

ଘରେ ଘରେ ସୁଶାସନ ପହଞ୍ଚାଇବା ପାଇଁ ମୋହନ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ବ୍ଲକ୍ ଗୁଡ଼ିକର ବିଭାଜନ ହେବ ଆଉ ବୃଦ୍ଧି ପାଇବ ପଞ୍ଚାୟତଗୁଡିକର ସଂଖ୍ୟା ସଂଖ୍ୟା । ତେବେ ଘରେ ପଶୁ ପଶୁ ମଥାରେ ଚାଳ ବାଜିଲା ପରି ଏହି ଯୋଜନା ଆରମ୍ଭ ନ ହେଉଣୁ ଏହାର ପ୍ରସ୍ତୁତି ପଥରେ କେଁ ଦେଖାଦେଇଛି। ତାହା ହେଲା ନୂଆ ବ୍ଲକ୍ ପାଇଁ ପାରାମିଟର କଣ ହେବ, ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ବ । ନୂଆ ଜନ ଗଣନା ହୋଇନଥିବାରୁ ସରକାର କେଉଁ ଆଧାରରେ ବ୍ଲକ ବିଭାଜନ କରିବେ। ତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ।
ବ୍ଲକ୍ ସଂଖ୍ୟା ବଢାଇବାକୁ ସରକାର ଯୋଜନା ତ କରିଛନ୍ତି, କିନ୍ତୁ କେଉଁ ଆଧାରରେ କରିବେ ବିଭାଜନ ? କ’ଣ ରହିବ ଏହାର ଆଧାର ? କାରଣ ଶେଷ ହୋଇନି ଜନ ଗଣନା । ତେଣୁ କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ବଢିଛି ଦ୍ୱନ୍ଦ୍ବ । ରାଜ୍ୟରେ ବ୍ଲକ୍ ଏବଂ ତହସିଲ ସଂଖ୍ୟା ବଢାଇବାକୁ ସରକାର ଅନୁଧ୍ୟାନ କରୁଥିବା ନେଇ ନିକଟରେ ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ । ସେ କହିଥିଲେ ଯେ, ବିକାଶକୁ ତଳସ୍ତରରେ ପହଞ୍ଚାଇବା ସହ ସୁଶାସନ ଦେବାରେ ଏହା ସହାୟକ ହେବ ।
ଯଦିଓ ଅନେକ ସ୍ଥାନରେ ବ୍ଲକ ବିଭାଜନ ପାଇଁ ଦାବି ଉଠିଛି, କିନ୍ତୁ ବଡ଼ କଥା ହେଲା ଏଥିପାଇଁ କ’ଣ ହେବ ପାରାମିଟର ? ଜନସଂଖ୍ୟା ଏକ ବଡ଼ ଆଧାର, କିନ୍ତୁ ଏଯାଏ ଜନଗଣନା ହୋଇନଥିବାରୁ ସରକାର ତାକୁ ଆଧାର ଭାବେ କେମିତି ନେବେ ? ତେଣୁ ଅଂଚଳ ଏବଂ ଦୂରତା ଏକ ଆଧାର ହୋଇପାରେ । କିମ୍ବା ବ୍ଲକ୍ ଅଧିନରେ ପଞ୍ଚାୟତ ସଂଖ୍ୟାକୁ ସୀମିତ ରଖିବା । ଏଥିପାଇଁ ବ୍ଲକ ବିଭାଜନ କମିଶନ ବସାଇ ପାରନ୍ତି ସରକାର ।
ଦୀର୍ଘ ୫୦ ବର୍ଷ ହେବ ବ୍ଲକ୍ ପୁନର୍ଗଠନ ହୋଇନାହିଁ । ଯଦିଓ ସମୟ ସମୟରେ ଅନେକ ସ୍ଥାନରେ ନୂଆ ବ୍ଲକ ପାଇଁ ଦାବି ହୋଇ ଆସିଛି । ଏଇ ଯେମିତି ବାଲେଶ୍ୱରର ଖଇରା ବ୍ଲକ। ଏଠି ରହିଛି ୩୭ଟି ପଞ୍ଚାୟତ । ବ୍ଲକ ମୁଖ୍ୟାଳୟରୁ ଗୋଟିଏ ଗୋଟିଏ ଗାଁର ଦୂରତା ପ୍ରାୟ ୩୦ କିଲୋମିଟର ରହୁଛି । ବ୍ଲକ ଅଫିସକୁ ଆସିବାକୁ ସମୟ ଲାଗୁଛି, ଆଉ କେତେବେଳେ ଯଦି କେଉଁ ବାବୁ ନଥିବେ କଥା ସରିଲା। ତେଣୁ ଖଇରା ଠାରୁ ୨୦ କିଲୋମିଟର ଦୂରରେ ଥିବା ଅଡା ଠାରେ ନୂଆ ବ୍ଲକ ପାଇଁ ଦାବି ହୋଇଛି । ବଲାଙ୍ଗିର ସଦର ବ୍ଲକର କିଛି ପଞ୍ଚାୟତବାସୀଙ୍କର ବି ସମାନ ଅଭିଯୋଗ । ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂରରେ ଥିବା ପଞ୍ଚାୟତଗୁଡିକୁ ନେଇ ଚୂଡ଼ାପାଲିଠାରେ ନୂଆ ବ୍ଲକ ପାଇଁ ଦାବି ଉଠିଛି । ରାଜସ୍ବ ମନ୍ତ୍ରୀଙ୍କ ଗତକାଲିର ବୟାନ ପରେ ଆଶା ସଞ୍ଚରିଛି । ନୂଆପଡ଼ା କୋମନା ବ୍ଲକକୁ ଭାଙ୍ଗି ତରବୋଡ ଏବଂ କୋମନା ପଞ୍ଚାୟତକୁ ମଧ୍ୟ ବ୍ଲକ ମାନ୍ୟତା ଦେବାକୁ ଦାବି ଉଠିଛି ।
ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି । ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ଏହାକୁ ମିଛ ଘୋଷଣା କହିଥିବା ବେଳେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ସରକାର ନିଷ୍ପତ୍ତି ନେଇଛନ୍ତି ମାନେ କରିବେ । ଖାଲି ବ୍ଲକ ନୁହେଁ, ଏଥିଲାଗି ଆର୍,ଆଇ, ଅଫିସ ସଂଖ୍ୟା ବଢାଇବାକୁ ସରକାର ଚିନ୍ତା କରୁଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସୂଚନା ଅନୁସାରେ ୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଳକ୍ ଥିବା ବେଳେ ୧୯୬୧ରେ ଏହା ୨୧୪କୁ ବୃଦ୍ଧି ପାଇଥିଲା । ସେହିପରି ୧୯୬୩ରେ ବ୍ଳକ୍ ସଂଖ୍ୟା ୩୦୪କୁ ବଢ଼ିଥିଲା। ୧୯୮୪ରେ ଏଥିରେ ଆଉ ୧୦ଟି ବ୍ଳକ୍ ଯୋଡ଼ା ଯିବା ପରେ ସଂଖ୍ୟା ୩୧୪ରେ ପହଞ୍ଚିଥିଲା, ଯାହାକି ଏବେ ବି ଅପରିବର୍ତ୍ତିତ ରହିଛି ।
ସମସ୍ତଙ୍କ ପାଖରେ ସୁଶାସନ ପହଞ୍ଚାଇବା ଲାଗି ସବୁଠାରୁ ଜରୁରୀ ବିଷୟ ହେଉଛି ପ୍ରଶାସନକୁ ତାହାର ସର୍ବନିମ୍ନ ସ୍ତରରେ ସର୍ବସୁଲଭ କରିବା, ଯେପରି ପ୍ରତ୍ୟେକ ବ୍ୟକ୍ତି ଲାଭାନ୍ଵିତ ହୋଇପାରିବେ। ତେବେ ଯାଇ ପ୍ରଶାସନ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିପାରିବ। ଏଥିଲାଗି ବ୍ଲକ୍ ବିଭାଜନ ସର୍ବପ୍ରଥମ ପଦକ୍ଷେପ ଅଟେ। କିନ୍ତୁ ଜନଗଣନା ହୋଇନଥିବାରୁ ବ୍ଲକ୍ ବିଭାଜନ ହୋଇନପାରିବା ନେଇ ହେଉଥିବା ଯୁକ୍ତି ନିରାଧାର ମନେହୁଏ। ବିଗତ ୯୦ ଦଶକରେ ବିଜୁ ପଟ୍ଟନାୟକ ସରକାର ଅମଳରେ ଜିଲ୍ଲା ବିଭାଜନ କରାଯାଇ ଜିଲ୍ଲାର ସଂଖ୍ୟା ୧୩ ରୁ ୩୦ କୁ ବୃଦ୍ଧି କରାଯାଇଥିଲା। ସେତେବେଳେ କେଉଁ ଜନଗଣନା ଆଧାରରେ ଏହି ଜିଲ୍ଲା ବିଭାଜନ କରାଯାଇଥିଲା ? ଏହି ପଦକ୍ଷେପ ନେଲାବେଳେ ତାହା ସହିତ ବ୍ଲକ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବା ଉଚିତ ଥିଲା। କିନ୍ତୁ ସେତେବେଳେ ତାହା କରାନଯିବାରୁ ଉକ୍ତ ଜିଲ୍ଲା ବିଭାଜନ କାର୍ଯ୍ୟ ଏକ ଅଧାପନ୍ତରିଆ କାର୍ଯ୍ୟ ହୋଇଗଲା। କେବଳ ଜନ ଗଣନାକୁ ଏକମାତ୍ର ଆଧାର କରାଯିବା ଉଚିତ ନୁହେଁ। ବ୍ଲକ୍ ଗୁଡିକର ବିଶାଳତା ମଧ୍ୟ ଏକ ଆଧାର ହେବା ଉଚିତ। ଯାହା ଫଳରେ ଦୂରତ୍ବ ହ୍ରାସ ପାଇବ। ଦୂରତ୍ଵ ହ୍ରାସ ପାଇଲେ ଲୋକେ ପ୍ରଶାସନ ପାଖରେ ପହଞ୍ଚିପାରି ଉପକୃତ ହୋଇପାରିବେ। ଜନଗଣନା ନ ହୋଇଥିବା କାରଣରୁ ଭଲ କାର୍ଯ୍ୟ ଅଟକିନଯାଉ। ଏଣୁ ଦୂରତ୍ବକୁ ଆଧାର କରାଯାଇ ବ୍ଲକ୍ ବିଭାଜନ କରାଯାଇପାରିବ