
ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ ଲେଖା।
ଯେଉଁ ‘ଜଗନ୍ନାଥ ଧାମ’ ନାମ ଲେଖାକୁ ନେଇ କିଛି ଦିନ ହେବ ବିରୋଧ ହେଉଥିଲା। ସାଧାରଣ ଜଗନ୍ନାଥ ପ୍ରେମୀଙ୍କଠୁ ଆରମ୍ଭ କରି ରାଜନୈତିକ ସ୍ତରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।ଶେଷରେ ସେହି ଲଢ଼େଇ ସଫଳ ହେଲା।
ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା। ଏନେଇ ଏକ ଭିଡିଓ ସେୟାର କରି ଟ୍ୱିଟ କରିଛନ୍ତି ଅମିତ୍ ମାଲବ୍ୟ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ୍ ମାଲବ୍ୟ।
ଏହା ସହ ଟ୍ୱିଟ୍ କରି ଅମିତ୍ ଲେଖିଛନ୍ତି ‘ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ’। ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି। ଶେଷରେ ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହଙ୍କ ବଳକା ଦାରୁରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦେଇଥିବା ଅନ୍ତରୀଣ ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷେ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ବିଭିନ୍ନ ନିଯୋଗର ସେବକଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ମାର୍ଗଦର୍ଶିକା ଜାରି ହେବ। ଯାହାଦ୍ବାରା ଭବିଷ୍ୟତରେ ଏଭଳି ବିଶୃଙ୍ଖଳା ଆଉ ହେବନି ବୋଲି ମନ୍ତ୍ରୀ କହିଛନ୍ତି।
ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ଅନ୍ତରୀଣ ତଦନ୍ତ ଶେଷ ହୋଇଛି ଓ ତଦନ୍ତ କମିଟି ସବିଶେଷ ରିପୋର୍ଟ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା, ମନ୍ଦିର ନାମକୁ ‘ଜଗନ୍ନାଥ ଧାମ’ ଲେଖାଯିବା, ଶ୍ରୀମନ୍ଦିର ସେବାୟତମାନେ ସେଠାରେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଆଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦଇତାପତି ନିଯୋଗ ଏବଂ ଯେଉଁମାନେ ଦୀଘା ମନ୍ଦିର ଯାଇଥିଲେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ଜେରା କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଓ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।