


ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ପାକିସ୍ତାନ ଉପରେ ଚାପ ପକାଇବା ଆରମ୍ଭ କରିଛି। ଏହା ଅନ୍ତର୍ଗତରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି, ଯାହାକୁ ପାକିସ୍ତାନ “ଯୁଦ୍ଧ କାର୍ଯ୍ୟାନୁଷ୍ଠାନ” ବୋଲି କହିଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି ଏବଂ ଏଥିନେଇ ଯୁଦ୍ଧ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଏପରି ସମୟରେ ପାକିସ୍ତାନ ନିରନ୍ତର ପରମାଣୁ ଯୁଦ୍ଧର ଧମକ ଦେଇ ଭାରତକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବରେ ପରମାଣୁ ଅସ୍ତ୍ରଶସ୍ତ୍ର ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ପାକିସ୍ତାନ ପାଖରେ ଏପରି ଅସ୍ତ୍ରଶସ୍ତ୍ର ଅଛି , ଯାହା ସାହାଯ୍ୟରେ ସେ ତା'ର ଶତ୍ରୁମାନଙ୍କୁ ଉପଯୁକ୍ତ ଜବାବ ଦେଇପାରିବ। ଏହି ବିବୃତି ପରେ ପାକିସ୍ତାନର ପରମାଣୁ ନୀତି ଏବଂ ଏହାର ରଣନୈତିକ ଚିନ୍ତାଧାରା, ବିଶେଷକରି ଏହାର କୌଶଳଗତ ପରମାଣୁ ଅସ୍ତ୍ର (ଟି,ଏନ୍, ଡବ୍ଲ୍ୟୁ,) ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି।
କୌଶଳଗତ ପରମାଣୁ ଅସ୍ତ୍ର କ’ଣ?
କୌଶଳଗତ ପରମାଣୁ ଅସ୍ତ୍ର, ଯାହାକୁ ସାମରିକ ପରମାଣୁ ଅସ୍ତ୍ର ମଧ୍ୟ କୁହାଯାଏ, ପାରମ୍ପରିକ ପରମାଣୁ ବୋମା ତୁଳନାରେ ଏହାର ଆକାର ଏବଂ ବିନାଶ ପରିସର ଛୋଟ। ଏଗୁଡ଼ିକ ଯୁଦ୍ଧକ୍ଷେତ୍ରର ଏକ ସୀମିତ ଅଞ୍ଚଳରେ ଶତ୍ରୁର ସାମରିକ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ସେମାନଙ୍କର ଲକ୍ଷ୍ୟ ଗଣହତ୍ୟା ନୁହେଁ ବରଂ ଏକ ସୀମିତ ଅଞ୍ଚଳରେ ଦ୍ରୁତ ଏବଂ ପ୍ରଭାବଶାଳୀ ଆକ୍ରମଣ କରିବା। ଭାରତର ପାରମ୍ପରିକ ସାମରିକ ଶକ୍ତିର ରଣନୈତିକ ଜବାବ ସ୍ୱରୂପ ପାକିସ୍ତାନ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବିକଶିତ କରିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପାକିସ୍ତାନ ଅନୁଭବ କରୁଛି ଯେ ସେ ପାରମ୍ପରିକ ଯୁଦ୍ଧରେ ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ, ତେଣୁ ସେ ଟି,ଏନ୍,ଡବ୍ଲ୍ୟୁ,କୁ ତାର ପ୍ରତିରକ୍ଷା ନୀତିରେ ସାମିଲ କରିଛି।
ପାକିସ୍ତାନ ଏହି ଅସ୍ତ୍ର କାହିଁକି ତିଆରି କଲା?
ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଗତ କିଛି ବର୍ଷ ମଧ୍ୟରେ ଟି,ଏନ୍, ଡବ୍ଲ୍ୟୁ , ଉତ୍ପାଦନକୁ ତ୍ୱରାନ୍ୱିତ କରିଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଭାରତକୁ ସୀମିତ ଯୁଦ୍ଧ କିମ୍ବା ପାରମ୍ପରିକ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ କରିବା। ବିଶେଷ କଥା ହେଉଛି ଏହି ବୋମାଗୁଡ଼ିକୁ ଏକ ଛୋଟ ଏବଂ ମୋବାଇଲ୍ ଲଞ୍ଚ ପ୍ଲାଟଫର୍ମରୁ ନିକ୍ଷେପ କରାଯାଇପାରିବ, ତେଣୁ ଏଗୁଡ଼ିକୁ ଯୁଦ୍ଧ କ୍ଷେତ୍ରରେ ସହଜରେ ବ୍ୟବହାର କରାଯାଇପାରିବ।
ସ। ପାକିସ୍ତାନ ଦାବି କରୁଛି ଯେ ଏହି ଅସ୍ତ୍ରଗୁଡ଼ିକ ଭାରତର କୋଲ୍ଡ ଷ୍ଟାର୍ଟ ରଣନୀତିର ମୁକାବିଲା କରିବା ପାଇଁ ଡିଜାଇନ୍ କରାଯାଇଛି। କୋଲ୍ଡ ଷ୍ଟାର୍ଟ ରଣନୀତି ଅନୁଯାୟୀ, ଭାରତ ସୀମିତ ସମୟରେ ଏକ ସୀମିତ ଅଞ୍ଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରିବ, ଯାହା ଫଳରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବାକୁ ସମୟ ମିଳିବ ନାହିଁ। ଏପରି ପରିସ୍ଥିତିରେ, ପାକିସ୍ତାନ ବିଶ୍ୱାସ କରେ ଯେ ଟି,ଏନ୍, ଡବଲ୍ୟୁ , ଏକ ତ୍ଵରିତ୍ ଏବଂ ପ୍ରଭାବଶାଳୀ ଉତ୍ତର ହୋଇପାରେ।
ଟି,ଏନ୍, ଡବ୍ଲ୍ୟୁ , କେତେ ବିପଦପୂର୍ଣ୍ଣ ହୋଇପାରେ?
ଯଦିଓ କୌଶଳଗତ ପରମାଣୁ ଅସ୍ତ୍ରଗୁଡ଼ିକୁ 'ସୀମିତ' ବୋଲି ବିବେଚନା କରାଯାଏ, ତଥାପି ସେମାନଙ୍କର ବ୍ୟାପକ ଧ୍ୱଂସ କରିବାର ସମ୍ଭାବନା ରହିଛି। ସେମାନଙ୍କର ଶକ୍ତି ସାଧାରଣତଃ ୧ ହଜାରରୁ ରୁ ୧୦ ହଜାର କିଲୋଟନ୍ ପର୍ଯ୍ୟନ୍ତ ହୋଇଥାଏ। ତୁଳନାତ୍ମକ ଭାବରେ ଜାପାନର ହିରୋସିମାରେ ପକାଯାଇଥିବା ବୋମାର ଉତ୍ପାଦନ ପ୍ରାୟ ୧୫ କିଲୋଟନ୍ ଥିଲା। ଏହାର ଅର୍ଥ ହେଉଛି ଯଦି ପାକିସ୍ତାନ ଟି,ଏନ୍, ଡବ୍ଲ୍ୟୁ , ବ୍ୟବହାର କରେ, ତେବେ ଏହା ୭୦ ରୁ ୧୦୦ କିଲୋମିଟର ପରିଧି ମଧ୍ୟରେ ସମ୍ପୂର୍ଣ୍ଣ ଧ୍ୱଂସଲୀଳା ଘଟାଇପାରେ।
ଏ ସମ୍ପର୍କରେ ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ଯେ ପାକିସ୍ତାନ ଏଗୁଡ଼ିକୁ ଏହାର ମଧ୍ୟମ ସ୍ତରୀୟ ସାମରିକ ଅଧିକାରୀ ଏବଂ ଆଞ୍ଚଳିକ କମାଣ୍ଡରମାନଙ୍କୁ ହସ୍ତାନ୍ତର କରିଛି, ଯାହା ଚିନ୍ତା ସୃଷ୍ଟି କରିଛି ଯେ ଏଗୁଡ଼ିକୁ ସ୍ଥାନୀୟ କିମ୍ବା ସୀମିତ ସଂଘର୍ଷ ସମୟରେ ଅନିୟନ୍ତ୍ରିତ ଭାବରେ କିମ୍ବା ତରବର ଭାବରେ ବ୍ୟବହାର କରାଯାଇପାରେ।
ପାକିସ୍ତାନ କେବେ ସେଗୁଡ଼ିକୁ ବ୍ୟବହାର କରିବ? ପାକିସ୍ତାନର ରଣନୀତିକ ଯୋଜନା ବିଭାଗ (ଏସ୍,ପି,ଡି,)ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ କିଦୱାଇଙ୍କ ଅନୁସାରେ ପାକିସ୍ତାନ କେବଳ ସେତେବେଳେ ପରମାଣୁ ଅସ୍ତ୍ର ବ୍ୟବହାର କରିବ, ଯଦି ସେ ଅନୁଭବ କରିବ ଯେ ଏହାର ଅସ୍ତିତ୍ୱ ପ୍ରତି ବିପଦ ଅଛି। ଏଥିଲାଗି ସେ ଚାରୋଟି ପ୍ରମୁଖ ପରିସ୍ଥିତି ଉଲ୍ଲେଖ କରିଛନ୍ତି:
ଯଦି ପାକିସ୍ତାନର ଭୂମି କବଜା କରାଯାଏ।
ଯଦି ଏହାର ସ୍ଥଳସେନା କିମ୍ଵା ବାୟୁସେନାର ବ୍ୟାପକ କ୍ଷତିସାଧନ କରାଯାଏ।
ଆର୍ଥିକ ଭାବରେ ତାହାର କଣ୍ଠରୋଧ କଲା ପରି ଚାପ ପକାଗଲେ ।
ଯଦି ଦେଶରେ ଗମ୍ଭୀର ରାଜନୈତିକ ଅସ୍ଥିରତା କିମ୍ବା ଆଭ୍ୟନ୍ତରୀଣ ବିଦ୍ରୋହ ସୃଷ୍ଟି ହୁଏ।
ଭାରତର ନୀତି କ'ଣ କହେ?
ଭାରତର ପରମାଣୁ ନୀତି 'ପ୍ରଥମେ ବ୍ୟବହାର ନୁହେଁ', ଅର୍ଥାତ୍ ଭାରତ କେବେବି ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ। କିନ୍ତୁ ଭାରତର ପରମାଣୁ ସିଦ୍ଧାନ୍ତରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଶତ୍ରୁ ପରମାଣୁ ଅସ୍ତ୍ର ବ୍ୟବହାର କରେ, ଯଦିଓ ସେଗୁଡ଼ିକ ଛୋଟ ହୋଇଥାଏ, ଭାରତ ନିର୍ଣ୍ଣାୟକ ଏବଂ ବ୍ୟାପକ ଭାବରେ ତାହାର ଜବାବ ଦେବ। ଏହାର ଅର୍ଥ ହେଉଛି ଯଦି ପାକିସ୍ତାନ ଟି,ଏନ୍, ଡବ୍ଲ୍ୟୁ , ବ୍ୟବହାର କରେ, ଭାରତ ଏହାକୁ ଏକ ପାରମ୍ପରିକ ପରମାଣୁ ଆକ୍ରମଣ ଭାବରେ ବିବେଚନା କରି ଜବାବୀ ତଥା ପାଲଟା ଆକ୍ରମଣ କରିପାରିବ। ଆଜି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି, କୌଶଳଗତ ପରମାଣୁ ଅସ୍ତ୍ର ଭଳି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡୁଛି। ପାକିସ୍ତାନ ଏହି ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଭାରତକୁ ଭୟଭୀତ କରିବା ପାଇଁ ଏକ ରଣନୀତି ଉପରେ କାମ କରୁଛି, କିନ୍ତୁ ଏହି ଖେଳ ବହୁତ ବିପଦପୂର୍ଣ୍ଣ। ପରମାଣୁ ସୀମା ଅତିକ୍ରମ କରିବା ପରେ ଏହାର ପରିଣାମ ଉଭୟ ଦେଶ ଏବଂ ସମଗ୍ର ଦକ୍ଷିଣ ଏସିଆ ପାଇଁ ଭୟଙ୍କର ହେବ।