
ପହଲଗାମ ଆତଙ୍କବାଦ ଆକ୍ରମଣକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନରୁ ଏକ ବଡ଼ ଖବର ଆସିଛି ଯେ ସେଠାରେ ଏକ ବିରାଟ ରାଜନୈତିକ ଅଘଟଣ ଘଟିଛି। ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ସେନା ଓ ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ପ୍ରାୟ ସମ୍ପୂର୍ଣ୍ଣ ଭାବେ ଦେଶର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି ପରୋକ୍ଷରେ ଶାସନ କ୍ଷମତା ହାତକୁ ନେଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନାମକୁ ମାତ୍ର ପ୍ରଧାନମନ୍ତ୍ରୀ ରହିଯାଇଛନ୍ତି।
ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାରକୁ ଏକ ପ୍ରକାର କୋଣଠେସା କରିଦେଇଛି। ଏହି ଘଟଣାକୁ ଅନେକେ ସେନାବାହିନୀର ଆଂଶିକ ଅଭ୍ୟୁତ୍ଥାନ ବୋଲି ଅଭିହିତ କରୁଛନ୍ତି। ଏହି ପରିବର୍ତ୍ତନର ମୂଳରେ ରହିଛି ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସିମ ମଲିକଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନଏସଏ) ଭାବେ ନିଯୁକ୍ତି। ଏହା ପାକିସ୍ତାନର ଇତିହାସରେ ପ୍ରଥମ ଥର ଯେ ଜଣେ ବର୍ତ୍ତମାନର ଆଇଏସଆଇ ମୁଖ୍ୟ ଏକସଙ୍ଗେ ଏନଏସଏ ପଦ ଗ୍ରହଣ କରିଛନ୍ତି। ଏହି ନିଯୁକ୍ତି ଏପରି ସମୟରେ ହୋଇଛି ଯେତେବେଳେ ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତୀୟ ତଦନ୍ତ ସଂସ୍ଥା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ର ପ୍ରାଥମିକ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ହମଲା ପାକିସ୍ତାନର ଆଇଏସଆଇ ଓ ଲସ୍କର-ଏ-ତୈବା ନାମକ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ହମଲାର ଜବାବ ଦେବା ପାଇଁ ସେନାକୁ ସମ୍ପୂର୍ଣ୍ଣ
ଖୋଲା ହାତ ଦେଇଛନ୍ତି, ଯାହା ଏକ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛି।
ସେନାର ନିୟନ୍ତ୍ରଣ ଓ ଶେହବାଜଙ୍କ ଭୂମିକା
ଅସିମ ମଲିକଙ୍କ ଏନଏସଏ ନିଯୁକ୍ତି ଦେଶର ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କ ନିର୍ଦ୍ଦେଶରେ ହୋଇଥିବା ଜଣାପଡ଼ିଛି। ଏହି ନିଯୁକ୍ତି ଦ୍ୱାରା ମଲିକ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ନୁହେଁ, ବରଂ ସିଧାସଳଖ ଜେନେରାଲ ମୁନିରଙ୍କୁ ରିପୋର୍ଟ କରିବେ। ଏହା ପାକିସ୍ତାନର ସେନାର ପ୍ରାଧାନ୍ୟ ଓ
ନିର୍ବାଚିତ ସରକାରଙ୍କ ଉପରେ ଏହାର ନିୟନ୍ତ୍ରଣକୁ ସ୍ପଷ୍ଟ କରୁଛି।
କିଛି ଦିନ ଧରି ଜନସାଧାରଣଙ୍କ ଆଖିରୁ ଦୂରେଇ
ରହିଥିବା ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବେ କେବଳ ନାମମାତ୍ର ନେତୃତ୍ୱରେ ସୀମିତ ହୋଇଛନ୍ତି। ଜାତୀୟ ସୁରକ୍ଷା ଓ ଭାରତ ସହ ସମ୍ବନ୍ଧ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବେ ସେନା ଓ ଆଇଏସଆଇର ହାତରେ। ତେବେ ପାକିସ୍ତାନରେ ସେନାର ରାଜନୈତିକ ହସ୍ତକ୍ଷେପ କୌଣସି ନୂଆ କଥା ନୁହେଁ। ୧୯୭୭ ମସିହାରେ ଜେନେରାଲ ଜିଆ-ଉଲ-ହକ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲୀ ଭୁଟ୍ଟୋଙ୍କୁ ଅପସାରଣ କରି ଏକ ଦଶନ୍ଧି ଧରି ସାମରିକ ଶାସନ ଚଳାଇଥିଲେ। ଏପରିକି ନାଗରିକ ସରକାର ସମୟରେ ମଧ୍ୟ ସେନା ଓ ଆଇଏସଆଇ ବୈଦେଶିକ ନୀତି, ଆଭ୍ୟନ୍ତରୀଣ ସୁରକ୍ଷା ଓ ରଣନୈତିକ ନିଷ୍ପତ୍ତି ଉପରେ ପରଦା ପଛରୁ ନିୟନ୍ତ୍ରଣ ରଖି ଆସୁଛନ୍ତି। ଅସିମ ମଲିକଙ୍କ ଏହି ଭୂମିକାରେ ଆସି ପାରନ୍ତି ବୋଲି ବିଶ୍ଲେଷକମାନେ ମତ ଦେଉଛନ୍ତି। ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବେ ହୃଦରୋଗ କାରଣରୁ
ଡାକ୍ତରଖାନାରେ ଭର୍ତ୍ତିହୋଇ ଚିକିତ୍ସାଧୀନ ରହିବା ସେନା ଲାଗି ବିଲେଇ କପାଳକୁ ଶିଖା ଛିଣ୍ଡିଲା ପରି ହୋଇଛି।