

ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ବିଜୁ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ଥିଲା। ଦେଖିଲାବେଳକୁ ସରକାର ଆୟୋଜନ କରିଥିବା ବିଜୁବାବୁଙ୍କ ଜନ୍ମ ଉତ୍ସବରେ ନବୀନ ଯୋଗ ଦେଇ ନ ଥିଲେ।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ପରେ ନବୀନଙ୍କ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଥିଲା। କୁଆଡେ ବିଜୁ ବାବୁଙ୍କ ଜନ୍ମ ଦିନକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ରୂପେ ପାଳନ କରିନଥିବାରୁ କୁଆଡେ ଅଭିମାନରେ ନବୀନ ବାବୁ ଏଥିରେ ଯୋଗ ଦେଇନଥାଇପାରନ୍ତି ବୋଲି କୁହାଯାଉଛି।
ତେବେ ବିଜୁ ଜୟନ୍ତୀ ସମାରୋହରେ ଆସି ନଥିବାରୁ ନବୀନଙ୍କୁ ମୋହନ ମାଝୀ ଟାର୍ଗେଟ କରିଥିଲେ। ସେ କହିଥିଲେ, ଆମେ ନବୀନଙ୍କୁ ଡାକିଥିଲୁ, ସେ ଆସିଲେ ନାହିଁ। ଶୁଣିଥିଲି ସଂଧ୍ୟା ସମୟରେ ସେ ଆସନ୍ତି ନାହିଁ। ୨୦୨୦ ମସିହାରୁ ସଂଧ୍ୟାରେ ସେ କୁଆଡ଼େ ଯାଆନ୍ତି ନାହିଁ। ବିଧାନସଭାକୁ ମଧ୍ୟ ଆସି ନାହାନ୍ତି।ସୂଚନାଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ ଜଣାଇଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ମୋହନ ନବୀନଙ୍କୁ ଅନୁରୋଧ କରିଥିଲେ। ଚିଠିରେ ମୋହନ ଲେଖିଥିଲେ, ଆପଣଙ୍କୁ ମୋର ସାଦର ନମସ୍କାର। ଆସନ୍ତା ମାର୍ଚ୍ଚ ୫ ତାରିଖରେ ମହାନ ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ରାଜ୍ୟ ସରକାର ମହାସମାରୋହରେ ପାଳନ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ଜୟଦେବ ଭବନଠାରେ ୫ ତାରିଖ ସନ୍ଧ୍ୟା ୭ଟାରେ ଏକ ରାଜ୍ୟସ୍ତରୀୟ ସଭାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଆପଣଙ୍କର ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ । ତେବେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ି
ଲା। ନବୀନ ଏହି ଉତ୍ସବକୁ ଆସିନଥିଲେ।
ବିଜୁ ଜୟନ୍ତୀ-ପାପ ଓ ମହାପାପ ରାଜନୀତି। ଏପରି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେ ଆସିନଥିଲେ। ତେଣୁ ନବୀନ ଅନୁପସ୍ଥିତ ରହିବା ପରେ କାର୍ଯ୍ୟକ୍ରମରେ ତାଙ୍କୁ କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ କାର୍ଯ୍ୟକ୍ରମ ସରିବା ପରେ କହିଥିଲେ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ ନଆସି ପାପ କରିଛନ୍ତି ନବୀନ। ରାଜନୀତି ଉର୍ଦ୍ଧ୍ବରେ ରହି ଅନେକଙ୍କୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ସବୁ ନିମନ୍ତ୍ରିତ ଅତିଥି ଆସିଥିଲେ କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇଥାନ୍ତା। ହେଲେ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତା ନବୀନ ବାବୁ ଆସିଲେ ନାହିଁ। ଏତେ ଡାକିବା ପରେ ବି କାର୍ଯ୍ୟକ୍ରମକୁ ନଆସି ନବୀନ ବାବୁ ପାପ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଡା ଜବାବ ଦେଇଛି ବିଜେଡି। ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ମହାପାପ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ପ୍ରଥମେ ଗୋଇଠା ମାରି ପରେ ବିଷ୍ଣୁ କହିଛନ୍ତି। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳିଲେ ନାହିଁ । ତେବେ ମାର୍ଚ୍ଚ ୮ରେ ମହିଳା ଦିବସରେ କିପରି ସୁଭଦ୍ରା ଦିବସ ପାଳନ କରୁଛନ୍ତି? ଆଉ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯଦି ରାଜ୍ୟ ସରକାର ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ପୂରଣ କରିପାରିବେ, ତାହେଲେ କରନ୍ତୁ । କିନ୍ତୁ ବିଜୁଙ୍କ ପରି ବ୍ୟକ୍ତିତ୍ୱକୁ ନିର୍ଦିଷ୍ଟ ରାଜନୈତିକ ଦଳର ସୀମାରେ ବାନ୍ଧିବା ହେଉଛି ତାଙ୍କ ସ୍ମୃତି ପ୍ରତି ଅପମାନ। ଉଚ୍ଚଙ୍ଗ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ଅପମାନ କରି, ତାଙ୍କୁ ପୂଜା କରିବା ପରେ କିଏ ପାପ କଲା ଓ କିଏ ପୂର୍ଣ୍ଣ କଲା, ସେକଥା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି। ହେଲେ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି ବିଜେଡି ହିଁ ବିଜୁ ବାବୁଙ୍କୁ ଅସମ୍ମାନ କରୁଛି। ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ନଦେଇ କିଏ ଅସମ୍ମାନ କଲା ତା ଉତ୍ତର ବିଜେଡି ରଖିବା ଦରକାର। ପ୍ରତି ପଞ୍ଚାୟତ, ବ୍ଲକ ମୁଖ୍ୟାଳୟରେ ବିଜୁ ଜୟନ୍ତୀ ସରକାରୀ ଭାବେ ପାଳନ ହୋଇଛି। ବିଜେଡି ଜାଣିବା ଦରକାର ବିଜୁ ଜଣେ ଜାତୀୟ ସ୍ତରରେ ନେତା।
ସେପଟେ ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ତଥା ବିଜୁଙ୍କୁ ଉପଯୁକ୍ତ ସମ୍ମାନ ନଦେବା ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି ବିଜେଡି। ଦଳୀୟ ନେତା ଓ କର୍ମୀ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଗତବର୍ଷ ମୋହନ ମାଝୀ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ ପାଇ ଯେଉଁ ନବୀନ ପଟ୍ଟନାୟକ ସେଥିରେ ଯୋଗ ଦେଇଥିଲେ, ସେହି ନବୀନ ପଟ୍ଟନାୟକ ଏଥର ନିମନ୍ତ୍ରଣ ସତ୍ତ୍ଵେ ତାଙ୍କ ପିତାଙ୍କ ଜୟନ୍ତୀ ସମାରୋହକୁ କାହିଁକି ଆସିଲେନାହିଁ ? କୁହାଯାଏ ଯେ ବିଜୁ ବାବୁଙ୍କୁ ଜନ୍ମ ଦିବସକୁ ରାଜ୍ୟ ସରକାର ଛୁଟି ଘୋଷଣା ନ କରିବା ଏବଂ ବିଶେଷ କରି ଏହି ଦିନଟିକୁ ସରକାର ପଞ୍ଚାୟତିରାଜ ଦିବସ ରୂପେ ପାଳନ କରିନଥିବାରୁ କୁଆଡେ ଏଥିନେଇ ଖପ୍ପା ହୋଇ ନବୀନ ଏହି ସରକାରୀ ଉତ୍ସବକୁ ଆସିନଥିଲେ
ବୋଲି କୁହାଯାଉଛି।
ଉଲ୍ଲେଖନୀୟ ଯେ ଗତକାଲି ବିଜେଡି ତରଫରୁ ଶଙ୍ଖ ଭବନରେ ବିଜୁବାବୁଙ୍କ ଜୟନ୍ତୀ ଉତ୍ସବ ବଡ ଭବ୍ୟତା ସହକାରେ ପାଳନ କରାଯାଇଥିଲା। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଏହି ଉତ୍ସବରେ ନବୀନ ଉପରୋକ୍ତ କାରଣ ନେଇ ତାଙ୍କର ଭଡାସ୍ ଉଗାଳିଥିଲେ। ଏହି ସଭାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିଥିଲେ। “ବିଜୁ ବାବୁ ଥିଲେ ଟଲ୍ ମ୍ୟାନ। ଓଡ଼ିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ। ହେଲେ ଏବେ ରାଜ୍ୟର ବିଜେପି ସରକାର ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି। ୩୦ ବର୍ଷ ଧରି ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଥିଲା। ଏବେ କିନ୍ତୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସର ତାରିଖକୁ ବଦଳାଇ ଦେଲେ। ସରକାର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନାମ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସେମାନେ ନାଁ ବଦଳାଇପାରିବେ କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବେ ନାହିଁ। ଏହା ସେମାନଙ୍କ ଛୋଟ ଚିନ୍ତାଧାରା
ବୋଲି କହିଥିଲେ ନବୀନ ପଟ୍ଟନାୟକ।