
ମେଲବୋର୍ଣ୍ଣ ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ର୍ଥ କ୍ରିକେଟ ଟେଷ୍ଟ ମ୍ୟାଚର ଆଜି ଦ୍ଵିତୀୟ ଦିବସର ଖେଳର ଶେଷାର୍ଦ୍ଧରେ ଭାରତ ବ୍ୟାଟିଙ୍ଗ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନର ସମ୍ମୁଖୀନ ହେବା ସ୍ଥିତିରେ ଉପନୀତ ହୋଇଛି।
ଖେଳର ଶେଷ ଅଧ ଘଣ୍ଟାରେ ଭାରତ ବ୍ୟାଟିଙ୍ଗ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏପରି ଦୁର୍ଦ୍ଦଶାକୁ ଟାଣି ହୋଇଯାଇଛି।ବ୍ୟକ୍ତିଗତ ଶତକ ଲାଭ ଆଡ଼କୁ ଆଗେଇଥିବା ଯଶସ୍ଵୀ ଜୟସ୍ଵାଲ ଦୁର୍ଭାଗ୍ୟବଶତଃ ଶେଷ ଭାଗରେ ପ୍ରଥମେ ରନ୍ ଆଉଟ୍ ହେବା ଫଳରେ ଭାରତର ଉଇକେଟ ପତନର ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ଏହାପରେ ବିରାଟ କୋହଲୀ ଆଉ ରାତ୍ରୀ ଜଗୁଆଳୀ ଭାବେ ଆସିଥିବା ଆକାଶଦୀପ ଆଉଟ୍ ହୋଇଥିଲେ। ଏକଦା ଭାରତ ୨ ଉଇକେଟରେ ୧୫୩ ରନ୍ କରି ଏକ ଦୃଢ ସ୍ଥିତିରେ ରହିଥିବାବେଳେ ରନ୍ ଆଉଟ୍ କାରଣରୁ ବ୍ୟାଟିଙ୍ଗ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଖେଳ ଶେଷ ସୁଦ୍ଧା ୫ ଉଇକେଟ ବିନିମୟରେ ୧୬୪ ରନ୍ କରିଛି।
ଭାରତ ପକ୍ଷରୁ ଜୟସ୍ଵାଲ ସର୍ବାଧିକ ୮୨ , ରାହୁଲଙ୍କ ସ୍ଥାନରେ ଓପନର୍ ହୋଇ ଆସିଥିବା ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଫର୍ମହରା ବ୍ୟାଟିଙ୍ଗ ପ୍ରଦର୍ଶନ କରି ମାତ୍ର ୩ ରନରେ ଆଉଟ ହୋଇଥିଲେ। ଗିଲଙ୍କ ସ୍ଥାନରେ ପ୍ରଥମ ଡାଉନରେ ଆସିଥିବା ରାହୁଲ ୨୪ ରନ୍ କରିଥିଲେ। କୋହଲି ୩୬ ରନ୍ କରିଥିଲେ। ଜୟସ୍ଵାଲ ସର୍ବାଧିକ ୮୨ ରନ୍ କରିଥିଲେ। ଋଷଭ ପନ୍ଥ ୬ ଏବଂ ରବିନ୍ଦ୍ର ଯାଦେଜା ୪ ରନ୍ କରି ଅପରାଜିତ ଅଛନ୍ତି।ଫଲୋଅନ ଏଡାଇବା ଲାଗି ଭାରତ ଆଉ ୧୧୦ ରନ୍ ଆବଶ୍ୟକ କରୁଛି। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୨ ଟି ଏବଂ ସ୍କଟ ବୋଲେଣ୍ଡ ମଧ୍ୟ ୨ ଟି କରି ଉଇକେଟ ଦଖଲ କରିଥିଲେ।ଷ୍ଟାର୍କ କୈାଣସି ଉଇକେଟ ପାଇନାହାନ୍ତି।
ଏହା ପୂର୍ବରୁ ଅଷ୍ଟ୍ରେଲିଆର । ପ୍ରଥମ ପାଳି ୪୭୪ ରନରେ ଉଦଯାପିତ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ନବାଗତ ସେମ୍ କୋନଷ୍ଟାସ୍ ୬୦, ଉସମାନ ଖ୍ଵାଜା ୫୭, ଲାବୁସେନ ୭୨, ଷ୍ଟିଭ ସ୍ମିଥ୍ ଶତକ ଲାଭ ସହ ସର୍ବାଧିକ ୧୪୦ ଏବଂ କମିନ୍ସ ୪୯ ରନ୍ କରିଥିଲେ।ଭାରତ ପକ୍ଷରୁ ବୁମରାହା ସର୍ବାଧିକ ୪ ଟି ଉଇକେଟ ଦଖଲ କରିଥିବାବେଳେ ଯାଦେଜା ୩ ଟି,ଆକାଶଦୀପ ୨ଟି ଏବଂ ଓ୍ବାଶିଙ୍ଗଟନ୍ ସୁନ୍ଦର ୧ ଟି କରି ଉଇକେଟ ଦଖଲ କରିଥିଲେ। ସିରାଜ ଏବଂ ନୀତିଶ କୁମାର ରେଡ୍ଡୀ କୈାଣସି ଉଇକେଟ ଦଖଲ କରିପାରିନଥିଲେ।