
ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ଅଭିଯୋଗରେ ଇନ୍ସପେକ୍ଟର ତପନ ନାହାକ ନିଲମ୍ବିତ ହୋଇଛନ୍ତି। ଜଗତସିଂପୁର ଜିଲ୍ଲାରେ ଜଣେ ଯୁବତୀ ହୋମଗାର୍ଡ ପୁଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅବିବାହିତ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାଛୁଆ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ। ଧୀରେ ଧୀରେ, ହୋମଗାର୍ଡ ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଗଭୀର ହେବା ସହିତ ଶାରୀରିକ ମଧ୍ୟ ହୋଇଥିଲା। କିନ୍ତୁ କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇ ଯିବା ଆରମ୍ଭ କରିଥିଲେ।
ଖୋଦ୍ ମହିଳା ହୋମଗାର୍ଡ ଜଣକ ରସିକିଆ ପୋଲିସ ବାବୁଙ୍କ କାରନାମା ପ୍ରଘଟ କରିଛନ୍ତି । ବିବାହ କଥା ଉଠାଇବାରୁ ଧରାଛୁଆଁ ଦେଉ ନଥିଲେ । ତେଣୁ ଶେଷରେ ମହିଳା ହୋମଗାର୍ଡ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତପନ ଫେରାର ହୋଇଯାଇଥିଲେ । ଜଗତସିଂହପୁର ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କୁ ଖୋର୍ଦ୍ଧାରୁ ଧରିଛି । ଆଉ ଉଭୟଙ୍କୁ ଏକ ୯ ଜଣିଆ ଟିମ ଜେରା କରିଛି ।
ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଜଗତସିଂହପୁର ପୁଲିସ ଅଧୀକ୍ଷକ (ଏସପି) ଭବାନୀ ଶଙ୍କର ଉଦଗାତା କହିଥିଲେ, ଜଣେ ମହିଳା ହୋମଗାର୍ଡ ଥାନାରେ ରାଇଟର ଭାବରେ କାମ କରୁଥିବା ସମୟରେ ଆଇଆଇସି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ରିପୋର୍ଟ କରିଥିଲେ। ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ନଂ ୧୧୭/୨୫ ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।