
ଦେଶରେ ଘରୋଇ ଦୂରସଂଚାର କମ୍ପାନୀମାନେ ଏବେ ନିଜର ସର୍ବଗିଳା ନୀତି ଯୋଗୁ ବଡ ଘାଟାରେ ପଡିଲେଣି। ଗ୍ରାହକମାନଙ୍କ ଆଖିବୁଜା ଆର୍ଥିକ ଶୋଷଣ କାରଣରୁ ସେମାନେ ଏପରି ଦୁଃସ୍ଥିତିର ସମ୍ମୁଖୀନ ହୋଇଛନ୍ତି।ଏହାର ଫାଇଦା ବିଦେଶୀ କମ୍ପାନୀ ବିଶେଷ କରି ଆଲାନ ମସ୍କଙ୍କ କମ୍ପାନୀ ପାଇବାକୁ ଯାଉଛି। ଆସନ୍ତା ନୂଆ ବର୍ଷରେ ଦେଶର ଘରୋଇ ଦୂରସଞ୍ଚାର କମ୍ପାନୀ ନିବେଶ ଫେରିପାଇବା ନେଇ ଯୁଗ୍ମ ଆହ୍ବାନର ସମ୍ମୁଖୀନ ହେଉଛନ୍ତି । କାରଣ ଅଧିକ ଲାଭ ଆଶାରେ ସେମାନେ ଦୂରସଞ୍ଚାର ସେବା ଦର ବଢ଼ାଇବା ପରେ ଗ୍ରାହକ ସେମାନଙ୍କ ନେଟ୍ ଓ୍ଵାର୍କ ଛାଡ଼ିବା ପରେ ସାଟେଲାଇଟ ବଜାରର ପ୍ରମୁଖ ଖେଳାଳୀ ଏଲନ ମସ୍କଙ୍କ ଷ୍ଟାର ଲିଙ୍କ ଏବେ ଭାରତୀୟ କମ୍ପାନୀଙ୍କ ମୋବାଇଲ ଡାଟା ବ୍ୟବସାୟ ଉପରେ ନଜର ପକାଇଛି।
ଚଳିତ ବର୍ଷ ଦେଶର ଘରୋଇ ସଂସ୍ଥାମାନେ ଦୂରସଞ୍ଚାର ଭିତ୍ତିଭୂମି ଓ ରେଡିଓୱେଲ୍ ସମ୍ପ୍ରସାରଣରେ ପ୍ରାୟ ୭୦ ହଜାର କୋଟି ଟଙ୍କା ନିବେଶ କରିଥିଲେ । ଏହା ଦ୍ଵାରା ସେମାନେ ୨୦୨୪ ବର୍ଷର ମୁଖ୍ୟ ଆକର୍ଷଣ ପରବର୍ତ୍ତୀ ପିଢ଼ିର ୫ଜି ସେବା ବିସ୍ତାର କରିବାକୁ ଲକ୍ଷ୍ୟ ରଖୁଥିଲେ। ଏହି ଘରୋଇ ସଂସ୍ଥାମାନେ କରିଥିବା ନିବେଶ ଫେରିପାଇବା ଓ ଲାଭ ବଢାଇବା ପାଇଁ ସେମାନେ ୨୦୨୪ ମଧ୍ୟଭାଗରେ ୧୦ରୁ ୨୬ ପ୍ରତିଶତ ଦର ବୃଦ୍ଧି କରିଥିଲେ, ଯାହା ସେମାନଙ୍କ ପାଇଁ ବୁମେରାଂ ହୋଇଥିଲା। ପ୍ରାୟ ୨ କୋଟି ଗ୍ରାହକ ସେମାନଙ୍କ ସେବା ବନ୍ଦ କରିଦେଇଥିଲେ। ଫଳରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଏବଂ ଆଇଡିଆ ୨ କୋଟି ୬୦ ଲକ୍ଷ ଗ୍ରାହକ ହରାଇଥିଲେ। ମୂଲ୍ୟ ବୃଦ୍ଧି ଦୌଡ଼ରେ ସାମିଲ ନ ଥିବା ସରକାରୀ ସଂସ୍ଥା ବି ଏସ୍ ଏନ୍ ଏଲ୍ରେ ୬ କୋଟି ୮୦ ଲକ୍ଷ ଗ୍ରାହକ ଯୋଡ଼ି ହୋଇଥିଲେ। କ୍ଷତିରେ ଚାଲୁଥିବା ଏହି ସାର୍ବଜନୀନ ସରକାରୀ ସଂସ୍ଥା ଏବେ ବି ବହୁ ପୁରୁଣା ୩ ଜି ସେବା ପ୍ରଦାନ କରୁଛି ଓ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ଦେଶରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି।
ଗ୍ରାହକ ହରାଇବା ସତ୍ତ୍ୱେ ଘରୋଇ ଦୂରସଞ୍ଚାର ସଂସ୍ଥାଙ୍କୁ ନିବେଶ ଫେରିପାଇବା ସହ ଭବିଷ୍ୟତ ପାଇଁ ଅଭିବୃଦ୍ଧି ସେବା ପ୍ରଦାନ ସକାଶେ ନିବେଶ ବଢ଼ାଇବାକୁପଡ଼ିବ। ତଥ୍ୟ ଅନୁଯାୟୀ ୨୦୨୪ରେ ରିଲାଏନ୍ସ ଜିଓ, ଭାରତୀୟ ଏୟାରଟେଲ ଓ ଭୋଡ଼ାଫୋନ୍ ଆଇଡିଆ ୭୦ ହଜାର ୨ଶହ କୋଟି ଟଙ୍କା ନିବେଶ କରିଥିଲେ । ୨୦୨୨ ରୁ ୨୦୨୭ ମଧ୍ୟରେ ଉନ୍ନତ ୫ ଜି ସେବାକ୍ଷେତ୍ର ପାଇଁ ୯୨ ହଜାର କୋଟିରୁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ଆବଶ୍ୟକ।
ଅନ୍ୟପକ୍ଷରେ ପ୍ରମୁଖ ସାଟେଲାଇଟ କମ୍ପାନୀ ଏଲନ ମସ୍ତଙ୍କ ଷ୍ଟାରଲିଙ୍କ ଭାରତରେ ବ୍ରଡ଼ବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଇଚ୍ଛା ପ୍ରକାଶ କରିଛି। ତେବେ ଷ୍ଟାରଲିଙ୍କକୁ ସ୍ପେକ୍ଟ ମର ପ୍ରଶାସନିକ ଆବଣ୍ଟନକୁ ରିଲାଏନ୍ସ ଜିଓ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଘରୋଇ ଦୂରସଞ୍ଚାର ସଂସ୍ଥା ବିରୋଧ କରିଆସୁଛନ୍ତି । ନିଲାମ ବିନା ସାଟେଲାଇଟ୍ ବ୍ରଡ଼ବ୍ୟାଣ୍ଡ ପ୍ରଦାନକାରୀଙ୍କୁ ଖୁବ୍ କମ୍ ମୂଲ୍ୟରେ ରେଡିଓ
ୱେଲ୍ ଆବଣ୍ଟନ ହେବ ଏବଂ ସେମାନଙ୍କର ଡାଟା ଗ୍ରାହକ ବଜାର ଅଂଶରେ ପ୍ରଭାବ ପଡ଼ିବ ବୋଲି ଘରୋଇ ଦୂରସଞ୍ଚାର ସଂସ୍ଥା ଭୟ କରୁଛନ୍ତି। ନିଲାମ କାର୍ଯ୍ୟ ବିନା ସ୍ପେକ୍ଟ୍ରମ୍ ରେ ଆବଣ୍ଟନ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ରାଜନୈତିକ ଦଳଙ୍କ ତରଫରୁ ବିରୋଧ କରାଯାଇଛି।
ତେବେ ସେ ଯାହା ହେଉ, ବିଦେଶୀ କମ୍ପାନୀମାନେ ଆସି ଦେଶୀୟ କମ୍ପାନୀକୁ ଘାଟାରେ ପକାଇବା ସହ ଆମ ଦେଶରୁ ପ୍ରଭୂତ ଅର୍ଥ ଉପାର୍ଜନ କରି ଚାଲିଯିବା ସ୍ପୃହଣୀୟ ନୁହେଁ। କିନ୍ତୁ କଣ ଅବା କରାଯାଇପାରିବ, ଯଦି ଘରୋଇ କମ୍ପାନୀମାନେ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଉପାର୍ଜନ ଲାଳସାରେ ନିଜ ଦେଶର ଲୋକଙ୍କୁ ଏପରି ଆଖିବୁଜା ଶୋଷିବେ। ଦେଶରେ ବିଦେଶୀ କମ୍ପାନୀମାନେ ପ୍ରବେଶ କରିବା କାରଣ ଲାଗି ଆମ ଦେଶୀୟ କମ୍ପାନୀମାନେ ଆଉ ସେମାନଙ୍କ ଶୋଷଣ ନୀତି ଦାୟୀ। ବ୍ୟବସାୟ କଲେ ଲାଭ ତ ନିଶ୍ଚୟ ରଖିବାକୁପଡିବ। କିନ୍ତୁ ତାହା ମାତ୍ରାଧିକ ହେଲେ ଶୋଷଣରେ ଗଣ୍ୟ ହୁଏ। ଗ୍ରାହକ ଯେତେବେଳେ ଜାଣେ ଯେ ତାର ଶୋଷଣ କରାଯାଉଛି, ସେତେବେଳେ ସେ ସେହି କମ୍ପାନୀକୁ ଆଉ ତାର ଉତ୍ପାଦକୁ ପରିତ୍ୟାଗ କରିଥାଏ ଆଉ କମ୍ ମୂଲ୍ୟରେ ମିଳୁଥିବା ଉତ୍ପାଦ କିଣିଥାଏ। ଦେଶୀୟ ଦୂରସଂଚାର କମ୍ପାନୀମାନେ ଆଖିବୁଜା ଶୋଷଣ କରିବାକୁଯାଇ ଏହି ସାମାନ୍ୟ କଥାଟିକୁ ଭୁଲିଗଲେ, ଯାହାର ପରିଣାମ ସେମାନେ ଏବେ ଭୋଗୁଛନ୍ତି ଆଉ ଲୋକେ ସେମାନଙ୍କୁ ପରିତ୍ୟାଗ କରୁଛନ୍ତି।
। ଦେଶରେ ମୋବାଇଲ ଫୋନ ସେବା ଆରମ୍ଭ ହେବା ଦିନରୁ ଘରୋଇ କମ୍ପାନୀମାନେ ଲୋକଙ୍କୁ ଖୁବ୍ ଶୋଷଣ କରି ନିଜର ବିତ୍ତ ବୃଦ୍ଧି କରି ଚାଲିଲେ। ବିଳମ୍ବରେ ହେଲେ ବି ରିଲାଏନ୍ସ କମ୍ପାନୀ ଏହି ସେବା କ୍ଷେତ୍ରରେ ପ୍ରବେଶ କରି ଖୁବ୍ କମ୍ ମୂଲ୍ୟରେ ସେବା ପ୍ରଦାନ କରି ଲୋକଙ୍କ ଆସ୍ଥାଭାଜନ ହେଲା। ଧୀରେ ଧୀରେ ଏହି ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ପୁରା ଜମିଯିବା ପରେ ଏବେ ତାର ବେଙ୍ଗଖିଆ ପାଟି ମେଲା କରିଛି, ଯାହାକୁ ଗ୍ରାହକମାନେ ବୁଝି ଯିବାରୁ ରିଲାଏନ୍ସ ଆଉ ସେହିପରି ଶୋଷକ କମ୍ପାନୀମାନଙ୍କୁ ଛାଡି ସରକାରୀ କମ୍ପାନୀ ବି,ଏସ୍,ଏନ୍,ଏଲ୍,କୁ ଆପଣାଇ ଛନ୍ତି। ଏହା ବିଏସ ଏନ୍ ଏଲ୍ ଲାଗି ବରଦାନ ସାବ୍ୟସ୍ତ ହେଇଛି। ଆଗକୁ ଯଦି ଦେଶୀୟ କମ୍ପାନୀମାନେ ସେମାନଙ୍କ ଶୋଷଣ ନୀତି ତ୍ୟାଗ ନ କରନ୍ତି, ତେବେ ଆଗକୁ ସେମାନଙ୍କ ଭେଳା ବୁଡିବା ଥୟ। ଏହାର ଫାଇଦା ବିଦେଶୀ କମ୍ପାନୀ ନେବେ। ଭାରତର ଧନ ବିଦେଶକୁ ଯିବା ସାର ହେବ।