

ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ନିଜର ଅପରିସୀମ ଶକ୍ତିର ପ୍ରମାଣ ଦେଇଥିବା ବେଳେ ଏବେ ଭାରତ-ପାକ୍ ଅସ୍ତ୍ରବିରତି ପଛର କାହାଣୀ ସାମ୍ନାକୁ ଆସିଛି। ଭାରତୀୟ ଅଞ୍ଚଳକୁ ଟାର୍ଗେଟ୍ କରି ପାକିସ୍ତାନର ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ, ପ୍ରତିଶୋଧ ସ୍ୱରୂପ ପାକିସ୍ତାନର ୧୦ଟି ବିମାନ ଘାଟୀ ବ୍ରହ୍ମୋସ୍, ହାମର୍ ଓ ସ୍କାଲ୍ପ କ୍ଷେପଣାସ୍ତ୍ରରେ ଆକ୍ରମଣ ଏବଂ ପରମାଣୁ ଯୁଦ୍ଧର ଭୟାବହ ବିପଦ ଆଶଙ୍କା ପରେ ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଲାଗୁ ହୋଇଛି।
ସରକାରଙ୍କ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ଭାରତର ପ୍ରତିଶୋଧମୂଳକ ଆକ୍ରମଣ ମେ ୭ରେ ହୋଇଥିବା ଅପରେସନ ସିନ୍ଦୂରଠାରୁ ବି ବଡ଼ ଥିଲା ଏବଂ ପାକିସ୍ତାନ ଅନୁଭବ କରିଥିଲା ଯେ ଏହା ବିନାଶର ସମ୍ମୁଖୀନ ହୋଇଛି ଏବଂ ଏହାର ପରମାଣୁ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ହେବାର ସମ୍ଭାବନା ରହିଛି।
ପାକିସ୍ତାନ ଭାରତ ଉପରକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବାକୁ ସାହସ କରିବା ପରେ ଭାରତର ଅଭୂତପୂର୍ବ ପ୍ରତିଶୋଧ ଦେଖିବାକୁ ମିଳିଥିଲା। ରାୱଲପିଣ୍ଡିସ୍ଥିତ ପାକିସ୍ତାନ ସେନାର ଜେନେରାଲ ହେଡକ୍ୱାର୍ଟର ନିକଟରେ ଥିବା ନୁର୍ ଖାନ୍ ବିମାନ ଘାଟୀ ସମେତ ଭାରତର କ୍ଷେପଣାସ୍ତ୍ର ସେମାନଙ୍କର ଅନେକ ଟାର୍ଗେଟ୍ କୁ ଧ୍ବଂସ କରିଥିଲା। ମାତ୍ର ୯୦ ମିନିଟ୍ ମଧ୍ୟରେ ଭାରତ ନୁର୍ ଖାନ୍ ବିମାନ ଘାଟୀ, ସୋରକୋଟର ରଫିକି ବିମାନ ଘାଟୀ, ପଞ୍ଜାବର ମୁରିଦ ବିମାନ ଘାଟୀ, ସିନ୍ଧର ସୁକୁର ବିମାନ ଘାଟୀ, ସିଆଲକୋଟ ବିମାନ ଘାଟୀ, ସରଗୋଧା ବିମାନ ଘାଟୀ, ସ୍କାର୍ଦୁ ବିମାନ ଘାଟୀ, କରାଚି ନିକଟରେ ଭୋଲାରି ବିମାନ ଘାଟୀ, ଜାକୋବାବାଦ ବିମାନ ଘାଟୀ ଏବଂ ପାସରୁର ବିମାନ ଘାଟୀ ଉପରେ ଆକ୍ରମଣ କରିଥିଲା। ଭାରତ ମଧ୍ୟ ଦ୍ରୁତ ଜବାବରେ ଚୁନିଆନ୍ ରାଡାର ପ୍ରତିଷ୍ଠାନକୁ ଉଡ଼ାଇ ଦେଇଥିଲା।
ରାଫେଲ ଯୁଦ୍ଧ ବିମାନରୁ ଭାରତ ତା’ର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଏବଂ ହ୍ୟାମର୍ ଓ ସ୍କାଲ୍ପ କ୍ଷେପଣାସ୍ତ୍ରକୁ ଏହି ରଣନୈତିକ ବିମାନ ଘାଟୀ ଡ଼ିକ୍ ଉପରେ ନିକ୍ଷେପ କରିଥିଲା। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତ ନୁର୍ ଖାନ୍ ଏୟାର୍ବେସ୍ରେ ଆକ୍ରମଣ କରିବା ପରେ ଆମେରିକାରେ ବିପଦର ଘଣ୍ଟି ଜୋର୍ରେ ବାଜିଥିଲା। ଏହି ବେସ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ଯାହା ପାକିସ୍ତାନର ସେନା ପାଇଁ ଅନ୍ୟତମ କେନ୍ଦ୍ରୀୟ ପରିବହନ କେନ୍ଦ୍ର। ଏହା ପାକିସ୍ତାନର ଷ୍ଟ୍ରାଟେଜିକ୍ ପ୍ଲାନ୍ ଡିଭିଜନର ମୁଖ୍ୟାଳୟଠାରୁ ଅଳ୍ପ ଦୂରରେ ରହିଛି, ଯାହା ଦେଶର ପରମାଣୁ ଅସ୍ତ୍ରଶସ୍ତ୍ରର ତଦାରଖ ଓ ସୁରକ୍ଷା କରିଥାଏ। ନୁର୍ ଖାନ୍ ଓ ରଫିକି ବିମାନ ଘାଟୀ ଉପରେ ହୋଇଥିବା ଆକ୍ରମଣ ପାକିସ୍ତାନର ଏୟାର୍ ଲଜିଷ୍ଟିକ୍ ଓ ଉଚ୍ଚସ୍ତରୀୟ ସାମରିକ ସମନ୍ୱୟକୁ ବ୍ୟାହତ କରିଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାର ନିଷ୍କ୍ରିୟତା ଯୋଗୁଁ ସଂଘର୍ଷ ସମୟରେ ପାକିସ୍ତାନ ବାୟୁସେନା (ପିଏଏଫ୍) ନେତୃତ୍ୱ ଏବଂ ଏହାର ପରିଚାଳନା ୟୁନିଟ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଛିନ୍ନ ହୋଇଥିଲା। ଆଗଧାଡ଼ିର ଯୁଦ୍ଧ ସ୍କ୍ୱାଡ୍ରନ୍ ଆୟୋଜନ କରୁଥିବା ଏକ ପ୍ରମୁଖ ଯୁଦ୍ଧ ଘାଟି ରଫିକି ମଧ୍ୟ ଅଚଳ ହୋଇପଡ଼ିଥିଲା।
ଏହାର ବିମାନ ଆଶ୍ରୟସ୍ଥଳୀ ଓ ରନ୍
ଓ୍ଵେ ଭିତ୍ତିଭୂମି ନଷ୍ଟ ହେବା ଫଳରେ ପାକିସ୍ତାନର ବିମାନ ବାହିନୀ କ୍ଷମତା ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ମୁରିଦ ବାୟୁସେନା ଘାଟିକୁ ଟାର୍ଗେଟ୍ କରି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଓ ସମ୍ଭାବ୍ୟ କ୍ଷେପଣାସ୍ତ୍ର ସଂରକ୍ଷଣ କେନ୍ଦ୍ରରେ ବାଧା ସୃଷ୍ଟି କରିଛି। ଏହି ଆକ୍ରମଣ ପାକିସ୍ତାନର ଦୀର୍ଘକାଳୀନ ବାୟୁସେନା ପ୍ରସ୍ତୁତିକୁ ନଷ୍ଟ କରିଦେଇଛି।
ସରଗୋଧାର ବିନାଶ ଏକ ରଣନୈତିକ ମାଷ୍ଟର୍ଷ୍ଟ୍ରୋକ୍ ଥିଲା। ଏହା ପାକିସ୍ତାନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବେସ୍, ଯେଉଁଥିରେ କମ୍ବାଟ୍ କମାଣ୍ଡର୍ ସ୍କୁଲ୍, ନ୍ୟୁକ୍ଲିୟର ଡେଲିଭରି ପ୍ଲାଟଫର୍ମ ଓ ଏଲିଟ୍ ସ୍କ୍ୱାଡ୍ରନ୍ ରହିଛି। ଏହାର ଧ୍ୱଂସ ପଡ଼ୋଶୀ ଦେଶର କମାଣ୍ଡ-ଆଣ୍ଡ-କଣ୍ଟ୍ରୋଲ୍ ଢାଞ୍ଚାକୁ ଅଚଳ କରିଦେଇଛି। ସେହିପରି ସ୍କାର୍ଦୁ ଏୟାରବେସ୍ ଉପରେ ଭାରତର ଆକ୍ରମଣ ପାକିସ୍ତାନର ଉତ୍ତର ନିରୀକ୍ଷଣ ଓ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ବିମାନ ଚଳାଚଳକୁ କ୍ଷତି ପହଞ୍ଚାଇବା ସହ ଉଚ୍ଚ ହିମାଳୟରେ ଚୀନ୍-ପାକିସ୍ତାନ ସମନ୍ୱୟକୁ ସମର୍ଥନ କରୁଥିବା ଲଜିଷ୍ଟିକ୍ ଲିଙ୍କ୍ କୁ ମଧ୍ୟ ବ୍ୟାହତ କଲା। ଏହାପରେ ସୁକୁର ବିମାନ ଘାଟୀକୁ ଧ୍ବଂସ କରି ଭାରତ ପାକିସ୍ତାନର ଦକ୍ଷିଣ ବାୟୁ କରିଡରକୁ କାଟି ଦେଇଥିଲା। ସିନ୍ଧ ଓ ବଲୁଚିସ୍ତାନରେ ସୈନ୍ୟ ଓ ଉପକରଣ ପରିବହନ ପାଇଁ ସୁକୁର ଅତ୍ୟାବଶ୍ୟକ ଥିଲା। ଏହାର କ୍ଷତି ମୁଖ୍ୟ ଲଜିଷ୍ଟିକ୍ ଧମନୀଗୁଡ଼ିକୁ ବିଚ୍ଛିନ୍ନ କରିଛି ଏବଂ ଦକ୍ଷିଣରେ ପାକିସ୍ତାନର କାର୍ଯ୍ୟକ୍ଷମ ପରିସୀମାକୁ ହ୍ରାସ କରିଛି।
ଏହି ଧରଣର ପ୍ରତିଶୋଧରୁ ଜଣାପଡିଥିଲା ଯେ ଭାରତ ଓ ପାକିସ୍ତାନ ଏକ ବିରାଟ ଉତ୍ତେଜନାର ସମ୍ମୁଖୀନ ହେଉଛନ୍ତି, ଯାହା ସମ୍ଭବତଃ ପରମାଣୁ ଯୁଦ୍ଧର କାରଣ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରବିବାରର ପୋଷ୍ଟ ପରମାଣୁ ଉତ୍ତେଜନା ଆଶଙ୍କାକୁ ସୂଚାଉଛି। ଟ୍ରମ୍ପଙ୍କ ସହ କଥା ହେବା ପରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିଥିଲେ। ତାଙ୍କୁ ସିଧାସଳଖ ପାକିସ୍ତାନ ସହ ଯୋଗାଯୋଗ କରିବା ଏବଂ ଉତ୍ତେଜନା ହ୍ରାସ ପାଇଁ ଉପଲବ୍ଧ ବିକଳ୍ପ ଉପରେ ବିଚାର କରିବାକୁ ଉତ୍ସାହିତ କରିଥିଲେ।
ଏହି ସମୟରେ ରୁବିଓ ମୁନିରଙ୍କୁ ଗୁରୁତ୍ୱପୂର୍ଣ୍ଣ କଲ୍ କରିଥିଲେ। ଆମେରିକା ଅନୁଭବ କରିଥିଲା ଯେ ପାକ୍ ସେନାମୁଖ୍ୟ ପାକିସ୍ତାନୀ ରାଜନୈତିକ ନେତୃତ୍ୱଙ୍କ କଥା ଶୁଣୁନାହାନ୍ତି ଏବଂ ଗୁଳି ଚାଳନା କରୁଛନ୍ତି। ତେଣୁ ନେତାଙ୍କ ବଦଳରେ ସେମାନେ ସେନାମୁଖ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଥାଇ ପାରନ୍ତି, କିନ୍ତୁ ନୂଆଦିଲ୍ଲୀ ନିଜ ଲୋକଙ୍କ ସୁରକ୍ଷା ପାଇଁ କାହାର ଅନୁମତି ନେବ ନାହିଁ ବୋଲି ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭାରତର ପ୍ରତିକ୍ରିୟା ଏକ ବିଶ୍ୱସ୍ତରୀୟ ସଙ୍କେତ ଦେଇଛି - ‘ଆତଙ୍କବାଦୀ ଓ ସେମାନଙ୍କ ମାଷ୍ଟରମାଇଣ୍ଡମାନେ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇବେ ନାହିଁ।’