୁ ନିଜର ଭୁଲ୍ ବୋଲି ପରୋକ୍ଷରେ ସ୍ୱୀକାର କରି କ୍ଷମା ମାଗିବା ସହ ଓଡ଼ିଶାରେ ଓଡ଼ିଆ କହିବା ଓ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ବୋଲି ପାଣ୍ଡିଆନ ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଡିସେମ୍ବର ୨୬ ରେ ବିଜେଡିର ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ପାଣ୍ଡିଆନ ଏପରି ପୋଷ୍ଟ କରିବା ଖୁବ୍ ମାନେ ରଖୁଛି। ସୂଚନା ଅନୁସାରେ ସୋସିଆଲ ମିଡିଆ ‘ଏକ୍ସ’ର ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟରୁ ଗତ ବୁଧବାର ଓଡ଼ିଆ ଭାଷାରେ ଏଭଳି ପୋଷ୍ଟ ହୋଇଛି, ଯାହା ପାଣ୍ଡିଆନଙ୍କ ଅନୁଶୋଚନା ଓ ଭବିଷ୍ୟତ ମହତ୍ୱାକାଂକ୍ଷାର ପ୍ରମାଣ ଦେଇଛି । ନିଜର ‘ଏକ୍ସ’ ଆକାଉଣ୍ଟରେ ପାଣ୍ଡିଆନ ଦର୍ଶାଇଛନ୍ତି ଯେ “ଭୁଲ୍ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ।” ପାଣ୍ଡିଆନଙ୍କ ଏହି ପୋଷ୍ଟ ଉପରେ ବିଭିନ୍ନ ଲୋକେ ନିଜ ନିଜର ମତାମତ ଦେବାରେ ଲାଗିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି ? ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଜାଣିବା ପାଇଁ ସମୀକ୍ଷା ବୈଠକ କରୁନଥିବା ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗଙ୍କ ଉପରେ ଦୋଷଲଦି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିବାରେ ଲାଗିଛି । ଆଉ ଠିକ୍ ଏହି ସମୟରେ ପାଣ୍ଡିଆନ ନିଜର ‘ଏକ୍ସ’ରେ ଏଭଳି ପୋଷ୍ଟ କରିବା ତାଙ୍କୁ ବିଜେଡିର ପରାଜୟ ଲାଗି ଦାୟୀ କରୁଥିବା ଦଳୀୟ ନେତାମାନଙ୍କୁ ଏକ ଜବାବ ବୋଲି କୁହାଯାଉଛି। ‘ଏକ୍ସ’ରେ ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟରୁ ଯାହା ଉଲ୍ଲେଖ କରାଯାଇଛି , ସେଥିରୁ ଜଣାପଡ଼ୁଛି ଯେ, ପାଣ୍ଡିଆନ ନିଜର ଭୁଲକୁ ସ୍ୱୀକାର କରି ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ଆଉ ଓଡ଼ିଶାରେ ସିଏ ଜନ୍ମ ହୋଇନାହାନ୍ତି ସତ , କିନ୍ତୁ ଓଡ଼ିଆ କହୁଛନ୍ତି ଓ ଓଡ଼ିଆଙ୍କ ସୁଖଦୁଃଖର ସାଥି ବୋଲି ନିଜକୁ ଦର୍ଶାଇବାକୁ ପ୍ରୟାସ କରିଛନ୍ତିି ।ପାଣ୍ଡିଆନ ତାଙ୍କର ଏହି ପୋଷ୍ଟ ଜରିଆରେ ରାଜ୍ୟବାସୀଙ୍କ ଭାବାବେଗକୁ ଛୁଇଁବା ସହିତ ମୋଟାମୋଟି ଭାବେ ଏହା ହିଁ କହିବାକୁ ଚାହିଁଛନ୍ତି ଯେ ଯାହା ହେଇଗଲା, ତାହା ଆପଣମାନେ ଭୁଲିଯିବା ସହ ଉଦାର ହୃଦୟରେ ମୋତେ କ୍ଷମା କରିଦିଅନ୍ତୁ ଆଉ ପ୍ରତ୍ୟକ୍ଷ ରାଜନୀତି କରିବାକୁ ମୋତେ ସୁଯୋଗ ଦିଅନ୍ତୁ। ମାତ୍ର ୬ ମାସ ତଳେ ଲୋକେ ଓଡିଆ ଅସ୍ମିତା କାରଣରୁ ଯେଉଁ ପାଣ୍ଡିଆନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ସେହି ପାଣ୍ଡିଆନଙ୍କୁ ଏତେ ଶୀଘ୍ର କିପରି କୋଳାଗ୍ରତ କରିବେ ବୋଲି ଚର୍ଚ୍ଚା ଚାଲିଛି।